ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର

– ଦେବପ୍ରସାଦ ମିଶ୍ର
‘ସତ୍ୟବାଦୀ’ ପ୍ରଥମ ଖଣ୍ଡ ସପ୍ତମ ସଂଖ୍ୟାରେ “ଓଡିଶାରେ ପ୍ରତିଭାପୂଜା” ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା। ଏହି ପ୍ରବନ୍ଧରେ ସାମନ୍ତ ଚନ୍ଦ୍ରଶେଖରଙ୍କର ସାଧନା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ୱ ଆରୋପ କରି ଗୋପବନ୍ଧୁ ଲେଖିଥିଲେ, “ଜୀବନର ମହତ୍ତ୍ୱ ଫଳ ଲାଭରେ ନୁହେଁ, ସାଧନାରେ। ଚନ୍ଦ୍ରଶେଖର ଏହି ଜୀବନବ୍ୟାପୀ ସାଧନାରେ ସିଦ୍ଧ। ଏ ଶ୍ରେଣୀର ମହାପୁରୁଷମାନେ ମରି, ମରନ୍ତି ନାହିଁ।” ଏହି ଉକ୍ତିରୁ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତି ତାଙ୍କର କିପରି ଭକ୍ତି ଥିଲା ତାହା ଅନୁମାନ କରାଯାଇପାରେ। ତାଙ୍କର ପୂରାନାମ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହଚିଚନ୍ଦନ ମହାପାତ୍ର ସାମନ୍ତ। ସେ ପୃଥିବୀର ଶେଷ ଦୂରବୀକ୍ଷଣ ଯନ୍ତ୍ରବିହୀନ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ। ସେ ୧୮୩୫ ଶେଷ ଆଡ଼କୁ ବା ୧୮୩୬ ପ୍ରାରମ୍ଭରେ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରି ଜୁନ୍ ୧୧, ୧୯୦୪ରେ ପୁରୀରେ ଦେହତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୬୯ ବର୍ଷ ବୟସ ହୋଇଥିଲା।

ଚନ୍ଦ୍ରଶେଖର ୧୪ ବର୍ଷ ବୟସରେ ଜ୍ୟୋତିଷଚର୍ଚ୍ଚା ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ଜାଣିପାରିଲେ ଯେ ପୂର୍ବ ସିଦ୍ଧାନ୍ତାନୁସାରେ ନକ୍ଷତ୍ରମାନେ ଓ ଗ୍ରହମାନେ ଠିକ୍ ସମୟରେ ଓ ସ୍ୱସ୍ଥାନରେ ଦେଖାଯାଉନାହାନ୍ତି। ତେଣୁ ସେ ବାରମ୍ବାର ଗଣନା କରିବାକୁ ଳାଗିଲେ ଓ ପ୍ରାଚୀନ ଗଣନାର ସଂସ୍କାର କରିବାକୁ ଆରମ୍ଭ କଲେ। ସେ ପର୍ଯ୍ୟବେକ୍ଷଣର ଫଳାଫଳ ଲିପିବଦ୍ଧ କଲେ। ଏହିପରି କଠୋର ଅଧ୍ୟବସାୟ କରୁ କରୁ “ସିଦ୍ଧାନ୍ତ ଦର୍ପଣ’ ନାମକ ଗ୍ରନ୍ଥ ଜନ୍ମଲାଭ କଲା।

ଚନ୍ଦ୍ରଶେଖରଙ୍କୁ ଯେତେବେଳେ ୩୪ ବର୍ଷ ବୟସ ସେତେବେଳେ ସେ ଏହି ଗ୍ରନ୍ଥ ରଚନା ଆରମ୍ଭ କରିଥିଲେ। ଅର୍ଥାତ୍ ୧୮୬୯ ମସିହାରେ। “ସିଦ୍ଧାନ୍ତ ଦର୍ପଣ’ରେ ଲେଖିଛନ୍ତି-

“ଯାତାଙ୍ଗ ତ୍ରିନବାବ୍ ଧି ବତ୍ସରକଳୌ ଜନ୍ମାଭବତ୍ ମାମକଂ

ବେଦୋଷର୍ବୁଧବର୍ଷକେଶ ଚ ମୟା ଗ୍ରନ୍ଥେୟମାବିଷ୍କୃତଃ।’’

