ସଂଗ୍ରାମୀ ଦାୟଦ ସୁଜାତା ପଣ୍ଡାଙ୍କ ଉଦ୍ଧାରକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୨୦/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି):ରାଜଭବନରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇ ଘରକୁ ଫେରୁଥିବା ବେଳେ ଭୁଲକ୍ରମେ ଟ୍ରେନ୍ ରେ ବାଲେଶ୍ୱର ଚାଲି ଆସିଥିବା ଜୟପୁର ସଂଗ୍ରାମୀ ପରିବାରର ଦାୟଦ ସୁଜାତା ପଣ୍ଡାଙ୍କୁ ମ୍ରିୟମାଣ ଅବସ୍ଥାରେ ସହଯୋଗ କରିଥିବା ଯୁବକ ଦେବପ୍ରିୟ ସାମଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ବିଳମ୍ବିତ ରାତିରେ ଜଣେ ଅସହାୟ ମହିଳାଙ୍କୁ ନେଇ ଉଚିତ ସ୍ଥାନରେ ପହଞ୍ଚାଇ ଶ୍ରୀ ସାମଲ ପ୍ରକୃତ ମାନବିକତାର ପରିଚୟ ଦେଇଛନ୍ତି ବୋଲି ସେ କହିଥିଲେ। ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ତାଙ୍କର ଏହି ଉଦାରତାପୂର୍ଣ୍ଣ କାର୍ଯ୍ୟ କେବଳ ତାଙ୍କୁ ସଂସ୍କାର ଦେଇଥିବା ପିତାମାତା ନୁହନ୍ତି ବରଂ ବାଲିଆପାଳ ଅଞ୍ଚଳକୁ ଧନ୍ୟ କରିଦେଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ସାମଲ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ। ମାନବିକତା ଦୃଷ୍ଟିରୁ ସେ ତାଙ୍କର କର୍ତ୍ତବ୍ୟ କରିଥିବା ବେଳେ ଏହି ସମ୍ବର୍ଦ୍ଧନା ତାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ଏହ ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଶ୍ରୀ ସାମଲଙ୍କ ବଡ଼ବାପା ଡକ୍ଟର ମାନସ ରଂଜନ ସାମଲ ପ୍ରଶାସନର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ଏଥିରେ ମାନପତ୍ର ପାଠ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ। ସେହିଭଳି ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଶ୍ରୀ ସାମଲଙ୍କୁ ଆଜି ସଂଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଛି। ସଦର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ରାଣୀପାଟଣା ଛକସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏହି ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପୌରପାଳ ଆଲୋକ କୁମାର ସାହୁ ଏଥିରେ ଉପସ୍ଥିତ ରହି ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ କାଉନସିଲରଙ୍କ ସମେତ ବିଜେଡିର ବହୁ କର୍ମୀ ଏଥିରେ ଉପସ୍ଥିତ ଥିଲେ। ବାଲିଆପାଳ ବ୍ଲକ ଅନ୍ତର୍ଗତ ଚକବ୍ରହ୍ମ ଅଞ୍ଚଳରେ ୧୯୯୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ସାମଲ। ଭାରତୀୟ ସେନା ବାହିନୀରୁ ଅବସରପ୍ରାପ୍ତ ପିତା ତାପସ ରଂଜନ ସାମଲ ଓ ମାତା ସଂଯୁକ୍ତା ସାମଲଙ୍କ ସଂସ୍କାରରେ ବଢ଼ି ଦେବପ୍ରିୟ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକତ୍ତୋର ଉତ୍ତୀର୍ଣ୍ଣ ହୋଇ ଏବେ ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ୱ ବିଦ୍ୟାଳୟରେ ପିଏଚଡି କରୁଛନ୍ତି। ଭୁବନେଶ୍ୱରରୁ ଉତ୍କଳ ଏକ୍ସପ୍ରେସ ଟ୍ରେନ୍ ରେ ୧୭ ତାରିଖରେ ଫେରୁଥିବା ବେଳେ ବାଲେଶ୍ୱର ରେଳ ଷ୍ଟେସନରେ ସେ ଶ୍ରୀମତୀ ପଣ୍ଡାଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦେଖିଥିଲେ। ମାନସିକ ଭାରସ୍ୟାମ ହରାଇ ରେଳ ଧାରଣା ପାଶ୍ୱର୍ରେ ଚାଲି ଚାଲି ଯାଉଥିବା ବେଳେ ସେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆରପିଏଫ ଓ ପରେ ଜିଆରପି ନିକଟରେ ଜିମା ଦେଇଥିଲେ।

Leave a Reply

Your email address will not be published. Required fields are marked *