Home ଅନୁଗୁଳ ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

828

ଦଳରେ ବହୁତ ଅଳିଆ ଭର୍ତ୍ତି ହେଇ ଗଲାଣି – ବଜରଙ୍ଗ ଦଳ
ଭୁବନେଶ୍ୱର:ଓଡ଼ିଶାରେ ଭାଜପାର ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାର ମଧ୍ୟରେ ଗୁରୁତ୍ୱର ଫାଟ ସୃଷ୍ଟି ହୋଇଛି।ସଙ୍ଗଠନ ଭିତରେ ବିଦ୍ରୋହ ଦେଖାଦେଇଛି।ଦଳ ବଦଳ ନୀତିରେ ଅନ୍ୟ ଦଳରୁ ଆମଦାନୀ କରି ଟିକେଟ ବଣ୍ଟନ ପ୍ରକ୍ରିୟାରେ ଅନେକ ସ୍ଥାନରେ ରାଷ୍ଟ୍ରବାଦ ତଥା ହିନ୍ଦୁତ୍ୱ ଚିନ୍ତାଧାରାକୁ ବିରୋଧ କରି ଆସୁଥିବା ଅନେକ ନେତାଙ୍କୁ ଭାଜପା ଟିକେଟ ଦେଇଛି।ଅପରାଧୀ, ମାଫିଆ ,ଅର୍ବାନ ନକ୍ସଲ ଏବେ ଓଡ଼ିଶା ଭାଜପାର ସାଥି ପାଲଟି ଯାଇଛନ୍ତି।ଏହାକୁ ଅନେକ ସ୍ଥାନରେ ଗ୍ରହଣ କରିପାରୁ ନାହାଁନ୍ତି ଭାଜପାର ମୂଳ ସଙ୍ଗଠନର କାର୍ଯ୍ୟକର୍ତ୍ତା,ସଂଘର ସ୍ୱୟଂ ସେବକ ଏବଂ ଆନୁସଙ୍ଗିକ ସଙ୍ଗଠନ ଭିଏଚପି ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା।

ବିଜେପିରେ ଟିକେଟ ବଣ୍ଟନରେ ଅସନ୍ତୋଷ ଅନେକ ସ୍ଥାନରେ ରହି ଆସିଥିବା ବେଳେ ସୁବାସ ଚୌହାନଙ୍କର ଟିକେଟ କଟିବା,ସାରା ରାଜ୍ୟରେ ସଂଘ ପରିବାର ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଦେଲା।ଆରଏସଏସର ପଶ୍ଚିମ ଓଡ଼ିଶା ସଂଘ ଚାଳକ ବିପିନ ନନ୍ଦ ଏହି ଟିକେଟ ବଣ୍ଟନ କାରବାରରେ ସଂପୃକ୍ତ ନେଇ କଥା ଉଠିଲା।ଟିକେଟ ବଣ୍ଟନରେ ଟଙ୍କା କାରବାର ଅଭିଯୋଗ ମଧ୍ୟ ଉଠିଲା।ଏପରିକି ବିପିନ ନନ୍ଦଙ୍କୁ ସଂଘ ଚାଳକ ପଦରୁ ହଟାଯାଉ ନେଇ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର କୁଞ୍ଜେଲପଡ଼ା ସ୍ଥିତ ସଂଘ କାର୍ଯ୍ୟାଳୟ ସଂସ୍କୃତି ଭବନ ଘେରାଉ ହେଲା।ସଂଘ ପରି ଏକ କଠୋର ଅନୁଶାସନ ମଧ୍ୟରେ ରହୁଥିବା ସଙ୍ଗଠନରେ ପ୍ରାନ୍ତ ସଂଘ ଚାଳକଙ୍କ ବିରୋଧରେ ବିଶୋଦ୍ଗାର ସଂଘ ପାଇଁ ଏକ ଉଦବେଗ ଜନକ ଏବଂ ଚିନ୍ତାଜନକ ଘଟଣା।ସେହିପରି ପୂର୍ବ ଓଡ଼ିଶାରେ ମଧ୍ୟ ଟିକେଟ ବଣ୍ଟନରେ ଅନିୟମିତତା ନେଇ ସଂଘର ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ଉଠୁଛି।ସଂଘର ସଂପୃକ୍ତ ଅଧିକାରୀ ଜଣଙ୍କର ଭାଇ ଏବେ ଭାଜପାର ରାଜ୍ୟ ପ୍ରବକ୍ତା।

ଯାଜପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇ ଭାଜପାର ବିରୋଧରେ ବିଦ୍ରୋହ ଦେଖାଦେଇଛି।ରାତି ଅଧିଆ ଅଣ ହିନ୍ଦୁତ୍ୱ ବିଚାରଧାରା ଲୋକଙ୍କୁ ଆଣି ଟିକେଟ ଦେଇ ଭାଜପା ଭୁଲ କରୁଛି।ଭାଜପା ଆମକୁ ବିଶ୍ୱାସକୁ ନେଉନି ବୋଲି ଭିଏଚପି ଅଭିଯୋଗ କରିଛି।ଅତ୍ୟଧିକ ଆମଦାନୀ ନୀତିରେ ଭାଜପା ଏବେ ଦଳ ଭିତରେ ଗୁଡ଼ାଏ ଅଳିଆ ଭର୍ତ୍ତି କରିଦେଲାଣି ବୋଲି ବଜରଙ୍ଗ ଦଳ କହିଛି।ବିଶେଷତଃ ମୋହନ ଜେନାଙ୍କୁ ନେଇ ଅସନ୍ତୋଷ ତୀବ୍ର ହେଇଛି।ଭିଏଚପି ପ୍ରବକ୍ତା ଚିନ୍ମୟ ସ୍ୱରୂପ ପଣ୍ଡା କହିଛନ୍ତି, “ବିଚାର ଦୃଷ୍ଟିରୁ ଏ’ କଥା ସ୍ପଷ୍ଟ ଯେ ବିଜେପିକୁ ସମର୍ଥନ କରିବା ନେଇ କିଛି ଦ୍ବିମତ ହେବାର ନାହିଁ।ଯେ କୌଣସି ଦଳରୁ ଆସି ବିଜେପିରେ ମିଶିବାକୁ ମଧ୍ୟ ଦଳ ସ୍ୱାଗତ କରୁଛି,କିନ୍ତୁ ଟିକେଟ ନ’ ପାଇବା କାରଣରୁ ଅନ୍ୟ ଦଳ ଛାଡି ଯେଉଁମାନେ ରାତି ଅଧିଆ ଆସି, ବିଜେପିରେ ମିଶି ଟିକେଟ ହାତେଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବିଶ୍ବହିନ୍ଦୁ ପରିଷଦ ସମର୍ଥନ ଦେବ ନାହିଁ”।ଯେଉଁମାନେ ଅତୀତରେ ବିଜେପିରେ ବର୍ଷ ବର୍ଷ ଧରି ଖଟିଛନ୍ତି,ସଙ୍ଗଠନର ସୁଖ ଦୁଃଖରେ ଭାଗି ହୋଇଛନ୍ତି ଓ ହିନ୍ଦୁତ୍ୱ ବିଚାରକୁ ଗ୍ରହଣ କରି ସଙ୍ଗଠନର ପ୍ରତେକ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼େଇଛନ୍ତି,ସେମାନଙ୍କ ବ୍ୟତୀତ ବିଜେପି ଯଦି ଅନ୍ୟ କାହାକୁ ଟିକେଟ ଦିଏ ତାଙ୍କୁ ବଜରଙ୍ଗ ଦଳ ସହଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ଏହିପରି ବିବାଦ ଯେ କେବଳ ସମ୍ବଲପୁର କିମ୍ବା ଯାଜପୁରରେ ନାହିଁ।ଏପରି ଅସନ୍ତୋଷ ଏବେ ଭୁବନେଶ୍ୱର, କଟକ, ସମ୍ବଲପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ, କୋରାପୁଟ,କଳାହାଣ୍ଡି ଠାରୁ ଆରମ୍ଭ କରି ସାରା ରାଜ୍ୟରେ।ଲକ୍ଷାଧିକ ଭୋଟରେ ହାରିଥିବା ଏବଂ ଦଳୀୟ ଶୃଙ୍ଖଳା ନ’ମାନି ପୂର୍ବରୁ ସ୍ୱାଧୀନ ପାର୍ଥି ହୋଇଥିବା ରୁଦ୍ରପାଣିଙ୍କୁ ଟିକେଟ ଦିଆଯାଉଛି।ଅଥଚ ସବୁଠାରୁ ବଡ଼ ଟକ୍କର୍ ଦେଇଥିବା ସୁବାସ ଚୌହାନଙ୍କର ଟିକେଟ କାଟି ଦିଆଯାଉଛି।ସଙ୍ଗଠନ ପାଇଁ କାମ କରି ଆସିଥିବା ଏବଂ ନିଜ ଅଞ୍ଚଳରେ ସଙ୍ଗଠନକୁ ସଦୃଢ଼ କରିଥିବା ରାଜକିଶୋର ଦାସ, ମିନକେତନ ଅମାତଙ୍କ ପରି ନେତାଙ୍କ ସହ ପ୍ରତାରଣା କରାଯାଇଛି।ବ୍ରହ୍ମପୁର ଯେଉଁଠି ସଙ୍ଗଠନ ଅତ୍ୟନ୍ତ ଦୁର୍ବଳ ସେଠାରେ ବରଂ ଅନ୍ୟ ଦଳରୁ ନେତା ଆଣି ପାର୍ଥି କରିବା ପରିବର୍ତ୍ତେ ସେହି ପ୍ରଭାବୀ ଗୋଷ୍ଠୀର ଭୃଗୁ ବକ୍ସିପାତ୍ର ପରି ଦୁର୍ବଳ ପାର୍ଥିଙ୍କୁ ଟିକେଟ ଦେଇଛି ବିଜେପି।ଏ’ ସବୁକୁ ନେଇ ଦଳ ଏବଂ ସଙ୍ଗଠନ ମଧ୍ୟରେ ବିଭିନ୍ନ ସ୍ଥାନରେ ତୀବ୍ର ଅସନ୍ତୋଷ ରହିଛି।ଅନେକ ସ୍ଥାନରେ ସଂଘ ସ୍ୱୟଂ ସେବକ ମାନେ ନିରବ ହୋଇ ବସି ଯାଇଛନ୍ତି।ସଂଘ ବୈଠକରେ ମଧ୍ୟ ଭାଜପାକୁ ଅସହଯୋଗ କରିବାକୁ ସ୍ୱୟଂ ସେବକ ମାନେ ବରିଷ୍ଠ ଅଧିକାରୀଙ୍କ ଆଗରେ କହି ଦେଇଥିବା ଜଣାପଡ଼ିଛି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.