ଶକାଦ୍ଧ ୧୮୧୪ ଅର୍ଥାତ୍ ୧୮୯୨ ଖ୍ରୀଷ୍ଟାବ୍ଦରେ ତାଙ୍କୁ ଯେତେବେଳେ ସତାବନ ବର୍ଷ ସେତେବେଳେ “ସିଦ୍ଧାନ୍ତ ଦର୍ପଣ’ର ରଚନା ଶେଷ ହୋଇଥିଲା। ଏହା ଗ୍ରନ୍ଥର ଶେଷ ଶ୍ଳୋକରୁ ସ୍ପଷ୍ଟ ଜଣାପଡେ଼ :

“ମୁକୁନ୍ଦଦେବସ୍ୟ ଚତୁର୍ଦ୍ଧଶାଙ୍କେ କାଳେ ବୃଷାଷ୍ଟେନ୍ଦୁ ସମେ ଚ ଶାକେ।

ବାରେ ଶର୍ନେର୍ମାର୍ଗ ପୁରୋନବମ୍ୟାମିଦଂ ମୟା ପୁସ୍ତକମାଶୁ ପୂର୍ଣ୍ଣମ୍।’’

ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଲେଖକ ପଣ୍ଡିତ ଚନ୍ଦ୍ରଶେଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି ଯେ ତାଙ୍କର ୩୪ ବର୍ଷ ସମୟକୁ “ସିଦ୍ଧାନ୍ତ ଦର୍ପଣ’ର ସମସ୍ତ ଶ୍ଳୋକ ରଚିତ ହୋଇ ଯାଇଥିଲା। କିନ୍ତୁ ଏହା ଗ୍ରହଣଯୋଗ୍ୟ ନୁହେଁ।

୧୮୯୯ ମସିହାରେ କଟକ କଲେଜର ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧିଙ୍କ ଇଂରାଜୀ ମୁଖବନ୍ଧ ସହ “ସିଦ୍ଧାନ୍ତ ଦର୍ପଣ’ ପ୍ରକାଶ ଲାଭ କରିଥିଲା।

ଗ୍ରନ୍ଥର ଏକବିଂଶ ପ୍ରକାଶରେ ସେ ଲେଖିଛନ୍ତି :

ତିଥିଭାଦୌ ଘଟୀଭେଦୋ ଭାଗବେଭଦଃ କୁକାଦିଷୁ
ଭବିଷ୍ୟତ୍ୟୟୁତାଦ୍ଧାନ୍ତଂ ନୈତେଭ୍ୟ ଇତି ମେ ମତିଃ।

ତ୍ରିକାଳଜ୍ଞାନହୀନତ୍ୱାନ୍ ମାତୃଣାଂ ଚିରକାଳତଃ
ଅଂଶାଦିଭିଃ ପ୍ରଭେଦଶ୍ଚେତ୍ ସାକ୍ଷାତ୍ କାର୍ଯ୍ୟଃ ପ୍ରମାତୃଭିଃ।

ତଦାମୟୋକ୍ତ ପୂର୍ବେଷୁ ଭଗଣେଷ୍ୱପି ପର୍ଯ୍ୟୟାଃ
ଦେୟା ହେୟା ବକ୍ଷ୍ୟମାଣା ହାନିବୃଦ୍ଧ୍ୟନୁସାରତଃ।’’

ଅର୍ଥାତ୍ “ମୋର ଧାରଣା ଆଜିଠାରୁ ଅୟୁତେ ବର୍ଷ ପରେ ମଧ୍ୟ ମୋର ଏ ଗଣନା ଠିକ୍ ଆଜିପରି ଦୃକ୍ ସିଦ୍ଧ ହେବ। ତିଥିନକ୍ଷତ୍ର ଆଦିରେ ଦଣ୍ଡଭେଦ ହେବନାହିଁ କି ମଙ୍ଗଳ ଆଦି ଗ୍ରହ ସ୍ପଷ୍ଟ କଲାବେଳେ ଅଂଶଭେଦ ହେବନାହିଁ। ମୋର ଏ ଭଗଣାଦି ରଚନା ଅତିମାତ୍ରାରେ ନିର୍ଭୁଲ ଥିବା ମୋର ବିଶ୍ୱାସ। ଅୟୁତେ (୧୦ ହଜାର) ବର୍ଷ ପରେ ପୁଣି ମୋର ଏହି ଭଗଣାଦି ଦ୍ୱାରା ସାଧିତ ଗ୍ରହରେ ଉପଲବ୍ ଧି କଲାବେଳେ ତଫାତ୍ ଦେଖାଗଲେ କିଛି ସଂସ୍କାର କରିବାକୁ ହେବ, କାରଣ ମୁଁ ତ୍ରିକାଳଜ୍ଞ ନୁହେଁ। ଏଣୁ ବହୁ ବର୍ଷ ପରେ ମୋର ଏହି ରଚନା ଦ୍ୱାରା ଉପଲବ୍ ଧି କଲାବେଳେ ଅଂଶାଦି ପ୍ରଭେଦ ଦେଖାଦେଇପାରେ। ସତରେ ଯଦି ତାହା ହୁଏ, ତାହାହେଲେ ମୁଁ ଯେଉଁ ସବୁ ଗ୍ରହ ଭଗଣ ସଂଖ୍ୟା କହିଛି, ସେଥିରେ ହାନିବୃଦ୍ଧି ଅନୁସାରେ କେତେକ ସଂଖ୍ୟା ଯୋଗ ବିୟୋଗ କରିବାକୁ ହେବ।”

ପୃଥିବୀ ସ୍ଥିର ଥିବାର ଓ ସୂର୍ଯ୍ୟ ଗତି କରୁଥିବାର ଚନ୍ଦ୍ରଶେଖର ଦୃଢ଼ମତ ପୋଷଣ କରିଥିଲେ। “ସିଦ୍ଧାନ୍ତ ଦର୍ପଣ’ର ସପ୍ତଦଶ ପ୍ରକାଶରେ ସେ ଲେଖିଛନ୍ତି :

“ତୁଲ୍ୟର୍କ୍ଷୋଦୟଦର୍ଶନାଜ୍ ଜ୍ଞକୁଳମାନ୍ଦ୍ୟଦ୍ରାକ୍ ଫଳପ୍ରେକ୍ଷଣାଚ୍ଚନ୍ଦ୍ରାଙ୍କସ୍ଥିତି ଦର୍ଶନାତ୍ ଗୁରୁଲଘୁଦ୍ରବ୍ୟ ସ୍ୱଭାବକ୍ଷଣାତ୍।
ଆକୃଷ୍ଟସ୍ୟ ଚ କର୍ଷକାଭି ମୁଖତାସିଦେ୍ଧଃ ଶରାଦର୍ଶନା ଦୁଷ୍ପାଂଶୋରିତି ସାଧିତଂ ବହୁବିଧୈର୍ଲିଙ୍ଗୈଃ ସ୍ଥିରତ୍ୱଂ କ୍ଷିତୌ।’’

ଅର୍ଥାତ୍ “ନକ୍ଷତ୍ର ଗୋଲର ଗୋଟିଏ ସ୍ଥାନରେ ଏହି ନକ୍ଷତ୍ରର ବରାବର ଉଦୟ ହେଉଥିବା ଦେଖା ଯାଉଥିବାରୁ, ବୁଧ ଓ ମଙ୍ଗଳର ମନ୍ଦ ତଥା ଶୀଘ୍ର ଫଳରେ ମନ୍ଦ କେନ୍ଦ୍ରଜନିତ ହ୍ରାସ ଓ ବୃଦ୍ଧି ଘଟୁଥିବାରୁ, ଚନ୍ଦ୍ର କଳଙ୍କ ବରାବର ପୃଥିବୀକୁ ଦେଖାଯାଉଥିବାରୁ, ଗୁରୁ ଲଘୁ ଦ୍ରବ୍ୟର ସ୍ୱଭାବ ପର୍ଯ୍ୟବେକ୍ଷଣରୁ ଆକୃଷ୍ଟ ବସ୍ତୁ ଆକର୍ଷଣ ଆଡ଼କୁ ଯାଉଥିବାର ଅନୁଭବରୁ, ସୂର୍ଯ୍ୟର ଶର ନ ଥିବା ଜଣାଯିବାରୁ, ଏହିପରି ଅନେକ ଯୁକ୍ତିରୁ ପୃଥିବୀର ସ୍ଥିରତା ସାଧି୍ ତ ହେଲା।”

ତସ୍ମାଭିଷ୍ଠତି ଭୂଃ ପ୍ରୟାତି ସବିତା ମୂର୍ତ୍ତ୍ୟାସ୍ୱମଧ୍ୟାକ୍ଷୟା,
ବିଭ୍ରତ୍ ଖେଚରଚକ୍ରମକ୍ରମଗତୀ ବୈତତ୍ କ୍ଷିତାବୀକ୍ଷ୍ୟତେ।
ମତ୍ ସି୍ ଧାନ୍ତମିମଂ ବିଚିଚ୍ୟସକଳଂ ସନ୍ତଃ ପ୍ରଶଂସନ୍ତୁ ବା ନୀନ୍ଦନ୍ତୁ ଶ୍ରମବେଦିକୋ ହୁ୍ୟଭୟଥା ମଂ ସ୍ୟେ କୃତାର୍ଥାଂ କୃତି।’’

