ବାଲେଶ୍ୱର, ୨-୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ପକ୍ଷରୁ ‘କୁମାର ଉତ୍ସବ’ କରୋନା ପାଇଁ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ବରେଣ୍ୟ ଅତିଥି ଭାବେ ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଜଗନ୍ନାଥଙ୍କ ନିକଟରେ ପୂଷ୍ପମାଲ୍ୟ ଅର୍ପଣ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଉତ୍କଳୀୟ ପରମ୍ପରାରେ କୁମାର ଉତ୍ସବ ବୈଶିଷ୍ଟତା ସମ୍ପର୍କରେ ଆଲୋକପାତ ସହ ଆସନ୍ତାବର୍ଷଠାରୁ ଏହାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍କୁଲର ସଂପାଦକ ଶରତ ଚନନ୍ଦ୍ର ଦାଶ, ନାଟ୍ୟକାର ହେମେନ୍ଦ୍ର ମହାପାତ୍ର କୁମାର ଉତ୍ସବର ନାମ କରଣ ଓ ପାଳନର ଯଥାର୍ଥତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଈନ୍ଦ୍ରଧନୁର ସଂପାଦକ ବ୍ରହ୍ମନାଥ ରଥଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀ ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ଛାତ୍ରୀ ମାନେ କୁମାରପୂର୍ଣ୍ଣମୀ ସଙ୍ଗୀତ ଗାନ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଗୁରୁ ଭୁବନମହୋନ ପ୍ରଧାନ ଓ ନନ୍ଦକିଶୋର ଦାସ ହାରମୋନିୟମ ଓ ତବଲାରେ ସହଯୋଗ କରିଥିଲେ। ସଂଗ୍ରାମ ମହାନ୍ତି, ଗୌରୀଶଙ୍କର ଶାହାଣୀ, ଅର୍ଣ୍ଣବ କର, ଅଜୟ ଆଚାର୍ଯ୍ୟ, ପ୍ରଣବ ଦାସ, ପ୍ରମୁଖ ଉପସ୍ଥିତ ଥିଲେ। ଅଜୟ ଆଚାର୍ଯ୍ୟ ଓ ନନ୍ଦକିଶୋର ଦାସଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।