ଗଳ୍ପ

ସମୟର ସ୍ରୋତରେ ଜୀବନ

– ସୌଦାମିନୀ ପଟ୍ଟନାୟକ
ଆଜି କାହିଁକି ଛବି ଭାଉଜଙ୍କ କଥା ଭାରି ମନେ ପଡୁଛି। କେମିତି ବା ମନେ ନ ପଡିବ। ସେ ପରା ମୋର ଆଦର୍ଶ। ତାଙ୍କ ପାଇଁ ମୁଁ ଆଜି ମୋ ଶାଶୁଘରେ ସୁନା ବୋହୂଟିଏ ହୋଇପାରିଛି। ସେ ଯେତେବେଳେ ବୋହୂ ହୋଇ ଆସିଲେ ସଖୀ କଣ୍ଢେଇ ପରି ଦେଖାଯାଉଥିଲେ। ସେ ଅଧିକ ସୁନ୍ଦର ନହେଲେ ମଧ୍ୟ ତାଙ୍କ ହସ ହସ ମୁହଁ ଓ ମିଠା ମିଠା କଥା ଶୁଣିଲେ ଯେ କେହି ବି ନିଜ ଦୁଃଖ ଭୁଲିଯାଏ। ସେ ବହୁତ ସରଳ ଓ ନିଷ୍କପଟ। ସେଥିପାଇଁ ବୋଧେ ଭାଇ ତାଙ୍କୁ ବହୁତ ଭଲ ପାଉଥିଲେ। ଏତେ ଭଲ ପାଉଥିଲେ ଯେ ତାଙ୍କୁ ବାପଘରକୁ ଚାରିଦିନ ପାଇଁ ଛାଡିବାକୁ ମଧ୍ୟ ରାଜି ହେଉନଥିଲେ।

ଭାଉଜ ତାଙ୍କ କର୍ତ୍ତବ୍ୟରେ କେବେ ଅବହେଳା କରୁନଥିଲେ। ସକାଳୁ ଉଠି ବାସି କାମ ସାରିବା ଠାରୁ ଶାଶୁ, ଶଶୁରଙ୍କୁ ଚା’ କରି ଦେବା ଓ ରୋଷେଇ କରିବା ପର୍ଯ୍ୟନ୍ତ ଘରର ସବୁ କାମ ଟିକ ନିକ୍ କରି କରୁଥିଲେ। ରାତି ହେଲେ ଶୋଇବା ପୂର୍ବରୁ ବଡବୋଉକୁ ମୋଡା ଘସା କରିବାକୁ ମଧ୍ୟ ଭୁଲିଯାଉନଥିଲେ ହେଲେ – ବଡବୋଉ(ଭାଉଜଙ୍କ ଶାଶୁ) କେବେ ଇଚ୍ଛା କରି ମଧ୍ୟ ଶାନ୍ତିରେ ରହିପାରୁ ନଥିଲା କାରଣ; ବଡଭାଇ ଏତେ ପାଠ ପଢି ମଧ୍ୟ ଚାକିରି କରିନଥିଲେ। ବଡବୋଉ ସେଇକଥା ଭାବି ଭାବି ଭାରି ମାନ ଦୁଃଖ କରୁଥିଲା। ସବୁବେଳେ ଭାଉଜଙ୍କୁ ଦେଖେଇ ଦେଖେଇ କହୁଥିଲା -“ବି.ସ୍.ସି ପାଠ ପଢାଇଲି ତା ସାଙ୍ଗ ମାନେ ସବୁ ଚାକିରି କରି ବଡ ବଡ ଅଫିସର ହେଇ ନିଜ ନିଜର ଘରସଂସାର ଚଳାଉଛନ୍ତି ହେଲେ ମୋ ପୁଅଟା ଘରେ ବସିଲା। ତା ପଛରେ ପୁଣି ଆହୁରି ଚାରୋଟି ପୁଅ ଅଛନ୍ତି। ବଡପୁଅକୁ ସିନା ଆଶା କରିଥିଲି ନିହାତି ଗୋଟେ ବଡ ଅଫିସର ହବ ବୋଲି ? ତା ରୋଜଗାରରେ ଆମେମାନେ ଚଳିଯିବୁ ହେଲେ ତାକୁ ଆମେ ଏ ବୁଦ୍ଧା ଅବସ୍ଥାରେ ଚଳେଇବାକୁ ପଡୁଛି। ସେ ଏକ ଥିଲା ଏବେ ତୁ ଆସିଲୁ ପୁଣି କାଲି ସକାଳେ ପିଲାପିଲି ହେବେ ଏତେ ଖର୍ଚ୍ଚ କିଏ କରିବ ? ବାପା ତ ଛୋଟ ଚାକିରିଟିଏ କରିଛନ୍ତି , ବଡ ପରି ତ ସେ ଚାରିଭାଇ କେହି ପାଠ ପଢିଲେନି ତାଙ୍କ ଉପରେ କ’ଣ ବା ଆଶା ରଖିବି।” ହେଲେ ଭାଉଜ ବା କ’ଣ କରିପାରିବେ। ବେଳେବେଳେ ମୋତେ ଭାଉଜ କୁହନ୍ତି- ଜାଣିଲ ଟିକି (ମୋ ନାଁ ଟିକି) ବୋଉ ଖାଲି ମୋ ଉପରେ ରଗୁଛନ୍ତି। ମୁଁ ତାଙ୍କ ମନକଥା ବୁଝୁଛି , ସବୁ ମା ଚାହାନ୍ତି ତାଙ୍କ ପିଲା ଭଲ ପାଠପଢି ଭଲ ଚାକିରି କରନ୍ତୁ। ପାଞ୍ଚ ଜଣରେ ଜଣେ ହୋଇ ଠିଆ ହୁଅନ୍ତୁ। ତାଙ୍କ ପୁଅ ଗୋଟେ ଅଫିସର କି କଲେକ୍ଟର ହେଉ। ହେଲେ ସମସ୍ତଙ୍କର ସ୍ଵପ୍ନ କ’ଣ ପୂରଣ ହୁଏ ? ମୁଁ କଣ ଚାହୁଁ ନାହିଁ ମୋ ସ୍ଵାମୀ ରୋଜଗାର କରନ୍ତୁ। ମୋ ସାଙ୍ଗମାନଙ୍କର ସ୍ଵାମୀ ବଡ ଚାକିରି କରିଛନ୍ତି। ମୋ ସ୍ଵାମୀ କିଛି କରୁନାହାନ୍ତି ମତେ କଣ କଷ୍ଟ ହେଉନି। ସେଥିପାଇଁ ପରା ତମ ଭାଇକୁ ସବୁବେଳେ ମୁଁ ବୁଝାଉଛି। ତମେ ପାଠ ପଢିଛ ଚାକିରି ପାଇଁ ଚେଷ୍ଟା କର , ଯଦି ଚାକିରି ନହେଲା ବ୍ୟବସାୟ କର। ପରିଶ୍ରମର ମୂଲ୍ୟ କେବେ ବୃଥା ଯାଏନି। ତମେ ଘରର ବଡ ପୁଅ ତମ ଉପରେ ପରିବାର ନିର୍ଭର କରୁଛି। ତମ ଭାଇମାନେ ତମଠାରୁ ବହୁତ ସାନ। ତୁମର ପୁଅ ଭଳି। ତାଙ୍କ ଦାୟିତ୍ଵ ଆମ ଉପରେ। ତମ ରୋଜଗାରରେ ମୋ ପାଇଁ ଚୁଡି ମୁଠେ ଆଣିଲେ ବି ମୁଁ ବହତ ଖୁସି ହେବି। ତାଛଡା ବାପା ବୋଉଙ୍କର ବୟସ ହେଲାଣି ସିଏ ବା କେତେଦିନ ଆଉ ଆମକୁ ଚଳେଇବେ। ଭାଉଜ ଭାଇଙ୍କୁ ଶୁଆ ସାରିକୁ ବୁଝେଇଲା ଭଳି ବୁଝାନ୍ତି। ଭାଇ କୁହନ୍ତି ମୁଁ କଣ ଚେଷ୍ଟା କରୁନି ହେଲେ ମୋତେ ମୋ ମନ ପସନ୍ଦର ଖଣ୍ଡେ ଚାକିରି ମିଳୁନି। ବ୍ୟବସାୟ, କଣ୍ଟ୍ରାକ୍ଟି କାମ କରିଛି ହେଲେ ସେଥିଲେ ଲାଭ ଅପେକ୍ଷା କ୍ଷତି ବେଶି ହୋଇଛି। ହେଲେ ତୁ ଆସିଲୁଣି ଆଉ ମୁଁ ଘରେ ବସି ରହିବିନି। ଏଥର ଦେଖିବୁ ନିଶ୍ଚୟ ମୋ ପରିବାରକୁ ମୁଁ ଭଲରେ ରଖିବି।

ସମୟ କାହାକୁ ଅପେକ୍ଷା କରେ ନାହିଁ। ଏଇ ଭିତରେ ଭାଉଜଙ୍କର ପୁଅଟିଏ ହୋଇଛି ଏବଂ ବଡବୋଉ ଆଉ ନାହାନ୍ତି। ବଡବୋଉ ଚାଲିଯିବାରୁ ବଡବାପା ସେଇ ଦୁଃଖରେ ଭାଙ୍ଗିପଡିଲେ। ବହୁତ ଚୁପଚାପ ରହିଲେ। କଥାରେ ଅଛି ଘୋଡା ଚଢା ବାପା ନଥିବ କିନ୍ତୁ ଧନକୁଟୁଣି ମା ଥିବେ। ପାଞ୍ଚ’ଟା ପିଲା ମା ଛେଉଣ୍ଡ ହୋଇଗଲେ। କିନ୍ତୁ ଭାଉଜ କେବେ ପିଲାମାନଙ୍କୁ ମା’ର ଦୁଃଖ ଅନୁଭବ କରିବାକୁ ଦିଅନ୍ତି ନାହିଁ। ସେଥିପାଇଁ ସେ ସବୁବେଳେ ଚେଷ୍ଟା କରନ୍ତି ସମସ୍ତଙ୍କୁ ଖୁସି ରଖିବାପାଇଁ। ଭାଉଜ ସବୁବେଳେ ବ୍ୟସ୍ତ ରହୁଥିଲେ କେତେବେଳେ ମୁଢି ଭାଜିବା, ଧାନ ଉଁସେଇବା, ଚାଉଳ ପାଛୋଡିବା ଓ ତା ଭିତରେ ଘର କାମ ମଧ୍ୟ କରୁଥିଲେ। ସକାଳୁ ପଚାରିଲେ କହିବେ ଆଳୁ ପୋଟଳ ଭଜୁଛି ପିଲାମାନେ ଖାଇବେ, ଖରାବେଳେ ପଚାରିଲେ କହିବେ ସାନ ଦିଅରଦୁଇଜଣ ସ୍କୁଲରୁ ଆସି ସେମାନେ ଖାଇବେ ହେଲେ ମୋ ପୁଅଟା ଭାରି କାନ୍ଦୁଛି ଯାଉଛି ଜଲ୍ଦି ରୋଷେଇ ସାରିବି ପିଲାମାନେ ଖାଇବେ। ସେହିପରି ସନ୍ଧ୍ୟାଠୁ ରାତି ଯାଏ ସମସ୍ତଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତିରେ ଚୁଲି ମୁଣ୍ଡରେ ବସିଥାନ୍ତି ଓ ତାଙ୍କର ଅଳି ଅଝଟକୁ ସମ୍ଭାଳନ୍ତି।

ମୁଁ ସିନା ଦିନରେ ସାଙ୍ଗସାଥି , ସ୍କୁଲଯିବା ପାଠ ପଢିବାରେ ବ୍ୟସ୍ତ ରୁହେ ହେଲେ ରାତିରେ ବୋଉକୁ କହି ଭାଉଜଙ୍କ ପାଖରେ ପହଞ୍ଚିଯାଏ। ଭାଉଜଙ୍କୁ ଯାଇ ପଚାରେ କଣ ରୁଟି କରୁଛ। ଭାଉଜ କୁହନ୍ତି ହଁ ପୁଅକୁ ଏବେ ଖୁଆଇ ଶୁଆଇ ଦେଇ ଆସିଲି , ରୁଟି ସନ୍ତୁଳା ହବ। ମଝିଆ ଦିଅର ଚାଷ କରନ୍ତି ପନିପରିବା ଆଣି ଗଦେଇ ଦେଇଛନ୍ତି। ଏଇ ଦେଖୁନ କେମିତି ପଡିଛି ସଜାଡିକି ଥୋଇବାକୁ ବି ମୋର ସମୟ ନାହିଁ। ଭାଇ କଥା ପଚାରିଲାରୁ ଭାଉଜ କହିଲେ ; ଭାଇ ତାଙ୍କ ସାଙ୍ଗ ସହିତ ମିଶି ନୂଆ ପୋଲ ଆଉ ରାସ୍ତା କାମ କରୁଛନ୍ତି ସେଥିପାଇଁ ଡେରିରେ ଆସୁଛନ୍ତି। ଭଗବାନ ଆମକୁ ଦୟା କରିଛନ୍ତି। ହାତକୁ ଦି ପଇସା ଆସିଲାରୁ ଆମ ତେଲ ଲୁଣ ସଂସାର ଭଲରେ ଚାଲିଛି। ଦିନେ ଭାଉଜଙ୍କୁ ପଚାରିଲି ଏତେ କାମ ଓ ଜଞ୍ଜାଳ ଭିତରେ ରହୁଛ ସେଥିରେ ପୁଣି ଭାଇ ଟିକେ ଟିକେ କଥାରେ ରାଗିଯାଆନ୍ତି କେବେ ତ ମନ ଦୁଃଖରେ ବସିବା ଦେଖୁନାହିଁ ? ସମସ୍ତଙ୍କୁ ଦେଖି ଖୁସିରେ ହସି ଦିଅ। ତମ ମନରେ କେବେ କଣ କିଛି ଦୁଃଖ କି କଷ୍ଟ ଅନୁଭବ ହୁଏନି ? ସେ ମୋତେ ସେଦିନ ବୁଝେଇଥିଲେ ମୁଁ ପରା ବୁଦ୍ଧଦେବଙ୍କ ବିଷୟରେ ପଢିଥିଲି ସେଥିରେ ସେ କହିଥିଲେ “କାମନାର ବିନାଶରେ ଦୁଃଖର ବିନାଶ”। ତେଣୁ ଯେତିକି ଭଗବାନ ଦିଅନ୍ତି ମୁଁ ସେତିକିରେ ସନ୍ତୁଷ୍ଟ। ଭଗବାନ ପରା ଗୀତାରେ କହିଛନ୍ତି-:”ଫଳରେ ଆଶା ନରଖି କର୍ମ କରିଯାଅ” ସେଥିପାଇଁ ମୁଁ କର୍ମକୁ ବେଶି ପ୍ରାଧାନ୍ୟ ଦିଏ।

ସମୟର ସ୍ରୋତ ଗାଡିଚାଲେ ସେଇ ସ୍ରୋତରେ କିଛି ନେଇଯାଏ ତ କିଛି ଦେଇଯାଏ। ସେଇ ସ୍ରୋତରେ ବଡବାପା ଚାଲିଯାଇଛନ୍ତି ଆରପାରିକୁ। ଆଉ ଭାଉଜ ଦୁଇଟି ସନ୍ତାନର ଜନନୀ। ଦୁଇଟି ପିଲା ଓ ଚାରୋଟି ଦିଅର ଓ ସ୍ଵାମୀଙ୍କୁ ନେଇ ସଂସାର ଚଳେଇବା କେତେ ଯେ କଷ୍ଟ ସେ କଥା ଆଖିରେ ନଦେଖିଲେ କେହି ବିଶ୍ଵାସ କରିପାରିବେନି। ଦିନେ ଭାଉଜ କହିଲେ ଜାଣିଲ ଟିକି ମୁଁ ତମ ଭାଇକୁ କହିଲି , ତାଙ୍କ ସାନଭାଇ ମାନଙ୍କର ବାହାଘର ପାଇଁ ବୟସ ହେଲାଣି। ଗୋଟାଏ ବିଭା ଦେଇ ପୁଣି ଗୋଟେ କରିବା ହେଲେ କିଛି ସ୍ଥାୟୀ ରୋଜୋଗାର ନହେଲେ ଝିଅଟିଏ ଦେବ କିଏ ? ତାଙ୍କ ଭାଇ ଗୋଟେ ଡାଲି ଚାଉଳ ଦୋକାନ କରିଦେଲେ। ଭଲ ଝିଅ ଦେଖି ବିଭା ମଧ୍ୟ କରିଦେଲେ।

କିଛି ଦିନ ଘର ଭଲରେ ଚାଲିଲା। ସେ ଯେତେବେଳେ ଜାଣିଲା ତା ସ୍ଵାମୀର ଦୋକାନରୁ ସବୁ ସଉଦା ଘରକୁ ଆସୁଛି ଏହା ଦେଖି ସେ ତା ସ୍ଵାମୀକୁ କହିଲା ଅନ୍ୟ ଦିଅରମାନେ ଅପାକୁ ଯିଏ ଯାହା ରୋଜଗାର ଅନୁସାରେ କିଛି କିଛି ପଇସା ଦଉଛନ୍ତି। ଅପାକୁ ସମସ୍ତେ ଏତେ ମାନୁଛନ୍ତି। ମୋତେ ବୋଧେ କେହି ଭଲପାଉନାହାନ୍ତି। ଏହିଭଳି ସ୍ଵାମୀକୁ ମିଛସତ କହି ଛୋଟ ଛୋଟ କଥାରେ ଘରେ ଝଗଡା କଲା। ଅଲଗା ହେବାକୁ ଜିଦ୍ ଧରି ବସିଲା। ତା କଥାରେ ସ୍ଵାମୀ ମଧ୍ୟ ଭାଉଜଙ୍କୁ କହିଲା- ତମକୁ ଯୋଉ ସମ୍ମାନ ମିଳୁଛି ମୋ ସ୍ତ୍ରୀକୁ ସେତିକି କେହି ସମ୍ମାନ ଦେଉନାହାନ୍ତି। ସବୁଠାରୁ ଅଧିକା ଖର୍ଚ୍ଚ ଘର ପାଇଁ ମୁଁ କରୁଛି ; ତେଣୁ ମୁଁ ଆଉ ଏକାଠି ରହିପାରିବି ନାହିଁ।

ସେହି ମୋ ଭାଉଜ କରିଥିବା ସପନର ଘରଟା ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ଚୁରମାର ହୋଇଗଲା। ସେଦିନ ଭାଉଜଙ୍କର ଆଖିର ଲୁହ ଆଉ ବୋଲ ମନିଲାନି। ସେହିଦିନଠାରୁ ଗୋଟିଏ ଭାଇ ଅଲଗା ହୋଇକି ରହିଲା। ତାପରେ ଭାଉଜ ନିଜ ମନକୁ ବୁଝାଇଲେ, ଯେପରିକି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ସେ ସେହିପରି ଏତେ ବଡ ବିପଦକୁ ସହିଗଲେ। ଜଣକ ପାଇଁ ଆଉ ଚାରିଜଣକୁ ମୁଁ ଅନାଥ କରିଦେବି , ସେମାନେ କଣ କରିଛନ୍ତି। ମୋର ଆଉ କିଛି କର୍ତ୍ତବ୍ୟ ରହିଛି ମତେ ପୂରଣ କରିବାକୁ ପଡ଼ିବ !!!