ଅର୍ଥାତ୍ “ମୋର ମତେ ଯେ ପୃଥିବୀ ସ୍ଥିର। ସୂର୍ଯ୍ୟ ନିଜର ମାଧ୍ୟମ ମୂର୍ତ୍ତି ଦ୍ୱାରା (ମାଧ୍ୟମ ସୂର୍ଯ୍ୟ) ଅନ୍ୟାନ୍ୟ ଗ୍ରହମାନଙ୍କୁ ଧରି ବୁଲୁଅଛି ଏବଂ ଗ୍ରହ ସମୂହର କୌଣସି କ୍ରମ ଗମନ ନାହିଁ (ଯେଝା ବାଟରେ ଯେ ଚାଲିଛନ୍ତି)। ଏହି କଥା ପୃଥିବୀରେ ବେଶ୍ ଦେଖାପଡ଼ିଯାଉଛି। ପରିଶ୍ରମର ମୂଲ୍ୟ ଯେଉଁମାନେ ଜାଣନ୍ତି, ସେପରି ସଜ୍ଜନମାନେ ମୋତେ ଏଥିପାଇଁ ପ୍ରଶଂସା ବା ନିନ୍ଦା କରନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ। ମୋର ସିଦ୍ଧାନ୍ତକୁ ସେମାନେ ବିଚାର କରନ୍ତୁ (ଏହାହିଁ ପ୍ରାର୍ଥନା)। ଉଭୟ କଥା ହେଲେ ମଧ୍ୟ ମୁଁ ମୋର ଏହି ସାମାନ୍ୟ କାର୍ଯ୍ୟ ପାଇଁ କୃତାର୍ଥ ହେବି।”

ଚନ୍ଦ୍ରଶେଖର ପୁନଶ୍ଚ ଲେଖିଛନ୍ତି :

ହେ ଧୀରା ଗଣକାଃ ସମସ୍ତ ସୁହୃଦୋ ବର୍ଦ୍ଧାଞ୍ଜଳିର୍ବଚ୍ ମ୍ୟହଂ
ଯା ମେଽସ୍ମିନ୍ନକନିଷ୍ଟ ଧାର୍ଷ୍ଟ୍ୟପଟୁତା ତାଂ ମାର୍ଷ୍ଟୁମିଚ୍ଛାସ୍ତୁବଃ।

ବାଳାନାଂ ପ୍ରତିପତ୍ତୟେ କିଳ ମୟା ସମ୍ବାଦ ଦମ୍ଭା ଦିୟଂ
ଭୂନିଷ୍ଠା ଗର୍ବିତା ଯଥାମତି ଭବତ୍ ତୋଷାତ୍ ସଦୋଷା ନ କେ।’’

ଅର୍ଥାତ୍ “ହେ ପଣ୍ଡିତ ଗଣକମାନେ, ଆପଣମାନେ ସମସ୍ତଙ୍କର ବନ୍ଧୁ। ଏ ଭୂ ସ୍ଥିରବାଦରେ ମୋର ଯେଉଁ ଧୃଷ୍ଟତା ହୋଇଛି, ତାହା ମାର୍ଜନା କରିବା ନିମନ୍ତେ ଆପଣମାନଙ୍କର ଇଚ୍ଛା ହେଲା। ସାଧାରଣ (ଅଳ୍ପଜ୍ଞ ଗଣକ) ପିଲାମାନଙ୍କର ବୋଧ ନିମନ୍ତେ ଭୂ ଭ୍ରମବାଦ ଛଳରେ ପୃଥିବୀର ସ୍ଥିରତା ଆପଣମାନଙ୍କର ସନ୍ତୋଷ ପାଇଁ ମୋତେ ଯାହା ଦେଖାଗଲା କହିଗଲି। ଜଗତରେ ଦୋଷ କାହାର ନାହିଁ ? ସମସ୍ତଙ୍କର ତ୍ରୁଟି ଅଛି। ଏଣୁ ମୋର ମଧ୍ୟ ଏ ଯୁକ୍ତିରେ ଥାଇପାରେ।”

“ସିଦ୍ଧାନ୍ତ ଦର୍ପଣ’ର ଶେଷ ଅଂଶରେ ଚନ୍ଦ୍ରଶେଖର ପରିଷ୍କାର ଭାବରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ସିଦ୍ଧାନ୍ତଗୁଡ଼ିକ ସମାଲୋଚନାର ଊଦ୍ଧ୍ୱର୍ରେ ନୁହେଁ। ଆବଶ୍ୟକ ସ୍ଥଳେ ବିଦ୍ୱାନମାନେ ସେଗୁଡ଼ିକୁ ସଂଶୋଧନ କରିବା ପାଇଁ ସେ ଆହ୍ୱାନ କରିଥିଲେ।

“ତସ୍ମାତ୍ ଯଦ୍ ଯଦଶୁଦ୍ଧମତ୍ରଗଣିତଂ ଯଦ୍ ବା ସହାର୍ଥଂ ପଦଂ
ତତ୍ ସର୍ବଂ ପରିଶୋଧୟନ୍ତୁ କୃତିନଃ କୃତ୍ୱାନୁକମ୍ପାଂ ମୟ।’’

ଗବେଷଣା କରିବା ପାଇଁ ଏହିପରି ଦୃଷ୍ଟିବୋଧ ଏବଂ ଚିନ୍ତାଧାରା ବିଜ୍ଞାନର ଉକ୍ରୃଷ୍ଟ ନିଦର୍ଶନ। ତେଣୁ “ସିଦ୍ଧାନ୍ତ ଦର୍ପଣ’ ଦେଶ ଭିତରେ ଓ ବିଶେଷ କରି ପାଶ୍ଚାତ୍ୟ ଦେଶରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ମାର୍ଚ୍ଚ ୯, ୧୮୯୯ରେ ବିଖ୍ୟାତ ବ୍ରିଟିଶ୍ ବିଜ୍ଞାନ ପତ୍ରିକା “ଘବଗ୍ଧଙ୍କrର” ଲେଖିଥିଲା ଯେ “ସିଦ୍ଧାନ୍ତ ଦର୍ପଣ’ର ପ୍ରଣେତାଙ୍କୁ ୟୁରୋପୀୟ ଜ୍ୟୋତିର୍ବିଜ୍ଞାନୀ ଟ୍ରାଇକୋ ବ୍ରାହେଙ୍କ ସହିତ ଅଧ୍ୟାପକ ରାୟ ତୁଳନା କରିଅଛନ୍ତି, କିନ୍ତୁ ତାଙ୍କୁ ଟାଇକୋଙ୍କ ଠାରୁ ଶ୍ରେଷ୍ଠ ବିବେଚିତ କରିବା ଉଚିତ। ଏହି ଲେଖାରେ ଦୁଃଖ ପ୍ରକାଶ କରାଯାଇଥିଲା ଯେ ଚନ୍ଦ୍ରଶେଖରଙ୍କ ଦେଶବାସୀମାନେ ତାଙ୍କର ନିଷ୍ଠା ଓ ଉଦ୍ୟମର ମହତ୍ତ୍ୱ ଉପଲବ୍ ଧି କରିପାରି ନଥିଲେ।

ଅନ୍ୟ ଏକ ବ୍ରିଟିଶ୍ ପତ୍ରିକା “କଦ୍ଭକ୍ଟଙ୍ଗକ୍ଷରୟଶର” ନଭେମ୍ବର ୧୮୯୯ ସଂଖ୍ୟାରେ ଲେଖିଥିଲା ଯେ ପୂର୍ବ କେତେ ବର୍ଷ ଭିତରେ ଜ୍ୟୋତିର୍ବିଜ୍ଞାନ ଉପରେ ଯେତେ ପୁସ୍ତକ ପ୍ରକାଶିତ ହୋଇଥିଲା, ସେଥିମଧ୍ୟରୁ “ସିଦ୍ଧାନ୍ତ ଦର୍ପଣ’ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କେତେକ ଦୃଷ୍ଟିକୋଣରୁ ସର୍ବାଧିକ ଶିକ୍ଷାମୂଳକ।

୧୯୦୩ ମସିହାରେ ବଡ଼ଲାଟ ଲଡର଼୍ କର୍ଜନ ଏବଂ ତାଙ୍କ ପରିଷଦର ସଭ୍ୟମାନେ ବ୍ରିଟିଶ୍ ସରକାରଙ୍କ ଭାରତ ସଚିବଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ଯେ ସାମନ୍ତ ଚନ୍ଦ୍ରଶେଖରଙ୍କୁ ସମ୍ମାନିତ କରାଗଲେ ସରକାର ନିଜେ ସମ୍ମାନିତ ହେବେ।

