Home ଓଡ଼ିଶା ନବୀନଙ୍କର ପ୍ରଥମ ପ୍ରାର୍ଥୀ ତାଲିକା-ଆରମ୍ଭ ହେଲାଣି ଭୟଙ୍କର ବିଦ୍ରୋହ!

ନବୀନଙ୍କର ପ୍ରଥମ ପ୍ରାର୍ଥୀ ତାଲିକା-ଆରମ୍ଭ ହେଲାଣି ଭୟଙ୍କର ବିଦ୍ରୋହ!

3199

ଭୁବନେଶ୍ୱର ୧୮-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ବିଜେଡ଼ି ସୁପ୍ରିମୋ ଆଜି ଘୋଷଣା କରିଛନ୍ତି ୯ ଟି ଲୋକସଭା ଏବଂ ୫୪ ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା। ଏହି ତାଲିକାପରେ ଦଳ ତରଫରୁ ମହିଳା, ଯୁବବର୍ଗ ଓ ନୂଆମୁହଁକୁ ପ୍ରାଧାନ୍ୟ ଦିଆଗଲା ବୋଲି ଦଳ ତରଫରୁ ଘୋଷଣା କରାଗଲା। ବରଗଡ଼ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର ନାମ। ନିଜ ନାମ ଘୋଷଣା ହେବା ପରେ ସମ୍ପୂର୍ଣ୍ଣଭାବରେ ହତୋତ୍ସାହ ଓ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଶ୍ରୀଯୁକ୍ତ ଆଚାର୍ଯ୍ୟ। ତାଙ୍କ ମତରେ, ମୁଁ’ ଦଳର ଜଣେ ବରିଷ୍ଠ ନେତା ମୋ ନାମ ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରିବା ପୂର୍ବରୁ ମୋତେ ପଚରାଯାଇ ପାରିଥାନ୍ତା। ତାଙ୍କ ମତରେ ମୁଁ ତ ରାଜ୍ୟସଭା ସାଂସଦ ଅଛି, ମୋତେ ବିଧାନ ସଭା ଓ ଲୋକସଭା ଆସନରେ ଲଢ଼େଇବାର ଆବଶ୍ୟକତା କ’ଣ ରହିଛି। ମୁଁ ପ୍ରତ୍ୟେକ୍ଷ ନିର୍ବାଚନ ନଲଢ଼ି ପଶ୍ଚିମାଞ୍ଚଳର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ନିର୍ବାଚନ ଦାୟୀତ୍ତ୍ୱରେ ରହିବି ବୋଲି ଦଳ ତରଫରୁ ସ୍ଥିର କରାଯାଇଥିଲା। ମୁଁ ମାନସିକ ସ୍ତରରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ନୁହେଁ। ଏଥିରେ ମର୍ମାହତ ପ୍ରସନ୍ନ ପହଁଚି ସାରିଛନ୍ତି ନବୀନ ନିବାସରେ। ଦଳର ସଭାପତି ନବୀନଙ୍କୁ ତାଙ୍କର ଗୁହାରୀ ଜଣାଇବେ। ନଚେତ୍ ବିକଳ୍ପ ପନ୍ଥା ନେବେ ବୋଲି ତାଙ୍କ ସମର୍ଥକମାନଙ୍କୁ କହିସାରିଛନ୍ତି।

ପ୍ରଥମ ପ୍ରାର୍ଥୀ ତାଲିକାରେ ବିଜେଡ଼ି ତରଫରୁ ପ୍ରକାଶ ପାଇଥିବା ୯ଗୋଟି ଲୋକସଭା ଆସନ ବିଷୟରେ ଆଲୋଚନା କରିବା। ତନ୍ମଧ୍ୟରୁ ବଲାଙ୍ଗୀର ଆସନରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଛି। କୋରାପୁଟ ଆସନରେ ଦଳ ପ୍ରାର୍ଥୀ କରିଛି କୌଶଲ୍ୟା ହିକ୍କାଙ୍କୁ, ସେ ହେଉଛନ୍ତି କୋରାପୁଟ ସାଂସଦ ଝିନ୍ନ ହିକ୍କାଙ୍କ ପତ୍ନୀ। ଏଠି ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ତାହା ସ୍ୱାଗତ ଯୋଗ୍ୟ। କିନ୍ତୁ ତାଲିକା ଘୋଷଣା ହେବା ପରେ ଦଳ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଲାଣି। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନେକ ଯୋଗ୍ୟ ଓ ସାଂଗଠନିକ କ୍ଷେତ୍ରରେ ଦକ୍ଷତା ଥିବା ମହିଳା ପ୍ରାର୍ଥୀ ଅଛନ୍ତି। ସେମାନଙ୍କୁ ଅଣଦେଖା କରି ସ୍ୱାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ଦେବାର ତାତ୍ପର୍ଯ୍ୟ ବୁଝିପାରୁନାହାଁନ୍ତି କୋରାପୁଟବାସୀ। ନବରଙ୍ଗପୁର ଆସନରେ ବଳଭଦ୍ର ମାଝୀଙ୍କୁ କଢ଼ାଯାଇ ରମେଶ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି। ଇଏ, କେଉଁ ହିସାବରେ ନୂଆ ମୁହଁ ବୋଲି ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି ନବରଙ୍ଗପୁରବାସୀ। ତାଙ୍କ ମତରେ ବହୁବାର ବିଧାୟକ ଓ ମନ୍ତ୍ରୀ ହୋଇସାରିଥିବା ରମେଶ ମାଝୀ କ’ଣ ନୂଆ ମୁହଁ?

ବ୍ରହ୍ମପୁର ପ୍ରାର୍ଥୀ ହେଉଛନ୍ତି ଚନ୍ଦ୍ରଶେଖର ସାହୁ। କଂଗ୍ରେସରୁ ଆମଦାନୀ ହୋଇଥିବା ଏହି ନେତାଜଣଙ୍କୁ ନୂଆ ମୁହଁ ଅବା ଯୁବ ଗୋଷ୍ଠୀ ଭିତରେ ଆକଳନ କରିପାରୁନାହାଁନ୍ତି ରାଜନୈତିକ ବିଶେଷଜ୍ଞମାନେ। ଆସିକା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଉଛନ୍ତି ପ୍ରମିଳା ବିଷୋୟୀ। ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଥିବା ଏହି ବୟୋଜ୍ୟେଷ୍ଠା ମହିଳାଙ୍କୁ ପ୍ରାଥୀକରି ବିଜେଡ଼ି ସୁପ୍ରିମୋ ସୁଚାଇ ଦେଇଛନ୍ତିଯେ, ରାଜ୍ୟ ନୁହେଁ, ପଦ ଦରକାର। ଲୋକସଭା ଭଳି ଏକ ମର୍ଯ୍ୟାଦା ସମ୍ପର୍ଣ୍ଣ ଗୃହକୁ ଏହି ମହିଳା ଜଣଙ୍କ ସାଂସଦ ହୋଇଗଲେ କ’ଣ କରିବେ ବୋଲି ରାଜ୍ୟବାସୀ ଆଚମ୍ବିତ। ଏଥିରେ ସନ୍ଦେହ ନାହିଁଯେ, ଶ୍ରୀମତି ବିଷୋୟୀ ଅତ୍ୟନ୍ତ ଭଦ୍ର ଏବଂ ଆମାୟୀକ ବ୍ୟକ୍ତିତ୍ୱର ଅଧିକାରୀ। ସାଧାରଣ ବର୍ଗର ମହିଳା ମଧ୍ୟ। ମାତ୍ର ରାଜ୍ୟବାସୀଙ୍କ ପ୍ରଶ୍ନ, ପାର୍ଲାମେଣ୍ଟରେ ବସିବା ଭଳି ଏହି ମହିଳାଙ୍କର ଦକ୍ଷତା ଅଛିତ? ଇଏ ସାଂସଦ ହୋଇଗଲେ ସେ ତାଙ୍କର ନିଜସ୍ୱ ମତ ପାର୍ଲାମେଣ୍ଟରେ ଉପସ୍ଥାପନ କରିପାରିବେତ? ଭାରତର ରାଷ୍ଟ୍ରଭାଷା ହିନ୍ଦୀକୁ ସଠିକ ଭାବରେ ପାର୍ଲାମେଣ୍ଟରେ କହିପାରିବେତ?

କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ହେଉଛନ୍ତି ପୁଷ୍ପେନ୍ଦ୍ର ସିଂ ଦେଓ। ଦଳ ପ୍ରଚାର କରୁଛି ଇଏ ବି ନୂଆ ମୁହଁ। ମନ୍ତ୍ରୀଥିଲେ, ଏବେ ବିଧାୟକ ଅଛନ୍ତି। ଇଏ ପୁଣି କି ନୂଆ ମୁହଁ। କନ୍ଧମାଳ ପାଇଁ ରାଜ୍ୟସଭା ସାଂସଦ ଥିବା ଅଚ୍ୟୁତ ସାମନ୍ତଙ୍କୁ କରାଯାଇଛି ବିଜେଡ଼ି ପ୍ରାର୍ଥୀ। ସିଏ ମଧ୍ୟ ବିଜେଡ଼ି ଏହି ଘୋଷଣା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଏକ ସର୍ବ ବୃହତ ଆଦିବାସୀ ବିଦ୍ୟାଳୟ ଚଳାଉଥିବା ଅଚ୍ୟୁତଙ୍କୁ ଆଦିବାସୀ କାର୍ଡ଼ ଆଧାରରେ ବିଜେଡ଼ି ଖେଳିଛି ରଣନୀତି। କନ୍ଧମାଳ ସହିତ ଅଚ୍ୟୁତଙ୍କର ସମ୍ପର୍କକୁ ନେଇକରି ନିର୍ବାଚନ ସମୟରେ ପ୍ରଶ୍ନ ଉଠାଇବେ କନ୍ଧମାଳବାସୀ। ସୁନ୍ଦରଗଡ଼ ଆସନରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଏଠାରେ ଜଣେ ମହିଳା ପ୍ରାର୍ଥୀଙ୍କୁ ଦଳ ସୁଯୋଗ ଦେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଗତଥର ଏହି ଆସନରେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ତିର୍କୀଙ୍କୁ ହଟାଇବାର କାରଣ ବୁଝିପାରୁନାହାଁନ୍ତି ସୁନ୍ଦରଗଡ଼ବାସୀ। ହକି ବିଶ୍ୱକପ ଆୟୋଜନ କରି ସାରା ପୃଥିବୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନବୀନ ପଟ୍ଟନାୟକ। ସେହି ଆଧାରରେ ଦିଲ୍ଲୀପ ତିର୍କୀଙ୍କ ଭଳି ଜଣେ ଆନ୍ତର୍ଜାତିକ ତଥା ଓଡ଼ିଶାର ଗର୍ବ ଓ ଗୌରବ ଦିଲ୍ଲୀପ ତିର୍କୀଙ୍କୁ ଦ୍ୱିତୀୟବାର ସୁଯୋଗ ଦେବା ପାଇଁ ନବୀନ କାହିଁକି କୁଣ୍ଠାବୋଧ କଲେ ବୋଲି ସୁନ୍ଦରଗଡ଼ ବିଜେଡ଼ିର ଜଣେ ତୁଙ୍ଗ ନେତା ତଥା ବିଜେଡ଼ି ବିଧାୟକ ପ୍ରାର୍ଥୀ ନାମ ଗୋପନ ରଖିବା ସର୍ତ୍ତରେ ଆମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.