ରେବତୀ ଆଖିର ଲୁହ

ଶ୍ରୀ ବିଦ୍ୟାଧର ସେଠୀ

ନିରିମାଖି ରେବତୀ ଲୋ’
କେତେଯେ କଷଣ ସହିଲୁ
ଛାତିରେ ପଥର ସହି
ତତଲା ଆଖିର ଲୁହ …
ଶୁଖିଲା ଓଠରେ ପିଇଲୁ।

ଇଛାଥିଲା ଗଢିବାକୁ
ଆକାଂକ୍ଷିତ ସ୍ୱପ୍ନର ମହଲ
ଆକାଶରୁ ତୋଳିବାକୁ
ଚୂନାଚୂନା କେତେ ତାରା ଫୁଲ
ବିଶାଳ ଏ ପାରାବାରେ
ଶାମୁକାର ସନ୍ଧାନରେ
ବେଳେବେଳେ ହଜିଯାଉ
ଉଛୁଳା ଢେଉରେ
ବନ୍ଦିନୀ ଜୀବନେ ତୋର
ମୁକ୍ତିର ଅଭିଲାଷୀ ସାଜି
ସଞ୍ଜବଳିତା ହୋଇ ଜଳିଲୁ।

ଯଦିଚ ନିଜେ ଜଳି ଦେଖାଇଲୁ
ଆଶାର ଆଲୋକ ବର୍ତ୍ତିକା
ନାରୀର ଜାଗୃତି ପାଇଁ
ସ୍ୱୟଂ ରଚିଗଲୁ ଅମୋଘ ପୁସ୍ତିକା
ପରନ୍ତୁ ନିର୍ଜନ ରାସ୍ତାରେ
ଏକା ଏକା ଚାଲିବାରେ
ନା ଅଛି ମୌଳିକ ଅଧିକାର
ନା ସ୍ୱାଧୀନ ବିଚାର ଅବା ସ୍ୱାଧିକାର
ଖାଲି ଯାହା ଅନ୍ଧାର ରାତ୍ରିରେ
କଇଁକଇଁ ହୋଇ କାନ୍ଦିଲୁ।

ଲୋ’ ରେବତୀ…
ନା ତୁ ଦୁର୍ବଳା, ନା ଅବଳା
ବରଂ ଦୁର୍ଗତିନାଶିନୀ ମା’ ଦୁର୍ଗା
ଛିନ୍ନମସ୍ତା ଚଣ୍ଡୀ ଚାମଣ୍ଡାର
ଭିନ୍ନ ଏକ ପ୍ରତିରୂପ
ଖଡ୍ଗ ଖର୍ପର ଧରି
ଦୁଷ୍ଟ ଦାନବର ତାଜା ରକ୍ତ ପିଇବାକୁ
କେମିତି ଯେ ଭୁଲିଗଲୁ…?

ରେବତୀ ଲୋ’…
ନିଜକୁ ନିରିମାଖି ଭାବିଲେ ଅଡୁଆ
ତୁ ପରା ସୃଷ୍ଟିର ଉତ୍ପତ୍ତି
କେବେତ ସମ୍ଭାବନାର ବିଶାଳ ଧରିତ୍ରୀ
ପୁଣି କେବେ ସଂହାରକର୍ତ୍ତୀ
ଜ୍ୱଳନ୍ତ ଜ୍ୱାଳାମୁଖୀ
କାହାର ଦାୟଦୀ ତୁ
କଣ ମନେ ନାହିଁ ତୋ’ର
ଲକ୍ଷ୍ମୀବାଈ, ଇନ୍ଦିରା, ସରୋଜିନୀ, ନନ୍ଦିନୀ
କଳ୍ପନା, ସୁନିତା, ତୁଳସୀ ମୁଣ୍ଡା କଥା
କାହିଁକି ମନରୁ ପାସୋରିଲୁ…?

ବ୍ୟକ୍ତିଗତ ସହାୟକ
ଜିଲ୍ଲା ପରିଷଦ କାର୍ୟ୍ୟାଳୟ, ବାଲେଶ୍ଵର
ଓଡ଼ିଶା, ୭୫୬୦୦୧

Leave a Reply

Your email address will not be published. Required fields are marked *