୧୯୦୪ରେ ପ୍ରକାଶିତ ଦୂୂରବୀକ୍ଷଣ ଯନ୍ତ୍ର ବିହୀନ ଜ୍ୟୋତିର୍ବିଜ୍ଞାନ ବିଷୟକ ଇଂରାଜୀ ପୁସ୍ତକର ପ୍ରଣେତା ଶ୍ରୀ ବାଲଟର ମଣ୍ଡର ଲେଖିଥିଲେ ଯେ ଦୂରବୀକ୍ଷଣ ଯନ୍ତ୍ର ସ୍ୱପ୍ନରେ ମଧ୍ୟ ନ ଦେଖି ଅରଣ୍ୟାବୃତ ଓଡ଼ିଶା ଗ୍ରାମର ଏହି ବ୍ୟକ୍ତିଙ୍କଠାରେ ସତେ ଯେମିତି ବିଜ୍ଞାନର ଜଣେ ଆଦିପିତା ଆବିର୍ଭୂତ ହୋଇଥିଲେ।

ଚନ୍ଦ୍ରଶେଖର ବ୍ରିଟିଶ୍ ନାବିକ ପଞ୍ଜିକା ବା ଅନ୍ୟ କୌଣସି ବିଦେଶୀ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥର ସାହାଯ୍ୟ ନେଇ ନଥିଲେ। ଓଡ଼ିଆ ଓ ସଂସ୍କୃତ ଛଡ଼ା ସେ କୌଣସି ଭାଷା ଜାଣି ନ ଥିଲେ। କେବଳ ଦୂରବୀକ୍ଷଣ ଯନ୍ତ୍ର ନୁହେଁ, ଏପରିକି ତାଙ୍କ ପାଖରେ ଗୋଟିଏ ଘଣ୍ଟା ମଧ୍ୟ ନ ଥିଲା। ଏହା ପରିବର୍ତ୍ତେ ସେ ଗୋଟିଏ ସ୍ୱୟଂବହ ଯନ୍ତ୍ର ପ୍ରସ୍ତୁତ କରିଥିଲେ। ସେ ମାନଯନ୍ତ୍ର, ଶଙ୍କୁଯନ୍ତ୍ର ଓ ଖଗୋଳ ନାମକ ଯନ୍ତ୍ର ସବୁ ବ୍ୟବହାର କରୁଥିଲେ। ଏଗୁଡ଼ିକ ସେ ନିଜ ବୁଦ୍ଧିବଳରେ ପ୍ରସ୍ତୁତ କରିଥିଲେ। ଏହିପରି ତିନି ଚାରୋଟି ଯନ୍ତ୍ର ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନ ଥିଲା।

ଚନ୍ଦ୍ରଶେଖର ୧୮୯୩ ମସିହାରେ ପରିଣତ ବୟସରେ ଖଣ୍ଡପଡ଼ା ପରିତ୍ୟାଗ କରି ଓଡ଼ିଶାର ପ୍ରାଚୀନ ସହର କଟକକୁ ଆସିଥିଲେ। ୧୮୯୪ରେ କଟକରେ ପ୍ରଥମ ଥର ସେ ଦୂରବୀକ୍ଷଣ ଯନ୍ତ୍ର ଦେଖିଥିଲେ। ୧୮୯୮ରେ ଅଧ୍ୟାପକ ରାୟ ସାମନ୍ତଙ୍କୁ କଟକରେ ଗୋଟିଏ ଘଣ୍ଟା ଓ ଗୋଟିଏ ସୂର୍ଯ୍ୟଘଡ଼ି ଉପହାର ଦେଇ ବହୁ କଷ୍ଟରେ ତାଙ୍କର ଗୋଟିଏ ଫଟୋ ଉଠାଇଥିଲେ। ତେଣୁ କହିବାକୁ ହେବ ଯେ ବିନା ଯନ୍ତ୍ରରେ କେବଳ ଦୃଷ୍ଟି ଦ୍ୱାରା ଚନ୍ଦ୍ରଶେଖର ଅସାଧ୍ୟ ସାଧନ କରିଥିଲେ।

