ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ ୧୨୮ କୋଟି ଟଙ୍କାର ୩୨୨ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ

ଭୁବନେଶ୍ୱର ୨୩/୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ବିଳନୀ କକ୍ଷରୁ ଭିଡିଓ କନ୍ଫରେନ୍‌ସିଂ ଯୋଗେ ୩୨୨ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବା ସହିତ “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହାସହିତ ବିଭିନ୍ନ ସୂଚକାଙ୍କରେ ମଧ୍ୟ ଓଡିଶାର ଉନ୍ନତି ଅତ୍ୟନ୍ତ ଉତ୍ସାହଜନକ। ଏପରିକି ଅଧିକାଂଶ କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ବହୁତ ଭଲ ସ୍ଥିତିରେ ରହିଛି। ଏହି ସଫଳତା ପାଇଁ କ୍ଷେତ୍ର ସ୍ତରରେ କାମ କରୁଥିବା ସ୍ବାସ୍ଥ୍ୟ ବିଭାଗର ସବୁ କର୍ମଚାରୀ ବିଶେଷତଃ ଆଶା କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ କାର୍ଯ୍ୟ କରୁଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି “ସଂପୂର୍ଣ୍ଣ” ଓ “ଆଶା କଲ୍ୟାଣ ଯୋଜନା”ର ଶୁଭାରମ୍ଭ କରିଥିଲେ। ସଂପୂର୍ଣ୍ଣ (ଶିଶୁ ଏବଂ ମାତୃ ମୃତ୍ୟୁହାର ପୂର୍ଣ୍ଣ ନିରାକରଣ ଅଭିଯାନ) ଯୋଜନାରେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ଆସିବା ନିମନ୍ତେ ୧୦୦୦ ଟଙ୍କା ପରିବହନ ଖର୍ଚ୍ଚ ବାବଦରେ ଦିଆଯିବ। ରାଜ୍ୟର ୩୦ଟି ଜିଲ୍ଲାର ୭୮୩୫ଟି ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ବାରା ବାର୍ଷିକ ୬୦ ହଜାର ଗର୍ଭବତୀ ମହିଳା ଉପକୃତ ହେବେ। ଏହି ଯୋଜନାରେ ବାର୍ଷିକ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଓ ସ୍ବାସ୍ଥ୍ୟ ସଚେତନ କରିବାରେ ଆଶା କର୍ମୀ ମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେମାନଙ୍କ କଲ୍ୟାଣ ପାଇଁ ଘୋଷଣା କରାଯାଇଥିବା ଆଶା କଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଦ୍ବାରା ଆଶା କର୍ମୀ ମାନେ ମାସିକ ସର୍ବନିମ୍ନ ୧୦୦୦ ଟଙ୍କା ପ୍ରୋତ୍ସାହନ ପାଇବେ। ତା ସହିତ କୌଣସି କାରଣରୁ ସେମାନଙ୍କର ମୃତ୍ୟୁ ଘଟିଲେ ବା ଅକ୍ଷମ ହେଲେ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ପାଇପାରିବେ। ସେହିପରି ୪୦ ରୁ ୬୦ ପ୍ରତିଶତ ସ୍ଥାୟୀ ଅକ୍ଷମତା ପାଇଁ ୨୫ ହଜାର ଟଙ୍କା, ୬୧ ରୁ ୮୦ ପ୍ରତିଶତ ଅକ୍ଷମତା ପାଇଁ ୫୦ ହଜାର ଟଙ୍କା ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ୬୦ ବର୍ଷରେ ପହଞ୍ଚିବା ପରେ ଆଶା କର୍ମୀମାନେ ୧୦ ହଜାର ଟଙ୍କା honorarium ପାଇପାରିବେ। ଏତଦବ୍ୟତୀତ ଆଶା କର୍ମୀ ମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପାଇଁ State Institute of Open Schooling ରେ ବ୍ୟବସ୍ଥା କରାଯିବ। ଆଶା କଲ୍ୟାଣ ଯୋଜନାରେ ବାର୍ଷିକ ୫୬ କୋଟି ଟଙ୍କା ବ୍ୟୟ ହେବ ଏବଂ ୪୭ ହଜାରରୁ ଅଧିକ ଆଶା କର୍ମୀ ଏହାଦ୍ବାରା ଉପକୃତ ହେବେ।

ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ୧୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସାମାଜିକ ନିରାପତ୍ତା ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି କଲ୍ୟାଣ ପାଣ୍ଡି ଜରିଆରେ ମିଶନ କର୍ମଚାରୀ ମାନଙ୍କୁ ମୃତ୍ୟୁ ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସର୍ବୋଚ୍ଚ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଆ°ଶିକ ଅକ୍ଷମ (୪୦ ରୁ ୬୦ ଓ ୬୧ ରୁ ୮୦) କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୨.୫ ଲକ୍ଷ ସହାୟତା ଯୋଗାଇ ଦିଆଯିବ। ଗୁରୁତର ରୋଗର ଚିକିତ୍ସା ପାଇଁ ମଧ୍ୟ ୩ ଲକ୍ଷ ଟଙ୍କା ସହାଯତା ଦିଆଯିବ।

ସେହିପରି ଥାଲାସେମିଆ, ସିକିଲନୋସଲ୍ ଓ ହେମୋଗ୍ଲୋବିନୋପାଥି ପରି ରକ୍ତଜନିତ ରୋଗର ଚିକିତ୍ସା ପାଇଁ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର, କନ୍ଧମାଳ ଓ ରାଉରକେଲା ଠାରେ ୧୦ – ଶଯ୍ୟା ଦିବା ଚିକିତ୍ସା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୮ଟି ଜିଲ୍ଲାରେ ୭୦ କୋଟି ଟଙ୍କା ବ୍ୟୟରେ ୩ଠଠଟି ସ୍ବାସ୍ଥ୍ୟ ଉପକେନ୍ଦ୍ର କୋଠା, ୫୫.୬୫ କୋଟି ଟଙ୍କା ବ୍ୟୟରେ ୪ଟି ଜିଲ୍ଲାରେ ୪ ଗୋଟି ମା ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ର କୋଠା, ୫ଟି ଜିଲ୍ଲାରେ ୩.୪୫ କୋଟି ଟଙ୍କା ବ୍ୟୟରେ ୧୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଏବଂ ୨, ୧୭ କୋଟି ଟଙ୍କା ବ୍ୟୟରେ ୨ ଗୋଟି ଜିଲ୍ଲାର ୩ଟି ପୌରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଗ୍ରାମ୍ୟ ଉନ୍ନୟନ ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ଯ ପାଢୀ ଓ ସ୍ବାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *