ଆମ ସଂସ୍କୃତି, କଳା ଓ ଐତିହ୍ୟ

ଗଞ୍ଜାମର ଅନନ୍ୟ ପରଂପରା ଦଣ୍ଡନାଚ

– ଡା. ଜ୍ୟୋତି ପ୍ରସାଦ ପଟ୍ଟନାୟକ

ବସନ୍ତର ବିଦାୟ ଏବଂ ଗ୍ରୀଷ୍ମର ଆଗମନ ସହ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ଗାଁ ଗାଁରେ ହଳଦିଆ ବସ୍ତ୍ର ପିନ୍ଧିଥିବା ଦଳଦଳ ଲୋକଙ୍କୁ ଧାଡ଼ିବାନ୍ଧି ରାସ୍ତା ଘାଟରେ ବୁଲୁଥିବାର ଦେଖାଯାଏ। ଢୋଲ ଏବଂ ତୂରୀର ଶବ୍ଦରେ ଗଗନ ପବନ ହୁଏ ପ୍ରକମ୍ପିତ। ବିଶ୍ବରେ ବିରଳ ଏକ ଅନନ୍ୟ ପରମ୍ପରା ଯାହା ନିଜ ନାମକୁ ସାର୍ଥକ କରିଥାଏ, ଦଣ୍ଡନାଚ। ନିଜକୁ ଦଣ୍ଡ ଦେଇ ମା ଭଗବତୀଙ୍କ ଆଶୀର୍ବାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଏହି ଦଣ୍ଡନାଚରେ ଭାଗ ନେଇଥାନ୍ତି। ଏହି ବ୍ରତ ଦ୍ବାରା ଅନେକ ସୁଫଳ ମିଳେ ବୋଲି ଗଞ୍ଜାମ, ଫୁଲବାଣୀ ସମେତ ରାଜ୍ୟର ଅନେକ ଜିଲ୍ଲାରେ ବିଶ୍ବାସ ରହିଛି। ଏହି ଦଣ୍ଡନାଚ ଯେ କେବଳ ଭକ୍ତିନୈବେଦ୍ୟର ଉପସ୍ଥାପନା ନୁହେଁ, ଏହି ପରମ୍ପରା ସହିତ ଜଡ଼ିତ ନୃତ୍ୟଗୀତ ଆଦି ଦ୍ବାରା ଗଞ୍ଜାମର ଉର୍ବର ସାହିତ୍ୟିକ ଇତିହାସର ପରିଚୟ ମଧ୍ୟ ମିଳେ।

ଦଣ୍ଡନାଚ ହୁଏ କାହିଁକି ?
ଦଣ୍ଡନାଚର ଉଦ୍ଦେଶ୍ୟ ଅତି ମହାନ। ଗ୍ରାମବାସୀଙ୍କ ମନରେ ଥିବା ଅନ୍ଧବିଶ୍ବାସ, କୁବିଶ୍ବାସ ଆଦିକୁ ଦୂର କରିବା, ଜାତିପ୍ରଥାକୁ ଦୂର କରିବା, ସମସ୍ତଙ୍କ ମଧ୍ୟରେ ଭାତୃତ୍ନ ଏବଂ ସ୍ନେହ ବଢ଼ାଇବା, ଭକ୍ତି ଏବଂ ବିଶ୍ବାସବୋଧ ଦ୍ବାରା ସାମାଜିକ ଶୃଙ୍ଖଳା ସୃଷ୍ଟି କରିବା, ଏବଂ ସମାଜମଙ୍ଗଳ ପାଇଁ କାର୍ଯ୍ୟକରିବା ପରି ମହାନ ଲକ୍ଷ୍ୟକୁ ନେଇ ଏଇ ଦଣ୍ଡନାଚ କରାଯାଏ। ଦଣ୍ଡନାଚରେ ଭାଗନେଇଥୁବା ଭକ୍ତଙ୍କ ମଧ୍ୟରେ ଜାତିଆଣ ମନୋଭାବ ନଥାଏ, ସମସ୍ତେ ଏକାକାର ହୋଇ ଭକ୍ତିର ସହ ନିଜ କର୍ତ୍ତବ୍ୟ ପାଳନ କରନ୍ତି। ସାତ୍ତ୍ବିକ ଭୋଜନ, ସଂଯମତାରକ୍ଷା ତଥା ଶୃଙ୍ଖଳାଜ୍ଞାନ ଦୃଷ୍ଟିରୁ ଏହା ମହାନ ପରମ୍ପରା।

ଦଣ୍ଡନାଚର ପୌରାଣିକ ମହତ୍ତ୍ବ
ସତ୍ୟ ଯୁଗରେ ବ୍ରହ୍ମାଙ୍କ ପାଞ୍ଚପୁତ୍ର ମରିଚୀ, ପୁଲହ, ପୁଲସ୍ତୀ, କ୍ରତୁ ଓ ଅଙ୍ଗିରା, ଇନ୍ଦ୍ରଙ୍କ ପାଞ୍ଚ ପୁତ୍ର ଜୟନ୍ତ, ପାକଶାସ୍ତ୍ରୀ, ସୂବତ୍ସ, ସୂରସେନ, ଗାନ୍ଧର୍ବସେନ ଓ କୁବେରଙ୍କ ତିନି ପୁତ୍ର ନିଳ, ମଣିଭଦ୍ର ଓ କୁବେର ନିଜ ନିଜ ଶିକ୍ଷା ସମାପନ କରି ଘରକୁ ଫେରୁଥିବା ବାଟରେ ଋଷିପୁତ୍ର କ୍ରତୁ ପିତୃଲୋକକୁ ଜଳଦାନ କରୁଥିବା ଦେଖ୍ ଅଟ୍ଟହାସ୍ୟ କରିଥିଲେ। ଏଥିରେ କ୍ରୋଧିତ ଋଷି ଦେବପୁତ୍ର ମାନଙ୍କୁ କୁଷ୍ଠରୋଗୀ ହେବାର ଅଭିଶାପ ଦେଇଥିଲେ। ଅଭିଶପ୍ତ କୁମାରମାନେ ଘରକୁ ଫେରି ଏହି କଥା ନିଜ ପିତାମାତାଙ୍କୁ ଜଣାଇଥିଲେ। ଏହା ଶୁଣି ବ୍ରହ୍ମା, ଇନ୍ଦ୍ର ଓ କୁବେର ମହାମୂନୀଙ୍କ ନିକଟରେ ପହଞ୍ଚି ଅଭିଶାପ ଫେରାଇନେବା ପାଇଁ ଅନୁରୋଧ କରିଥିଲେ। ମହାମୁନୀ ଏହା ଅସମ୍ଭବ ବୋଲି କହିବା ସହିତ, କେବଳ ଦେବ ଦେବ ମହାଦେବ ହିଁ ଏହାର ପ୍ରତିକାର କରିବେ ବୋଲି ସୂଚନା ଦେଇଥିଲେ। ତା’ପରେ ତେର କଣ କୁମାର ଶିବାଳୟରେ ପହଞ୍ଚି ଶିବଙ୍କ ଶରଣାଗତ ହେଲେ। ଶିବ ସବୁ ଶୁଣିସାରିବା ପରେ କହିଲେ ଯେ ଯଦି କୁମାର ମାନେ ତେରଦିନ ଧରି ମା ରୂଦ୍ରକାଳୀଙ୍କୁ ପୂଜାକରି ଦଣ୍ଡବ୍ରତ ପାଳିବେ କହିଲେ ସେମାନେ ନିଜ ଅଭିଶାପରୁ ମୁକ୍ତ ହେବେ। ଏହା ଶୁଣି କୁମାରମାନେ ଦଣ୍ଡ ବ୍ରତ ପାଳନ କରିଥିଲେ ବୋଲି ପୌରାଣିକ ପୁସ୍ତକମାନଙ୍କରେ ଉଲ୍ଲେଖ ଅଛି।

ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ତ୍ରେତୟା ଯୁଗରେ ତରଣି ନାମକ ରଷିଙ୍କୁ ଚଉଦଜଣ ଉଦ୍ଧତ ପୁଅ ବିଭିନ୍ନ ନିରୀହ ଲୋକଙ୍କୁ ଅତ୍ୟାଚାର କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଭକ୍ଷ ଭକ୍ଷଣ କରି ପ୍ରାଣ ହରାଇବା ଦେଖ ବ୍ରହ୍ମା ସମସ୍ତ ଋଷିପୁତ୍ରଙ୍କୁ ଉଈ ହୁଙ୍କାରେ ପରିଣତ ହେବାର ଅଭିଶାପ ଦେଲେ। ଏହି ଅଭିଶାପରୁ ମୁକୁଳିବାପାଇଁ ଋଷିପୁତ୍ରମାନେ ବିଭିନ୍ନ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିଲେ।