ସେପ୍ଟେମ୍ବର ୧୫, ୧୯୦୨ରେ “ଓଦ୍ଭୟସବଦ୍ଭ ଘବଗ୍ଧସକ୍ଟଦ୍ଭ” ନାମକ ଖବର କାଗଜରେ ଚନ୍ଦ୍ରଶେଖରଙ୍କ ବିଷୟରେ ଗୋଟିଏ ପ୍ରବନ୍ଧରେ ଅଧ୍ୟାପକ ରାୟ ଲେଖିଥିଲେ, “ଦୁଇଟି ଉଦ୍ଦେଶ୍ୟ ନେଇ ମୁଁ ତାଙ୍କ ଗ୍ରନ୍ଥ ମୁଦ୍ରଣର ଦାୟିତ୍ୱ ସ୍ୱଇଚ୍ଛାରେ ନିଜ ଉପରେ ନ୍ୟସ୍ତ କରିଥିଲି। ପ୍ରଥମ ଓ ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାସ୍କରଙ୍କ ଏହି ବୌଦ୍ଧିକ ଦାୟାଦ ଯେଉଁ ବିଶୁଦ୍ଧ ବୈଜ୍ଞାନିକ ପ୍ରତିଭା ଦ୍ୱାରା ଉଦ୍ ବୁଦ୍ଧ ହୋଇଥିଲେ ତାକୁ ଆନ୍ତରିକ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେବା। ଏଥିରୁ କିଏ ତାଙ୍କୁ ବଞ୍ଚିତ କରିପାରିବ, ଯେ ତାଙ୍କୁ କାର୍ଯ୍ୟରତ ଥିଲାବେଳେ ଦେଖି ଆନନ୍ଦ ପାଇଥିବ ଏବଂ ମୋ ପରି ତାଙ୍କ ସହିତ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା କରିଥିବ ? ମୋର ଦ୍ୱିତୀୟ ଉଦ୍ଦେଶ୍ୟ ହେଲା ମୁଁ ପ୍ରମାଣ କରିବାକୁ ଚାହୁଥିଲି ଯେ, ଅତି ପୁରୁଣାକଳିଆ ଯନ୍ତ୍ର ସାହାଯ୍ୟରେ ମଧ୍ୟ ମୋଟାମୋଟି ସଠିକ୍ ଫଳାଫଳରେ ଉପନୀତ ହେବା ଏକବାରେ ଅସମ୍ଭବ ନୁହେଁ, ଯଦି ଜଣକର ଯଥେଷ୍ଟ ଧୈର୍ଯ୍ୟ ଥାଏ ଏବଂ ଦୀର୍ଘଦିନର ଅଭ୍ୟାସ ଥାଏ। ଯେଉଁ ସଂସ୍କୃତ ଜ୍ୟୋତିବିଜ୍ଞାନର ଐତିହାସିକମାନେ କହୁଛନ୍ତି, ଯେ ପ୍ରାଚୀନ ହିନ୍ଦୁ ଜ୍ୟୋତିବିଜ୍ଞାନୀମାନେ ବୈଦେଶିକ ସାହାଯ୍ୟ ବିନା ସେମାନଙ୍କ ଗ୍ରନ୍ଥରେ ଥିବା ଫଳରେ ପହଞ୍ଚି ପାରିନ ଥାନ୍ତେ ଏହା ପରୋକ୍ଷରେ ତାଙ୍କୁ ଗୋଟିଏ ଶିକ୍ଷା।’’

କିନ୍ତୁ ଦୁଃଖର ବିଷୟ ଆମେ ସାମନ୍ତ ଚନ୍ଦ୍ରଶେଖରଙ୍କୁ ଉଚିତ ସମ୍ମାନ ଦେଇପାରି ନାହୁଁ। ଆମେ ଭୁଲିଯିବା ଠିକ୍ ନୁହେଁ ଯେ ଆଧୁନିକ ଜ୍ୟୋତିର୍ବିଜ୍ଞାନର ଆବିର୍ଭାବ ବହୁ ପୂର୍ବରୁ ୨ୟରୁ ୧୨ଶ ଶତାବ୍ଦୀ ମଧ୍ୟରେ ଭାରତରେ ବରାହମିହିର, ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ଭାସ୍କର ପ୍ରଭୃତି ପଣ୍ଡିତମାନେ ଜ୍ୟୋତିର୍ବିଜ୍ଞାନରେ ଶ୍ରେଷ୍ଠ ସ୍ଥାନ ଲାଭ କରିଥିଲେ। ସାମନ୍ତ ଚନ୍ଦ୍ରଶେଖରଏହି ଅମର ଧାରାର ପ୍ରତିନିଧି ମାତ୍ର। ପ୍ରାୟ ୧୧ଶ ଶତାବ୍ଦୀରେ ଶତାନନ୍ଦ ନାମକ ପ୍ରଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଗ୍ରନ୍ଥ “ଭାସ୍ୱତୀ’’ ଏବେ ମଧ୍ୟ ଗ୍ରହଣ ଗଣନାରେ ବ୍ୟବହୃତ ହେଉଅଛି। କିନ୍ତୁ ୧୯ଶ ଶତାବ୍ଦୀର ଶେଷ ଭାଗରେ ଚନ୍ଦ୍ରଶେଖର ପ୍ରାଚ୍ୟ ଜ୍ୟୋତିର୍ବିଜ୍ଞାନୀ ରୂପେ ଉଚ୍ଚସ୍ଥାନ ଅଧିକାର କରିଥିଲେ ଏବଂ ହିନ୍ଦୁ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ପ୍ରଗତି ଆଣି ପାରିଥିଲେ। ତେଣୁ ତାଙ୍କ ସାଧନାର ଫଳ ଓ ବାଣୀର ଯଥୋଚିତ ଚର୍ଚ୍ଚା ଓ ପୁନଃପ୍ରକାଶ ଆବଶ୍ୟକ।

