ସମାଜବାଦର ଅମଳୀନ ଦୀପଶିଖା ସୁରେନ୍ଦ୍ର ପ୍ରଧାନ

ଶ୍ରୀ ଲକ୍ଷ୍ମୀଧର ବେହେରା

ପୁରାତନ ଆଠମଲ୍ଲିକ ଗଡ଼ଜାତର ବାଇସିପାଲି ପ୍ରଗଣାର କିଶୋରନଗର ନିକଟସ୍ଥ ଷଣ୍ଢପାଳ ଗ୍ରାମରେ ଏକ ଚଷା ପରିବାରରେ ପିତା ପାଇକିରା ପ୍ରଧାନଙ୍କ ଔରଷରୁ ମାତା ଚାଇନାଦେବୀଙ୍କ ଗର୍ଭରୁ ୧୯୨୯ ମସିହା ନଭେମ୍ବର ୨୯ ତାରିଖରେ ଜନ୍ମିତ ସୁରେନ୍ଦ୍ର ପ୍ରଧାନ ନିଜ ଗ୍ରାମ ନିକଟସ୍ଥ ଦୋହଳୀ ପ୍ରାଥମିକ ବିଦ୍ୟାଳୟ, ମହେନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଆଠମଲ୍ଲିକରୁ ମଧ୍ୟ ଇଂରାଜୀ ଓ ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ୟୁଲେସନ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏସ୍.ସି. ଓ ବି.ଏ. ଉତ୍ତୀର୍ଣ୍ଣ ହେବାପରେ କଟକ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତି ପରେ ଓକିଲାତି ବୃତ୍ତିର ଗୋଲକ ଧନ୍ଦାରେ ନପଶି ଶିକ୍ଷକତାକୁ ବ୍ରତଭାବେ ଗ୍ରହଣ କରି ପାଇକ ସାହି ହାଇସ୍କୁଲ, ଛେଣ୍ଡିପଦା ହାଇସ୍କୁଲ, ବାଗଡ଼ିଆ ହାଇସ୍କୁଲ, କିଶୋରନଗର ହାଇସ୍କୁଲ, କଦଳୀଗଡ଼ ହାଇସ୍କୁଲ ଓ ଚାରମାଳ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବରେ ବିଧାୟକ ହେବା ପୂର୍ବରୁ ଓ ପରେ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ମଧ୍ୟରେ ସେ ଅନୁଗୋଳର ବେସିକ୍ ଟ୍ରେନିଂ କଲେଜ୍ରୁ ବି.ଇ.ଡ଼ି. ପାଠ୍ୟକ୍ରମ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ବି.ଇ.ଡ଼ି. ଅଧ୍ୟାପକ ପ୍ରାତଃସ୍ମରଣୀୟ ପ୍ରଫେସର ଶତୃଘ୍ନ ନାଥଙ୍କ ଆଦର୍ଶ ଓ ଚିନ୍ତାଧାରା ତାଙ୍କର ଜୀବନ ଧାରାରେ ଗଭୀର ପ୍ରଭାବ ପକାଇଥିଲା।

ଛାତ୍ର ଜୀବନରୁ ଡ. ରାମମନୋହର ଲୋହିଆ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜବାଦ ଚିନ୍ତାଧାରାରେ ନିଜକୁ ସାମିଲ କରି ରବିରାୟ, ଗଣନାଥ ପ୍ରଧାନ, ସମରେନ୍ଦ୍ର କୁଣ୍ଡୁ ଆଦି ସମାଜବାଦୀ ନେତାଙ୍କ ଘନିଷ୍ଠ ସହଯୋଗୀ ଭାବେ ସମାଜବାଦ ଚିନ୍ତାଧାରାର ପ୍ରଚାର ପ୍ରସାର ସହିତ ଏହା ମାଧ୍ୟମରେ ସମାଜରେ ଅସ୍ପୃଶ୍ୟତା ନିବାରଣ, କୁସଂସ୍କାର ଦୂରୀକରଣ ଓ ଦାରିଦ୍ର୍ୟ ଦୂରୀକରଣ କରି ଏକ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ଚେଷ୍ଟିତ ଥିଲେ। କଲେଜରେ ପାଠ ପଢ଼ିବା ସମୟରୁ ଶେଷ ଜୀବନ ପର୍ଯ୍ୟନ୍ତ ସେ ଖଦଡ ଧୋତି ଓ ପାଇଜାମା ପିନ୍ଧୁଥିଲେ। ୧୯୬୭ ମସିହା ଓଡ଼ିଶାର ରାଜନୀତି ଇତିହାସରେ ସମାଜବାଦୀ ଆନ୍ଦୋଳନ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଥିଲା। ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ପାର୍ଥୀ ଭାବରେ ‘ବରଗଛ ଚିହ୍ନ’ରେ ପୁରୀରୁ ଲୋକସଭାକୁ ରବିରାୟ ନିର୍ବାଚିତ ହୋଇଥିବା ବେଳେ ଆଠମଲ୍ଲିକ୍ରୁ ସୁରେନ୍ଦ୍ର ପ୍ରଧାନ ଓ ଖଲ୍ଲିକୋଟ୍ରୁ ନାରାୟଣ ସାହୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁନଶ୍ଚ ସୁରେନ୍ଦ୍ରବାବୁ ୧୯୭୭ ମସିହାରେ ଜନତାପାର୍ଟିର ପ୍ରାର୍ଥୀଭାବେ ବୀରମହାପୁର ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ନୀଳମଣି ରାଉତରାୟଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ତାଙ୍କୁ ଦଳର ନିର୍ଦ୍ଦେଶ ମିଳିଥିବା ବେଳେ ସେ ବିନମ୍ରତାର ସହିତ ମନ୍ତ୍ରୀପଦକୁ ପ୍ରତ୍ୟାଖାନ କରି ନିଜ ନିର୍ବାଚନମଣ୍ଡଳୀବାସୀଙ୍କ ସେବା କରିବା ପାଇଁ ବିଧାୟକ ଭାବେ ଦାୟିତ୍ୱ ସମ୍ପାଦନ ନିମିତ୍ତ ଶ୍ରେୟ ମନେକରିଥିଲେ। ସରଳ ନିଷ୍କପଟ ଓ ସ୍ୱଚ୍ଛମନା ସୁରେନ୍ଦ୍ରବାବୁଙ୍କ ଜୀବନ ଥିଲା ଆଦର୍ଶମୟ। ସଚ୍ଚୋଟତା ଓ ବ୍ୟକ୍ତିଗତ ସ୍ୱାଭିମାନ ଥିଲା ତାଙ୍କର ଜୀବନ ଆଦର୍ଶ। ତାଙ୍କ ବିଧାୟକ ଜୀବନରେ ବୀରମହାରାଜପୁରର ହରିହର ଜୋର ଜଳସେଚନ ପ୍ରକଳ୍ପ, ଜୟଗଡ଼, ଆଠମଲ୍ଲିକ, ଲାଉପାଳ ଓ ପ୍ରତାପପୁର ମଧ୍ୟମ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ନିର୍ବାଚନ ମଣ୍ଡଳୀର ପ୍ରାଥମିକ, ମଧ୍ୟଇଂରାଜୀ ଓ ଉଚ୍ଚବିଦ୍ୟାଳୟ ଗୁଡ଼ିକ ଉନ୍ନୀତ କରିବା ସହ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଭିତ୍ତିଭୂମୀ ପ୍ରସ୍ତୁତ କରିଥିଲେ। ଗାଁ ଗଣ୍ଡା ଗୁଡ଼ିକୁ ତତ୍କାଳୀନ ସ୍ୱଳ୍ପ ବଜେଟ୍ ମଧ୍ୟରେ ରାସ୍ତାଘାଟ ସଂଯୋଗ ସହ ଜାତୀୟ ରାଜପଥର ବାମୁରଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ରାସ୍ତାକୁ ମେଟାଲିଙ୍ଗ କରିଥିଲେ। ୧୯୭୭ ମସିହାରେ ଆଠମଲ୍ଲିକକୁ ବିଦ୍ୟୁତ୍କରଣ କରିବା ସହ ଆଠମଲ୍ଲିକ୍ରୁ ସମ୍ବଲପୁରକୁ ଓ କଟକ କିଆକଟା, ଭାୟା କିଶୋରନଗର ଦେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ସେବା ପ୍ରଚଳନ କରି ପରିବହନ ସମସ୍ୟା ଦୂରୀଭୂତ କରିଥିଲେ। ୰ ବାଙ୍କବିହାରୀ ଦାସଙ୍କ ନେତୃତ୍ୱରେ ଆଠମଲ୍ଲିକ ଉପଖଣ୍ଡକୁ ଜଳସେଚନର ସୁବିଧା ପ୍ରଦାନ ନିମିତ୍ତ ହୋଇଥିବା ମାନଜୋର୍ ଜଳସେଚନ ପ୍ରକଳ୍ପ ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣଭାବେ ସାମିଲ କରି ଗାଁ ଗଣ୍ଡା ବୁଲି ଜନସାଧାରଣଙ୍କୁ ଏଥିରେ ସାମିଲ କରିପାରିଥିଲେ, ଯାହାର ଫଳସ୍ୱରୂପ ଆଜି ମାନଜୋର୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ଜଳସେଚନ ସୁବିଧା ମିଳିପାରିଛି। ରାଜ୍ୟରେ ସମସ୍ତଙ୍କୁ ଶିକ୍ଷାର ସୁବିଧା ଦେବାକୁ ନିରନ୍ତର ଉଦ୍ୟମ କରିବା ସହ ଶିକ୍ଷାର ବ୍ୟବସାୟୀକରଣକୁ ସେ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ। ପ୍ରଶାସନିକ ବ୍ୟବସ୍ଥାରେ ଓଡ଼ିଆ ଭାଷାର ପ୍ରୟୋଗ ପାଇଁ ମଧ୍ୟ ଚେଷ୍ଟିତ ଥିଲେ। ରାଜନୀତିରେ ଥାଇ ଦୁଇଦୁଇଥର ବିଧାୟକ ନିର୍ବାଚିତ ହେଲାପରେ ମଧ୍ୟ ସେ ନିଜର ପୁରୁଣା ଘର ଖଣ୍ଡିକର କଳେବର ମଧ୍ୟ ପରିବର୍ତ୍ତନ କରିପାରି ନଥିଲେ କି ଗାଡି ଖଣ୍ଡିଏ ମଧ୍ୟ କିଣିପାରି ନଥିଲେ। ରାଜନୈତିକ କ୍ଷମତାକୁ ପ୍ରୟୋଗ କରି ବ୍ୟକ୍ତିଗତ ସ୍ୱାର୍ଥସାଧନର ସେ ଘୋର ବିରୋଧି ଥିଲେ। ନିର୍ବାଚନ ମଣ୍ଡଳୀରେ ସେ ସାଇକେଲ୍ରେ ଯିବାଆସିବା କରୁଥିଲେ ଓ ଲୋକଙ୍କ ଘରେ ଖାଇବା ସହ ବିଶ୍ରାମ ନେଉଥିଲେ। ଯାହାକି ବର୍ତ୍ତମାନର ରାଜନୀତିକ ବ୍ୟବସ୍ଥାରେ ସ୍ୱପ୍ନ ହୋଇଯାଇଛି।

୧୯୭୧ ମସିହାରେ ନିର୍ବାଚନରେ ପରାଜିତ ହେବାପରେ ନିର୍ବାଚନଖର୍ଚ୍ଚ ଜନିତ କରଜ ସୁଝିବା ପାଇଁ ସେ ପୁନଶ୍ଚ କଦଳୀଗଡ଼ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ବାଧ୍ୟ ହୋଇଥିଲେ। ଶିକ୍ଷକତା ତାଙ୍କର ବ୍ରତ ଥିଲେ ମଧ୍ୟ ସମାଜବାଦ ଥିଲା ତାଙ୍କର ଜୀବନାଦର୍ଶ। ଶିକ୍ଷକତା ସହ କୃଷି ଓ କୃଷକର ଉନ୍ନତି ପାଇଁ ସେ ଚେଷ୍ଟିତ ଥିଲେ ଏବଂ ନିଜେ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସକ୍ରୀୟ ରାଜନୀତିରୁ ସମ୍ପୂର୍ଣ୍ଣଭାବେ ଅବସର ନେଇ ରାଜ୍ୟରେ ସମାଜବାଦ ଚିନ୍ତାଧାରାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବା ସହ ଲୋକଶକ୍ତି ଅଭିଯାନରେ ନିଜକୁ ସାମିଲ କରିଥିଲେ। ଭୁବନେଶ୍ୱରରେ ଥିବା ଲୋହିଆ ଏକାଡେମୀରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ଛାତ୍ର ଓ ଯୁବକ ମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟକରି ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂରୀକରଣ ପାଇଁ ପ୍ରୋତ୍ସାହିତ କରୁଥିଲେ। ତାଙ୍କର ତିନିପୁତ୍ର ଓ କନ୍ୟାଙ୍କୁ ମଧ୍ୟ ନିଜ ଆଦର୍ଶରେ ଅନୁପ୍ରାଣୀତ କରିଥିଲେ ଓ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମରୁ ନିଜର ପିଲାମାନଙ୍କୁ ଦୂରେଇ ରଖିଥିଲେ ଏବଂ ତାଙ୍କର ସନ୍ତାନ ମାନେ ମଧ୍ୟ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜର ବ୍ୟକ୍ତିଗତ ବୃତ୍ତିରେ ସାମିଲ କରି ନିଜସ୍ୱ ପରିଚୟରେ ବଞ୍ଚିବାର ଉଦ୍ୟମ କରିଛନ୍ତି ଯାହାକି ଆଜିର ସମାଜପାଇଁ ପ୍ରେରଣାର ଉତ୍ସ। ଗତ ୨୦୧୮ ଅପ୍ରେଲମାସ ୧୨ ତାରିଖ ପୂର୍ବାହ୍ନ ଘ.୧୦.୧୫ମି. ରେ ଏହି ମହାମାନବ ରାଜ୍ୟର ସମାଜବାଦ ଆନ୍ଦୋଳନରେ ଶୂନ୍ୟସ୍ଥାନ ସୃଷ୍ଟିକରି ପତ୍ନୀ ଅସ୍କରା ଦେବୀ, ତିନିପୁତ୍ର, କନ୍ୟା ଓ ଅଗଣିତ ଶ୍ରଦ୍ଧାଳୁ ଓ ଶୁଭେଚ୍ଛୁଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ପରିତ୍ୟାଗ କରିଛନ୍ତି। ଆଜି ତାଙ୍କର ଏକାଦଶାହ ଅବସରରେ ସେହି ମହାନ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ୰ ଅମର ଆତ୍ମାର ସଦ୍ଗତି କାମନା କରି ଶତକୋଟି ପ୍ରଣତି ଜଣାଉଛି।

ରୁଦ୍ରପୁର, ବାଲିଅନ୍ତା, ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *