ଭୁବନେଶ୍ୱର ସାଲିଆ ସାହିରେ ‘ସବକା ସାଥ ସବକା ବିକାଶ’ ସମ୍ମିଳନୀରେ ଯୋଗ ଦେଲେ କେନ୍ଦମନ୍ତ୍ରୀ ଭେଙ୍କେୟା ନାଇଡୁ

– ଜନତାଙ୍କ ବିକାଶ ହିଁ ମୋଦୀ ସରକାରଙ୍କ ଏକ ମାତ୍ର ଆଜେଣ୍ଡା: ଭେଙ୍କେୟା ନାଇଡୁ
ଭୁବନେଶ୍ୱର ୧୨/୬ (ଓଡ଼ିଆ ପୁଅ) ଗରୀବ ଓ ସାଧାରଣ ବର୍ଗର ଲୋକଙ୍କ ବିକାଶ ହିଁ ମୋଦୀ ସରକାରଙ୍କ ଏକ ମାତ୍ର ଆଜେଣ୍ଡା ବୋଲି କହିଛନ୍ତି କେନ୍ଦ୍ର ସହରୀ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଭେଙ୍କେୟା ନାଇଡୁ। ଆଜି ଭୁବନେଶ୍ୱର ସାଲିଆ ସାହିଠାରେ ଆୟୋଜିତ ‘ସବକା ସାଥ ସବକା ବିକାଶ’ ସମ୍ମିଳନୀ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭେଙ୍କେୟା ନାଇଡୁ ସରକାରଙ୍କ ତିନି ବର୍ଷର ସଫଳତା ସଂପର୍କରେ ସୂଚନା ଦେଇଥିଲେ।

ଶ୍ରୀ ନାଇଡୁ କହିଥିଲେ, ଜନ ଧନ ଯୋଜନା ଅନ୍ତର୍ଗତ ଦେଶର ୨୮.୫୨ କୋଟି ଲୋକ ବ୍ୟାଙ୍କ ଖାତା ଖୋଲି ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ ହୋଇଛନ୍ତି। ଜନ ଧନ ,ଆଧାର ଓ ମୋବାଇଲ୍ ମାଧ୍ୟମରେ ସାଧାରଣ ଜନତାଙ୍କୁ ଦେଶର ଆର୍ଥିକ ପ୍ରଗତିରେ ସାମିଲ କରାଯାଇଛି। ଏଥି ସହିତ ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅବସରରେ ଶ୍ରୀ ନାଇଡୁ କହିଛନ୍ତି ଯେ, ବିମୁଦ୍ରିକରଣ ଦ୍ୱାରା ଦେଶକୁ ପାଖାପାଖି ୧,୨୫,୦୦୦ କୋଟି କଳାଧନ ଫେରିଆସିଛି। ଦେଶର ୧୮, ୪୫୨ ବିଦ୍ୟୁତ୍ ଅପହଁଚ ଗ୍ରାମ ମଧ୍ୟରୁ ବର୍ତମାନ ସୁଦ୍ଧା ପ୍ରାୟ ୧୩,୫୬୦ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଦେଶର ସମସ୍ତ ଜାତୀୟ ରାଜମାର୍ଗକୁ ଅତି କମ୍ ରେ ୬ ଲେନ୍ ବିଶିଷ୍ଟ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ବ୍ୟାପକ ଜନ ସମର୍ଥନ ହାସଲ କରି ଏକ ଆନ୍ଦୋଳନରେ ପରିଣତ ହୋଇଛି। ବର୍ତମାନ ସୁଦ୍ଧା ଦେଶବ୍ୟାପୀ ବିଦ୍ୟାଳୟ ମାନଙ୍କରେ ୪,୭୦,୦୦୦ ଶୌଚାଳୟ ନିର୍ମାଣ କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମଧ୍ୟ ୪ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି।

ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। କେନ୍ଦ୍ର ସରକାର କୃଷକ ମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ କମ ପ୍ରିମିୟମ୍ ରେ ଅଧିକରୁ ଅଧିକ ସହାୟତା ରାଶି ପ୍ରଦାନ କରୁଛନ୍ତି। ପ୍ରଥମ ଥର ପାଇଁ କୃଷିଋଣ ପାଇଁ ରେକର୍ଡ଼ ୧୦ ଲକ୍ଷ କୋଟି ଟଙ୍କା ମଂଜୁର କରାଯାଇଛି।

ଉଜ୍ଜଳା ଯୋଜନା ଅନ୍ତର୍ଗତ ୨ କୋଟି ରୁ ଉର୍ଦ୍ଧ୍ୱ ଗରୀବ ଓ ଆଦିବାସୀ ମହିଳାଙ୍କୁ ଏଲପିଜି ସଂଯୋଗ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି ଦେଶର ହାରାହାରୀ ୧. ୨୦ କୋଟି ଜନତା ନିଜ ଏଲପିଜି ସବ୍ସିଡି ପରିତ୍ୟାଗ କରିଛନ୍ତି ଏବଂ ଏହାର ଫାଇଦା ଗରୀବ ଲୋକଙ୍କୁ ମିଳିଛି। ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକୁ ଘୋର ନିନ୍ଦା କରି ଶ୍ରୀ ନାଇଡୁ କହିଛନ୍ତି ଯେ, ସେମାନେ କଦାପି ବିକାଶ ଚାହାଁନ୍ତି ନାହିଁ କାରଣ ହିଁସା ମାଧ୍ୟମରେ ବିକାଶ ଅସମ୍ଭବ। ଏଥି ପାଇଁ ସମସ୍ତଙ୍କୁ ସରକାରଙ୍କ ସହିତ ହାତ ମିଳାଇ କାର୍ଯ୍ୟ କରିବାକୁ ଶ୍ରୀ ନାଇଡୁ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାଜନୈତିକ ମତଭେଦ ସହିତ ଗରୀବ ଲୋକଙ୍କର ବିକାଶକୁ ସରକାର ପ୍ରଭାବିତ ହେବାକୁ ଦେବେ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ଓ ନାଇଡୁଙ୍କ ଯୋଜନାରେ ରାଜ୍ୟ ସରକାରଙ୍କ ସହଯୋଗରେ ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ପାଇଁ ମୁଣ୍ଡ ଉପରେ ପକ୍କା ଘର ନିର୍ମାଣ ସମ୍ଭବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ମାନ୍ୟତା ଭେଙ୍କେୟା ନାଇଡୁଙ୍କ ନେତୃତ୍ୱରେ ମିଳିଛି। ପକ୍କା ଘରେ ପାଇଖାନା, ସବୁ ଘରେ ମାଗଣାରେ ରୋଷେଇ ଗ୍ୟାସ, ଘରର କାର୍ଯ୍ୟକ୍ଷମ ଲୋକଙ୍କ ପାଇଁ ବିନା ବନ୍ଧକ ଓ ସ୍ୱଳ୍ପ ସୁଧରେ ମୁଦ୍ରା ଋଣ, ପିଲାଙ୍କ ପାଇଁ ଶିକ୍ଷା ଓ ଉତମ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ନାଇଡୁ ଓ ଶ୍ରୀ ପ୍ରଧାନ ବସ୍ତିରେ ଭୋଜନ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *