ମୋବାଇଲ ଫୋନ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ହରିଚନ୍ଦନପୁର, ତା୦୫.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ନେବାରୁ ଜଣା ପଡିଛି, ବ୍ରାହ୍ମଣୀପାଳ ଫାଣ୍ଡି ହଟିଙ୍ଗି ସାହିର ଫଗୁ ମାଝିର ଝିଅ ଦୁଲାରୀ ମାଝୀ(୧୫)ଟମକା ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା। ବାପା ମାଆଙ୍କ କହିବା ଅନୁଯାୟୀ ଦୁଲାରୀ ପ୍ରାୟ ସମୟରେ କାହା ସହିତ ଗୋପନରେ ଫୋନ ଯୋଗେ କଥା ହେଉଥିବା ଦେଖିବାକୁ ପାଇଥିଲେ। ଏପରି କାର୍ଯ୍ୟକୁ ପରିବାର ଲୋକେ ବାରଣ କରିବା ସହିତ ଦୁଲାରୀ ପାଖରେଥିବା ଫୋନଟିକୁ ପରିବାର ଲୋକେ ନେଇ ଯାଇଥିଲେ ଓ ତାକୁ ଫୋନଟିକୁ ଫେରାଇ ନଥିଲେ। ଘଟଣାକୁ ନେଇ ଦୁଲାରୀ ଶୁକ୍ରବାର ଦିନ ଘର ଛାଡି କୁଆଡେ ଚାଲି ଯାଇଥିଲେ। ସନ୍ଧ୍ୟା ପ୍ରର୍ଯ୍ୟନ୍ତ ଘରକୁ ନଫେରିବାକୁ ନେଇ ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। ଶନିବାର ସକାଳୁ ସକାଳୁ ଘର ପାଖ ଏକ କେନ୍ଦୁ ଗଛରେ ନିଜ ଓଢଣୀକୁ ଗଛରେ ବାନ୍ଦି ଫାଶି ଲଗାଇ ଝୁଲୁଥିବା ପରିବାର ଲୋକେ ଦେଖି ଦୈତାରୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଗଛରୁ ମୃତ ଦେହଟିକୁ ଜବତ କରି ବେବଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଥାନା କେସ ନମ୍ବର ୧ ଅନୁଯାୟୀ ଅପମୃତ ମାମଲା ରୁଜୁକରି ଘଟଣାଟିର ଅଧିକ ତଦନ୍ତ ଚଳାଉଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *