Home ଜିଲ୍ଲା ପରିକ୍ରମା ଅନ୍ଧ ବିଶ୍ୱାସରୁ ମୁକୁଳି ପାରୁନାହାଁନ୍ତି ଗ୍ରାମବାସୀ : ଦାଣ୍ଡଦୁଆର ମୁକୁଳା ପଡିଛି

ଅନ୍ଧ ବିଶ୍ୱାସରୁ ମୁକୁଳି ପାରୁନାହାଁନ୍ତି ଗ୍ରାମବାସୀ : ଦାଣ୍ଡଦୁଆର ମୁକୁଳା ପଡିଛି

224

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଆର ଅଛି ହେଲେ କବାଟ ନାହିଁ । ଜଣେ ଅଥବା ଦୁଇଜଣଙ୍କର କଥା ନୁହେଁ ଗାଁ ଟା ସାରା ସଭିଙ୍କ ଦାଣ୍ଡ ଦୁଆର ମୁକୁଳା ପଡିଛି । ଘରର କବାଟ ଝରକା ଲାଗିଲେ ମା’ଙ୍କ କୋପ ଦୃଷ୍ଟି ପଡିବା ଭୟରେ ଗାଁଟା ଯାକ ଏହି ରାସ୍ତା ଆପଣାଇ ନେଇଛନ୍ତି । କେବଳ ସେତିକି ନୁହେଁ ଗାଁରେ ଢିଙ୍କି ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଯାହାକି ଆଜିର ବିଜ୍ଞାନ ଯୁଗର ମଣିଷଙ୍କ ପାଇଁ ଏକ ଅବାସ୍ତବ ଏବଂ ହାସ୍ୟାସ୍ପଦ ମନେ କରାଯାଉଥିଲେ ମଧ୍ୟ ବାଙ୍କମୁହାଁ ହରିଜନ ସାହିର ଲୋକଙ୍କ ପାଇଁ ସତ ସାବ୍ୟସ୍ତ ହୋଇଛି । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ହରିଜନ ସାହିରେ ଏହି ଅନ୍ଧ ପରମ୍ପରା ଚଳିଆସୁଛି । ସାହିରେ ପାଖାପାଖି ୪୫ ପରିବାର ରହୁଥିବାବେଳେ ମାତ୍ର ୩ ଘରକୁ ଛାଡିଦେଲେ ଅନ୍ୟ ସମସ୍ତଙ୍କ ଦୁଆର ମୁକୁଳା ପଡିଛି । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋଲକ ଜେନାଙ୍କ କହିବା ଅନୁଯାୟୀ ଆଜିକୁ ଅନେକ ବର୍ଷ ତଳେ ଏହି ଗାଁର ଭିକାରୀ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ନଈବଢିରେ ଭାସି ଆସୁଥିବା ଏକ କାଠ ଗଣ୍ଡି ମିଳିଥିଲା । ଯାହାକୁ ସ୍ୱପ୍ନାକୃତ ହୋଇ ଗାଁ ମଝିରେ ଥିବା ଏକ ଅଶ୍ୱସ୍ତ ଗଛ ମୂଳରେ ରଖି ପୂଜାପାଠ କରାଯାଉଥିଲା । ମା’ଙ୍କ ନିର୍ଦ୍ଦେଶ ମତେ କେହି ନିଜ ଘରେ କବାଟ-ଝରକା ଲଗାଉ ନଥିଲେ କିମ୍ବା ଢିଙ୍କି ବସାଉନଥିଲେ । କେବଳ ସେତିକି ନୁହେଁ ମହିଳାମାନଙ୍କୁ କଳା ଲୁଗା କଳା ଚୁଡି ବ୍ୟବହାର କରିବାକୁ ବାରଣ ରହିଥିବାବେଳେ ଗ୍ରାମବାସୀଙ୍କୁ କଳା ରଙ୍ଗ ଛତା ବ୍ୟବହାର କରିବାକୁ ମଧ୍ୟ ନିଷେଧ କରାଯାଇଥିଲା । ପ୍ରତି ଶନିବାର ଏବଂ ମଙ୍ଗଳବାର ମା’ଙ୍କ ପାଖରେ କାଳିସି ଲାଗୁଥିଲା, ଯାହାକି ଗ୍ରାମବାସୀଙ୍କୁ ବିପତ୍ତି ଆପତ୍ତିରୁ ରକ୍ଷା କରୁଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ ମାଆଙ୍କର ଏହି ପରମ୍ପରା ଭଙ୍ଗ କଲେ କେବଳ ପରମ୍ପରା ଭଙ୍ଗକାରୀ ଗୃହକର୍ତ୍ତା ଅଥବା ତାଙ୍କ ପରିବାର ନୁହଁନ୍ତି ସମଗ୍ର ଗାଁକୁ ବିପତ୍ତି ମାଡିଆସିବ । ଏହାକୁ ଏକ ଅନ୍ଧବିଶ୍ୱାସ କହି ଗାଁର କିଛି ଲୋକ ସେମାନଙ୍କ ଘରେ କବାଟ ଲଗାଇବା ଆରମ୍ଭ କରିଥିଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧାରି ଗଳିରେ ସେମାନଙ୍କ ପ୍ରୟାସ କେବଳ ପ୍ରୟାସରେ ସୀମିତ ରହିଛି । ୨୦୧୧ ମସିହାରେ ଗାଁର ନଟବର ଜେନା ନିଜ ଘରେ ପ୍ରଥମେ କବାଟ ଲଗାଇଥିଲେ । ପରେ ତାଙ୍କୁ ଅନୁସରଣ କରି ଗାଁର ଆଉ ୨ ଘର କବାଟ ଲଗାଇଛନ୍ତି । ତେବେ କବାଟ ଲଗାଇଥିବା ଏହି ୩ ପରିବାରଙ୍କର ଆଜିସୁଦ୍ଧା କୌଣସି ଅସୁବିଧା ହୋଇନାହିଁ । ଏହାସତ୍ୱେ ମଧ୍ୟ ଅନ୍ଧ ବିଶ୍ୱାସର ଅନ୍ଧାରିଗଳିରୁ ମୁକୁଳି ପାରିନାହାଁନ୍ତି ଗ୍ରାମବାସୀ । ତେବେ ମୁକୁଳା ଦୁଆର ଯୋଗୁଁ ବୁଲା କୁକୁର ଏବଂ ଗୋରୁଗାଈ ଘରେ ପଶି ଲୋକଙ୍କ ଖାଦ୍ୟ ନଷ୍ଟ କରୁଥିବା ବେଳେ ଗ୍ରାମବାସୀଙ୍କ ଜୀବନ ପ୍ରତି ବିଷାକ୍ତ ସରୀସୃପ ଭୟ ରହିଛି । ହେଲେ ଅନ୍ଧବିଶ୍ୱାସୀ ଗ୍ରାମବାସୀ ସବୁ କିଛି ମା’ଙ୍କ ଇଚ୍ଛା କହି ପ୍ରସଙ୍ଗ ଟାଳି ଯାଉଛନ୍ତି । ଆଜିର ଏହି ବିଜ୍ଞାନ ଯୁଗରେ ଏହାକୁ ବିଶ୍ୱାସ କୁହାଯିବ ନା ଅନ୍ଧବିଶ୍ୱାସ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.