ସମ୍ବଲପୁର : ୧୯୫୬୭୦ ହେକ୍ଟର ଜମିରେ ଖରିଫ ଫସଲ କୁଚିଣ୍ଡାର ୨ ହଜାର ହେକ୍ଟର ଜମିରେ ଜୈବିକ ଚାଷ

ସମ୍ବଲପୁର, ୧୭/୫ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ୨୦୧୬-୧୭ ଖରିଫ ଋତୁ ପାଇଁ ଧାନ ସମେତ ବିଭିନ୍ନ ଫସଲ ସକାଶେ କାର୍ଯ୍ୟସୂଚୀ ଓ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥର ଖରିଫ ଋତୁରେ ଜିଲ୍ଳାରେ ୧ ଲକ୍ଷ ୬ ହଜାର ୮୦୦ ହେକ୍ଟର ଜମିରେ ଧାନକୁ ମିଶାଇ ୧ ଲକ୍ଷ ୯୦ ହଜାର ୬୭୦ ହେକ୍ଟର ଜମିରେ ବିଭିନ୍ନ ଫସଲ କରାଯିବ। ତେବେ ଏ ବର୍ଷ ଜିଲ୍ଳାର କୁଚିଣ୍ଡା ଉପଖଣ୍ଡ ୨ ହଜାର ହେକ୍ଟର ଜମିରେ ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଅନୁଯାୟୀ ଜୈବିକ ଚାଷ କରାଯିବାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ କରାଯିବ। ସେହିଭଳି ଜିଲ୍ଲାରେ ସମସ୍ତ ସ୍କିମରେ ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିରେ ସାମିଲ କରାଯାଇ ପାରଦର୍ଶିତାକୁ ଗୁରୁତ୍ୱ ଦେବା ସକାଶେ ମଧ୍ୟ ସ୍ଥିର କରାଯାଇଛି। ଧାନ ସହିତ ଡାଲି ଜାତୀୟ ଏବଂ ତୈଳବୀଜ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ। ଚାଷରେ ଟ୍ରାକ୍ଟର, ପାୱାରଟିଲର, ଟ୍ରାନ୍ସପ୍ଲାଣ୍ଟର, ରିପର, କମ୍ବାଇଣ୍ଡ ହାର୍ଭେଷ୍ଟର ପ୍ରଭୃତି ବ୍ୟବହାରକୁ ସବ୍ସିଡ଼ି ମାଧ୍ୟମରେ କୃଷି କ୍ଷେତ୍ରରେ ଯନ୍ତ୍ରପାତିର ଉପଯୋଗକୁ ଗୁରୁତ୍ୱ ଦିଆଯିବ। ସେହଭଳି ଫସଲରେ ରୋଗପୋକର ଅନୁଧ୍ୟାନ ଓ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସକାଶେ ଇ-ପେଷ୍ଟ ସର୍ଭିଲେନ୍ସ ବ୍ୟବସ୍ଥା କରାଯିବ। ଚାଷୀ ଓ ମହିଳା ଚାଷୀମାନଙ୍କ ଦକ୍ଷତା ଓ କୃଷି ବାବଦରେ ଜ୍ଞାନ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

