Home Top News ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ

85

ପୁରୀ ୨୨-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ବୁଧବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଯେଉଡ଼ ଭୋଗ ପରେ ଗୁରୁବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଶୁକ୍ରବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ। ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନରେ ବିଜେ କରାଇବେ। ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ। ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବେ। ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ ସଜ୍ଜିତ କରାଯିବ। ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି। ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ। ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଭକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.