ଓଡ଼ିଶା

ଚାରିଆଡ଼େ ଚାଲିଛି ସୌମ୍ୟ ଚର୍ଚ୍ଚା

ଭୁବନେଶ୍ୱର ୧୭-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆମ ଓଡିଶା ପାର୍ଟୀରୁ ସଦ୍ୟ ବିଜେଡିକୁ ଡେଇଁ ରାଜ୍ୟସଭା ସାଂସଦ ବନି ଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଡିମାଣ୍ଡ ଏବେ ବିଜେଡି ଶିବିରରେ କାହିଁରେ କଣ। ବିଜେଡି କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ଏବେ ସମସ୍ତେ ସୌମ୍ୟ ଦର୍ଶନ ପାଇଁ ବ୍ୟାକୁଳ। ବିଜେଡିକୁ ଲମ୍ଫ ପ୍ରଦାନ କରିବା ପୂର୍ବରୁ ସୌମ୍ୟ ଓଡିଶା ରାଜନୀତିରେ ଏକ ଅଲୋଡା ବସ୍ତୁ ପାଲଟି ଯାଇଥିଲେ। ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ମଞ୍ଚ ଠାରୁ ଆରମ୍ଭ କରି ନବ ନିର୍ମାଣ କୃଷକ ମଞ୍ଚ ସବୁ ଥିରେ ସେ ଥିଲେ ଆବାହକ। ଘଟଣା ଚକ୍ରରେ ଓଡିଶାର ଏକ ବୃହତ୍ତର ନ୍ୟୁଜ ଚାନେଲ ସହିତ ଶାସକ ବିଜେଡିର ମତାନ୍ତର ପରେ ସୌମ୍ୟଙ୍କ ଭାଗ୍ୟ ଫିଟିଲା। ବିଜେଡି ତରଫରୁ ଆମନ୍ତ୍ରଣ ପାଇଲେ। ତାଙ୍କ ସହିତ ଆଉ ଦୁଇ ଜଣ ମଧ୍ୟ ବିଜେଡି ଟିକେଟ୍ରେ ରାଜ୍ୟସଭାକୁ ଗଲେ। ଜଣେ ହେଲେ ଅଚ୍ୟୁତ ସାମନ୍ତ ଓ ଅନ୍ୟ ଜଣେ ହେଲେ ପ୍ରଶାନ୍ତ ନନ୍ଦ। ମାତ୍ର ସାମନ୍ତ ଓ ନନ୍ଦ ସାଂସଦ ହେଲା ପରେ ଏତେଟା ସକ୍ରୀୟ ଦେଖା ଯାଉ ନାହାଁନ୍ତି। ସୌମ୍ୟ କିନ୍ତୁ ପୂରା ପାୱାରଫୁଲ। ସାରା ଓଡିଶାରେ ବିଭିନ୍ନ ସ୍ଥାନରେ ଚାଲିଛି ତାଙ୍କର ସମ୍ବର୍ଦ୍ଧନା ଉତ୍ସବ। ଏହା ପ୍ରାୟୋଜିତ ହେଉ ବା ସ୍ୱତପୂର୍ତ୍ତ ହେଉ ମାତ୍ର ସୌମ୍ୟ ଏବେ ସବୁଦିନ ପ୍ରାୟ ତାଙ୍କ ଖବରକାଗଜର ପୃଷ୍ଟା ମଣ୍ଡନ କରୁଛନ୍ତି। ସୌମ୍ୟଙ୍କ ବାସଭବନରେ ଏବେ ଆମ ଓଡିଶା କର୍ମୀ ପ୍ରାୟ ଅଲୋଡା। ପ୍ରଥମିକତା ଦିଆ ଯାଉଛି ବିଜେଡି କର୍ମୀଙ୍କୁ। ନେତାଙ୍କ ଆଗମନ ମଧ୍ୟ ଛୁଟୁଛି ସୌମ୍ୟ ଭବନକୁ। ବିଜେଡିର ଟାଣୁଆ ଯୁବ ବିଧାୟକମାନଙ୍କୁ ଏବେ ଦେଖାଯାଉଛି ସୌମ୍ୟଙ୍କ ଶିବିରରେ। ଏକ ପ୍ରକାର ପ୍ରତିଯୋଗିତା ଲାଗିଛି ଏମାନଙ୍କ ଭିତରେ। କିଏ ବେଶୀ ନିକଟତର ହୋଇ ପାରିବ ସୌମ୍ୟଙ୍କର। ବିଜେଡି ବିଧାୟକମାନେ ମଧ୍ୟ ସୌମ୍ୟଙ୍କୁ ନେଇ ହାତରୁ ଅର୍ଥ ଖର୍ଚ୍ଚ କରି ନାଗରିକ ସମ୍ବର୍ଦ୍ଧନା ଦେବାରେ ବ୍ୟାକୁଳ। ସେ ଭୁବନେଶ୍ୱର ହେଉ ବା ବେଗୁନିଆ ହେଉ ଅବା ନୟାଗଡ ସବୁଠି ଏବେ ସୌମ୍ୟଙ୍କ ନାଆରେ ହୁଳୁହୁଳି। ଖବର ନେବାରେ ଜଣା ପଡିଛି ଯେ, ସୌମ୍ୟ ଏବେ ତୃତୀୟ ମହଲାର ଅଫିସରଙ୍କର ଭାରି ଘନିଷ୍ଠ ହୋଇ ଯାଇଛନ୍ତି। ତେଣୁ ତୃତୀୟ ମହଲାର ଅଫିସରଙ୍କର ଶୁଭ ଦୃଷ୍ଟିରେ ରହିବା ପାଇଁ ଏବେ ସୌମ୍ୟ ହେଉଛନ୍ତି ବେଷ୍ଟ ଚଏସ୍ ବୋଲି ଏହି ନେତାମାନେ ଭାବି ନେଇଛନ୍ତି। ଏକଦା ତୃତୀୟ ମହଲାର ଶୁଭ ଦୃଷ୍ଟିରେ ଥିବା ଏହି ନେତାମାନେ ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ। ସେ ନୟାଗଡର ଅରୁଣ ସାହୁ ହୁଅନ୍ତୁ ବା ବ୍ରହ୍ମଗିରିର ସଞ୍ଜୟ ଦାସବର୍ମା ହୁଅନ୍ତୁ। ଅତନୁ ହୁଅନ୍ତୁ ବା ପ୍ରଣବ ପ୍ରକାଶ ଦାସ ହୁଅନ୍ତୁ। ସମସ୍ତେ ଏବେ ସୌମ୍ୟ ପଟ୍ଟନାୟକଙ୍କ ଭିଜନକୁ ଭୁରି ଭୁରି ପ୍ରଶଂସା କରିବାରେ ବ୍ୟସ୍ତ। ବର୍ତ୍ତମାନର ରାଜନୈତିକ ପାଣିପାଗ ଯାହା କହୁଛି ଏହି ନେତାମାନଙ୍କ ନିର୍ବାଚନମଣ୍ଡଳୀରେ ଆଉ ସେ କାଟତି ନାହିଁ। ଏକେତ ଟିକେଟ୍ ପାଇବେ କି ନାହିଁ ସନ୍ଦେହ। ଦ୍ୱିତୀୟରେ ପାଇଲେ ବି ଗଡିବାଟା ଥୟ। ଗୁଇନ୍ଦା ରିପୋର୍ଟ ମଧ୍ୟ ତୃତୀୟ ମହଲାର ହସ୍ତଗତ। ନୟାଗଡର ରାଣୀ ଏବେ ନୟାଗଡ ଦଖଲ ପାଇଁ ତୟାର୍। ଅରୁଣ ସେନା ତାଙ୍କ ସାମ୍ନା କରି ପାରୁ ନାହାଁନ୍ତି। ରାଣୀ ପ୍ରତ୍ୟୁଶା ଦେବୀ ଆଉ କନ୍ଧମାଳ ସାଂସଦ ହେବାକୁ ଇଛା ପ୍ରକାଶ କରୁ ନାହାଁନ୍ତି। ତାଙ୍କର ଦରକାର ନୟାଗଡ ବିଧାୟକ ପଦବୀ। ଦିଅ ନ ହେଲେ ବିଜେପି ଚାଲିଲି। ଏମିତି ପ୍ରତିଦିନ ରାଣୀଙ୍କ ଧମକ ଆସୁଛି। ଦଳ ମଧ୍ୟ ଚିନ୍ତିତ। ଅରୁଣ ସାହୁ ମଧ୍ୟ ଏ ଖବର ପାଇ ସାରିଲେଣି। ତେଣୁ ଗଡ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଏକଦା ସୌମ୍ୟଙ୍କୁ ନୟାଗଡ ଜିଲ୍ଲାରେ ପୂରାଇ ଦେଉ ନଥିବା ଅରୁଣ ଏବେ ଖୋଦ୍ ନୟାଗଡରେ ସୌମ୍ୟଙ୍କୁ ମଞ୍ଚ ଉପରେ ନାଗରିକ ସମ୍ମାନ ଦେବା ଜିଲ୍ଲାବାସୀ ହଜମ କରି ପାରୁ ନାହଁନ୍ତି। ସେପଟେ ବ୍ରହ୍ମଗିରି ଅବସ୍ଥା ନ କହିଲେ ଭଲ। ଖୋଦ୍ ବିଧାୟକ ଚିଟ୍ଫଣ୍ଡ ସ୍କାମ୍ ରେ ଜଡିତ। କେଉଁ ମୂହୁର୍ତ୍ତରେ କଣ ହେବ କିଛି କହି ହେବ ନାହିଁ। ସୌମ୍ୟ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ମଞ୍ଚର ଆବାହକ। ତେଣୁ ସୌମ୍ୟଙ୍କ ଆର୍ଶୀବାଦ ମିଳିଲେ ଆଉ ଚିଟ୍ଫଣ୍ଡ କଥା ବେଶୀ ହୋ ହାଲ୍ଲା ହେବ ନାହିଁ।

ତେଣୁ ଏ ସବୁ ରାଜନୈତିକ ଅସ୍ଥିରତା ଭିତରେ ସୌମ୍ୟ ପଟ୍ଟନାୟକଙ୍କ ଡିମାଣ୍ଡ ବିଜେଡି ଶିବିରରେ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଲଗାତାର ରାଜନିତୀରେ ଫେଲ୍ ମାରୁଥିବା ସୌମ୍ୟଙ୍କ ଏବେ ଭାଗ୍ୟ ଉଦୟ ହୋଇଛି। ସାଂସଦ ହେବାର ସୌଭାଗ୍ୟ ମିଳିଛି। ମାତ୍ର ତାଙ୍କର ଏପରି ଅଭ୍ୟୁଥାନ ବିଜେଡି ସୁପ୍ରିମୋଙ୍କୁ କେତେ ଦୂର ସନ୍ତୁଷ୍ଟ କରିପାରୁଛି ତାହା ଦେଖିବାର ଅଛି। ନ ହେଲେ ସମୟ ଆସିବ ସୌମ୍ୟଙ୍କ ଅବସ୍ଥା ଯାହା ହେବ ତାହା ତ ଦୂରର କଥା ମାତ୍ର ତାଙ୍କ ସହିତ ବାଦିପାଲାରେ ମାତିଥିବା ଏହି ବିଜେଡି ନେତାଙ୍କ ଅବସ୍ଥା ୨୦୧୯ରେ ହିଁ ବାର ବାଜି ଯିବ ଏଥିରେ ସନ୍ଦେହର ଅବକାଶ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top