ସେଇଥିପାଇଁ ଦଣ୍ଡନାଚ ସମୟରେ ବୀଣାକାରମାନେ କହନ୍ତି, ‘ହେ ଋଷିପୁତ୍ରେ। ଅଇଲେ ହର, ଦେଇଗଲେ ବର, ଅନ୍ୟ ସେବା ଛାଡ଼ି ଏ ସେବାକର। ଏ ସେବାକଲେ କି ଫଳ ପାଏ, ଉଷୁନାଧାନ ଗଜା ହୁଏ, ଶୁଖୁଲା କାଠ କଞ୍ଚା ହୁଏ, ଭଜାମୁଗ ଗଜା ହୁଏ, ଜୁର ରୋଗ ଭଲ ହୁଏ ଇତ୍ୟାଦି। ଏହା ଛଡ଼ା ଦଣ୍ଡପାଳନ ବେଳେ ଋଷିଙ୍କ ପରି ବୈରାଗ୍ୟ ଜୀବନଯାପନ କରିବା ଅନିବାର୍ଯ୍ୟ।

ଦଣ୍ଡନାଚର ବିଧି
ପାରମ୍ପରିକ ରୀତିରେ ଦଣ୍ଡନାଚ ଏକୋଇଶି ଦିନ ପର୍ଯ୍ୟନ୍ତ ହୁଏ, କିନ୍ତୁ ଆଜିକାଲି ଅନେକ ସ୍ଥାନରେ ଏହା ତେର ଦିନ ମଧ୍ୟରେ ସୀମିତ ହୋଇଛି। ଚୈତ୍ର ପୂର୍ଣ୍ଣିମାଠାରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଏ। ଅନେକ ସ୍ଥାନରେ ଏହା ବିଷୁବ ସଂକ୍ରାନ୍ତିର ତେର ଦିନ ପୂର୍ବରୁ ଆରମ୍ଭ କରାଯାଏ। ଏଥି ନିମନ୍ତେ ଗ୍ରାମ ଉପକଣ୍ଠରେ ଥିବା ଶିବ ମନ୍ଦିର କିମ୍ବା ଠାକୁରାଣୀ ମନ୍ଦିରରେ କାମନା ଘର ସ୍ଥାପନ କରାଯାଏ। ଏହି ଘରୁ ଏକ ପୂର୍ଣ୍ଣକୁମ୍ଭ ବାହାରିଥାଏ, ଯାହାକୁ କାମନା ଘଟ ବୋଲି ମଧ୍ୟ କୁହାଯାଏ। ଜନୈକ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ବାରା ପାଣି ତୋଳାଯାଇ ଏହି ବ୍ରତର ଶୁଭାରମ୍ଭ ହୁଏ ଏବଂ ବ୍ରତ ଶେଷ ଦିନ ଏହି ଜଳକୁ ବିସର୍ଜନ କରାଯାଏ। ପ୍ରତ୍ୟେକ ଦଣ୍ଡନାଚ ଦଳରେ ତେର କଣ ମୁଖ୍ୟ ଭୋକ୍ତା ଏବଂ ଅନ୍ୟ କେତେଜଣ ଭପଭୋକ୍ତା ବିଭିନ୍ନ ନୀତିନିୟମ ମାନି ପାଳନ କରନ୍ତି। ଦୁଇଜଣ ଭୋକ୍ତା କାମନାଘର ଅଗ୍ନିକୁ ଜଗି କରିଥାନ୍ତି। ଅନ୍ୟ ଭୋକ୍ତା ସେଇ ଅଗ୍ନିକୁ ଚମ୍ପାବରରେ ସଂଯୋଗକରି ଦଣ୍ଡନାଚ ଦଳରେ ବୁଲୁଥିବା ବେଳେ, ଦୁଇଜଣ ଅଗ୍ନି ଘଡ଼ିରେ ସଂଯୋଗ କରି ଖେଳରେ ଅଂଶ ଗ୍ରହଣ କରନ୍ତି। ଜଣେ ଭୋକ୍ତା ମାଟିହାଣ୍ଡିରେ ଝୁଣା ଧରିଥିବା ବେଳେ ଦୁଇଜଣ ଭୋକ୍ତା ଶିବ ପ୍ରତିମା ଓ ଗୌରୀବ୍ରତ ଧାରଣ କରନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟମାନେ ବାଦକ, ବୀଣାକାର, ଚଢ଼େୟା ଓ ପ୍ରଭାନାଚ ଆଦି କାର୍ଯ୍ୟ ସମ୍ଭାଳିଥାନ୍ତି।

ଦଣ୍ଡନାଚର ଭୋକ୍ତା
ଦଣ୍ଡନାଚରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଭକ୍ତ ମାନସିକ ବ୍ରତ ଧାରଣ କରି ଏଥିରେ ମିଶନ୍ତି। ଦଣ୍ଡଯାତ୍ରାର ପୂର୍ବରାତ୍ରୀରୁ ସେହି ଭକ୍ତମାନେ ଗେରୁଆ ବସ୍ତ୍ର ପିନ୍ଧି ପତାକା, ଫୁଲ ଚନ୍ଦନ ଓ ମୟୁର ପୁଞ୍ଚରେ ନିର୍ମିତ ଝାଡ଼ଣିଧରି ଘରୁ ବାହାରି ଯାଆନ୍ତି। ଏହି ସମୟରେ ଘରର ସ୍ତ୍ରୀଲୋକମାନେ ଘର ଆଗରେ ପୂର୍ଣ୍ଣକୁମ୍ଭ ସଜାଡ଼ି ଦୀପ ଜାଳନ୍ତି ଓ ସକୁଶଳ ବ୍ରତ ସମାପନ ପାଇଁ ପ୍ରାର୍ଥନା କରନ୍ତି ଯେତେଦିନ ଯାଏଁ ଭୋକ୍ତା। ଦଣ୍ଡନାଚରେ ରହନ୍ତି ସେତେ ଦିନ ପର୍ଯ୍ୟନ୍ତ ଘରର ପ୍ରତ୍ୟେକ ଲୋକ ଅତି ନିଷ୍ଠାର ସହ ଚଳନ୍ତି। ଘରେ ନିରାମିଷ ଭୋଜନହୁଏ, ଏବଂ ତାହା ଦିନରେ କେବଳ ଥରେ ରୋଷେଇ କରାଯାଏ। ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରି ସ୍ନାନପୂଜା ସମାପନ କରାଯାଏ।

ଦଣ୍ଡନାଚର ପୂର୍ବରାତ୍ରୀରେ ସମସ୍ତ ଭୋରୁ ଗାଁ କାମନା ଘର ପାଖରେ ଏକାଠି ହୁଅନ୍ତି ଏବଂ ସେମାନଙ୍କୁ ଆନୁଷ୍ଠାନିକ ଭାବେ ଦଣ୍ଡୁଆ ବୋଲି କୁହାଯାଏ। ଏବଂ ଦଳର ମୁଖିଆଙ୍କୁ ପାଟଦଣ୍ଡୁଆ ବୋଲି କୁହାଯାଏ। ସେହି ରାତ୍ରୀରେ ମନ୍ଦିରରେ ହୋମ ତଥା ଘୃତଯଜ୍ଞ କରାଯାଏ। ତା’ପରେ ଦଣ୍ଡୁଆମାନେ ପାରମ୍ପରିକ ରୀତିରେ ଦଣ୍ଡି ଆଣନ୍ତି। ସମସ୍ତେ ଯଜ୍ଞ ଉପବୀତ ଗ୍ରହଣ କଲାପରେ ଦୁଇଟି ବାଉଁଶ କାଠକୁ ଘଷି ଅଗ୍ନିଜାତ କରନ୍ତି, ଏହାକୁ ଶିବାଗ୍ନି କୁହାଯାଏ। ଏହି ଅଗ୍ନିକୁ କୁଶବା ପାଳରେ ତିଆରି ଚମ୍ପାବରରେ ରୋପଣ କରାଯାଏ, ଯାହା ଦଣ୍ଡନାଚ ସମାପ୍ତ ହେବାଯାଏଁ ରଖାଯାଏ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗମୁର୍ତ୍ତି, ମୟୁରପୁଚ୍ଛ, ପତାକା ଆଦି ପୂଜାପରେ ଦଣ୍ଡନାଚ ଆରମ୍ଭ ହୁଏ। ପ୍ରଥମ ଦିନ କାମନା ମନ୍ଦିର ଆଗରେ ନାଚ ହୁଏ। ତା’ପରେ ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ଓ ସହରକୁ ଏମାନେ ଚାଲି ଚାଲି ଯାଇ ଦଣ୍ଡନାଚ କରିଥାନ୍ତି। ଢୋଲ ଓ ମହୁରୀ ଏହି ନାଚର ମୁଖ୍ୟ ବାଦ୍ୟଯନ୍ତ୍ର। ଏହି ନାଚରେ ଢୋଲ ବାଦକଙ୍କୁ ପାଟଢୋଲିଆ ବୋଲି କୁହାଯାଏ।

 

