ବ୍ୟାକଫୁଟ୍ ରେ ସଞ୍ଜୟ

ଭୁବନେଶ୍ୱର ୧୫-୧୦ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) କଂଗ୍ରେସର ଦିବଙ୍ଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ଏବଂ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ଗଠିତ ଲୁଲୁ ସେନାର ସମସ୍ତ ନେତୃବୃନ୍ଦଙ୍କ ବିଜେପିର ଯୋଗଦାନ ନିଶ୍ଚିତ ଭାବରେ ପୁରୀ ଜିଲ୍ଲାରେ ବିଜେପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବିରାଟ ରାଜନୈତିକ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ବର୍ଷ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା। ଛାତ୍ର ଜୀବନର ସେ ରାଜନିତୀରେ ପାଦ ଦେଇଥିଲେ ଏବଂ ପ୍ରଥମରୁ ହିଁ ସେ କଂଗ୍ରେସ ସହିତ ଜଡିତ ଥିଲେ। ଜଣେ ଦୃଢ ସଂଗଠକ ଥିଲେ। ପିତା ଥିଲେ ଇଂରାଜୀ ସାହିତ୍ୟର ପ୍ରାଧ୍ୟାପକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଏବଂ ସେ ଥିଲେ କଂଗ୍ରେସ ରାଜନିତୀର ଚାଣକ୍ୟ କୁହାଯାଉଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଘନିଷ୍ଠ ବନ୍ଧୁ। ୧୯୮୦ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ଥାଏ ରାଜ୍ୟରେ କଂଗ୍ରେସ ସରକାର। ଜାନକୀ ପଟ୍ଟନାୟକ ଥାନ୍ତି ମୁଖ୍ୟମନ୍ତ୍ରୀ। ଲୁଲୁ ମହାପାତ୍ର ପିତାଙ୍କ ବନ୍ଧୁ ହିସାବରେ ଅନେକ ବାର ଜାନକୀ ପଟ୍ଟନାୟକଙ୍କୁ ଭେଟିବାକୁ ଯାଆନ୍ତି। ପାଠ ପଢା ଅପେକ୍ଷା ରାଜନିତୀରେ ଅଧିକା ରୁଚି ରଖୁଥିଲେ ସେ। ଲୁଲୁଙ୍କ ପ୍ରକୃତ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ। ଜାନକୀ ପଟ୍ଟନାୟକଙ୍କୁ ଆକୃଷ୍ଟ କରି ଲୁଲୁ ନବେ ଦଶକରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦକୁ ହାତେଇ ନେଇଥିଲେ। ତା ପରେ ଆରମ୍ଭ ହେଲା ତାଙ୍କର ପ୍ରତ୍ୟକ୍ଷ ରାଜନୈତିକ ଜୀବନ। ବାଣୀ ବିହାର ସମେତ ରାଜ୍ୟର ବିଭିନ୍ନ କଲେଜ ରାଜନୀତିରେ ସେ ମୁଣ୍ଡ ପୁରାଇଲେ ଏବଂ ସଫଳ ବି ହେଲେ। କଂଗ୍ରେସର ଛାତ୍ର ସାମୁଖ୍ୟକୁ ସେ ଏତେ ମଜବୁତ୍ କରିଦେଲେ, ଯାହା ୧୯୯୫ ମସିହାରେ ଜାନକୀ ପଟ୍ଟନାୟକ ପୁଣି ଥରେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ସକ୍ଷମ ହୋଇ ପାରିଥିଲେ। ଏଥିରେ ଲୁଲୁଙ୍କର ଥିବା ବହୁତ ବଡ ଅବଦାନ। ସେହି ବର୍ଷ ଅର୍ଥାତ୍ ୧୯୯୫ ମସିହାରେ ଲୁଲୁ ମହାପାତ୍ର ପ୍ରଥମ ଥର ବ୍ରହ୍ମଗିରିରୁ କଂଗ୍ରେସ ଟିକେଟ୍ରେ ବିଧାୟକ ନିର୍ବାଚିତ ହୋଇ ଆସିଲେ। ଏହା ପୂର୍ବରୁ ୧୯୯୦ ମସିହାରେ ଜନତା ଦଳରୁ ଅଜୟ ଜେନା ବ୍ରହ୍ମଗିରିର ବିଧାୟକ ହୋଇଥିଲେ। ୧୯୯୫ ମସିହାରେ ଲୁଲୁ ତାଙ୍କୁ ହରାଇଥିଲେ। ୧୯୯୫ ମସିହାରୁ ୨୦୦୦ ମସିହା ଥିଲା ଲୁଲୁଙ୍କ ରାଜନୈତିକ ଜୀବନର ସବୁଠାରୁ ସୁବର୍ଣ୍ଣ ଯୁଗ। ଏହି ସମୟରେ ସେ ହୋଇଥିଲେ ରାଜ୍ୟ ଯୁବ କଂଗ୍ରେସର ସଭାପତି। ସାରା ରାଜ୍ୟରେ ଉଭୟ ରାଜ୍ୟ ଓ ଯୁବ କଂଗ୍ରେସ ଉପରେ ଥିଲା ତାଙ୍କର ଅଖଣ୍ଡ ପ୍ରଭାବ। ୨୦୦୦ ମସିହାରେ ପଟ୍ଟ ପରିବର୍ତ୍ତନ ହେଲା। ବିଜେଡି ଓ ବିଜେପି ସରକାର ଆସିଲା କ୍ଷମତାକୁ। ମାତ୍ର ଲୁଲୁ ପୁଣି ବ୍ରହ୍ମଗିରିରୁ ବିଜୟୀ ହୋଇ ଆସିଲେ ବିଧାନ ସଭାକୁ। ୨୦୦୪ ମସିହାରେ ବି ଲୁଲୁଙ୍କ ଲୋକପ୍ରିୟତା ତାଙ୍କୁ ଜିତାଇ ଥିଲା ବ୍ରହ୍ମଗିରିରୁ। ଦେଖିବାକୁ ଗଲେ ଲୁଲୁ ବ୍ରହ୍ମଗିରିକୁ କଂଗ୍ରେସର ଗଡ ଭାବରେ ଗଢି ତୋଳି ଦେଇଥିଲେ। ମାତ୍ର ୨୦୦୯ ମସିହାରେ ସବୁକିଛି ପରିବର୍ତ୍ତନ ହୋଇ ଯାଇଥିଲା। ବିଜେଡିର ସଞ୍ଜୟ ଦାସ ବର୍ମା ଟିକେଟ୍ ପାଇ ଯାଇଥିଲେ ବ୍ରହ୍ମଗିରିକୁ। ସେହି ସମୟରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଥିଲେ ବିଜେଡିର ସର୍ବେସର୍ବା। ବିଜେପି ଠାରୁ ଅଲଗା ହୋଇ ଏକୁଟିଆ ନିର୍ବାଚନ ଲଢିବା ଥିଲା ତାଙ୍କରି ରଣକୌଶଳ। ଏଥିରେ ବିଜେଡି ଆଶାତୀତ ସଫଳତା ମଧ୍ୟ ପାଇଥିଲେ। ସଞ୍ଜୟ ଦାସବର୍ମା ଥିଲେ ପ୍ୟାରୀଙ୍କ ରାଜନୈତିକ ପଟ୍ଟଶିଷ୍ୟ। ତାଙ୍କୁ ପଠାଗଲା କଂଗ୍ରେସର ହେଭିୱେଟ୍ ଲୁଲୁଙ୍କ ବିରୁଦ୍ଧରେ ଲଢିବା ପାଇଁ। ପାଣି ପରି ଅର୍ଥ ଖର୍ଚ୍ଚ କରାଗଲା। ଶୁଣାଯାଏ ଲୁଲୁଙ୍କୁ ହରାଇବା ପାଇଁ ଏତେ ପରିମାଣର ଅର୍ଥ ଦିଆଯାଇଥିଲା ସଞ୍ଜୟଙ୍କୁ ଶେଷରେ ସବୁ ଅର୍ଥ ଖର୍ଚ୍ଚ ମଧ୍ୟ ହୋଇ ପାରିନଥିଲା। ସେ ଯାହା ହେଉ ଲୁଲୁ ଗଡରେ ସଞ୍ଜୟଙ୍କ ପ୍ରବେଶ ହେଲା। ୨୦୧୪ ମସିହାରେ ମଧ୍ୟ ସମାନ ପରିସ୍ଥିତି। ଲୁଲୁଙ୍କୁ ହରାଇ ସଞ୍ଜୟ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହେଲେ। ଦୁଇ ଥର ପରାଜୟ ଗ୍ଲାନିରେ ଭାଙ୍ଗି ପଡିଲେ ଲୁଲୁ। ଏହି ସମୟ ଭିତରେ ଦୁଇ ଦୁଇ ଥର ସଡକ ଦୁର୍ଘଟଣା ଲୁଲୁଙ୍କ ଦମ୍ଭକୁ ଏକ ପ୍ରକାର ଭାଙ୍ଗି ଦେଇଥିଲା କହିଲେ ଚଳେ। ମାତ୍ର ଶେଷ ସମୟ ପର୍ଯ୍ୟନ୍ତ ସେ ତାଙ୍କ ଲଢେଇ ବିଜେଡି ଓ ସଞ୍ଜୟ ଦାସବର୍ମାଙ୍କ ବିରୁଦ୍ଧରେ ଜାରି ରଖିଥିଲେ। ୨୦୧୪ ମସିହା ନିର୍ବାଚନ ପରେପରେ ଓଡିଶାରେ ଚିଟ୍ଫଣ୍ଡ ଦୁର୍ନିତୀର ପର୍ଦ୍ଦାଫାଶ ହେଲା ଓ ଏହାର ତଦନ୍ତ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଶାସକ ବିଜେଡିର ଅନେକ ନେତାଙ୍କ ସଂପୃକ୍ତି ପଦାକୁ ଆସିଲା। ସଞ୍ଜୟ ଦାସବର୍ମାଙ୍କ ଏଟି ଗୃପ ସହିତ ସଂପର୍କ ନେଇ ତାଙ୍କୁ ନୋଟିସ୍ ଜାରି କଲା ସିବିଆଇ। ଏହାର ଭରପୁର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କଲେ ଲୁଲୁ। ମାତ୍ର କଂଗ୍ରେସର ଗୋଷ୍ଠୀ କନ୍ଦଳ ତାଙ୍କୁ ପୁରା ହତାଶ କରି ଦେଇଥିଲା। କଂଗ୍ରେସ ତାଙ୍କ ସମର୍ଥନରେ ବାହାରି ନଥିଲା। ଦଳ ଭିତରେ ତାଙ୍କୁ ଏପରି କଣଠୋସା କରାଗଲା ଯାହାକୁ ସେ ସହ୍ୟ କରିପାରି ନଥିଲେ। ପରିଶେଷରେ ତାଙ୍କୁ ମୃତ୍ୟୁ ଘଟିଥିଲା।

ତାଙ୍କର ମୃତ୍ୟୁ ପରେ ଏବେ ବିରାଟ ରାଜନୈତିକ ପରିବର୍ତ୍ତନ ଘଟିଛି ବ୍ରହ୍ମଗିରିରେ। ଲୁଲୁଙ୍କ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକମାନେ ଗଠନ କରିଥିଲେ ଲୁଲୁ ସେନା। ଲୁଲୁଙ୍କ ପରେ ତାଙ୍କ ରାଜନୈତିକ ଦାୟାଦ ଭାବରେ ତାଙ୍କ ସାନ ଭାଇ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ବେବିଙ୍କୁ ତାଙ୍କ ସମର୍ଥକମାନେ ଘୋଷଣା କରିଥିଲେ। କାରଣ ତାଙ୍କ ଝିଅ ଉପାସନାଙ୍କ ବୟସ ହୋଇ ନଥିବାରୁ ପ୍ରତ୍ୟକ୍ଷ ରାଜନିତୀକୁ ଆସି ପାରିବେ ନାହିଁ। ବେବି ଜଣେ ପୂର୍ବତନ କ୍ରିକେଟ୍ ଖେଳାଳୀ। ସେ ଥିଲେ ଓଡିଶା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ କୋଚ୍। ତା ଛଡା ସେ ବି ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ସଭାପତି ଥିଲେ। ଖେଳ ଓ ବ୍ୟବସାୟ ଛଡା ରାଜନିତୀକୁ ସେ କେବେ ଆସି ନଥିଲେ। ଓଡିଶା କଂଗ୍ରେସ ଦଳ ପ୍ରତି ଲୁଲୁଙ୍କ ପରିବାର ଓ ତାଙ୍କ ସମର୍ଥକଙ୍କ ଘୃଣା ଉଭୟ ବେବି ଓ ଉପାସନାଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିଥିଲା। ତେଣୁ ଏହି ନୂତନ ରାଜନୈତିକ ସମୀକରଣରରେ ଉତ୍ସାହିତ ହୋଇଛି ବିଜେପି। ଲୁଲୁଙ୍କର କେବଳ ସେ ବ୍ରହ୍ମଗିରି ନୁହଁ ସାରା ପୁରୀ ଜିଲ୍ଲାରେ ଅଖଣ୍ଡ ପ୍ରଭାବ ଥିଲା। ତାର ପୁରା ଫାଇଦା ଉଠାଇବା ଚକ୍କରରେ ଅଛି ବିଜେପି। ତା ଛଡା ଲୁଲୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପ୍ରତି ଲୋକଙ୍କ ସମବେଦନା ଆହୁରି ବୃଦ୍ଧି ପାଇଛି। ତୃତୀୟରେ ଚିଟ୍ଫଣ୍ଡ ଦୁର୍ନିତୀରେ ସଞ୍ଜୟ ଦାସବର୍ମାଙ୍କ ଖାତା ଖତିୟାନ କୋଉ ମୁହୁର୍ତ୍ତରେ ବନ୍ଦ ହେବ ତାହା କହି ହେବ ନାହିଁ। ତେଣୁ ଧମ୍ରେନ୍ଦ୍ର ପ୍ରଧାନଙ୍କ ଗୋଟି ଚାଳନା ହେଉ ବା ରାଜନୈତିକ ପାଣିପାଗ ହେଉ ବିଜେପି ଏହି ମିଶ୍ରଣ ପର୍ବ ଦ୍ୱାରା ଏକ ବଡ ରାଜନୈତିକ ସଫଳତା ସାଉଁଟିଛି କହିଲେ ଚଳେ।

Leave a Reply

Your email address will not be published. Required fields are marked *