Home ଅନୁଗୁଳ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କଳମଛୁଇଁ ଶିଶୁମନ୍ଦିରର ବିବିଧ କାର୍ଯ୍ୟକ୍ରମ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କଳମଛୁଇଁ ଶିଶୁମନ୍ଦିରର ବିବିଧ କାର୍ଯ୍ୟକ୍ରମ

65

ତାଳଚେର, ୬/୮ (ଓଡ଼ିଆ ପୁଅ/ଅଜିତ ବେହେରା): ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଜି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମ ନିକଟସ୍ଥ ଆଜନ୍ମ ବିପ୍ଲବୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତି ଚତୁଃପାଶ୍ୱର୍କୁ ସଫା କରିବା ସହ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କଳମଛୁଇଁ ଶିଶୁମନ୍ଦିର ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ, ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଓ ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହାପରେ କଣିହାଁ ବ୍ଲକ ସ୍ଥିତ ପବିତ୍ରମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଦାଶରଥୀ ଜେନା ଯୋଗ ଦେଇ ପବିତ୍ର ମୋହନ ପ୍ରଧାନଙ୍କ କର୍ମମୟ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ। ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ, ବିନାୟକ ପ୍ରଧାନ, କାଳିନ୍ଦୀ ଚରଣ ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଭୀମସେନ ସାମଲ, ସୁକାନ୍ତ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ଇନ୍ଦ୍ରଜିତ ପ୍ରଧାନଙ୍କ ସମେତ କଳମଛୁଇଁ ଶିଶୁମନ୍ଦିରର ଆଚାର୍ଯ୍ୟ ତ୍ରିଲୋଚନ ବେହେରା ଓ ବୀଣାପାଣି ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତତ୍‌ପରେ କଣିହାଁସ୍ଥିତ ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଓ ଗୋପବନ୍ଧୁ ଦୃଷ୍ଟିହୀନ କଲ୍ୟାଣ ସମିତି ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ୍ ଟ୍ରଷ୍ଟର ସଭାପତି ନୃସିଂହ ଚରଣ ବରାଳ, ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ, ନୀଳକଣ୍ଠ ବେହେରା, ମହେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରଥିଲେ। ଏହାପରେ ଛାତ୍ରଛାତ୍ରୀମାନେ କଂସମୁଣ୍ଡା ଗ୍ରାମସ୍ଥିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବାସସ୍ଥାନକୁ ଯାଇ ସେଠାରେ ସଂଗ୍ରାମୀଙ୍କ ପ୍ରତିଚ୍ଛବିରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଅବସରରେ ସଂଗ୍ରାମୀ ବିଚ୍ଛନ୍ଦ ପ୍ରଧାନଙ୍କ ଉତରଦାୟଦ ଅଦୈତ୍ୟ କୁମାର ପ୍ରଧାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଗଡଜାତ ଆନ୍ଦୋଳନର କର୍ଣ୍ଣଧାର ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ବାସସ୍ଥ୍ରଳୀ ପୋଇପାଳ ଗ୍ରାମକୁ ଯାଇ ତାଙ୍କର ପୈତୃକ ବାସଗୃହ ପରିଦର୍ଶନ କରିବା ସହ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ନାଲମ ଗ୍ରାମସ୍ଥିତ ନୃସିଂହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୌମେନ୍ଦ୍ର ପ୍ରଧାନ, ଯୋଗୀନାଥ ପ୍ରଧାନଙ୍କ ସମେତ ନାଲମ ଶିଶୁମନ୍ଦିରର ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆମ ଦେଶର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ନୀତି, ଆଦର୍ଶକୁ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କଳମଛୁଇଁ ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଏହି ଅବସରରେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.