ଏମିତି ଭାବରେ ସମୟ ଗଡିଚାଲିଥାଏ। ଭାଉଜ ଭାଇଙ୍କୁ କହି ଲୋନ୍ କରି ମଝିଆ ଭାଇଙ୍କୁ ଗୋଟିଏ ବ୍ୟବସାୟରେ ଲଗାଇଦେଲେ। ତାଙ୍କ ତଳ ଭାଇ କିଛି ପାଠ ପଢିଥିବାରୁ ସେ ଟିଉସନ କଲେ। ସାନଭାଇ ଛୋଟ କମ୍ପାନୀରେ ଚାକିରି କଲେ। ସମସ୍ତେ ରୋଜଗାର ଦେଖି ଭାଉଜ ଆଉ ଜଣେ ଭାଇଙ୍କର ବାହାଘର କରିଦେଲେ। ବୋହୂଟି ବହୁତ ଭଲ ଏବଂ କର୍ତ୍ତବ୍ୟ ପରାୟଣ। ଏହିଭଳି ସମୟ ବିତିବା ସାଙ୍ଗରେ ଆଉ ଦୁଇଭାଇଙ୍କର ମନପସନ୍ଦର ଝିଅଦେଖି ବାହାଘର କରିଦେଲେ କିନ୍ତୁ … କଥାରେ ଅଛି ଅଧିକ ଲୋକ ଯହିଁ ମିଳି… ଅବଶ୍ୟ ଉପୁଜଇ କଳି…। ସେ ତିନିଜଣ ବୋହୂଙ୍କ ଭିତରେ କିଛି ନା କିଛି କାରଣକୁ ନେଇ ମନ ମାଳିନ୍ୟ ଲାଗିରହିଲା। ସେମାନେ କହିଲେ ଆମେ ଆଉ ଏକାଠି ରହିପାରିବାନି। ଆମମାନଙ୍କୁ ଅଲଗା ଅଲଗା ରହିବାକୁ ଦିଅ, ତମେ ମଧ୍ୟ ବହୁତଦିନ ହେଲା ଏ ସଂସାରକୁ ରଖିଆସିଲଣି ତମେ ମଧ୍ୟ ଶାନ୍ତିରେ ରୁହ। ଏକଥା ଶୁଣି ଭାଉଜ ଭାବିଲେ ବାହାହୋଇକି ଆସିଲା ପାଖରୁ ଏଇ ଜଞ୍ଜାଳ ଭିତରେ ରହି ଭାଇଙ୍କୁ ବହୁତ ଅବହେଳା କଲେଣି। ସେ ଯାହା ଚାହାନ୍ତି ଖାଇବାକୁ ଏତେ ଜଣଙ୍କ ଭିତରେ ମୁଁ ତାଙ୍କୁ କରିକି ଦେଇ ପାରେନି। ସେ ମତେ ପାଖରେ ବସିବାକୁ ଡାକିଲେ ବି ମୁଁ ସବୁବେଳେ କର୍ତ୍ତବ୍ୟକୁ ଆଗରେ ରଖି ଦୂରେଇ ଯାଏ। ଏବେ ବୋଧେ ସମୟ ଆସିଛି ମୁଁ ତାଙ୍କର ସେବା କରିପାରିବି। ଏଥର ଭାଉଜର ସଂସାର ସମସ୍ତଙ୍କଠାରୁ ଅଲଗା ହୋଇଗଲା ତାର ଦୁଇପିଲା ଆଉ ସ୍ଵାମୀଙ୍କୁ ନେଇ ସୁଖର ସଂସାର।

ୟା ଭିତରେ ମୋର ବାହାଘର ହୋଇଯାଇଛି। ମୋର ଦୁଇ ପିଲା ,ସ୍ଵାମୀ ,ଶାଶୁ, ଶଶୁର ଓ ଗୋଟେ ଦିଅରକୁ ନେଇ ସଂସାର। ଦିନେ ଗାଁକୁ ବୁଲିବାକୁ ଯାଇଥାଏ; ଦେଖିଲି ଭାଉଜ ରୋଷେଇରେ ବ୍ୟସ୍ତ ଅଛନ୍ତି। ଟିକେ ବସି ପଡି ପଚାରିଲି ଭାଉଜ ଏଥର ତୁମ ମୁଣ୍ଡରୁ ସବୁ ବୋଝ ଓହ୍ଲାଇଗଲା। ତମେ ଅଚିନ୍ତା ହୋଇଗଲା। ଭାଉଜ ହସିଦେଇ କହିଲେ , ହଁ ତମେ କାହିଁକି କହିବନି; ଦେଖୁନ ତମ ଭାଇମାନଙ୍କୁ କହି ବୁଝାଇ ଯେଉଁ ପାଞ୍ଚ ବଖରାଘର ହୋଇଥିଲା ସେ ଘର ତ ପାଞ୍ଚ ଭାଇମାନଙ୍କ ପାଇଁ ହୋଇଗଲା। ଗୋଟିଏ ଘରେ ଆମେ ମା,ପୁଅ,ବାପ ଚାରିଜଣ ରହୁଛୁ। ପିଲାମାନେ ବଡ ହେଲେଣି। ପାଠପଢା ସରିଲାଣି। ଭାଇଙ୍କର ଆଉ ଦେହ ଭଲରହୁନି। ଭଗବାନଙ୍କୁ ଡାକୁଛି କେମିତି ଘରଖଣ୍ଡେ ହୋଇଗଲେ ବଡପୁଅର ବାହାଘର କରିଦିଅନ୍ତି। ଠାକୁର ତାଙ୍କ ଡାକ ଶୁଣିଲେ ଭଲ ଘର କଲେ। ଭଲ ଝିଅ ଦେଖି ପୁଅର ବାହାଘର ମଧ୍ୟ କରିଦେଲେ। ତାର କିଛି ଦିନପରେ ଭାଇଙ୍କର ଦେହ ବେଶି ବେଶି ଖରାପ ହେଲା। ମେଡିକାଲ ଗଲେ ସବୁ ପ୍ରକାର ଚିକିତ୍ସା ପରେ ମଧ୍ୟ ଭାଇଙ୍କ ଦେହ ଭଲହେଲାନି। ସବୁଦିନ ପାଇଁ ଭାଉଜଙ୍କୁ ଏକା କରି ସେ ଚିରନିଦ୍ରାରେ ଶୋଇଗଲେ। ସେ ସମୟର ଭାଉଜଙ୍କ ପରିସ୍ଥିତି ବର୍ଣ୍ଣନା କରିବାକୁ ମୋପାଖେ ଭାଷା ନାହିଁ। ଏତେ ବଡ ବିପଦ ପଡ଼ିବ ବୋଲି ସେ କେବେ ବି ସ୍ଵପ୍ନରେ ସୁଧା ଭାବିନଥିଲେ। ଭାଉଜ ଏକ ପ୍ରକାର ମୁକ ପାଲଟି ଯାଇଥିଲେ। ଆଉ ଯେତେବେଳେ ପାଟି ଖୋଲୁଥିଲେ ସେ ହୃଦୟ ବିଦାରକ ଯନ୍ତ୍ରଣାର କୋହ ଭିତରେ କହୁଥିଲେ “ମୋ ସଂସାର ଭାସିଗଲା ଭଗବାନ ମୋତେ ବି ମାରିଦିଅ ମୁଁ ଆଉ ବଞ୍ଚିବାକୁ ଚାହୁଁନି।” ତାଙ୍କ ଦୁଃଖକୁ ଦେଖି ମତେ ଲାଗୁଥିଲା ଗଛପତ୍ର ବି ନିସ୍ତେଜ ହୋଇ ଯେମିତି ଲୁହ ଗଡ଼ଉଛନ୍ତି।

ମଝିରେ ମଝିରେ ମାସେ ଦୁଇମାସରେ ଥରେ ଭାଉଜଙ୍କୁ ଯାଏ ଦେଖିବାକୁ। ଆଉ ତାଙ୍କ ମୁହଁରେ ସେ ହସ ନଥିଲା କି ପାଟିରେ ମଧ୍ୟ ଶବ୍ଦ ନଥିଲା। ଆଖିରୁ ଖାଲି ଝରିପଡୁଥିଲା ଧାର ଧାର ଲୁହ। ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟାକରେ। ତମେ ଆଉ ଭାଉଜ କାନ୍ଦନାହିଁ। ଏଇ ତ ଦୁନିଆର ନିୟମ। ଜନ୍ମ ପରେ ମୃତ୍ୟୁ ତ ନିଶ୍ଚିନ୍ତ। ସମସ୍ତଙ୍କୁ ଦିନେ ନା ଦିନେ ଏ ଦୁନିଆକୁ ଛାଡି ଯିବାକୁ ପଡ଼ିବ। ତମେ ଆଜି ଚାଲିଗଲେ ମଧ୍ୟ ଭାଇ କଣ ଆଉ ଫେରିକି ଆସିବେ। ତମେ ଯଦି ଏମିତି ଭାଙ୍ଗିପଡ଼ିବ ପିଲାମାନେ କଣ କରିବେ। ସେମାନେ ଏ ଦୁନିଆ ବିଷୟରେ କିଛି ଜାଣିନାହାନ୍ତି। ମୁଁ ଏମିତି କିଛି ସାନ୍ତ୍ଵନା ଦେଇ ଚାଲିଆସିଲି।

କିଛିଦିନ ପରେ ଶୁଣିବାକୁ ପାଇଲି ଭାଉଜଙ୍କର ଗୋଟେ ନାତିଟେ ହୋଇଛି। ଖୁସିରେ ମନଟା ନାଚି ଉଠିଲା। ଯାହାହେଉ ଏଥର ଭାଉଜଙ୍କ ମୁହଁରେ ହସ ଦେଖିବି। ନିଶ୍ଚୟ ତାଙ୍କ ମନ ପରିବର୍ତ୍ତନ ହୋଇଯାଇଥିବ। ଦେଖିବାକୁ ଭାରି ଇଚ୍ଛା ଥାଇ ମଧ୍ୟ ମୋ ପିଲାଙ୍କ ପରୀକ୍ଷା ପାଇଁ ଯାଇପାରିନଥିଲି। ଅଳ୍ପଦିନପରେ ପିଲଙ୍କୁ ନେଇ ଗଲି ଭାଉଜଙ୍କୁ ଦେଖିବାକୁ। ସେଠିଯାଇ ଦେଖିଲି ଭାଉଜ କୋଳରେ ନାତିକୁ ଧରି ମୋ ସୁନା, ମୋ ଧନ, ମୋ ଜୀବନ… ଏମିତି କେତେକଣ ଡାକି ଗେଲ କରୁଥିଲେ। ତାଙ୍କ ପାଖରେ ଯାଇ ବସିଲି। ଭାଉଜ କହିଲେ ଜାଣିଲ ଟିକି ମତେ ଯେମିତି ଲାଗୁଛି ତମ ଭାଇ ପୁଣି ଏଇ ଛୁଆ ରୂପରେ ମୋ ପାଖକୁ ଫେରିଆସିଲେ। ମୁଁ ଏଇ ଛୁଆ ଭିତରେ ତମ ଭାଇକୁ ଦେଖୁଛି। ଆଉ ଜମା କାନ୍ଦୁନି। ଆଉ କଣ ଭାବୁଛି ଜାଣିଛ… କଣ ଭାବୁଛ ବୋଲି ମୁଁ ପଚାରିଲି… ସେ କହିଲେ ସାନ ପୁଅର କେମିତି ବାହାଘର କାମଟା ସାରିବି, ସେ କଥା ଭାବୁଛି। ମୁଁ କିନ୍ତୁ ମନେ ମନେ ଭାବୁଥାଏ ଭାଉଜଙ୍କର ଏ ଜୀବନର ସଂଘର୍ଷରେ କେବେ ପୂର୍ଣ୍ଣଛେଦ ପଡ଼ିବ !!!
(ପ୍ରତିକାତ୍ମକ ଛବି)

ସୌଦାମିନୀ ପଟ୍ଟନାୟକ, ଭୁବନେଶ୍ଵର

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top