ମାଲକାନାଗିରି ୨୨-୬ (ଓଡ଼ିଆ ପୁଅ) ପୋଲିସ ସୁଚନାଦାତା ସନ୍ଦେହରେ କାଲିମେଳା ଥାନା ଅନ୍ତର୍ଗତ ସୁଧାକୋଣ୍ଡା ଗ୍ରାମରେ ବୁଧବାରଦିନ ମଧ୍ୟ ରାତ୍ରରେ ପ୍ରାୟ ୧୫ ରୁ ୨୦ ଜଣ ମାଓବାଦୀ ପ୍ରବେଶ କରି ସେହି ଗ୍ରାମର ଗଙ୍ଗା ମାଡ଼କାମି ୩୦ ବର୍ଷ ବୟସର ଯୁବକକୁ ଶୋଇଥିବା ସମୟରେ ଉଠାଇନେଇ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଆରୋପରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ୍ ସୁଧାକୋଣ୍ଡା ଓ ରାଜଲକୋଣ୍ଡା ଅଞ୍ଚଳରୁ ଦୁଇ ଜଣ ମାଓ ମିଲିସିଆଙ୍କୁ (ଏମାନଙ୍କର ବୟସ ପ୍ରାୟ ୨୫ ରୁ ୩୦ ମଧ୍ୟରେ ହେବ) ଗିରଫ କରିଛନ୍ତି ।
ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସ୍.ପି. ଜଗନମୋହନ ମୀନା ଏହି ଦୁଇ ଜଣଙ୍କୁ ଗଣମାଧ୍ୟମ ଆଗରେ ଉପସ୍ଥିତ କରାଇଥିଲେ। ସେମାନଙ୍କ ସହିତ ଅନ୍ୟ କେତେକ ମାଓବାଦୀଙ୍କ ଏହି ଘଟଣାରେ ସମ୍ପୃକ୍ତି ଅଛି ବୋଲି ଶ୍ରୀ ମୀନା ପ୍ରକାଶ କରିଛନ୍ତି। ଏଥିପାଇଁ ଗିରଫ ହୋଇଥିବା ମାଓ ମିଳିସିଆଙ୍କର ନାମ ଏବଂ ପରିଚୟକୁ ପୋଲିସ ତରଫରୁ ପ୍ରକାଶ କରାଯାଇନାହିଁ। ଆଜି ଏହି ଗିରଫ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।ସେହିପରି ଗତ ୧୦ ତାରିଖ ଦିନ ରାତ୍ରରେ ପଡିଆ ଥାନାସ୍ଥ ସିଲାକଟା ଗ୍ରାମ ମୁଖିଆ ମଙ୍ଗୁଲୁ ବାଞ୍ଚମୀଙ୍କୁ ମାଓବାଦୀମାନେ ଗୁଳି ମାରିଥିଲେ। ସେହି ଘଟଣାରେ ମଧ୍ୟ ଏହି ଦୁଇଜଣଙ୍କର ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ କରୁଛି। ଏହି ଦୁଇଜଣଙ୍କୁ ରିମାଣ୍ଡରେ ପୋଲିସ ପରେ ଥାନାକୁ ଆଣି ଅଧିକ ପଚରା ଉଚରା କରିବ ବୋଲି ଏସପି ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ କାଲିମେଳା ଥାନା ଆଇଆଇସି ରାମ ପ୍ରସାଦ ନାଗ ଉପସ୍ଥିତ ଥିଲେ।
