ଉତ୍କଳ ଟାନେରୀ – ଓଟିଏମ୍

– ଦେବପ୍ରସାଦ ମିଶ୍ର
କଟକରେ ୧୯୦୫ ରେ ଦେଶପ୍ରାଣ, କୁଳବୃଦ୍ଧ ଓଡିଆ ଜାତୀୟ ଜାଗରଣର ଜନ୍ମଦାତା ଓଡିଶାବାସୀଙ୍କ ପ୍ରିୟ ମଧୁସୁଦନ ଦାସ, ଏମ, ଏ, ବି, ଏଲ୍, ସି, ଆଇ, ଇ ( ଉତ୍କଳ ଟାନେରୀ ) ନାମକ ଜୋତା କାରଖାନା ସ୍ଥାପନ କରିଥିଲେ। କଟକ ସହରର ଚାଉଳିଆଗଞ୍ଜ ନୂଆବଜାର ଅଞ୍ଚଳରେ କମ୍ପାନୀଟି ସ୍ଥାପିତ ହୋଇଥିଲା। କମ୍ପାନୀର କଳକାରଖାନା ସେଠାରେ ଅବସ୍ଥିତ ଥିଲା ମଧୁବାବୁ ନିଜ ଧନରେ ଏହି ଶିଳ୍ପ କାରଖାନାଟି ସ୍ଥାପନ କରିଥିଲେ ଏବଂ ପରିଚାଳନା ମଧ୍ୟ କରୁଥିଲେ। ଏହି କାରଖାନାରୁ ଉତ୍କୃଷ୍ଟ ଧରଣର ଜୋତା ପ୍ରସ୍ତୁତ ହେଉଥିବାରୁ ଦେଶ ବିଦେଶରେ ଏହାର ଖ୍ୟାତି ପ୍ରସାରଲାଭ କରିଥିଲା ଏବଂ ପୂର୍ବାଞ୍ଚଳରେ ଏକ ବିଶିଷ୍ଟ ଶିଳ୍ପ ପ୍ରତିଷ୍ଠାନ ରୂପେ ପ୍ରତିଷ୍ଠା ମଧ୍ୟ ଲାଭ କରିଥିଲା। ନିଜ ଧନରେ ଏହି ଶିଳ୍ପାନୁଷ୍ଠାନଟିକୁ ମଧୁବାବୁ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ସେ ଏକ କମ୍ପାନୀରେ ପରିଣତ କରି ଦେଇଥିଲେ। କାରଖାନାଟି ପ୍ରାୟ ୪୦ ଏକର ଜମି ଉପରେ ଠିଆ ହୋଇଥିଲା। ମଧୁବାବୁ ଏହି ପ୍ରତିଷ୍ଠାନର ଉଦ୍ୟୋକ୍ତା ଥିବାରୁ ପ୍ରାକୃତିକ ଓଡିଶାର ବିଭିନ୍ନ ସ୍ଥାନର ଲୋକେ ଅଂଶ କିଣିଥିଲେ। ଅଂଶ ବିକ୍ରିରୁ ବହୁ ଶହସ୍ର ଟଙ୍କା ଆଦାୟ ହୋଇଥିଲା। ( ଉତ୍କଳ ଟାନେରୀ ) ରେ ପ୍ରଥମେ ପ୍ରାୟ ୧୫୦ ଲୋକ କାମ କରୁଥିଲେ।

ଉତ୍କଳ ଟାନେରୀ ରେ ଏ ଦେଶରୁ ସଂଗୃହୀତ ଗୋଧୀ ଚମଡାରେ ସୁନ୍ଦର ଓ ମଜବୁତ ଜୋତା ଦେଶ ବିଦେଶରେ ଖୁବ ଆଦର ଲାଭ କରିଥିଲା। ଜାପାନ, ଫ୍ରାନ୍ସ ପ୍ରଭୃତି ବିଦେଶୀ ବଜାରରେ ମଧ୍ୟ ଏହାର ଆଦର ଥିଲା। କମ୍ପାନୀର କାର୍ଯ୍ୟ କ୍ରମେ ବୃଦ୍ଧି ପାଇଥିଲା। ଦୁଇ ତିନି ବର୍ଷ ଭିତରେ କମ୍ପାନୀରେ ଦୈନିକ ପ୍ରାୟ ଦୁଇହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ୧୯୦୯ ବେଳକୁ କାରଖାନାର ଆର୍ଥିକ ଅବସ୍ଥା ସେତେ ଭଲ ନ ଥିଲା। ଭଲ ଜିନିଷ ପ୍ରସ୍ତୁତ ହେଉଥିଲେ ମଧ୍ୟ ନଷ୍ଟ ହେଉଥିବା ଜିନିଷର ପରିମାଣ ବେଶି ହୋଇ ଯାଉଥିଲା। ଫଳରେ କ୍ଷତିରେ କମ୍ପାନୀ ଚାଲୁଥିଲା। ମଧୁବାବୁ ନିଜ ହାତରୁ ପ୍ରାୟ ଲକ୍ଷାଧିକ ଟଙ୍କା ବ୍ୟୟ କରିସାରି ଥିଲେ। ଏହି ଆର୍ଥିକ ଦୁର୍ଗତୀ ଯୋଗୁଁ ମଧୁବାବୁ ଏହାକୁ ଏକ ଯୌଥ କାରଖାନା ବା କମ୍ପାନୀ କାରଖାନାରେ ପରିଣତ କରିବା ସ୍ଥିର କଲେ। କମ୍ପାନୀ ମଧ୍ୟ ଗଠିତ ହେଲା। ମଧୁବାବୁ ଏ ପର୍ଯ୍ୟନ୍ତ ଯେଉଁ ଆର୍ଥିକ କ୍ଷତି ସହିଥିଲେ, ତାହା ସେ ନିଜେ ବହନ କରିଥିଲେ; କମ୍ପାନୀ କୁ ଏଥିରୁ ମୁକ୍ତ ରଖିଥିଲେ। ଦେଶ ବିଦେଶରେ ବହୁ ବିଶିଷ୍ଟ ଲୋକଙ୍କର ଶ୍ରଦ୍ଧା ଓ ସହାନୁଭୂତି ଏଥିପ୍ରତି ଥିଲା। ସ୍ୱୟଂ ମହାତ୍ମା ଗାନ୍ଧି ମଧ୍ୟ ମଧୁବାବୁଙ୍କୁ ଏଥି ନିମନ୍ତେ ପ୍ରଶଂସା କରିଥିଲେ ଏବଂ ସ୍ୱତନ୍ତ୍ର ଭାବରେ ଅହମଦାବାଦ ରୁ କଟକ ଆସି ଟାନେରୀଟି ପରିଦର୍ଶନ କରିଥିଲେ। କମ୍ପାନୀ ଗଠିତ ହେବାର ୧୨ ବର୍ଷ ପରେ ୧୯୨୧ ସରିକି ଏହାର ଆର୍ଥିକ ଓ ଅନ୍ୟାନ୍ୟ ଅବସ୍ଥାରେ ବହୁ ଅବନତି ଘଟିଥିଲା। ମଧୁବାବୁ ଏହି ଟାନେରୀ ସକାଶେ ୧୯୨୧ ସୁଦ୍ଧା ଏକା କଲିକତାର କକ୍ସ କମ୍ପାନୀରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଧାର କରି ସାରିଥିଲେ। ୧୯୨୩ ରେ ଟାନେରୀକୁ ଏକ ନୂତନ କମ୍ପାନୀ ରୂପେ ଗଠନ କରିବା ପାଇଁ ମଧୁବାବୁ ପୁଣି ଉଦ୍ୟମ କରିଥିଲେ। ନୂତନ କମ୍ପାନୀର ମୁଳ ଧନ ପ୍ରାୟ ଆଠ ଲକ୍ଷ ଟଙ୍କା ହେବା ସ୍ଥିର କରାଯାଇଥିଲା। ପ୍ରତି ଅଂଶର ମୁଲ୍ୟ ୧୦ ଟଙ୍କା ରଖାଯାଇଥିଲା। ଉତ୍କଳ ଟାନେରୀ ଜଣେ ଓଡିଆ ଦ୍ୱାରା ସ୍ଥାପିତ ଏବଂ ଓଡିଶାର ବୁଦ୍ଧି, ଅଧ୍ୟବସାୟ ଓ ଅର୍ଥଦ୍ୱାରା ପରିପୁଷ୍ଟ ହୋଇ ଦେଶବିଦେଶରେ ସୁଖ୍ୟାତି ଲାଭ କରିଅଛି। ସୁତରାଂ ଯେବେ ଏହି କମ୍ପାନୀରେ ଅଧିକାଂଶ ଅଂଶଦାର ଓଡିଶାବାସୀ ହୁଅନ୍ତି ତାହା ହେଲେ ଏହା ଓଡିଶା ପକ୍ଷରେ ବଡ ଗୌରବର ବିଷୟ ହେବ ବୋଲି ଓଡିଶାରେ ବହୁ ନେତା ଭାବୁଥିଲେ। ଆଉ ଏବ ବିଶେଷତ୍ୱ ହେଲା ଆଜିଯାଏ ଓଡିଆମାନେ ଅନ୍ୟତ୍ର ଯାଇ କଳକାରଖାନାରେ ଯେଉଁ କାମ କରୁଛନ୍ତି ତହିଁରେ ମଜୁରୀ କେବଳ ଆମ ଦେଶକୁ ଆସୁଛି। ମୁଳଧନର ଲାଭ ଓଡିଶାବାସୀଙ୍କଠାକୁ କେବେ ଆସି ନାହିଁ। ଏହି କମ୍ପାନୀର ଦ୍ରବ୍ୟ ଦେଶବିଦେଶରେ ବିକ୍ରି ହୋଇ ଯେଉଁ ଲାଭ ହେବ ତାହା ଏ ଦେଶକୁ ଆସିବ। ଯଦି ଓଡିଶାବାସୀମାନେ ବେଶି ଅଂଶୀଦାର ହେବେ ତା ହେଲେ ଲାଭତକ ଓଡିଶାବାସୀଙ୍କ ହାତକୁ ଆସିବ। ଓଡିଶାବାସୀମାନେ ମଧ୍ୟ ଏହି ଟାନେରୀ ପରି ଆଉ କେତେକ କମ୍ପାନୀ ଗଠନ କରିପାରିବେ। ଫଳରେ ଓଡିଶାର ଦାରିଦ୍ର୍ୟ ଦୂର ହୋଇଯିବ। ୧୯୨୪ ର ଆରମ୍ଭ ବେଳକୁ ଅଂଶବିକ୍ରି ବ୍ୟବସ୍ଥା ଚାଲିଥିଲା। ଗୋପବନ୍ଧୁବାବୁ ହଜାରିବାଗ ଜେଲରୁ ଖଲାସ ହୋଇ ଆସିବା ପରେ ଅନ୍ୟାନ୍ୟ କେତକ ଜାତୀୟ ସମସ୍ୟା ଭଳି ଉତ୍କଳଟାନେରୀ ପରି ଏକ ପ୍ରସିଦ୍ଧ ଜାତୀୟ ପ୍ରତିଷ୍ଠାନର ଶୋଚନୀୟ ଆର୍ଥିକ ଅବସ୍ଥା ମଧ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଟାନେରୀ ର ଉନ୍ନତିରେ ଦେଶର ଦାରିଦ୍ର୍ୟ ବହୁ ପରିମାଣରେ ଦୂର ହେବ, ଏହି ଚିନ୍ତା ଗୋପବନ୍ଧୁ ବାବୁ ଓ ଅନ୍ୟ ନେତାମାନଙ୍କ ମନରେ ଖେଳିଲା।

୧୯୨୪ ଜୁନ ୨୮ ତାରିଖରେ କଟକରେ ସାର ପ୍ରଫୁଲ୍ଲଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ ଯେଉଁ ପ୍ରାଦେଶିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ସେଥିରେ ଏହି ପ୍ରସ୍ତାବଟି ଗୃହୀତ ହୋଇଥିଲା। ଓଡିଶାରେ ପ୍ରତିଷ୍ଠିତ ମଧୁବାବୁଙ୍କ ଉତ୍କଳ ଟାନେରୀକୁ ଯୌଥ କାରବାରରେ ପରିଣତ କରି ଏହାକୁ ଉତ୍କଳବାସୀ ବିଦେଶୀଙ୍କ ହାତରୁ ରକ୍ଷା କରି ଦେଶର ଉପକାର କରିପାରିବେ ଏଥିପାଇଁ ଏ ସମ୍ମିଳନୀ ଉତ୍କଳ ଟାନେରୀ ଯୌଥ କମ୍ପାନୀ ପ୍ରତି ସହାନୁଭୂତି ପ୍ରକାଶ କରୁଅଛନ୍ତି ଓ ଦେଶବାସୀ ଏଥିରେ ସାହାଯ୍ୟ କରିବେ ବୋଲି ଆଶା କରୁଛନ୍ତି। ଏହି ପ୍ରସ୍ତାବ ପରେ ଗୋପବନ୍ଧୁ ବାବୁ ମଧୁବାବୁଙ୍କ ପ୍ରତିଷ୍ଠିତ ଟାନେରୀର ଉନ୍ନତି କାମନା କରି ଏକ ବିବୃତି ଦେଇଥିଲେ। ସେଥିରେ ସେ ଅଂଶବିକ୍ରି ଓ ସୁପରିଚାଳନା କାମନା ମଧ୍ୟ କରିଥିଲେ। ସେତେବେଳକୁ କମ୍ପାନୀର ଅଂଶବିକ୍ରିରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ମିଳିଥିଲା।