ତଥାପି ମୋ ଗାଁ ହସୁଛି

ପ୍ରଶାନ୍ତ କୁମାର ନାଥ

ବଳଦ ପାଇଁକି ଗୁହାଳ ନାହିଁ
ଲଙ୍ଗଳ ପାଇଁକି ଓଲିଟେ ନାହିଁ
ଅମଳ ପାଇଁକି ଖଳାଟେ ନାହିଁ
ରଖିବା ପାଇଁକି ଅମ୍ଭାର ନାହିଁ
ସବୁତ ବଦଳି ଯାଇଛି
ତଥାପି ମୋ ଗାଁ ହସୁଛି।

ସକାଳ ହୋଇଲେ ରାବୁନି କାଉ
ପିଢ଼ା ନାହିଁ ଆଉ ମାଡିବ ଲାଉ
ଚାଷ ହେଉନାହିଁ ଭଲରେ ଆଉ
ଖାଆନ୍ତି ନି କେହି ମାଣ୍ଡିଆ ଯାଉ
ସେସବୁ ପୁରୁଣା ହେଇଛି
ତଥାପି ମୋ ଗାଁ ହସୁଛି।

ଓଷା ପରବରେ ଚିତା ପଡୁନି
ନୂଆବୋହୂ ଆଉ ଲାଜ କରୁନି
ପଖାଳ ଖାଇଲେ ଦେହେ ଯାଉନି
ବାଡ଼ିରେ ବି ଛତୁ ଆଉ ଫୁଟୁନି
ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି
ସବୁତ ବଦଳି ଯାଇଛି
ତଥାପି ମୋ ଗାଁ ହସୁଛି।

ନଥାଉ ପଛକେ ଗୋଠରେ ଗାଈ
କଅଁଳା ବାଛୁରୀ ନଥାଉ ଡେଇଁ
ପୋଖରୀରେ ପଛେ ନଫୁଟୁ କଇଁ
ନମିଳୁ ପଛକେ ଗଛର ଛାଇ
ଶୋଭା ସିନା ହଜି ଯାଇଛି
ତଥାପି ମୋ ଗାଁ ହସୁଛି।

ଗାଆଁ ପୁଅ ପଛେ ସହର ଧାଉଁ
ପାଠ ପଢି ପଛେ ବେକାର ହେଉ
ବିଷ ଖାଇ ପଛେ ଚାଷୀଟା ଶୋଉ
ଚାଷ ବାସ ପଛେ ଉଜୁଡି ଯାଉ
ଶାଢ଼ୀ ଛାଡି ବୋହୁ ଜିନ୍ସ ନାଉ
ମନଟା କୁ ସିନା ବାଧୁଛି
ତଥାପି ମୋ ଗାଁ ହସୁଛି।

ମାଟିର ହାଣ୍ଡିରେ ବସୁନି ଭାତ
ବିଲରେ ପଡୁନି ଗୋବର ଖତ
ଚାଳ ଘର ସବୁ ହୋଇଛି ଛାତ
ପୁଅ ମାରୁଅଛି ବାପକୁ ନାତ
କାହାର କଅଣ ଯାଉଛି
ତଥାପି ମୋ ଗାଁ ହସୁଛି।
ବୋଉ ପରା ଏବେ ମମି ସାଜିଛି
ବାପା ଡାକ ଏବେ ଡାଡି ହୋଇଛି
ପୋଷାକରେ ଦେହ ଦେଖା ଯାଉଛି
ସହରି ସହରି ଗାଆଁ ବାସୁଛି
ଆଧୁନିକତା ଛୁଆଁ ଦେଇଛି
ତଥାପି ମୋ ଗାଁଅ ହସୁଛି।

ରଜରେ ଆଉ ଲାଗୁନି ଦୋଳି
ବାଡ଼ି ନାହିଁ ଆଉ ହୋଇବ କୋଳି
ପିଠା ପଣା ନାହିଁ ଭଳିକି ଭଳି
ବଗିଚା ନାହିଁ କାହୁଁ ଆସିବ ମାଳି
ସବୁ ସିନା ସ୍ମୃତି ହୋଇଛି
ତଥାପି ମୋ ଗାଁ ହସୁଛି।

ବାପର ମଥାରେ ପୁଅ ଚରଣ
ଷାଠିଏକୁ ସତର କରୁ ବରଣ
ସେବା ନାହିଁ ଏଠି ଅଛି ଭାଷଣ
ନାବାଳିକା ଝିଅ ହୁଏ ଧର୍ଷଣ
ଅନ୍ୟାୟ ଅନୀତି ଯେତେ ବଢିଛି
ତଥାପି ମୋ ଗାଁ ହସୁଛି।

ଜମି ବାଡ଼ି ପଛେ ପଡୁ ପଡିଆ
ଦଳେ ଭରି ଯାଉ ଗାଆଁ ଗଢିଆ
ହେଲେ ହେଉ ତାହା ଯେତେ ଅଳିଆ
ଲାଗି ରହିଥାଉ ଗଣ୍ଡ ଗୋଳିଆ
ଗାଆଁ ପଛେ ଯେତେ ନିନ୍ଦା ପାଉଛି
ତଥାପି ମୋ ଗାଁ ହସୁଛି।

ନନଷ୍ଟିକ ସାଜିଛି ମାଟିର ହାଣ୍ଡି
ନାହିଁ ହାଂଡିଶାଳ ନାହିଁ ଦେଇପିଣ୍ଡି
ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି
ତଥାପି ପ୍ରେମରେ ରଖିଛି ବାନ୍ଧି
କର୍ପୂର ଉଡି କନା ପଡି ରହିଛି
ତଥାପି ମୋ ଗାଁ ହସୁଛି

 

ନଂ୧୦,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏଂବାସୀ,ବାଙ୍ଗାଲୋର୫୬୦୦୧୭ 

 

Leave a Reply

Your email address will not be published. Required fields are marked *