Home ଓଡ଼ିଶା ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା

ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା

115

ଭୁବନେଶ୍ୱର ୧୮-୬ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରି ଦେଲେଣି। ଓଡିଶାରେ ଶାସକ ବିଜେଡି ପୁନର୍ବାର କ୍ଷମତା ଦଖଲ ପାଇଁ ଆପଣାଉଛି ବିଭିନ୍ନ ରଣନୀତି। ଯେହେତୁ ଏହି ଦଳ ସରକାରରେ ଅଛି ତେଣୁ ବିଭିନ୍ନ ଯୋଜନାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା କରୁଛି। ଅପରପକ୍ଷରେ ଏଥର ବିଜେପି ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛି। କେନ୍ଦ୍ରରେ ବିଜେପି ସରକାର ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ କେନ୍ଦ୍ରର ବିଭିନ୍ନ ଲୋକପ୍ରିୟ ଯୋଜନାକୁ ପାଥେୟ କରି ଆଗେଇ ଚାଲିଛି ବିଜେପି। ରାଜ୍ୟ କଂଗ୍ରେସ ବି ପଛରେ ପଡି ନାହିଁ। ନିରଞ୍ଜନ ପଟ୍ଟନାୟକ ପିସିସି ଦାୟିତ୍ୱ ନେବା ପରେ କଂଗ୍ରେସ ରାଜ୍ୟରେ ଏବେ ଦ୍ୱିତୀୟ ବିରୋଧି ଦଳ ପର୍ଯ୍ୟାୟକୁ ଉନ୍ନିତ ହୋଇଛି।