ଏସବୁ ଟଙ୍କା ଡିଗ୍ରିଦାରଙ୍କ ବାକି ଆଡକୁ ମଜୁରା ଗଲା। ମହାଜନ କକ୍ସ କମ୍ପାନୀ ଙ୍କ କରଜ ଧନ ଆଉ ପ୍ରାୟ ଦେଢ ଲକ୍ଷ ବାକି ରହିଲା। ଟଙ୍କା ପରିଶୋଧ ହୋଇ ନ ପାରିବାରୁ ଟାନେରୀ ନିଲାମରେ ଉଠିଥିଲା। ପୁରୀ ରାଜା ଓ ଅନ୍ୟ କେତେଜଣ ମିଶି ଟାନେରୀକୁ କିଣିନେଲେ। ଅବଶ୍ୟ ଟାନେରୀଟି ଓଡିଶାବାସୀଙ୍କ ହାତରେ ରହୁ ଏହି ଲକ୍ଷରେ ମଧୁବାବୁ ନିଜେ ପୁରୀ ରାଜା ଓ ଅନ୍ୟାନ୍ୟମାନଙ୍କୁ ପ୍ରଭାବିତ କରି ଏ ନିଲାମଟି ସେମାନଙ୍କ ନାମରେ ଧରାଇଥିଲେ। ପଣ୍ଡିତ ଗୋପବନ୍ଧୁ ଉତ୍କଳ ଟାନେରୀ ସମ୍ପର୍କରେ ଏକ ବିବୃତି ତା ୦୨.୦୮.୧୯୨୪ ରେ ପ୍ରକାଶ କରିଥିଲେ, ଉତ୍କଳ ଟାନେରୀ ଓଡିଶାରେ ଏକ ବଡ କାର୍ଯ୍ୟ ଆଜିକାଲି ଅନେକ ଲୋକଙ୍କ ମନ ବ୍ୟବସାୟ ଆଡକୁ ଚାଲିଛି ସତ ମାତ୍ର ଯେ ବ୍ୟବସାୟରେ ଦେଶର ବହୁ ସଂଖ୍ୟକ ଲୋକଙ୍କର ଜୀବିକାନିର୍ବାହ ହେବ, ଦେଶର ଲୋକେ ଦେଶରେ ରହିବେ ଏବଂ ଦେଶର ଶିଳ୍ପ ଉନ୍ନତି ହେବା ସଙ୍ଗେ ସଙ୍ଗେ ବିଦେଶର ଧନ ଦେଶକୁ ଆସିବ ସେପରି ବ୍ୟବସାୟରେ ଅତି ଅଳ୍ପ ଲୋକ ଉଦ୍ୟମୀ ହେବାର ଦେଖାଯାଏ। ଉତ୍କଳ ଟାନେରୀଦ୍ୱାରା ଦେଶର ଏହିସବୁ ଶ୍ରେୟଃ ସାଧିତ ହେବ। ମଧୁବାବୁ ବହୁ ଅର୍ଥ, ସମୟ ଓ ଶକ୍ତି ବ୍ୟୟ କରି ଉତ୍କଳ ଟାନେରୀକି ଦେଶବିଦେଶରେ ବିଖ୍ୟାତ କରିଅଛନ୍ତି। ଏହା ଓଡିଶା ପକ୍ଷେ ଏକ ଗୌରବ। ଓଡିଶାର ବୁଝିବାସୁଝିବା ଲୋକେ ଟାନେରୀ ଓଡିଶା ଲୋକଙ୍କ ହାତରେ ରହିବାକୁ ଚାହିଁବେ, ସନ୍ଦେହ ନାହିଁ। ଏହା ମୋର ଏକାନ୍ତ ଇଚ୍ଛା। ଉତ୍କଳ ଟାନେରୀ ବିଦେଶୀ ବ୍ୟବସାୟଙ୍କ ହାତକୁ ଯିବା ଉତ୍କଳବାସୀଙ୍କ ପକ୍ଷେ ବଡ ନିନ୍ଦାର ବିଷୟ ହେବ। ତେଣୁ ପ୍ରସ୍ତାବିତ ଉତ୍କଳ ଟାନେରୀ କମ୍ପାନୀରେ ଅଂଶ ନେବାଲାଗି ମୁଁ ପ୍ରତ୍ୟେକ ଉତ୍କଳବାସୀଙ୍କୁ ଅନୁରୋଧ କରୁଅଛି। ଏଥି ମଧ୍ୟରେ ଯେଉଁମାନଙ୍କୁ ମୁଁ ଏ ବିଷୟରେ କହିଅଛି, ତାଙ୍କ ମଧ୍ୟରୁ ଅନେକ ଟାନେରୀର ପରିଚାଳନାରେ ମୋର ସମ୍ପର୍କ ରହିବା ଚାହାନ୍ତି। ମାତ୍ର ବର୍ତ୍ତମାନ ମୁଁ ନାନା କାର୍ଯ୍ୟରେ ବ୍ୟସ୍ତ। ଏଣୁ ଟାନେରୀ ଲାଗି ଯାହା କରିବାର ଇଛା ତାହା କରି ପାରୁନାହିଁ। ନିର୍ଦ୍ଦିଷ୍ଟ ସଂଖ୍ୟକ ଅଂଶ ଉଠିବା ପରେ ଟାନେରୀ ପରିଚାଳନାରେ ମୋର ସଂପର୍କ ରହିବା ଯଦି ଅଂଶଦାରୀମାନେ ଚାହାନ୍ତି, ତାହା ହେଲେ ସେମାନଙ୍କ ଇଛାନୁସାରେ ସେତେବେଳେ ଯେ କୌଣସି କାର୍ଯ୍ୟଭାର ନେବା ନିମନ୍ତେ ମୁଁ ପ୍ରସ୍ତୁତ ଅଛି। ଉତ୍କଳ ଟାନେରୀକୁ ବଞ୍ଚାଇବା ପାଇଁ ଗୋପବନ୍ଧୁଙ୍କ ଅଭିମତ ଏଥିରୁ ସ୍ପଷ୍ଟ ହେଉଛି। ଉତ୍କଳବାସୀମାନେ ପ୍ରକୃତରେ ଉତ୍କଳଟାନେରୀକୁ ନିଜର ଅନୁଷ୍ଠାନ ବୋଲି ଭାବି ଗର୍ବ ଅନୁଭବ କରୁଥିବାରୁ ଏବଂ ଏହି କାରଖାନା ବହୁ ଓଡିଶା ଲୋକଙ୍କୁ ଚାକିରି ଦେବାରେ ସମର୍ଥ ହେବା ସମ୍ଭାବନା ଥିବାରୁ ଓଡିଶାର ସର୍ବ ଶ୍ରେଣୀର ନେତାମାନେ ଏହି ଅନୁଷ୍ଠାନଟିକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁଥିଲେ। ଏହି ଲକ୍ଷ୍ୟରେ କଂଗ୍ରେସ ନେତାମାନେ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସ୍ଥିର କରିଥିଲେ ଏବଂ ପ୍ରାଦେଶିକ ସମ୍ମିଳନୀରେ ପ୍ରସ୍ତାବ ମଧ୍ୟ ଗ୍ରହଣ କରିଥିଲେ। ବିଶେଷତଃ ପ୍ରାଦେଶିକ ସମ୍ମିଳନୀର ସଭାପତି ସ୍ୱୟଂ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ କଲିକତାରେ ବେଙ୍ଗଲ କେମିକାଲ କମ୍ପାନୀ ଗଠନ କରି ବହୁ ଲୋକଙ୍କ ଅନ୍ନସଂସ୍ଥାନ କରିପାରିଥିଲେ ଏବଂ ଦେଶରେ ଏକ ବଳିଷ୍ଠ ବେସରକାରୀ ଓ ଦେଶୀ କାରଖାନା ଖୋଲି ପ୍ରଶଂସା ଭାଜନ ହୋଇଥିଲେ। ମଧୁବାବୁଙ୍କ ଉତ୍କଳ ଟାନେରୀ ମଧ୍ୟ ଜାତୀୟ ପ୍ରତିଷ୍ଠାନ ଭିତରେ ଅନ୍ୟତମ। ଏଭଳି ଜାତୀୟ ଅନୁଷ୍ଠାନକୁ ସାହାଯ୍ୟ କରିବା କର୍ତ୍ତବ୍ୟ ବୋଲି ବହୁ କଂଗ୍ରେସ ନେତା ମତବ୍ୟକ୍ତ କରୁଥିଲେ। ଉତ୍କଳ ଟାନେରୀକୁ ବଞ୍ଚାଇ ରଖିବା ପାଇଁ ପ୍ରାଦେଶିକ କଂଗ୍ରେସ କମିଟିର ଆଶୀର୍ବାଦ ଓ ତୁଙ୍ଗ କଂଗ୍ରେସ ନେତାମାନଙ୍କର ଅନୁକୂଳ ମତ କେତେ ଜଣ କଂଗ୍ରେସ ନେତା ସାହାଯ୍ୟ କରି ପାରି ନ ଥିଲେ। ମଧୁବାବୁ ଅସହଯୋଗ ଆନ୍ଦୋଳନ ବେଳେ ବିହାର ଓଡିଶା ସରକାରଙ୍କ ମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ତାଙ୍କ ଏହି କାର୍ଯ୍ୟକୁ କଂଗ୍ରେସ ସମର୍ଥନ କରି ନ ଥିଲା। କିନ୍ତୁ ସେ ମନ୍ତ୍ରୀତ୍ୱ ତ୍ୟାଗ କରିବା ପରେ ମଧ୍ୟ ପୂର୍ବର ସମାଲୋଚନାମୂଳକ ମନୋଭାବ କେତେଜଣ କଂଗ୍ରେସ କର୍ମୀଙ୍କ ମନରୁ ଯାଇ ନ ଥିଲା ଉତ୍କଳ କଂଗ୍ରେସ କମିଟିର ଦୁଇଜଣ ତୁଙ୍ଗ ନେତା ପଣ୍ଡିତ ଗୋପବନ୍ଧୁ ଦାସ ଓ ଗୋପବନ୍ଧୁ ଚୌଧୁରୀ ପ୍ରାଦେଶିକ ସମ୍ମିଳନୀ ନିର୍ଦ୍ଧାରଣ ଅନୁସାରେ ଟାନେରୀକୁ ସାହାଯ୍ୟ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେବାରୁ ମୁଷ୍ଟିମେୟ ସମାଲୋଚକଙ୍କ ମଧ୍ୟରୁ କେହି କେହି ପ୍ରକାଶ୍ୟରେ ସମାଲୋଚନା କରିବା ପାଇଁ ବାହାରି ଥିଲେ। କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁରର ଅଳକାଶ୍ରମରୁ ଶ୍ରୀ ପ୍ରାଣକୃଷ୍ଣ ପଢୀଆରୀ ମଧୁବାବୁଙ୍କୁ କଟୁ ଭାବରେ ସମାଲୋଚନା କରି ତାଙ୍କ ପ୍ରତିଷ୍ଠିତ ଟାନେରୀ ସହ କଂଗ୍ରେସ ନେତାମାନେ ଜଡିତ ହେବା ଉଚିତ ନୁହେଁ ବୋଲି କହିଥିଲେ ଏବଂ ଏ ପ୍ରସଙ୍ଗରେ କେତକ ତୁଙ୍ଗ କଂଗ୍ରେସ ନେତାଙ୍କ ପ୍ରତି ଆକ୍ଷେପ ମଧ୍ୟ କିରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ ପଣ୍ଡିତ ପଢିଆରୀଙ୍କ ଆଶଙ୍କା ଓ ଭ୍ରମ ଧାରଣାକୁ ଦୁର କରିବା ପାଇଁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ। ମଧୁବାବୁଙ୍କ ଟାନେରୀ ଉତ୍କଳର ଏକ ସମ୍ପଦ। ଏହାର ପ୍ରତିଷ୍ଠା ବିଶ୍ୱବ୍ୟାପୀ ଥିବା ଦର୍ଶାଇ ଏହି ଶିଳ୍ପ ଅନୁଷ୍ଠାନଟିକୁ ବଞ୍ଚାଇ ରଖିବା ପ୍ରତ୍ୟକ ଓଡିଆର କର୍ତ୍ତବ୍ୟ ବୋଲି ସେ କହିଥିଲେ।

ସମାଜର ତା ୦୯.୦୮.୧୯୨୪ ର ସଂଖାରେ ପଣ୍ଡିତ ଗୋପବନ୍ଧୁ ସମ୍ପାଦକୀୟ ସ୍ତମ୍ଭରେ ମଧ୍ୟ ପଢିଆରୀ ମହାଶୟଙ୍କ ସମାଲୋଚନାକୁ ଖଣ୍ଡନ କରିଥିଲେ। ପଢିଆରୀଙ୍କର ସମାଲୋଚନାକୁ ମଧ୍ୟ ସେହି ସଂଖ୍ୟା ସମାଜରେ ପ୍ରକାଶ କରିଥିଲେ। ଗୋପବନ୍ଧୁ ବାବୁ ଲେଖିଥିଲେ ମଧୁବାବୁଙ୍କୁ ବ୍ୟକ୍ତିଗତ ଭାବରେ ପଢିଆରୀ ମହାଶୟ ଅନେକ ଦୋଷ ଦେଇଛନ୍ତି। ମଧୁବାବୁଙ୍କଠାରେ ଲୋକଙ୍କର ବିଶ୍ୱାସ ଅଛି କି ନାହିଁ ସେ କାଉନସିଲରେ ଥାଇ ଲୋକପ୍ରତିନିଧି ଭାବରେ ତାଙ୍କର କର୍ତ୍ତବ୍ୟ କରିଛନ୍ତି