ଯୁବ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜିକରଣ ଅଭିଯାନ

ନୟାଗଡ଼,୨୭ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ପ୍ରଶାନ୍ତ ରଥ ଙ୍କ ଅଧ୍ୟକ୍ଷତାରେ  ଯୁବ ମତଦାତା ପାଇଁ ସ୍ୱତନ୍ତ୍ର କଞ୍ଜିକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଳାରେ ୧୮ରୁ ୨୧ ବର୍ଷ ବୟସ୍କ ଯୁବ ମତଦାତା ମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆସନ୍ତା ଜୁଲାଇ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି । ଯେଉଁ ଯୁବକ ଯୁବତୀ ମାନଙ୍କ ବୟସ ୨୦୧୭ ମସିହା ମେ ମାସ ୩୧ ତାରିଖ ସୁଦ୍ଧା  ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବ ସେମାନେ ନିଜ ନିଜ ବୁଥ୍ରେ ନାମ ପଞ୍ଜିକରଣ କରିବାପାଇଁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଦିବସ ଜୁଲାଇ  ୯ତାରିଖ ଓ ଜୁଲାଇ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହି ଦିବସରେ ବୁଥ ସ୍ତରୀୟ ଅଧିକାରୀମାନେ ନିଜ ନିଜ ବୁଥରେ ଉପସ୍ଥିତ ରହି ଆବେଦନ   କାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବେ । ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି ବା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ବହୁ ବର୍ଷଧରି  ବସତି ସ୍ଥାପନ କରି ରହି ଦୁଇ ସ୍ଥାନରେ ଭୋଟର ତାଲିକାରେ ନାମ ରହିଛି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ ଦେବାପାଇଁ ଗୁରୁତ୍ୱ ଦିଆଯାଇଛି ।  ଭୋଟର ତାଲିକା ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବାପାଇଁ ଭାରତର ନିର୍ବାଚନ ଆୟୋଗ ଏହି କାର୍ଯ୍ୟକ୍ରମ  ହାତକୁ ନେଇଥିବାବେଳେ ଏହା ଆସନ୍ତା ଜୁଲାଇମାସ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ,ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ଓ  ନିର୍ବାଚନ ଅଧିକାରୀ ପ୍ରମୁଖ ଏହି ବୈଠକରେ  ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *