ଶ୍ରୀକ୍ଷେତ୍ରେ ଭଉଁରୀ ଯାତ୍ରା : ୨୧ ଘେରା ଚାପ ଖେଳିଲେ ମହାପ୍ରଭୁ

ପୁରୀ ୧୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଭଉଁରୀରେ ଶେଷ ହୋଇଛି। ମହାପ୍ରଭୁଙ୍କ ଭଉଁରୀ ଯାତ୍ରାର ଦୃଶ୍ୟଥିଲା ଅବର୍ଣ୍ଣନୀୟ। ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀ ଉଠିଥିଲା ଶ୍ରୀକ୍ଷେତ୍ର ଓ ବଡ଼ଦାଣ୍ଡ। ଅନ୍ୟ ଦିନ ଭଳି ପଞ୍ଚୁ ପାଣ୍ଡବଙ୍କ ମେଳରେ ଅପରାହ୍ନରେ ମହାପ୍ରଭୁଙ୍କ ଚନ୍ଦନ ଶୋଭାଯାତ୍ରା ବାହାରିଥିଲା ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ। ଏଥିପାଇଁ ଶ୍ରୀମନ୍ଦିରରେ ଦୈନଦିନ ନୀତି ସୁଚାରୁ ରୂପେ ସଂପନ୍ନ କରାଯାଇଥିଲା। ମଧ୍ୟାହ୍ନ ଧୂପ ଓ ଯାତଭୋଗ ପରେ ଚନ୍ଦନ ଠାକୁର ମୁକ୍ତିମଣ୍ଡପ ତଳେ ଥିବା ବିମାନକୁ ବିଜେ କରିଥିଲେ। ବିମାନବଡ଼ୁ ମାନେ ବିମାନକୁ କାନେ୍ଧଇ ଆଣି ସିଂହଦ୍ୱାରରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପଞ୍ଚ ମହାଦେବଙ୍କ ପାଞ୍ଚୋଟି ବିମାନ। ସିଂହଦ୍ୱାରରୁ ହିଁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ଭଉଁରୀ ଶୋଭାଯାତ୍ରା। ମହାପ୍ରଭୁଙ୍କ ଭଉଁରୀ ଶୋଭାଯାତ୍ରାର ଦୃଶ୍ୟ ଥିଲା ଅବର୍ଣ୍ଣନୀୟ। ପାଲିଙ୍କିରେ ରାମକୃଷ୍ଣ, ମଣି ବିମାନରେ ମଦନମୋହନ,ଶ୍ରୀଦେବୀ ଭୂଦେବୀ ବିଜେ କରିଥିବା ବେଳେ ପଛରେ ପାଞ୍ଚୋଟି ବିମାନରେ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବାହାରିଥିଲେ। ଘଣ୍ଟ, ଛତା, କାହାଳୀ, ବଜୟନ୍ତୀ, ଛତି ଓ ତ୍ରାସର ସାହାରେ ଏହି ଶୋଭାଯାତ୍ରା ଚନ୍ଦନ ଚକଡ଼ାକୁ ବାହାରି ଥିବା ବେଳେ ଶତାଧିକ କୀର୍ତ୍ତନ ମଣ୍ଡଳୀଙ୍କ ନାମ ସଂକୀର୍ତ୍ତନନ ଶୋଭଯାତ୍ରାର ଶୋଭାକୁ ଦ୍ୱିଗୁଣିତ କରିଥିଲା। ଏଥିସହ ଶ୍ରୀକ୍ଷେତ୍ର ସାହିଯାତର ବିଭିନ୍ନ ବେଶ ମେଢ଼, ନାଗାନୃତ୍ୟ ଆଦି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଠାକୁର ମାନେ ଚନ୍ଦନ ଚକଡ଼ାରେ ପହଞ୍ଚିବା ପରେ ଜଗନ୍ନାଥ ବଲ୍ଲଭରୁ ଆସିଥିବା ସୁବାସିତ ଜଳରେ ମହାପ୍ରଭୁ ମାନଙ୍କର ମୁଖ ପ୍ରକ୍ଷାଳନ କରାଯାଇଥିଲା। ପରେ ନନ୍ଦା ଚାପରେ ରାମକୃଷ୍ଣ ମଦନମୋହନ, ଶ୍ରୀଦେବୀ ଭୂଦେବୀ ଓ ଭଦ୍ରାଚାପରେ ପଞ୍ଚ ମହାଦେବ ବିଜେ ହୋଇ ନରେନ୍ଦ୍ର ପୁଷ୍କରିଣୀ ଚାପ ଖେଳିଥିଲେ। ଆଗରେ ବୈଜୟନ୍ତୀ ଡଙ୍ଗାରେ ତେଲିଙ୍ଗି ବାଜା ବାଦନ ମଧ୍ୟରେ ମହାପ୍ରଭୁଙ୍କ ଦିନ ଚାପ ଶେଷ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦନ ଚକଡ଼ାରେ ସମବେତ ହୋଇ ଠାକୁରଙ୍କ ଦିନ ଚାପ ଦେଖିଥିଲେ। ହରି ବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ନରେନ୍ଦ୍ର ଚକଡ଼ା। ଭଉଁରୀ ପାଇଁ ନରେନ୍ଦ୍ର ପୁଷ୍କରିଣୀର ଚତୃପାଶ୍ୱର୍କୁ ରଙ୍ଗବେରଙ୍ଗି ଆଲୋକ ମାଳାରେ ସୁସଜ୍ଜିିତ କରାଯାଇଥିଲା। ରାତ୍ରୀ ଚାପ ସମୟରେ ଶ୍ରୀଜିଉ ମାନେ ପାରମ୍ପରିକ ରିତୀ ନୀତି ଅନୁଯାୟୀ ୨୧ ଘେରା ନୌବିହାର କରିଥିଲେ। ବିଭିନ୍ନ ପ୍ରକାର ଆତସ ବାଜୀ ଚାପ ସମୟରେ ଫୁଟା ଯାଇଥିଲା। ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିଲା। ଏହି ପ୍ରସିଦ୍ଧ ଭଉଁରୀ ଯାତ୍ରା ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା।

Leave a Reply

Your email address will not be published. Required fields are marked *