କି ନାହିଁ ଏ ବିଷୟରେ ସମାଲୋଚନା କରିବାର ବର୍ତ୍ତମାନ ସମୟ ନୁହେଁ। ମଧୁବାବୁ ଯେ ଓଡିଶା ସକାଶେ ଅନେକ କାର୍ଯ୍ୟ କରିଛନ୍ତି, ଏହା ଅସ୍ୱୀକାର କରାଯାଇ ନ ପାରେ। ଉତ୍କଳଟାନେରୀ ସହିତ ମଧୁବାବୁଙ୍କୁ ଯୋଡି ସେ ସଂପର୍କରେ କଂଗ୍ରେସ ଲୋକଙ୍କୁ ଯେ ସମାଲୋଚନା କରାଯାଇଛି ତାହା ଯଥାର୍ଥ ନୁହେଁ। ମଧୁବାବୁ ଭକ୍ତ ହୋଇ କଂଗ୍ରେସ ଲୋକମାନେ ଟାନେରୀ କାର୍ଯ୍ୟ କରୁନାହାନ୍ତି। ଆମ୍ଭେମାନେ ଯେତେ ଦୁର ଜାଣୁ ପୃଥିବୀ ମଧ୍ୟରେ ଏ ଜୋତା କାରାଖାନାର ସୁନାମ ଓ ବିଶେଷତ୍ୱ ଅଛି। ଆଜି ଏ କାରଖାନା ମଧୁବାବୁଙ୍କର ହୋଇଛି। କାଲି କମ୍ପାନୀ ହେଲେ ତାହା କମ୍ପାନୀ ହାତକୁ ବାହାରି ଯିବ। ସେତେବେଳେ ମଧୁବାବୁଙ୍କର କୌଣସି କର୍ତ୍ତୃତ୍ୱ ବଢି ନ ପାରେ। ଅଂଶୀଦାରମାନେ ଯାହାକୁ ମାର୍ଫତଦାର ନିଯୁକ୍ତ କରିବେ ସେହିମାନେ ବୁଝାସୁଝା କରିବେ। ଆଜିକାଲି ସଭ୍ୟ ଯୁଗରେ ଏ ଚମଡା ବ୍ୟବସାୟ ଗୋଟିଏ ଉଚ୍ଚ ଧରଣର ବ୍ୟବସାୟ। ଆମ ଦେଶରେ ଚମଡା ଆମଦାନୀ ହୁଏ, ଆମ ଦେଶରେ ମଜୁରୀଦାର ଅଛନ୍ତି, ଆମ ଦେଶରେ ସାଧାରଣ ଲୋକେ ଆଠ ଦଶ ଟଙ୍କା ଦେଇ ଅଂଶ କିଣିପାରିବେ। ସେହି ମାନଙ୍କ ମତ ଅନୁସାରେ ପ୍ରତିନିଧିମାନେ କାରବାର ଚଳାଇବେ। ଏହାଦ୍ୱାରା ବିଦେଶରୁ ପଇସା ରୋଜଗାର ହୋଇ ଆସିବ।ଦେଶର ମଜୁରୀଦାରମାନେ ମଜୁରୀ ପାଇବେ ଏବଂ ଲାଭ ଦେଶ ଲୋକଙ୍କ ହାତରେ ରହିବ। ଏହା ଦ୍ୱାରା କଂଗ୍ରେସ ନିତୀରେ କି ବାଧା ପଡିଲା ? ଓଡିଶାର ଏତେବଡ ଗୋଟିଏ କାରଖାନା ବିଦେଶୀଙ୍କ ହାତକୁ ବାହାରି ଯିବା ନିଶ୍ଚୟ ଓଡିଶା ଲୋକଙ୍କ ପକ୍ଷରେ ଅସୁନ୍ଦର କଥା। ଓଡିଶାରେ ନୂତନ ଧରଣର କଳକାରଖାନା ବା ବ୍ୟବସାୟ ନାହିଁ।ଓଡିଶାର ଲୋକେ ଯୌଥ କାରବାରରେ ଶିକ୍ଷା ଲାଭ କରି ନାହାନ୍ତି। ସେଥିଯୋଗୁଁ ଉତ୍କଳ ଟାନେରୀ କଥା ସେମାନଙ୍କୁ ଅଡୁଆ ଅଡୁଆ ଲାଗୁଛି। ଯେଉଁମାନେ ଶିକ୍ଷିତ ଯୌଥ କାରବାରର ଲାଭ ବୁଝିଛନ୍ତି, ସେମାନେ ସାଧାରଣ ଲୋକଙ୍କୁ ଏ ବିଷୟରେ ବୁଝାଇବା ଉଚିତ। ଓଡିଶା ଲୋକଙ୍କର ଅନିଷ୍ଟ ହେବା ପାଇଁ ଏ କଥା କେହି କରୁନାହିଁ। ଉତ୍କଳ ଟାନେରୀ ଓଡିଶାର