Home ଜିଲ୍ଲା ପରିକ୍ରମା ଅବକାରୀ କର୍ମଚାରୀଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା : ଥାନାଧିକାରୀଙ୍କ ଅନୁକମ୍ପା ସତ୍ୱେ ଏସ୍‌ପିଙ୍କ ଚାପରେ ଅଭିଯୁକ୍ତ...

ଅବକାରୀ କର୍ମଚାରୀଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା : ଥାନାଧିକାରୀଙ୍କ ଅନୁକମ୍ପା ସତ୍ୱେ ଏସ୍‌ପିଙ୍କ ଚାପରେ ଅଭିଯୁକ୍ତ କଟକରୁ ଗିରଫ

192

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ବିଭାଗର ଜନୈକ କର୍ମଚାରୀଙ୍କ ଦାଦାଗିରି ଓ ଫେରାର ହେବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ଚାପରେ ଆଜି ସହରାଞ୍ଚଳ ଥାନାଧିକାରୀ ଏକ ଟିମ୍ ନେଇ ସଂପୃକ୍ତ କର୍ମଚାରୀଙ୍କୁ କଟକରୁ ଗିରଫ କରି ଆଣୁଥିବାର ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୧ ତାରିଖ ରାତିରେ ଭଦ୍ରକ ପୌରାଞ୍ଚଳ ଅପର୍ତ୍ତିବିନ୍ଧା ଗ୍ରାମର ଦିଲ୍ଲୀପ କୁମାର ପହିଙ୍କ ପୁତ୍ର ଡିଆର ମୋନାର୍ଚ୍ଚ ସ୍ଥାନୀୟ ଏକ ହୋଟେଲକୁ ନିଜ କାର ନେଇ ଯାଇଥିଲେ । ସେ ନିଜ କାର ନିକଟକୁ ଯିବା ସମୟରେ ଜିଲା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଶିବ ପ୍ରସାଦ ସାହୁ ନିଜକୁ ପୁଲିସ୍ ପରିଚୟ ଦେଇ ଅନ୍ୟ ଜଣେ ସ୍ଥାନୀୟ ଯୁବକ କାହ୍ନୁ ଦାସଙ୍କ ସହିତ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଏହାବ୍ୟତୀତ ତାଙ୍କ ସହିତ ଥିବା ମିହିର ଦାସ ଓ ଅମୀର ଦାସଙ୍କୁ ମଧ୍ୟ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ତାଙ୍କୁ ଡ୍ରଗସ୍ କାରବାରରେ ଫସାଇ ଦେବାକୁ ଧମକ ଦେଇଥିଲେ । ଖବର ପାଇ ମୋନାର୍ଚ୍ଚଙ୍କ ବାପା ସେଠାରେ ପହଞ୍ôଚବା ପରେ ଅବକାରୀ କର୍ମଚାରୀ ଶ୍ରୀ ସାହୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଏନେଇ ମୋନାର୍ଚ୍ଚ ୧୧ ତାରିଖ ରାତିରେ ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେଶ୍ ନଂ ୨୫୨/୨୦ ରେ ମାମଲା ରୁଜୁ କରିବା ସହ ଘଟଣାରେ ସଂପୃକ୍ତ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଥିଲେ । କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଡାକ୍ତରୀ ପରୀକ୍ଷା ସମୟରେ ତାଙ୍କର କୋଭିଡ୍ ପଜିଟିଭ୍ ଆସିବାରୁ ପୁଲିସ୍ ତାଙ୍କୁ ଜାମିନ୍‌ରେ ଛାଡି ଦେଇଥିଲା । କିନ୍ତୁ ୪ ଦିନ ବିତିଥିଲେ ମଧ୍ୟ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଗିରଫ କରିନଥିବା ବିଷୟ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କଡା ତାଗିଦ କ୍ରମେ ଥାନାଧିକାରୀ ଏକ ସ୍ୱତନ୍ତ୍ର ଟିମ୍ ଜରିଆରେ ଅବକାରୀ କର୍ମଚାରୀ ଶ୍ରୀ ସାହୁଙ୍କୁ ଆଜି କଟକରୁ ଗିରଫ କରି ଭଦ୍ରକ ଆଣୁଥିବାର ଜଣାପଡିଛି । ଅପରପକ୍ଷେ ଅବକାରୀ ଅଧୀକ୍ଷକ ଗୌତମ ସାହୁ କହିଥିଲେ ଯେ ଏପରି ଏକ ଅଭିଯୋଗ ପାଇବା ପରେ ଅବକାରୀ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ଆସିସାରିଛି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.