ଦଣ୍ଡନାଚ ସମୟରେ ଦିନଚର୍ଯ୍ୟା
ଦଣ୍ଡନାଚ ସମୟରେ ପ୍ରତିଦିନ ଜଣେ ମାନସିକଧାରୀ ଭକ୍ତଙ୍କ ନିମନ୍ତ୍ରଣକ୍ରମେ ଏହି ନାଚ ଆୟୋଜନ କରାଯାଏ। ଏଥିପାଇଁ ସମସ୍ତ ଖର୍ଚ୍ଚ ସେହି ମାନସିକଧାରୀ ଗୃହକର୍ତ୍ତାଙ୍କୁ ବହନ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଦଣ୍ଡନାଚ ଦଳରେ ଅନ୍ୟୁନ ପନ୍ଦରଜଣ ଭୋକ୍ତା ଥାଆନ୍ତି, ଏବଂ ଏମାନଙ୍କ ବ୍ୟତୀତ ନାଟକ କରୁଥିବା କିଛି ଲୋକ ବି ରହନ୍ତି। ଏମାନଙ୍କ ରହିବା ଖାଇବା ଆଦି ଆନୁସଙ୍ଗିକ ଖର୍ଚ୍ଚ ମାନସିକଧାରୀ ଗୃହକର୍ତ୍ତାଙ୍କୁ ଦେବାକୁ ହୁଏ। ଗଞ୍ଜାମ ଜିଲ୍ଲାରେ କୁଲାଡ଼ର ଦଣ୍ଡନାଚ ଦଳରେ ସର୍ବାଧିକ ଭୋକ୍ତା ସାମିଲ ହୁଅନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମାନସିକଧାରୀମାନେ ଆସି ଏଠାରେ ଦଣ୍ଡଦଳରେ ସାମିଲହୁଅନ୍ତି। ବେଳେ ବେଳେ ଏହି ଦଣ୍ଡନାଚ ଦଳରେ ହଜାରରୁ ଅଧୁକ ଭୋକ୍ତା ହୁଅନ୍ତି। ଏହିପରି ଏକ ଦଳକୁ ନିମନ୍ତ୍ରଣ କରୁଥିବା ଗୃହକର୍ତ୍ତାଙ୍କୁ ଏମାନଙ୍କ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।

ଦଣ୍ଡନାଚ ଦଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଯେତେବେଳେ ଭକ୍ତଙ୍କ ଗାଁ ମୁଣ୍ଡରେ ପହଞ୍ଚନ୍ତି, ସେତେବେଳେ ମାନସିକକର୍ତ୍ତା ଆସି ସେମାନଙ୍କୁ ନିମନ୍ତ୍ରଣ କରି ନିଅନ୍ତି। ଦଣ୍ଡୁଆମାନେ ଭକ୍ତର ଘର ସାମନାରେ ଜଳରୋପଣ କରି ଗ୍ରାମ ଉପକଣ୍ଠରେ ଥିବା ଆମ୍ବତୋଟା, ପୋଖରୀକୂଳ, ନଦୀକୂଳ, ମଠ ବେଢ଼ା କିମ୍ବା ସ୍କୁଲ ପରିସରରେ ଆଶ୍ରୟ ନିଅନ୍ତି। ଦ୍ବିପହର ସମୟରେ ଧୂଳିଦଣ୍ଡ ହୁଏ। ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଦଣ୍ଡୁଆମାନେ ତାତିଲା ଧୁଳିରେ ଗଡ଼ି ଗଡ଼ି ଦଣ୍ଡନାଚ କରନ୍ତି। ଏହି ସମୟରେ ମୁଖ୍ୟତଃ ଆମର କୃଷିଭିଭିକ କାର୍ଯ୍ୟକ୍ରମ ସବୁ କରାଯାଏ, ଯଥା କୃଷିକ୍ଷେତ୍ର ତିଆରି କରିବା, ବୀଜ ବୁଣିବା, ଭୂମିପୂଜା କରିବା, ମନ୍ଦିର ନିର୍ମାଣ କରିବା, ହଳ ଚଳେଇବା, ଲୁଗା ବୁଣିବା, ହଳଦୀ ବାଟିବା, କୂଅ ଖୋଳିବା ଇତ୍ୟାଦି। ଆହୁରି ମଧ୍ୟ ଧାନ ରୋପିବା, ଧାନ ବାଛିବା, ଅମଳ କରିବା, କୃଷକର ସ୍ତ୍ରୀ ଘୋଟଣା ଧରି ଆସିବା ଇତ୍ୟାଦି ଦୃଶ୍ୟକୁ ଆମୋଦକର ଭାବରେ ପରିବେଷଣ କରାଯାଏ। ଧୁଳିଦଣ୍ଡ ସମୟରେ ଆଜିକାଲି ଅନେକ ଆମୋଦକର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ସମାପନ ପରେ ସମସ୍ତ ଦଣ୍ଡୁଆ ଗାଁ ଦାଣ୍ଡରେ ଶୋଇରହନ୍ତି ଏବଂ ସେମାନଙ୍କ ଉପରେ କାଠ ଦଣ୍ଡା ପକାଇ ନଡ଼ିଆ ଭଙ୍ଗାଯାଏ। ଏବଂ ଧୁଳିଦଣ୍ଡ ସମାପନ କରାଯାଏ।