ଚନ୍ଦ୍ରଶେଖର “ସିଦ୍ଧାନ୍ତ ଦର୍ପଣ’’ର ପ୍ରଥମ ପ୍ରକାଶରେ ଯଥାର୍ଥରେ ଲେଖିଛନ୍ତି :-

“ଶ୍ରେଷ୍ଠଂ ସର୍ବଶ୍ରୁତାନାଂ ଶ୍ରୁତମିତିକୃତିଭି ଜ୍ୟୋତିଷଂ ତତ୍ରସାରଃ
ସିଦ୍ଧାନ୍ତସ୍ତତ୍ରଗୋଳସ୍ତଦବଗତଦି କୃତୀ ବର୍ତ୍ତତେ ଯତ୍ର ମର୍ତ୍ତ୍ୟଃ।

ବିଦ୍ ବତ୍ ପୂଜ୍ୟଃ ସ ଦେଶଃ ସକଳକଳୁଷହୃଦ୍ ଧର୍ମଶର୍ମାଶ୍ରୟଃ ସ୍ୟାଦ୍ –
ଯତ୍ରାସ୍ତେ ନୈଷତସ୍ ମିନ୍ ପଶୁଚରିତପରେ ପାପଜାପତ୍ ପ୍ରତାପଃ।’’

ଅର୍ଥାତ୍ “ଶାସ୍ତ୍ରଜ୍ଞ ଧାର୍ମିକ ଲୋକେ କହନ୍ତି, ସବୁ ଶାସ୍ତ୍ର ମଧ୍ୟରେ ଜ୍ୟୋତିଷଶାସ୍ତ୍ର ଶ୍ରେଷ୍ଠ, ଜ୍ୟୋତିଷରେ ପୁଣି ସିଦ୍ଧାନ୍ତ ଶ୍ରେଷ୍ଠ, ସିଦ୍ଧାନ୍ତରେ ଗୋଲ ପୁଣି ସାର ଅଟେ। ଗୋଲଜ୍ଞ ବିଦ୍ୱାନ୍ ଯେଉଁ ଦେଶରେ ଥାନ୍ତି, ସେହି ଦେଶକୁ ବିଦ୍ୱାନ୍ ମାନେ ପୂଜା କରନ୍ତି। ସେ ଦେଶରେ ପାପ ରହେ ନାହିଁ। ଧର୍ମ ଓ ସୁଖ ସେହି ଦେଶକୁ ଆଶ୍ରୟ କରି ରହନ୍ତି। ଯେଉଁ ଦେଶରେ ଗୋଲଜ୍ଞ ବିଦ୍ୱାନ୍ ଲୋକର ଅଭାବ, ସେ ଦେଶରେ ପଶୁପ୍ରବୃତ୍ତ ବଢ଼ିଯାଏ। ଫଳରେ ପାପଜନିତ କୁପ୍ରଭାବ ସେ ଦେଶକୁ ନଷ୍ଟ କରେ।’’

“ଜ୍ୟୋତିର୍ଲୋକବାସୀ ମହାମୁନିଙ୍କର

ଜ୍ୟୋତିର୍ବିଦ୍ ତୁମ୍ଭେ ନିତ୍ୟ ସହଚର
ରହିବ ତାବତ ଭବେ ତୁମ୍ଭ ଯଶ
ଦୀପିବେ ଯାବତ୍ ଏ ଜ୍ୟୋତି ଛାନ୍ଦସ।”

କବିବର ରାଧାନାଥ ରାୟଙ୍କ କାବ୍ୟ “ଦରବାର’ରୁ ଉଦ୍ଧୃତ ଉପରୋକ୍ତ ଧାଡ଼ିଗୁଡ଼ିକ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତି ଉଦ୍ଧିଷ୍ଟ।

ଗୋପୀନାଥ ଦାଶ, କେଦାରନାଥ ମାହାପାତ୍ର, ରବିନାରାୟାଣ ଦାଶ, ପଂଡିତ ନୀଳକଣ୍ଠ ଦାଶଙ୍କ ସଂଦର୍ଭରେ ବହୁ ବିବରଣି ମିଳିଥାଏ।

ବରିଷ୍ଠ ସାମ୍ବାଦିକ

ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

(Image Credit Wiki Pedia)

Leave a Reply

Your email address will not be published. Required fields are marked *