ସେ ଯାହା ହେଉ ବିଜେପି ଏଥର କଳେବଳେ କୌଶଳେ ଓଡିଶାକୁ ଦଖଲ କରିବା ପାଇଁ ବିଭିନ୍ନ ପ୍ରକାର ରାଜନୈତିକ ଫର୍ମୁଲାକୁ ଆପଣାଇବ ବୋଲି ଜଣାପଡିଛି। ବିଜେପିର ଚାଣକ୍ୟ କୁହାଯାଉଥିବା ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏଥିପାଇଁ ତାଙ୍କ ରଣନିତୀ ପ୍ରସ୍ତୁତ କରି ସାରିଥିବା ଅନୁସନ୍ଧାନରୁ ଜଣା ପଡିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଯେତେ ପରଖେଇଲେ ଫଳାଫଳ ପୁର୍ବପରି ଅତୁଟ। ତେଣୁ କ୍ଷମତା ଦଖଲ ପାଇଁ ବିଜେଡି ବିଭାଜନ ହିଁ ଏକମାତ୍ର ବିକଳ୍ପ। ଏହି ଫର୍ମୁଲାରେ ଏବେ ବିଜେପି ରାଷ୍ଟ୍ରୀୟ କୋର୍ ଗୃପର ସଦସ୍ୟ। ମୋହରା ହେଉଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ବୈଜୟନ୍ତ ପଣ୍ଡା। ରଣନୀତି ପ୍ରସ୍ତୁତ ହେଲାଣି ୨୦୧୪ ମସିହାରୁ। ବୈଜୟନ୍ତଙ୍କୁ କବ୍ଜାକୁ ଆଣି ନବୀନଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାର ପ୍ରାକ୍ ପ୍ରସ୍ତୁତି ବହୁ ପୂର୍ବରୁ ସମାପ୍ତ ହୋଇ ସାରିଛି। ଏବେ ତାକୁ ପୂର୍ଣ୍ଣ ରୂପରେଖ ଦେବାର ସମୟ ଆସି ଯାଇଛି। ଘଟଣାଚକ୍ରରେ ବୈଜୟନ୍ତ ଏବେ ବିଜେଡି ଛାଡି ସାରିଛନ୍ତି। କେଉଁ ଦଳରେ ଏ ପର୍ଯ୍ୟନ୍ତ ଯୋଗ ଦେଇ ନାହାଁନ୍ତି। ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ଯୋଗ ସୂତ୍ରରେ ଅଛନ୍ତି। ତାଙ୍କର ଭବିଷ୍ୟତ ରାଜନୈତିକ ରୂପରେଖ କଣ ହେବ ତାହାର କୌଣସି ନିର୍ଦ୍ଧିଷ୍ଟ ଖବର ପଦାକୁ ଆସୁନାହିଁ। ରାଜ୍ୟ ବିଜେପିର ମଙ୍ଗ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ। ତେଣୁ ବୈଜୟନ୍ତଙ୍କୁ ତାଙ୍କ ସମକକ୍ଷ କରି ଉପସ୍ଥାପନ କଲେ ରାଜ୍ୟ ବିଜେପିରେ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏକ ଗୁପ୍ତ ବିକଳ୍ପ ଚିନ୍ତାଧାରାକୁ ନେଇ ଅମିତ ଶାହାଙ୍କ ଆଗାମୀ ଓଡିଶା ଗସ୍ତ ଚୁଡାନ୍ତ ହୋଇଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି। ଯୋଜନା ମୁତାବକ ଖୁବ ଶୀଘ୍ର ଏକ ରାଜନୈତିକ ଦଳ ଗଠନ କରି ପାରନ୍ତି ବୈଜୟନ୍ତ ପଣ୍ଡା। ଆର୍ଥିକ ଦୃଷ୍ଟି କୋଣରୁ ଏହାକୁ ପୂର୍ଣ୍ଣ ସମର୍ଥନ ଦେବ ବିଜେପି। ଏଥିରେ ବୈଜୟନ୍ତଙ୍କ ମୁଖ୍ୟ ଭୂମିକା ରହିବ ବିଜେଡିର ବିଭାଜନ। ବିଜେଡିରେ ଏପରି ଶହ ଶହ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ କାରଣରୁ ଦଳରେ ଅଣନିଶ୍ୱାସୀ। ଏମାନଙ୍କର ଦଳରେ ଆଉ କୌଣସି ପତିଆରା ନାହିଁ। ମୁଷ୍ଟିମେୟ ଯୁବ ଗୋଷ୍ଠୀ ଓ ଅଫିସରଙ୍କ ହାତରେ ଏବେ ବିଜେଡି। ତେଣୁ ଏହି ନେତାମାନେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦୀହିନ। ବୈଜୟନ୍ତଙ୍କ ମାଧ୍ୟମରେ ଏମାନଙ୍କୁ ଆପଣାଇବା ହେବ ବିଜେପିର ମୁଖ୍ୟ କାମ। ଏମାନଙ୍କ ଛଡା ବିଜେଡିରେ ଅନେକ ଆଗ ଧାଡିର ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ଦୁର୍ନିତୀରେ ଛନ୍ଦି ହୋଇ ପଡିଛନ୍ତି। ସେମାନଙ୍କର ଏକ ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହୋଇ ସାରିଛି। ସେମାନଙ୍କୁ ବୈଜୟନ୍ତଙ୍କ ସହିତ ସାମିଲ କରିବା ପାଇଁ ବାଧ୍ୟ କରାଯିବ।

ତେଣୁ ଏପରି ଏକ ରାଜନୈତିକ କୌଶଳକୁ ଆପଣେଇ ବିଜେପି ଆସନ୍ତା ନିର୍ବାଚନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଏହା ଦ୍ୱାରା ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ଭିତରେ କୌଣସି ରାଜନୈତିକ ପ୍ରତିଦ୍ୱନ୍ଦିତା ରହିବ ନାହିଁ। ଏହି ଦୁଇ ଦଳ ଯଦି ନିର୍ବାଚନରେ ସଫଳ ହୁଅନ୍ତି ତେବେ ନିର୍ବାଚନ ପରେ ଦୁଇ ଦଳ ମଧ୍ୟରେ ସହବନ୍ଧିତା ହେବ। ଧର୍ମେନ୍ଦ୍ର ରାଜ୍ୟ ରାଜନିତୀରେ ରହିବେ ଓ ବୈଜୟନ୍ତ କେନ୍ଦ୍ରକୁ ଯିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.