ଧୁଳିଦଣ୍ଡ ପରେ ସମସ୍ତ ଦଣ୍ଡୁଆ ଗାଁ ପୋଖରୀ ନିକଟକୁ ଯାଆନ୍ତି ଏବଂ ପାଣିଦଣ୍ଡ କରନ୍ତି। ଏହି ସମୟରେ ପ୍ରତ୍ୟେକ ଦଣ୍ଡୁଆ ନିଜର ନିତ୍ୟକର୍ମ ସାରନ୍ତି। ଛଅ ଆଙ୍ଗୁଳି ବିଶିଷ୍ଟ ଆମ୍ବଡାଳ ଦ୍ବାରା ଦାନ୍ତ ସଫାକରନ୍ତି। ପୋଖରୀରେ ତେରଥର ବୁଡ଼ପକାଇ ତେର ଆଞ୍ଜୁଳା ବାଲି ଆଣି କୂଳରେ ଶିବଲିଙ୍ଗ ସ୍ଥାପନ କରନ୍ତି। ଏଠାରେ ଶିବ ପାର୍ବତୀ ଓ କାଳୀଙ୍କ ଆରାଧନା କରାଯାଏ ଏବଂ ସମସ୍ତ ଦଣ୍ଡୁଆଙ୍କୁ ନୂଆ ଉପବୀତ ଧାରଣ କରାଯାଏ। ଭକ୍ତମାନେ ଆଣିଥିବା ଭୋଗସାମଗ୍ରୀକୁ ପୂଜା କରାଯାଇ ଲିଆପଣା ସେବନ କରାଯାଏ। ତା’ପରେ ପାଳରେ ନିର୍ମିତ ଦୁଇଟି ବିଶେଷ ଆକାରର ମସାଲରେ ଅଗ୍ନିସଂଯୋଗ କରି ଝୁଣାଦ୍ବାରା ଅଗ୍ନିଖେଳ କରାଯାଏ ଏବଂ ଏହାପରେ ପାଣିଦଣ୍ଡ ସମାପ୍ତ ହୁଏ।

ସଂନ୍ଧ୍ୟା ସମୟରେ ଯଜମାନଙ୍କ ଘର ସାମନରେ ଆରତୀପୂଜା ହୁଏ। ଢୋଲ ବାଜଣା ମଧ୍ୟରେ ବିଭିନ୍ନ ବ୍ୟକ୍ତି ତଥା ଦଣ୍ଡୁଆମାନେ ଠାକୁରଙ୍କ ଚରଣାଶ୍ରିତ ହୋଇ ବିନମ୍ର ପ୍ରଣତି ଜଣାନ୍ତି। ଏହାପରେ ଦଣ୍ଡୁଆ ମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି। ଏଥିରେ ଅରୁଆ ଚାଉଳରେ ନିର୍ମିତ ଅନ୍ନ, ମୁଗଡ଼ାଲି ଓ ପନିପରିବା ନେଇ ସ୍ବତନ୍ତ୍ର ଭାବରେ ନିର୍ମିତ ଚୁଲିରେ ରୋଷେଇ ହୋଇଥିବା ସାର୍ତ୍ତିକ ଭୋଜନ ମଧ୍ୟରାତ୍ରୀରେ ନିଃଶବ୍ଦ ପ୍ରହରରେ ଅବଟା ଓ ଅଫୁଟା ଭାବରେ ପ୍ରସ୍ତୁତ ନିଖୁଣ ହବିଷାନ୍ନ କାଳୀଙ୍କ ଭୋଗ ଲାଗିବା ପରେ ଢୋଲ, ଘଣ୍ଟା ଓ ଝାଞ୍ଜର ଶବ୍ଦ ମଧ୍ୟରେ ପ୍ରସାଦ ସେବନ କରାଯାଏ। ଏହିପରି କରିବା ଦ୍ବାରା ଅଶ୍ରାବ୍ୟ ଶବ୍ଦ ଶୁଣାଯାଏନି। କାରଣ ନିଷ୍ଠାର ସହ ସମ୍ପାଦନ ହେଉଥିବା ପ୍ରସାଦ ସେବନ ସମୟରେ ଯଦି କୌଣସି ପଶୁ କିମ୍ବା ପକ୍ଷୀର ଶବ୍ଦ ଶୁଣାଯାଏ ତା’ହେଲେ ପ୍ରସାଦ ସେବନ ବନ୍ଦ ହୁଏ ଏବଂ ସମସ୍ତ ଦଣ୍ଡୁଆ ସେଦିନ ଭୋକରେ ରହନ୍ତି। ଭୋଜନ ସମୟରେ ସମସ୍ତ ଦଣ୍ଡୁଆ ‘କାଳ ରୂଦ୍ରମଣୀକୁ ଭଜ ହେ’ ଡାକ ଦେଇ ଦେଇ ପ୍ରସାଦ ସେବନ କରନ୍ତି। ଏହାକୁ ବନଦଣ୍ଡ ବୋଲି କୁହାଯାଏ। ଏହାପରେ ସମସ୍ତ ଦଣ୍ଡୁଆ ମହୁରୀ, କାହାଳୀ, ଢୋଲ ଓ ଘଣ୍ଟା ବଜାଇ ବଜାଇ ଯଜମାନଙ୍କ ଘର ସମ୍ମୁଖରେ ପହଞ୍ଚନ୍ତି। ଯାତ୍ରା ସମୟରେ ଅଗ୍ନିଦଣ୍ଡ ଧରି ସେଥିରେ ଝୁଣାଦ୍ବାରା ଅଗ୍ନିଖେଳ ଦେଖାଇ ଦେଖାଇ ସେମାନେ ଗ୍ରାମ ପରିକ୍ରମା କରନ୍ତି। ଏହି ସମୟରେ ମଧ୍ୟ ‘କାଳ ରୂଦ୍ରମଣୀଙ୍କୁ ଭଜ ହେ’ ଧ୍ୱନୀରେ ଗଗନ ପବନ କମ୍ପିଉଠେ।

ଯଜମାନଙ୍କ ଦ୍ବାରରେ ପାଟ ଦଣ୍ଡୁଆଙ୍କ ନିର୍ଦ୍ଦେଶରେ ଜଣେ ଦଣ୍ଡୁଆକୁ କଳା ପୋଷାକ ପିନ୍ଧାଇ ଦିଆଯାଏ। ମୁଣ୍ଡରେ କଳାକନା ବାନ୍ଧି, ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରାଯାଏ। ଏହାପରେ ଭକ୍ତ ଉପରେ କାଳୀ ଠାକୁରାଣୀ ପ୍ରବେଶ କରନ୍ତି। ଏହି ସମୟରେ ସେହି ଭକ୍ତଙ୍କ ଉଦ୍ଦଣ୍ଡ ନୃତ୍ୟ ମନରେ ଭୟ ସଂଚାର କରାଏ। ଏହି ନୃତ୍ୟ ଅତ୍ୟନ୍ତ ଭୟଙ୍କର ଓ ରୋମାଞ୍ଚକର ତେଣୁ ଛୋଟ ଶିଶୁମାନଙ୍କୁ ଏହି ସମୟରେ ଘର ଭିତରେ ରଖାଯାଏ। ଝୁଣାର ପ୍ରୟୋଗ, ଢୋଲ ଓ ଘଣ୍ଟର ଶବ୍ଦତ୍ବାରା କାଳୀଙ୍କୁ ପ୍ରସନ୍ନ କରାଯାଏ। ଏହା ସମାପ୍ତ ହେବାପରେ ପାଟ ଦଣ୍ଡୁଆ ମଞ୍ଚ ଉପରକୁ ଆସି ଈଶ୍ବରପାର୍ବତୀଙ୍କ ଗୁଣଗାନ କରିବାପରେ ଶିବପାର୍ବତୀ ଆସନ୍ତି। ଚଢ଼େୟା ପୂଜାରେ ଶିବାପାର୍ବତୀ ସନ୍ତୁଷ୍ଟ ହୁଅନ୍ତି। ଚଢ଼େୟାକୁ ପଶୁପକ୍ଷୀ ଶୀକାର କରିବାକୁ ଅନୁମତି ଦିଅନ୍ତି କିନ୍ତୁ ଶୁଆ, ଶାରୀ, କପୋତ, ପାରା ଓ ମୟୁରକୁ ନ ମାରିବାପାଇଁ ନିର୍ଦ୍ଦେଶ ଦିଅନ୍ତି। ଏହାର ବ୍ୟତିକ୍ରମ ହେଲେ ସର୍ପାଘାତରେ ମୃତ୍ୟୁ ହେବ ବୋଲି କୁହନ୍ତି। କିନ୍ତୁ ଚଢ଼େୟାଣୀର ଅନୁରୋଧରେ କପୋତ ଶୀକାର କରି ସେ ସର୍ପାଘାତର ଶୀକାର ହୁଏ। ଏହାପରେ ଚଢ଼େୟାଣୀ ଶିବପାର୍ବତୀଙ୍କୁ ପ୍ରାର୍ଥନା କରେ। ତା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଚଢ଼େୟାର ଜୀବନ ଫେରାଇ ଦିଅନ୍ତି।

