ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଦେଇ ୩କୋଟି ଟଙ୍କା ଚାନ୍ଦା ମାଗିବା ଘଟଣାରେ ୩ ଗିରଫ

କେନ୍ଦୁଝର, ୧୮ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଫୁଲଝରଠାରେ ଥିବା ଆର୍ଡେଣ୍ଟ ଷ୍ଟିଲ କାରଖାନା କର୍ତ୍ତୃପକ୍ଷଙ୍କୁ ମାଓବାଦୀଙ୍କ ନାଁରେ ୩କୋଟି ଟଙ୍କା ଚାନ୍ଦା ମାଗିବା ବାବଦରେ ଧମକପୂର୍ଣ୍ଣ ଚିଠିକୁ ନେଇ ଶୁକ୍ରବାର ଦିନ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୧ ତାରିଖ ରାତିରେ ୬/୭ଜଣ ବ୍ୟକ୍ତି ଫୁଲଝରସ୍ଥିତ ଆରଡେଣ୍ଟ ଷ୍ଟିଲ କାରଖାନାକୁ ଆସି କାରଖାନା ଭିତରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଧମକଚମକ ଦେବା ସହ ୨କୋଟି ଟଙ୍କା ଦାବି କରି ମାଓବାଦୀଙ୍କ ନାଁରେ କାରଖାନା ମାଲିକଙ୍କ ଉଦ୍ଦେଶ୍ୟରେ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣା ଜଣାପଡିବା ପରେ ସଂପୃକ୍ତ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିଲା। କେନ୍ଦୁଝର ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ପ୍ରାୟ ଲୋପ ପାଇ ଯାଇଥିବାବେଳେ କେନ୍ଦୁଝର ମୁଖ୍ୟାଳୟଠାରୁ ମାତ୍ର ୩୦କିଲୋମିଟର ଦୂରରେ ଥିବା ଆର୍ଡେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କୁ ମାଓବାଦୀ ଧମକ ଦେବା ଘଟଣା ସହଜରେ ଗ୍ରହଣ କରାଯାଇନଥିଲା। ଏସଂପର୍କରେ କାରଖାନା କର୍ତ୍ତୃପକ୍ଷ ନୟାକୋଟ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ନୟାକୋଟ ପୋଲିସ ସଂପୃକ୍ତ ଚିଠିକୁ ଜବତ କରିବା ସହ ଥାନା କେଶ ନଂ ୨୬/୨୦୧୮ ଦଫା ୧୪୩, ୩୮୫, ୧୪୯ ଏବଂ ୨୫ ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା। ଶୁକ୍ରବାର ଦିନ ଏହି ଘଟଣାରେ ସଂପୃକ୍ତ ତଥା ମାଓବାଦୀଙ୍କ ନାଁରେ ୩କୋଟି ଟଙ୍କା ଚାନ୍ଦା ଧମକ ଦେଇଥିବା ଝାରଖଣ୍ଡ ଚାଇଁବସାର ବାବୁଲାଲ ଖୁଣ୍ଟିଆ, କେନ୍ଦୁଝର ଯୋଡା ଥାନା ଅନ୍ତର୍ଗତ ବାଂଶପାଣିର ତ୍ରିଲୋଚନ ମୁଣ୍ଡା ଏବଂ ଝାରଖଣ୍ଡ କୁଲଡୁମ୍ର ଦୂର୍ଗା ମୁଣ୍ଡାଙ୍କୁ ନୟାକୋଟ ପୋଲିସ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ପିସ୍ତଲ ଏବଂ ୨ଟି ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି। ଶୁକ୍ରବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *