ad
ଅନୁଗୁଳ

ଆସନ୍ତା କାଲିଠାରୁ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପି ବାର୍ଷିକ ଯାତ୍ରା ଆରମ୍ଭ

ତାଳଚେର, ୧୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ମା’ ହିଙ୍ଗୁଳାଙ୍କ ପବିତ୍ର ଯାତ୍ରା ଓ ୧୭ତମ ଲୋକ ମହୋତ୍ସବ ଚଳିତ ମାସ ୧୮ତାରିଖରୁ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଆରମ୍ଭ ହେବ। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅଗ୍ନିରୂପୀ ମା’ ହିଙ୍ଗୁଳା ଚଳିତ ବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ତିନି ଶହ ମିଟର ଦୂରରେ ଥିବା ପଡିଆରେ ଆର୍ବିଭାବ ହୋଇଛନ୍ତି। ତେଣୁ ମା’ଙ୍କ ଏହି ଉଭାସ୍ଥଳୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ ଉଭାସ୍ଥଳୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପଲିଥିନମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭାସ୍ଥଳୀ ନିକଟରେ ଭୋଗ ବିକ୍ରୀ କରୁଥିବା ଦୋକାନୀମାନଙ୍କ ସହ ଅନ୍ନଛତ୍ର ତଥା ଜଳଦାନ କରୁଥିବା ଅନୁଷ୍ଠାନଗୁଡିକ ପଲିଥିନ୍ ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମନ୍ଦିର ପରିସର ଓ ଉଭାସ୍ଥଳୀକୁ କପଡା ଦ୍ୱାରା ସିଲିଂ କରାଯାଇଛି। ମନ୍ଦିର ଓ ଉଭାସ୍ଥଳୀକୁ ଯିବା ପୂର୍ବରୁ ମା କରଡେଇ ମନ୍ଦିର ଓ ହାଇସ୍କୁଲ ପାଖ ରାସ୍ତାକୁ ପ୍ରଶସ୍ତ କରାଯିବା ସହ ଏହାର ମରାମତି କରାଯାଇଛି। ତାଳଚେର ପଟୁ ଆସୁଥିବା ଯାନଗୁଡିକ ପାଇଁ ମା କରଡେଇ ମନ୍ଦିର ନିକଟସ୍ଥ ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ଛୋଟ ଛୋଟ ପିଲାମାନଙ୍କର ମୁଣ୍ଡନ ପାଇଁ କରଡେଇ ମନ୍ଦିର ରାସ୍ତା ପାଶ୍ୱର୍ରେ ବ୍ୟବସ୍ଥା କରାଯାଇଛି। ଦୀର୍ଘ ନଅ ଦିନ ଧରି ଚାଲିବାକୁ ଥିବା ଲୋକ ମହୋତ୍ସବ ନିମନ୍ତେ ମନ୍ଦିର ପଛ ପାଶ୍ୱର୍ରେ ଏକ ବିରାଟ ସୁସଜ୍ଜିତ ମଣ୍ଡପର ନିର୍ମାଣ କରାଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାରମାନଙ୍କ ସହ ଆଂଚଳିକ କଳାକାରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମା’ଙ୍କ ଏହି ଅନନ୍ୟ ଯାତ୍ରା ସହ ଲୋକ ମହୋତ୍ସବରର ସିଧାପ୍ରସାରଣ ସ୍ଥାନୀୟ ଟିଟିଭି ମାଧ୍ୟମରେ କରାଯିବାର ବ୍ୟବସ୍ଥା କରାଯାଇଛି। ଯାତ୍ରାର ସୁପରିଚାଳନା ନିମନ୍ତେ ବିଭିନ୍ନ ସବ୍ କମିଟି ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାକୁ ମନ୍ଦିର ଓ ଯାତ୍ରାସ୍ଥଳର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ଭିଡ ତଥା ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବାର ତାଳଚେର ଏସଡିପିଓ ସୂଚନ ଦେଇଛନ୍ତି। ଜଣେ ଆଡ଼ିସନାଲ ଏସପି, ୨ଜଣ ଡିଏସପି, ୫ଜଣ ଇନିସପେକ୍ଟର, ୪୫ଜଣ ଅଫିସରଙ୍କ ସମେତ ୯ ପ୍ଲାଟୁନ୍ ଫୋର୍ସ ଯାତ୍ରା ଅବସରରେ ନିୟୋଜିତ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଆବଶ୍ୟକ ସ୍ଥଳେ ଏମ୍.