ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷାସ୍ଥିତି ବିରୁଦ୍ଧରେ ସମ୍ବଲପୁରରେ ବିରାଟ ଛାତ୍ର ସମାବେଶ

ସମ୍ବଲପୁର, ୧୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟରେ ଉଚ୍ଚଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ମରୁଡ଼ି, ପ୍ରବେଶ-ପରୀକ୍ଷା-ପରିଣାମ ପ୍ରକାଶନରେ ବ୍ୟାପକ ଅନିୟମିତତା, ସର୍ବନିମ୍ନ ଭିତ୍ତିଭୂମିର ଅଭାବ, କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମାଇଗ୍ରେସନ ସାର୍ଟିଫିକେଟକୁ ଅନଲାଇନ ମୋଡ଼ରେ ପ୍ରଦାନ ଦାବି ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅନୁଭବ କରୁଥିବା ସମସ୍ୟା ସମୂହର ସମାଧାନ ପାଇଁ ଆଜି ଶତାଧିକ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ଅଧିକାର ର୍ୟାଲି ନାମରେ ଆରଡ଼ିସିଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ପୂର୍ବରୁ ଏବିଭିପି ତରଫରୁ ବାରମ୍ବାର ସରକାରଙ୍କୁ ଚେତାବନୀ ଓ ଦାବି ଦେବା ସତ୍ତ୍ୱେ ଶିକ୍ଷାକୁ ନେଇ ଆଖିକାନ ବୁଜି ଦେଇଥିବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ମହାବିଦ୍ୟାଳୟ ସ୍ତରରେ ଅଧ୍ୟକ୍ଷମାନଙ୍କୁ ଏ ନେଇ ଦାବିପତ୍ର ଦିଆଯାଇଥିବା ବେଳେ ସମସ୍ୟାଗୁଡ଼ିକର ସମାଧାନ ନ ହୋଇ ପାରିବାରୁ ଆଜି କୁଳପତି ତଥା ଆରଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଛାତ୍ର ସମାବେଶ ପରେ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ‘ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି’ କହିବା ସହ ତିନିମାସ ମଧ୍ୟରେ ସ୍ଥିତି ସଜାଡ଼ିବାରେ ବିଫଳ ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ଛାତ୍ରସମାଜ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଥିଲେ। କେନ୍ଦ୍ରୀୟ କାର୍ଯ୍ୟ ସମିତିର ସଦସ୍ୟା ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ଛାତ୍ରୀ ସୁରକ୍ଷା ତଥା ଅଣଛାତ୍ର ପ୍ରବେଶ ସମସ୍ୟାକୁ ବର୍ତ୍ତମାନ ସମାଜର ବଡ଼ ସମସ୍ୟା ବୋଲି ଅଭିହିତ କରିଥିଲେ। ଆନ୍ଦୋଳନ ସଂଯୋଜକ ସ୍ୱାଗତ ଘଡ଼େଇ ଏ ଆନ୍ଦୋଳନ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ଯିବ ବୋଲି କହିଥିବା ବେଳେ ଆନ୍ଦୋଳନର ସହ ସଂଯୋଜକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରନେତା ବୁଦ୍ଧଦେବ ବାଗ୍ ଏ ଆନ୍ଦୋଳନ ସରକାର ବିରୁଦ୍ଧରେ ଥିବା ଛାତ୍ର ଆକ୍ରୋଶକୁ ସୂଚାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଭିପିର ରାଜ୍ୟ ଉପସଭାପତି ଡ. ବୀରେନ୍ଦ୍ର ବାଗ୍, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୀରେନ୍ଦ୍ର ଚୌହାନ, ରାଉରକେଲା ସଭାପତି ସନ୍ତୋଷ ବିଶ୍ୱାଳ ଓ ସମ୍ବଲପୁର ସମ୍ପାଦକ ସୁମନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ଏବିଭିପି ଛାତ୍ର ଆନ୍ଦୋଳନର ଦାବିଗୁଡ଼ିକ ହେଲା – ରି-ଆଡ଼ିସନ୍ ସ୍ଥାନରେ ରି-ଚେକିଙ୍ଗ କରାଯାଉ। ପରୀକ୍ଷା ଖାତାର ଜେରକ୍ସ କପିପାଇଁ କେବଳ ଜେରକ୍ସ ରେଟ୍ ନିଆଯାଉ। ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ବର୍ଷ ଆରମ୍ଭରୁ ପ୍ରକାଶ କରାଯାଉ। ଖାଲି ପଡ଼ିଥିବା ଶିକ୍ଷକ, ଅଣଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକ ସ୍ଥାନ ପୂରଣ ସହିତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରାଯାଉ। ପ୍ରତି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ଶ୍ରେଣୀକକ୍ଷ, ଛାତ୍ରାବାସ ଓ ଛାତ୍ରୀନିବାସ ସ୍ଥାପନ କରାଯାଉ। ସାଂସ୍କୃତିକ ଶିକ୍ଷା, ସାମାଜିକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା (କମ୍ପିଟେଟିଭ ଏକ୍ଜାମ୍) ପାଇଁ ପ୍ରତି ମହାବିଦ୍ୟାଳୟରେ କୋର୍ସ ଖୋଲାଯାଉ। ଆଞ୍ଚଳିକ ହସ୍ତତନ୍ତ ବୁଣାକାମ ଉପରେ ସ୍ୱତନ୍ତ୍ର କୋର୍ସ କରାଯାଉ ଏବଂ ବର୍ତ୍ତମାନ ସମୟରେ ନିଯୁକ୍ତି ଆଧାରିତ ନୂଆ କୋର୍ସ ଓ ଅନର୍ସ ଖୋଲାଯାଉ। ଗେଜୁଏସନ କରୁଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ପିଜି, ଏମଫିଲ, ପିଏଚଡ଼ିର ସିଟ୍ ବଢ଼ାଯାଉ। ସମସ୍ତ କଲେଜର ଜମି, କଲେଜ ନାମରେ କରାଯାଉ ଏବଂ ଖେଳପଡ଼ିଆର ଉନ୍ନତୀକରଣ କରାଯାଉ। ୟୁଜିସି ଗାଇଡ଼ଲାଇନ ଅନୁସାରେ ପରୀକ୍ଷାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯାଉ। ପ୍ରତି କଲେଜରେ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣ କରାଯାଉ।

Leave a Reply

Your email address will not be published. Required fields are marked *