ଓଡ଼ିଶା

କେନ୍ଦୁଝର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ: କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ

କେନ୍ଦୁଝର ତା ୫-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂହ ଚଳିତ ଅପ୍ରେଲ ୫ ତାରିଖ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ଭୁବନେଶ୍ୱରରୁ ଆସି କେନ୍ଦୁଝର ପହଞ୍ଝିବା ପରେ ସର୍କିଟ ହାଉସଠାରେ କମିଶନର ତଥା ଶାସନ ସଚିବଙ୍କୁ ଜିଲ୍ଲାପାଳ ଆଶିଷ ଠାକ୍ରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଅବଗତ କରାଇଥିଲେ। କ୍ଷେତ୍ର ପରିଦର୍ଶନରେ ଯାଇ କମିଶନର ତଥା ଶାସନ ସଚିବ ପ୍ରଥମେ ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ଗ୍ରାମରେ ଅବସ୍ଥିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଯୁବକ ଯୁବତୀମାନଙ୍କର ତାଲିମ ପ୍ରଦାନ ପ୍ରକ୍ରିୟା ତଦାରଖ କରିବା ସହ ଇନଷ୍ଟ୍ରକ୍ଟରମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କର ରହଣୀ ଓ ଖାଇବା ବ୍ୟବସ୍ଥା ତଦାରଖ କରିବା ସହ ନିର୍ମାଣାଧିନ ଦୁଇଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ଡିମ୍ବୋ ଗ୍ରାମକୁ ଯାଇ ସେଠାରେ ବଡି ତିଆରି ପ୍ରକଳ୍ପ ପରିଦର୍ଶନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କିପରି ବଡି ପ୍ରସ୍ତୁତ ହେଉଛି ଏବଂ ପ୍ରସ୍ତୁତ ବଡିର ବିପଣନ ବ୍ୟବସ୍ଥା ସଂପର୍କରେ ଏସ୍ଏଚ୍ଜି ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ତେନ୍ତୁଳିନଣ୍ଡା ଗ୍ରାମରେ ବିଜୁ ପକ୍କାଘର, ଖୋଳପା ଗ୍ରାମରେ ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ତଦାରଖ କରି ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ଏତଦ୍ବ୍ୟତୀତ ଜନସାଧାରଣ କିପରି ପାନୀୟ ଜଳ ବ୍ୟବହାର କରୁଛନ୍ତି ସେ ସଂପର୍କରେ ତଦାରଖ କରିଥିଲେ। ତତ୍ପରେ ନରଣପୁରସ୍ଥିତ ଦକ୍ଷତାବିକାଶ ତାଲିମ କେନ୍ଦ୍ର ‘ଗ୍ରାମ ତରଙ୍ଗ’ ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କୁ କିପରି ତାଲିମ ପ୍ରଦାନ କରାଯାଉଛି ସେ ସଂପର୍କରେ ପଚାରି ବୁଝିବା ସହ ଉତ୍ପାଦିତ ସାମଗ୍ରୀର ବିପଣନ ସଂପର୍କରେ ତଦାରଖ କରିଥିଲେ। ଏହାପରେ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟସ୍ଥିତ ପଲିଟେକନିକ୍ ପରିଦର୍ଶନ କରିଥିଲେ। ସେଠାରେ ଶିକ୍ଷାଦାନ ବ୍ୟବସ୍ଥା, ଗବେଷଣାଗାର ଏବଂ ଛାତ୍ରାବାସ ବୁଲି ଦେଖିଥିଲେ। ପଲିଟେକନିକ୍ର ବିକାଶ ସଂପର୍କରେ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ। କମିଶନର ତଥା ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନବେଳେ ଜିଲ୍ଲାପାଳ ଆଶିଷ ଠାକ୍ରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ସନ୍ତୋଷ କୁମାର ମହାପାତ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସପନ ଗୋସ୍ୱାମୀ, ଜିଲ୍ଲା ନିୟୋଜନ ଅଧିକାରୀ ସତ୍ୟାନନ୍ଦ ବେହେରା, ସଦର ଏବିଡିଓ ଭାଗବତ ନାଏକଙ୍କ ସମେତ ଅନ୍ୟାନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ରିପୋର୍ଟ ପ୍ରସ୍ତୁତ ବେଳକୁ କମିଶନର ତଥା ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଜାରୀ ରହିଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top