ଆଜିକାଲି ଚଢେୟା ନାଚ ପରେ ଅପେରା ନାଟକ କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଦଣ୍ଡନାଚ ଦଳରେ ଅଲଗା ଲୋକ ରହୁଛନ୍ତି। ସେମାନେ ଦଣ୍ଡନାଚ ପୂର୍ବରୁ ଏଥିପାଇଁ ଅଭ୍ୟାସ କରନ୍ତି। ବଡ଼ ବଡ଼ ମଞ୍ଚ ତିଆରି ହୁଏ। ଆଲୋକ ଓ ଶବ୍ଦସଜ୍ଜା ସହ ଅନେକ ନୁଆ ନୁଆ ଜ୍ଞାନ କୌଶଳ ବ୍ୟବହାର କରାଯାଉଛି। ଅବଶ୍ୟ ଏଥିରେ ବେଳେ ବେଳେ ଅଶ୍ଳୀଳତାକୁ ଶ୍ରେୟ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ଅର୍ଦ୍ଧରାତ୍ରରେ ନାଟକ ପରିବେଷଣ ହେଉଥିବା ବେଳେ ଏଥିରେ ସାମାନ୍ୟ ଅଶ୍ଳୀଳତାକୁ ସ୍ବୀକାର୍ଯ୍ୟ ଭାବି ଅନେକ ଅଭିଯୋଗ କରନ୍ତି ନାହିଁ।

ଅନେକ ଲୋକ ଦଣ୍ଡନାଚରେ ଭାଗ ନିଅନ୍ତି କେହି କେହି ନିଜର ଦୁରାରୋଗ୍ୟ ବ୍ୟାକୁ ଦୂର କରିବାପାଇଁ ତ କେହି କେହି ନିଜର ମନୋସ୍କାମନା ପୁରଣ କରିବା ପାଇଁ, ଆଜିକାଲି ଛୋଟ ଶିଶୁମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କଲେଣି। ଯଦିଓ ଅନେକ ସ୍ଥାନରେ ଏହା ବାରଣ ଅଛି ତଥାପି ଏହି ଲେଖକ ଏହି ଆଲେଖ୍ୟପାଇଁ ଚିତ୍ରୋତ୍ତଳନ କରୁଥିବା ସମୟରେ ୧୨-୧୩ ବର୍ଷ ବୟସର ଦୁଇଜଣ ବାଳକ ଦଣ୍ଡନାଚରେ ଭାଗ ନେଇଥିବା ଦେଖିଛନ୍ତି।

ସମାଜରେ ଜାତିଧର୍ମ ଭେଦଭାବ ଆଣିବାକୁ ଚାହୁଁଥିବା ବ୍ୟକ୍ତି ଦଣ୍ଡନାଚର ମହତ୍ତ୍ବକୁ ବୁଝିବା ଉଚିତ। ଏହି ପ୍ରଥାଦ୍ବାରା କେବଳ ଜାତିଧର୍ମ ହି ନୁହେଁ ବରଂ ଏହାଦ୍ବାରା ପରସ୍ପର ମଧ୍ୟରେ ମିତ୍ରତା ଓ ଭାତୃତ୍ବର ବିକାଶ କରିବା ହେଉଛି ଏହି ପୁରାତନ ପ୍ରଥାର ଏକ ଅଭୁତପୂର୍ବ ଦିଗ। ଯେତେଦିନ ଯାଏଁ ମନୁଷ୍ୟ ମନରୁ ମୃତ୍ୟୁର ଭୟ ଯାଇନାହିଁ, ସେତେଦିନ ଯାଏଁ ସମାଜରେ ଭଗବତବାଦ ଚାଲୁରହିବ। ଏବଂ ସେତେ ଦିନ ଯାଏଁ ଗଞ୍ଜାମର ଏହି ଅନନ୍ୟ ପରମ୍ପରା ଜୀବିତ ରହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top