ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଦିଶା’ ବୈଠକରେ ଅଧ୍ୟକ୍ଷତା କରୁଥିବା ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଜଣେ ଯନ୍ତ୍ରୀଙ୍କ କଳା କାରନାମାର ମୁଖା ଖୋଲିଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ର କାର୍ଯ୍ୟରତ ଅଧୀକ୍ଷଣ ଯନ୍ତ୍ରୀ ତାଙ୍କର ଚିରାଚରିତ ଅଭ୍ୟାସ ଅନୁସାରେ ଜଣେ ଏସ୍ଡିଓଙ୍କ ହାତରେ ସାଂସଦ ଶ୍ରୀ ସେଠୀଙ୍କ ପାଖକୁ ୧ ଲକ୍ଷ ଟଙ୍କା ପଠାଇଥିଲେ । ଆଜି ବୈଠକ ଚାଲିଥିବା ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏଜେଣ୍ଡାକୁ ନେଇ ଆଲୋଚନା ଚାଲିଥିବାବେଳେ ସାଂସଦ ଶ୍ରୀ ସେଠୀ ଉପସ୍ଥିତ ଥିବା ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ କାନନ ପ୍ରଧାନଙ୍କୁ ଟଙ୍କା ମୋ ପାଖକୁ କାହିଁକି ପଠାଇଥିଲେ ବୋଲି ପ୍ରଶ୍ନ କରିବା ସହ ପୁରୁଣା ନେତାଙ୍କୁ ଖୁସ୍ କରିବା ପରମ୍ପରା ଭାଙ୍ଗିବାକୁ ପରାମର୍ଶ ଦେବା ସହ ଭବିଷ୍ୟତରେ ଏଭଳି ଆଚରଣ ପ୍ରଦର୍ଶନ ନକରିବା ପାଇଁ ତାଗିଦ କରିଥିଲେ । ଶ୍ରୀ ସେଠୀଙ୍କ ଏହି ଭାବମୂର୍ତି ଦେଖି ଉପସ୍ଥିତ ଅଧିକାରୀଙ୍କ ଭିତରେ ଛନକା ପଶିଛି । ଅଧ୍ୟକ୍ଷ ଶ୍ରୀ ସେଠୀଙ୍କ ଏହି ପ୍ରକାର ଦମ୍ଭୋକ୍ତି ପ୍ରକାଶ ପାଇବା ପରେ ବୈଠକ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ପ୍ରକଳ୍ପ ଗୁଡିକରେ କୌଣସି ତ୍ରୁଟି ବିଚ୍ୟୁତି ଓ ଲାଂଚ କାରବାରକୁ ସେ ବରଦାସ୍ତ କରିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ତେବେ ଅଧୀକ୍ଷଣ ଯନ୍ତ୍ରୀ ନିଜର ଭୁଲ୍କୁ ସ୍ୱୀକାର କରିଥିଲେ । ବର୍ତମାନ ସମୟରେ ସମସ୍ତ ଜନ ପ୍ରତିନିଧି ଓ ନେତାଙ୍କ ପାଇଁ ସାଂସଦଙ୍କର ଏହା ଦିଗ୍ଦର୍ଶନକାରୀ ବାର୍ତା ହୋଇରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।