ସି.ଏଲ୍ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ନିୟୋଜନ କରାଯିବ ବୋଲି ଜଣାପଡିଛି। ଯାତାୟତର ସୁବିଧା ତଥା ଦୁର୍ଘଟଣା ଏଡାଇବା ପାଇଁ ବିଭିନ୍ନ ଛକମାନଙ୍କରେ ଓ ୍ୱାନ୍ େଓ ୍ୱ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଯାତ୍ରାରେ ବ୍ୟାରିକେଡ ନିର୍ମାଣ ପାଇଁ ନନ୍ଦିରା କୋଇଲା ଖଣି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଯାତ୍ରା ପଡିଆ, ମନ୍ଦିର, ଉଭାସ୍ଥଳୀ, ଲୋକ ମହୋତ୍ସବ ମଣ୍ଡପ ଇତ୍ୟାଦିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଏମ୍.ସି.ଏଲ ଭରତପୁର କୋଇଲାକ୍ଷେତ୍ର, ଟେଣ୍ଟ ପାଇଁ ଲିଙ୍ଗରାଜ କ୍ଷେତ୍ରକୁ ଦ୍ୱାୟିତ୍ୱ ଦିଆଯାଇଛି। ଯାତ୍ରାରେ ପଲ୍ଲୀଶ୍ରୀ ମେଳା, ମୀନାବଜାର, ଜଳଖିଆ ଦୋକାନ, ମନୋହରୀ ଦୋକାନ ସହ ବିଭିନ୍ନ ଉଠା ଦୋକାନୀ ଖୋଲାଯାଇଛି। ଚଳିତ ବର୍ଷ ମା’ଙ୍କ ମନ୍ଦିର ପରିସରରେ ୮ଟି ହାଇମାକ୍ସ ଲାଇଟ ମଗାଯାଇଥିବା ବେଳେ ଭାରତୀୟ ତୈଳ ନିଗମ ପକ୍ଷରୁ ପୀଠ ଚତୁଃପାଶ୍ୱର୍ରେ ସୋଲାର ଏଲଇଡି ଲାଇଟ ଲଗାଯାଇଛି। ତାଳଚେର, ଅନୁଗୋଳ, କଣିହାଁ, ଛେଣ୍ଡିପଦା ଅଂଚଳକୁ ସଂଯୋଗ କରୁଥିବା ରାସ୍ତାକଡରେ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ଶତାଧିକ ଜଳଛତ୍ର, ତରଭୂଜ, ଆଇସକ୍ରିମ, ଦହିପାଣି, ଅନ୍ନପ୍ରସାଦ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ବିତରଣ କରିବାକୁ ବ୍ୟବସ୍ଥା କରାଯାଇଛି। ତାଳଚେର ଉପ-ଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାତ୍ରାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଯାଇଛି। ନଅ ଦିନ ଧରି ଚାଲିବାକୁ ଥିବା ଯାତ୍ରା ଚଳିତ ମାସ ୨୬ ତାରିଖ ଦିନ ମା’ଙ୍କ ଶିତୁଳା ଯାତ୍ରା ସହ ସମାପିତ ହେବ। ଏହି ଯାତ୍ରାରେ ଛଅ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହି ଅବସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ପକ୍ଷରୁ ବାର୍ଷିକ ପତ୍ରିକା ମା ହିଙ୍ଗୁଳା ତଥା ଟ୍ରଷ୍ଟବୋର୍ଡ ପକ୍ଷରୁ ବାର୍ଷିକ ମୁଖବନ୍ଧ ଅଗ୍ନିସ୍ନାତାର ଶୁଭ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି। ମା ହିଙ୍ଗୁଳାଙ୍କ ଏହି ଅନନ୍ୟ ଯାତ୍ରାକୁ ସରସ, ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତାମାନେ ଦିନରାତି ଏକାକାର କରିଦେଇଛନ୍ତି। ଯାତ୍ରା ପାଇଁ ସମଗ୍ର ତାଳଚେର ସହ ନିକଟସ୍ଥ କଳମଛୁଇଁ, ସୋଲଡା, ଗୋପାଳପ୍ରସାଦ, ଡଅଁରା ଆଦି ଗ୍ରାମଗୁଡିକ ଚଳଚଂଚଳ ହୋଇ ପଡିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top