ଗତ ବର୍ଷ ଖରିଫରେ ଜିଲ୍ଲାରେ ୧୯୪୫୯୩ ହେକ୍ଟର ଜମିରେ ବିଭିନ୍ନ ଫସଲ କରାଯାଇଥିବା ବେଳେ ଏଥର ୧୯୬୧୮୦ ହେକ୍ଟର ଜମିରେ ଧାନ ସହିତ ବିଭିନ୍ନ ଚାଷ କରାଯିବ। ଏ ବର୍ଷ ୧୦୨୧୫୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ, ୪୫୦୦ ହେକ୍ଟର ଜମିରେ ହାଇବ୍ରିଡ଼ ଓ ୧୫୦ ହେକ୍ଟର ଜମିରେ ସ୍ଥାନୀୟ କିସମର ଧାନକୁ ମିଶାଇ ୧୦୬୮୦୦ ହେକ୍ଟର ଜମିରେ ଧାନ ଚାଷ କରାଯିବ। ୪୭୧୫ ହେକ୍ଟର ଜମିରେ ମକା ଜାତୀୟ ଫସଲ କରାଯିବ। ଏଥିରୁ ୪୭୦୦ ହେକ୍ଟର ଜମିରେ ମକା, ୫ ହେକ୍ଟର ଜମିରେ ଜୱାର ଓ ୧୦ ହେକ୍ଟର ଜମିରେ ଏହି ଧରଣର ଅନ୍ୟାନ୍ୟ ଶସ୍ୟ କରାଯିବ। ୩୫୬୦୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ କରାଯିବ। ଏଥିରୁ ୩ ହଜାର ହେକ୍ଟର ଜମିରେ ହରଡ଼, ୧୭୪୦୦ ଜମିରେ ମୁଗ, ୧୩୭୦୦ ହେକ୍ଟର ଜମିରେ ବିରି, ୫୦୦ ହେକ୍ଟର ଜମିରେ କୋଳଥ ଓ ୧ ହଜାର ହେକ୍ଟର ଜମିରେ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ କରାଯିବ। ସେହିଭଳି ଏ ବର୍ଷ ୧୪୬୧୦ ହେକ୍ଟର ଜମିରେ ତୈଳବୀଜ ଫସଲ କରାଯିବ। ଏଥିରୁ ୬୦୦ ହେକ୍ଟରରେ ଚିନାବାଦାମ, ୧୪୦୦୦ ହେକ୍ଟର ଜମିରେ ରାଶି ଓ ୧୦ ହେକ୍ଟର ଜମିରେ ଜଡ଼ା ଚାଷ କରାଯିବ। ତନ୍ତୁ ଜାତୀୟ ଫସଲ କ୍ରମରେ ୫ ହେକ୍ଟର ଜମିରେ ଧନିଆ ଚାଷ କରାଯିବ। ୪୦୦ ହେକ୍ଟର ଜମିରେ ଖମ୍ବଆଳୁ, ୨୬୨୮୦ ହେକ୍ଟର ଜମିରେ ପନିପରିବା ଚାଷ କରାଯିବ। ୭୨୧୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ କରାଯିବ। ଏଥିରୁ ୫୯୦୦ ହେକ୍ଟରେ ଲଙ୍କାମରିଚ, ୧୨୦୦ ହେକ୍ଟର ଜମିରେ ଅଦା ଓ ୧୧୦ ହେକ୍ଟର ଜମିରେ ହଳଦୀ ଚାଷ କରାଯିବ। ସେହିଭଳି ୫୦ ହେକ୍ଟର ଜମିରେ ଆଖୁ ଚାଷ କରାଯିବାକୁ ସ୍ଥିର କରାଯାଇଛି। ଗତବର୍ଷ ଖରିଫ ତୁଳନାରେ ଏଥର ଜିଲ୍ଲାରେ ପ୍ରାୟ ପ୍ରାୟ ସମସ୍ତ କିସମର ଫସଲକୁ ଅଧିକ ଜମିରେ ଚାଷ କରିବା ପାଇଁ ସ୍ଥିର କରାଯାଇଛି। ଗତ ଖରିଫ ଅପେକ୍ଷା ଏଥର ୧୫୪୨ ହେକ୍ଟର ଅଧିକ ଜମିରେ ଧାନ ଚାଷ କରାଯିବାକୁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ ଯେ ୬୬୬୨୯୩ ହେକ୍ଟର ପରିମିତ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୯୪ ହଜାର ହେକ୍ଟର ଜମି ଚାଷ ଉପଯୋଗୀ ଅଟେ। ଏଥିରୁ ୧୧୮୮୧୬ ହେକ୍ଟର ଜମି ଅଣଜଳସେଚିତ ଓ ବର୍ଷା ଉପରେ ନିର୍ଭରଶୀଳ ଅଟେ।
ଝୁଲୁଛି ଏସି ସିିଟୀ ବସ ପ୍ରସ୍ତାବ

Leave a Reply

Your email address will not be published. Required fields are marked *