ନୟାଗଡ଼ ଓ ଭାପୁର ପଂଚାୟତ ସମିତି ପ୍ରଥମ ବୈଠକରେ ପାଣି ଚିନ୍ତା

ନୟାଗଡ଼,୧୭/୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଭାପୁର ଓ ନୟାଗଡ଼ ପଂଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ବୈଠକରେ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସବୁଠି କେବଳ ପାଣି ଚିନ୍ତା ବୋଲି ବୈଠଳରେ ମତ ପ୍ରକାଶ ପାଇଥିଲା। ଭାପୁର ପଂଚାୟତ ସମିତି କାର୍ଯ୍ୟାଳୟଠାରେ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠଳରେ ମୁଖ୍ୟଅତିଥିଭାବେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଯୋଗଦେଇଥିବାବେଳେ ବ୍ଳକ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ବିଡିଓ ରଶ୍ମିତା ସାହୁ, ସିଡ଼ିପିଓ ହରପ୍ରିୟା ମେହେର ସମେତ ବିଭିନ୍ନ ପଂଚାୟତର ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସେହିପରି ନୟାଗଡ଼ ପଂଚାୟତ ସମିତି କାର୍ଯ୍ୟାଳୟଠାରେ ସମିତିର ପ୍ରଥମ ବୈଠକ ଅଧ୍ୟକ୍ଷା ଗୋଲାପ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାବେଳେ ପାଣିଚିନ୍ତା ସବୁଠି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ବିଡିଓ ଦୟାନିଧି ଶତପଥୀ,ବିଭିନ୍ନ ପଂଚାୟତର ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ। ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଉନ୍ନତିକରଣ ଉପରେ ଆଲୋଚନା ହୋଇଥିବାବେଳେ ପାଣିଚିନ୍ତାର ସମସ୍ୟା ଓ ସମାଧାନ ଉପରେ ମୁଖ୍ୟ ପ୍ରସଙ୍ଗ ରହିଥିଲା।

Leave a Reply

Your email address will not be published. Required fields are marked *