କୁଆଡେ ଗଲେ ସିବିଆଇ ପିଟିସନର୍ ?

ଭୁବନେଶ୍ୱର(ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ମେଗା ଚିଟ୍ଫଣ୍ଡ କେଶ୍ର ତଦନ୍ତ ସିବିଆଇ କରୁଛି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ତଦନ୍ତ ଦାୟିତ୍ୱ ନେଇଛି ସିବିଆଇ। ୨୦୧୪ ମସିହାରୁ ଏହାର ତଦନ୍ତ ଚାଲିଛି। ୨୦୧୧ ମସିହାରେ ଚିଟ୍ଫଣ୍ଡ କେଶ୍ର ତଦନ୍ତ ସିବିଆଇ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାର ପିଟିସନର୍ ଥିଲେ ଆଲୋକ ଜେନା। ପ୍ରଥମେ ଆଲୋକ ଜେନା ଏହି ମହାଦୁର୍ନିତୀର ପର୍ଦ୍ଦାଫାଶ କରିବା ପାଇଁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ସିବିଆଇ କେଶ୍ ପାଇଁ ଆବେଦନ କରିଥିଲେ। ଏହି ଦୁର୍ନିତୀରେ ଶାସକ ବିଜେଡିର ବହୁ ବିଧାୟକ, ମନ୍ତ୍ରୀ, ସରକାରୀ ଅଫିସର ଲିପ୍ତ ଥିଲେ। ତେଣୁ ମାନ୍ୟବର ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହା ପରେ ଆଲୋକ ଜେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୨ ବର୍ଷର ଲଢେଇ ପରେ ୨୦୧୪ ମଇ ମାସରେ ଏହାର ଚୁଡାନ୍ତ ରାୟ ପ୍ରକାଶ ପାଇଥିଲା। ସେତେବେଳେ ବିଚାରପତି ଥିବା ଏବଂ ପରେ ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିବା ଜଷ୍ଟିସ ଟି.ଏସ.ଠାକୁର ଏହି ଦୁର୍ନିତୀର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଚାରିଆଡେ ହଇଚଇ ସୃଷ୍ଟି ହୋଇଗଲା। ଏହା ପୂର୍ବରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଓ କମିଶନରେଟ୍ ପୋଲି ଚିଟ୍ଫଣ୍ଡ ଦୁର୍ନିତୀର ତଦନ୍ତ କରୁଥିଲେ। ମାତ୍ର ଏହାର ଅଗ୍ରଗତି ହୋଇ ପାରୁନଥିଲା। ଯେହେତୁ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ଏଥିରେ ସଂପୃକ୍ତ ଥିଲେ, ତେଣୁ ଜାଣିଶୁଣି ଲୋକ ଦେଖାଣିଆ ଭାବରେ ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ ଓ କମିଶନରେଟ୍ ପୋଲିସ। ମାତ୍ର ସିବିଆଇ ତଦନ୍ତ ପରେ ଏହା ଅଧିକ କ୍ରୀୟାଶୀଳ ହୋଇଥିଲା।

ଏହି ଘଟଣା ପରେ ରାତାରାତି ରାଜ୍ୟ ତଥା ଜାତୀୟ ଗଣମାଧ୍ୟମର ଶିରୋନାମରେ ରହିଲେ ଆଲୋକ ଜେନା। ପ୍ରତିଦିନ ମିଡିଆ ଗାଡି ଲାଗିଲା ତାଙ୍କ ସତ୍ୟନଗର ସ୍ଥିତ ବାସଗୃହରେ। ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଲା। ସିବିଆଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ପୋଲିସକୁ ଅନୁରୋଧ ମଧ୍ୟ କରିଥିଲେ। ଏହା ଏକ ଦୁଃସାହସିକ ପଦକ୍ଷେପ ଥିଲା। ସାରା ରାଜ୍ୟରେ କ୍ଷତିଗ୍ରସ୍ତ ଜମାକାରୀମାନେ ଆଲୋକଙ୍କ ଭୁରି ପ୍ରଶଂସା କରିବାକୁ ଲାଗିଲେ। ୧୯୮୫ ମସିହାରେ ବାଣୀବିହାର ଛାତ୍ର ସଂସଦର ସଭାପତି ଥିଲେ ଆଲୋକ ଜେନା। ପରେ ସେ କଂଗ୍ରେସ ରାଜନିତୀରେ ସଂଶ୍ଳିଷ୍ଟ ହୋଇଥିଲେ। ୨୦୦୯ ମସିହାରେ ସେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥô ହୋଇ ନିର୍ବାଚନ ଲଢି ଥିଲେ। ପରାଜୟ ବରଣ କରିଥିଲେ। ସେହି ବର୍ଷ ଇଭିଏମ୍ ଅନିୟମିତତା ଘଟଣା ପଦାକୁ ଆସିଥିଲା। ଏହା ବିରୁଦ୍ଧରେ ମଧ୍ୟ ଆଲୋକ ଜେନା ହାଇକୋର୍ଟକୁ ଯାଇଥିଲେ। ମାତ୍ର କିଛି ମାସ ଲଢିବା ପରେ ଏଥିରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ତା ପରେ ସେ ଚିଟ୍ଫଣ୍ଡ କେଶ୍ ଲଢିବା ପାଇଁ ମନସ୍ଥ କରିଥିଲେ। କୌଣସି ରାଜନୈତିକ ସହଯୋଗରେ ହେଉ ବା ଅନ୍ୟ କିଛି ସ୍ୱାର୍ଥ ଥାଉ ଏହି କେଶ୍ ଲଢିବା ପାଇର୍ ସେ ଆଗଭର ହୋଇ ଆସିଥିଲେ, ତାହା କମ୍ ବଡ କଥା ନୁହେଁ।

ଏବେ ପ୍ରଶ୍ନ ଉଠୁଛି ଆଲୋକ ଜେନା ଗଲେ କୁଆଡେ ? ତାଙ୍କର କୌଣସି ଖୋଜଖବର ନାହିଁ। ଆଉ ମିଡିଆ ସାମ୍ନାକୁ ସେ ଆସୁ ନାହାଁନ୍ତି। ସିବିଆଇ ତାର ତଦନ୍ତ ଚାଲୁ ରଖିଛି। କିଛି ଦିନ ନିରବତା ପରେ ଏବେ ଚଳଚଞ୍ଚଳ ହୋଇଛି ସିବିଆଇ। ଏ ଭଳି ସମୟରେ ଆଲୋକ ଜେନାଙ୍କ ଅଦୃଶ ହେବା ନିଶ୍ଚିତ ଭାବରେ କିଛି ସନ୍ଦେହ ସୃଷ୍ଟି କରୁଛି। ସିବିଆଇ ତାଙ୍କ ଖୋଜଖବର ରଖିଛି କି ନାହିଁ ? କୌଣସି ଚାପର ବଶବର୍ତ୍ତୀ ହୋଇ ଆଲୋକ ଜେନା ଆତ୍ମଗୋପନ କରିଛନ୍ତି କି ? ଏପରି ଅନେକ ପ୍ରଶ୍ନ ଉଙ୍ଗି ମାରୁଛି। ସିବିଆଇ କେଶ୍ ଆରମ୍ଭ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମାଧ୍ୟମରେ ଅନେକ ଧମକ ମଧ୍ୟ ଆସିଥିଲା। ମାତ୍ର ସେ ସବୁକୁ ଭୃକ୍ଷେପ କରିନଥିଲେ। ବାରମ୍ବାର ସୁପ୍ରିମକୋର୍ଟରେ ଯାଇ ସିବିଆଇର ତ୍ୱରାନ୍ୱିତ ପାଇଁ ଆବେଦନ କରୁଥିଲେ। ଯାହା ଯାହା ପ୍ରମାଣ ତାଙ୍କ ନିକଟକରେ ପହଁଚୁଥିଲା ତାକୁ ନେଇ ସିବିଆଇ ଅଫିସରେ ଦାଖଲ କରୁଥିଲେ। ମାତ୍ର ହଠାତ୍ ନିରବତା। କଣ ହୋଇଛି ପ୍ରକୃତ ଘଟଣା। ଏହା ଉପରୁ ରହସ୍ୟ ଉଠିବା ନିହାତି ଜରୁରୀ। ବର୍ତ୍ତମାନ ସିବିଆଇ ଯେଉଁ ଧାରାରେ କେଶ୍କୁ ଆଗେଇ ନେଉଛି ସେଥିରେ ଆଉ ଆଲୋକ ଜେନାଙ୍କ ସହାୟତର ଆବଶ୍ୟକତା ନାହିଁ। ତିନି ବର୍ଷର ତଦନ୍ତ ଭିତରେ ବହୁକିଛି ତଥ୍ୟ ପାଇ ସାରିଛି ସିବିଆଇ। ମାତ୍ର ଏପରି ଏକ ଦୁଃସାହସିକ ପଦକ୍ଷେପ ନେଇଥିବା ଆଲୋକ ଜେନାଙ୍କ ନିରବତାର କାରଣ ନିଶ୍ଚିତ ଭାବରେ ଲୋକଲୋଚନକୁ ଆସିବା ଜରୁରୀ।

Leave a Reply

Your email address will not be published. Required fields are marked *