Home ଜିଲ୍ଲା ପରିକ୍ରମା ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦ୍ୱାରା ବନ୍ୟା ନିୟନ୍ତ୍ରଣ ଓ କୃଷି ବିକାଶ ସମ୍ଭବ ହେବ: ବିଜେପି

ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦ୍ୱାରା ବନ୍ୟା ନିୟନ୍ତ୍ରଣ ଓ କୃଷି ବିକାଶ ସମ୍ଭବ ହେବ: ବିଜେପି

59

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଧବାର ପରିଦର୍ଶନ ପରେ ବିଜେପି ପକ୍ଷରୁ ଆଖୁଆପଦା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆନିକଟ ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ଦାବି କରିଛନ୍ତି । ବୈତରଣୀ ନଦୀର ଜଳସେଚନ ସୁଖକୁ ଯାଜପୁର ଓ ଭଦ୍ରକ ଜିଲ୍ଲା ଭାଗ କରୁଥିବା ବେଳେ ବନ୍ୟା ଦୁଃଖକୁ ଏସକେପ ମାଧ୍ୟମରେ ଭୋଗୁଛି ଭଦ୍ରକ ଜିଲ୍ଲା । ବୈତରଣୀ ବନ୍ୟା ଦ୍ୱାରା କଣ୍ଟିଘାଇ, ବାଲିପୋଖରୀ ଏସକେପରେ ବନ୍ୟା ଜଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଳି ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ କ୍ଷତି କରୁଛି । ଆଖୁଆପଦାରେ ବ୍ୟାରେଜ ନିର୍ମାଣ କରାଗଲେ କେନାଲ ଦ୍ୱାରା ଜଳସେଚନ କରାଯାଇ କୃଷିର ବ୍ୟାପକ ବିକାଶ ହୋଇ ଚାଷୀଙ୍କ ଅର୍ଥନୈତିକ ବିକାଶ କରାଯାଇ ପାରିବ । ଏହା ଛଡା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରାଯାଇ ପାରିବ । ଏଣୁ ବ୍ୟାରେଜ ଦ୍ୱାରା ବନ୍ୟା ନିୟନ୍ତ୍ରଣ ସହ ଅଞ୍ଚଳବାସୀଙ୍କ ହିତ ସାଧନ କରାଯାଇ ପାରିବ । ଏଥିନେଇ ଶ୍ରୀ ସେଠୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ବିଧାନସଭାରେ ଦାବି ଉଠାଇବା ସହ ଆବଶ୍ୟକ ହେଲେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକଲକ୍ଷ ଲୋକଙ୍କ ସ୍ୱାକ୍ଷରରେ ଏକ ଦାବିପତ୍ର ପ୍ରଦାନ ପାଇଁ ‘ସ୍ୱାକ୍ଷର ଅଭିଯାନ’ କାର୍ଯ୍ୟକ୍ରମକୁ ଶ୍ରୀ ସେଠୀ ଆରମ୍ଭ କରିଥିଲେ । ଆଖୁଆପଦାରେ ବୈତରଣୀ ନଦୀର ଭୌଗଳିକ ଅବସ୍ଥା, ଆନିକଟ କାର୍ଯ୍ୟକାରିତା, କୃଷି ଉପଯୋଗୀ ଉର୍ବର ମୂର୍ତ୍ତିକାର ବିସ୍ତୀର୍ଣ୍ଣ ଚାଷଜମି ଓ ଉପସ୍ଥିତ ଭିତ୍ତିଭୂମି ବ୍ୟାରେଜ ନିର୍ମାଣ ପାଇଁ ଅତ୍ୟନ୍ତ ସୁବିଧା ଜନକ ହେବା ମନେ କରାଯାଉଛି । ଏଠାରେ ୧୮୭୧ ମସିହାରେ ବ୍ରିଟିଶ ଶାସକଙ୍କ ଦ୍ୱାରା ଆନିକଟ ନିର୍ମାଣ କରାଯାଇ ଉଭୟ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା । ୧୯୯୭ ମସିହାରେ ବିଶ୍ୱବ୍ୟାଙ୍କ ସହାୟତାରେ ଆନିକଟକୁ ଆଧୁନିକକରଣ କରାଯାଇଥିଲା । ଏହି ଆନିକଟର ଜଳଧାରଣ ସ୍ତର ୧୭.୨୨ମିଟର ଅନୁଯାୟୀ ଆୟତନ ଏବେ ୪.୫ ବର୍ଗ କିଲୋମିଟର ରହିଛି । ଆନିକଟ ଅଞ୍ଚଳରେ ଜଳ ଧାରଣ ସ୍ତର ୨୦ ମିଟରକୁ ଆଧାର କରି ବ୍ୟାରେଜ ନିର୍ମାଣ କରାଗଲେ ଏହାର ଆୟତନ ୧୩.୫ ବର୍ଗ କିଲୋମିଟର ହେବା ସମ୍ଭବ ହେବ ବୋଲି ବିଶେଷଜ୍ଞ ମହଲ ମତଦେଇଛନ୍ତି । ଜଗନ୍ନାଥପ୍ରସାଦରେ ସାମ୍ବାଦିକମାନଙ୍କୁ ଶ୍ରୀ ସେଠୀ ସମ୍ବର୍ଦ୍ଧିତ କରିଥିଲେ । ଏହି ସାମ୍ବାଦିକ ସମ୍ମିନଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ ଉପସ୍ଥିତ ଥିଲେ । ଏଥିପୂର୍ବରୁ ଏହି ପ୍ରତିନିଧି ଦଳ କଣ୍ଟିଘାଇ, ବାଲିପୋଖରୀ ଏସକେପ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.