କାମ। ଉତ୍କଳ ଲୋକେ ଏହାକୁ ଚଳାଇବା ଦ୍ୱାରା ନାନା ଭାବରେ ଲାଭବାନ ହେବେ। ଏହି ଉଦ୍ଦେଶ୍ୟରେ ଗୋପବନ୍ଧୁବାବୁ ଓ କଂଗ୍ରେସବାଲା ମାନେ ଏହାକୁ ସମର୍ଥନ କରୁଛନ୍ତି ବୋଲି ଗୋପବନ୍ଧୁବାବୁ କହିଥିଲେ। ଏହାପରେ ଏ ସମ୍ବନ୍ଧରେ ଆଉ ବିଶେଷ ବାଦାନୁବାଦ ହୋଇଥିବା ଜଣାଯାଏ ନାହିଁ। ପଣ୍ଡିତ ଗୋପବନ୍ଧୁଙ୍କର ଏ କୈଫିୟତଟି ସମୟୋଚିତ ହୋଇଥିଲା। ମଧୁବାବୁଙ୍କ ଅନୁରୋଧରେ ମହାତ୍ମାଜୀ କଟକ ଆସି ଟାନେରୀ ପରିଦର୍ଶନ କରିବା ସ୍ଥିର ହୋଇଥିଲା। ଏହାର ପ୍ରାୟ ୧ ମାସ ଆଗରୁ ଏହି ବାଦପ୍ରତିବାଦ ପ୍ରକାଶ ପାଇଥିଲା। ମହାତ୍ମା ଗାନ୍ଧୀ ଟାନେରୀ ପରିଦର୍ଶନ କରି ମଧୁବାବୁଙ୍କୁ ସବୁମନ୍ତେ ସାହାଯ୍ୟ କରିବେ ବୋଲି କହିଥିଲେ। ଏତ ଗଲା ସ୍ୱାଧୀନତା ପୂର୍ବର ଘଟଣା ଏବେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ବିଂଶ ଶତାଦ୍ଧୀରେ କଟକର ଓଡିଶା ଟେକ୍ସଟାଇଲ ମିଲ (ଓଟିଏମ୍ ) ର ଅବସ୍ଥା ବିଜୁବାବୁଙ୍କ ସ୍ୱପ୍ନର ପ୍ରଥମ ସ୍ଥାନ ଚୌଦ୍ୱାର ଶିଳ୍ପାଞ୍ଚଳର ଅବସ୍ଥା ଏକଦା ଏ ମିଲର କପଡା ରାଜ୍ୟ ତଥା ବିଦେଶରେ ପ୍ରସିଦ୍ଧ ଘଟାଇଥିଲା ବେଳେ ୮୦ ଦଶକରୁ ବନ୍ଦ ହୋଇ ପଡିଥିବା ଏହି ସୂତା କଳ କଳଙ୍କି ଲାଗି ମାଟିରେ ମିଶିବାକୁ ଯାଉଛି, ଏହାର ଶ୍ରମିକ ଓ ଏହା ଉପରେ ନିର୍ଭର କରୁଥିବା ପରିବାର ମଧ୍ୟରୁ ଅନେକ ଦାଣ୍ଡର ଭିକାରୀ ବର୍ତ୍ତମାନ ସୁଦ୍ଧା ପାଞ୍ଚଶହରୁ ଉର୍ଦ୍ଧ କର୍ମଚାରୀ କ୍ଷୁଧାରେ ପ୍ରାଣ ହରାଇ ସାରିଲେଣି ଅନ୍ୟମାନେ ମୃତ୍ୟୁ ଅପେକ୍ଷାରେ, ଭୋଟପରେ ଭୋଟ ଗଡୁଛି ଖୋଲିବ ବୋଲି ପ୍ରତିଶୃତି ମିଳୁଛି କାର୍ଯ୍ୟରେ ଶୂନ। ସରକାର ବିଜୁବାବୁ ଙ୍କ ସ୍ୱପ୍ନ ବଖାଣିବାରେ ବ୍ୟସ୍ତ, ଅନେକ ଶିଳ୍ପଦ୍ୟୋଗୀଙ୍କ ସହିତ ଏମ.ଓ ୟ ସ୍ୱାକ୍ଷର କରୁଛନ୍ତି କିନ୍ତୁ ଓଟିଏମ ର ପୁନରୁଦ୍ଧାର ର ବ୍ୟବସ୍ଥା ନାହିଁ, ଉଭୟ କେନ୍ଦ୍ର ଓ ରାଜ୍ୟ ଏ ଦିଗରେ ନୀରବ ! କେବେ ଏମାନଙ୍କ ନିଦ ଭାଙ୍ଗିବ ? (ଫଟୋ ସୌଜନ୍ୟ – http://madhusudandas.org)

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *