ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ଆବଶ୍ୟକ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ

– ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ପ୍ରତୀକ ମହାପ୍ରଭୁଙ୍କର ରଥ ଯାତ୍ରା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି
ପୁରୀ ୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ପରିଚୟ। ତାଙ୍କର ଘୋଷଯାତ୍ରାକୁ ସୁରୁଖୁରୁର ସହ ସଂପନ୍ନ କରିବା ଦାୟିତ୍ୱ ପ୍ରତ୍ୟେକଙ୍କ। ବିଶ୍ୱବାସୀ ରଥଯାତ୍ରାକୁ ଚାହିଁ ବସିଥାନ୍ତି। ଓଡ଼ିଶାର ପ୍ରଚାର ପ୍ରସାର ପାଇଁ ଏହା ଏକ ସୁଯୋଗ। ଘୋଷଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଯାତ୍ରୀଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏ ଦିଗରେ ସମସ୍ତଙ୍କର ସହଯୋଗ ଜରୁରୀ। ସେବାୟତ ମାନଙ୍କର ଘୋଷ ଯାତ୍ରାରେ ଗୁରୁଦାୟିତ୍ୱ ରହିଥିବାରୁ ସେ ରଥଯାତ୍ରାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରଥଯାତ୍ରାର ରୂପରେଖ ଉନ୍ମୋଚିତ ହୋଇଥିଲା।

ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ପଞ୍ଚାୟତ ରାଜମନ୍ତ୍ରୀ ପ୍ରଦୀପ୍ତ ମହାରଥୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ ଡିଜି. କୁଅଁର ବ୍ରଜେସ୍ ସିଂ, ଅତିରିକ୍ତ ଡ଼ିଜି ବିନୟା ନନ୍ଦଝା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ ଜେନା, ଆରଡ଼ିସି ଅଟଳ ବିହାରୀ ଓତା, ଆଇନ ସଚିବ ବିଭୁ ପ୍ରସାଦ ରାଉତରାୟ, ଏସ୍ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପରିସଦ ସଭାପତି ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ମଞ୍ଚାସୀନ ଥିଲେ।

ବୈଠକରୁ ସୂଚନା ମିଳିଥିଲା ଘୋଷଯାତ୍ରା ପାଇଁ ଆବଶ୍ୟକୀୟ ରଥକାଠ ରଥଖଳାରେ ପହଞ୍ଚି ସାରିଛି। ଆବଶ୍ୟକ ଝୁଣା, ଚନ୍ଦନକାଠ, ବିଜେଡ଼ୋରୀ, କସ୍ତୁରୀ ଓ ଚନ୍ଦନ ମହଜୁଦ ରହିଛି। ନୀତି ଶୃଙ୍ଖଳିତ ପାଇଁ ନୀତି ନିର୍ଦ୍ଦଣ୍ଟ ସବ୍କମିଟି ଦ୍ୱାରା ପ୍ରସ୍ତୁତି ହୋଇ ପରିଚଳାନା କମିଟିର ଅନୁମୋଦନ ଲାଭ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାତ୍ରା ସମୟରେ ସହର ଓ ସହର ବାହାରେ ୫୫ଟି ଆମ୍ବୁଲାନ୍ସ ମୃତୟନ କରାଯିବା ସହ ୩୧ଟି ପ୍ରାଥମିକ ଚିକିତ୍ସାକେନ୍ଦ୍ର ଖୋଲାଯିବ। ସଦର ମୁଖ୍ୟଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ୭୦ଟି ବେଡ଼ ସରଂକ୍ଷିତ ରଖାଯିବ।

ସିଂହଦ୍ୱାର ନିକଟରେ ଅଂଶୁଘାତ କକ୍ଷ ସମେତ ମାଳତୀପାଟପୁର ବସଷ୍ଟାଣ୍ଡରେ ସ୍ୱତନ୍ତ୍ର ଭାବେ ସଲ୍ୟ ବିଶେଷଜ୍ଞଙ୍କୁ ଡ୍ୟୁଟିରେ ମୃତୟନ କରାଯିବ। ୫୧ ଜଣ ବିଶେଷଜ୍ଞ ଏବଂ ୧୩୬ ଜଣ ଡାକ୍ତର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୮ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ୨୫୦ଟି ହ୍ୟାଣ୍ଡ ପମ୍ପ ଏବଂ ୭୫୦ଟି ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ମଧ୍ୟ ଜଳଯୋଗାଣ କରାଯିବ।୨ଟି ସ୍ପ୍ରେୟର ସାହାଯ୍ୟରେ ଲୋକମାନଙ୍କ ଉପରେ ଜଳସିଞ୍ଚନ କରାଯିବ। ପାଞ୍ଚୋଟି କଂଣ୍ଟ୍ରୋଲ ରୁମ୍ କାର୍ଯ୍ୟକରିବା ସହ ଜଳନମୁନା ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯିବ।

ପୌରସଂସ୍ଥା ପକ୍ଷରୁ ସଫେଇ କର୍ମଚାରୀଙ୍କ ବ୍ୟତୀତ ଯାତ୍ରା ସମୟରେ ଅଧିକ ୧୬୧ ଜଣ ସଫେଇ କର୍ମଚାରୀଙ୍କୁ ନିଯୋଜିତ କରାଯିବ। ବର୍ତ୍ତମାନ ସୁଦ୍ଧା ସହର ମଧ୍ୟରେ ଥିବା ଟୟଲେଟର ସଫେଇ କାର୍ଯ୍ୟ ଓ ସହରର ନାଳସଫା କାର୍ଯ୍ୟ ଶେଷ କରାଯାଇଛି। ୩୨ଟି ହାଇମାଷ୍ଟଲାଇଟର ମରାମତି କାର୍ଯ୍ୟ କରାଯାଇଛି। ରଥ ଯିବା ସମୟରେ ୧୧ଜଣିଆ ସଫେଇ ଦଳ ରହିବେ। ପୂର୍ତ୍ତ କର୍ତ୍ତୃପକ୍ଷ ଦର୍ଶାଇଥିଲେ ଯେ ପର୍ଯ୍ୟୟ କ୍ରମେ ରଥ ନିର୍ମାଣର ତଦାରଖ କାର୍ଯ୍ୟ କରାଯାଉଛି। ସହରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଓ ସହର ମଧ୍ୟର ୭୧ଟି ରାସ୍ତାର ମରାମତି କାର୍ଯ୍ୟଶେଷ ହୋଇଛି। ପାର୍କିଂ ସ୍ଥାନ ଗୁଡ଼ିକୁ ମଧ୍ୟ ଉପଯୋଗୀ କରାଯିବା ସହ ତାଳବଣିଆ ଅସ୍ଥାୟୀ ବସ୍ ଷ୍ଟାଣ୍ଡରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଉଛି। ଜାତୀୟ ରାଜପଥ ପକ୍ଷରୁ ଚାଲିଥିବା ସମଜାଜପୁର ଓଭରବ୍ରିଜ ଦ୍ୱିତୀୟ ରାସ୍ତା ନିର୍ମାଣ କାର୍ଯ୍ୟ ଆସନ୍ତା ୨୦ ତାରିଖ ସୁଦ୍ଧାଶେଷ ହେବ। ସେହିଭଳି ମଙ୍ଗଳାଘାଟ ଷ୍ଟର୍ଲିଂ ରିସର୍ଟ ରାସ୍ତାର ମରାମତି କାର୍ଯ୍ୟ ମଧ୍ୟ ୨୨ତାରିଖ ମଧ୍ୟ ଶେଷ ହୋଇଯିବ।

ଆଇଜୀ ଅଧୀକ୍ଷକ କହିଥିଲେ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଓ ସୁରକ୍ଷା ନିମନ୍ତେ ୧୨୫ ପ୍ଲାର୍ଟୁନ ଫୋର୍ସ ଓ ୨୪ ଶହ ହୋମଗାର୍ଡ଼ଙ୍କୁ ମୃତୟନ କରାଯିବ।୧୦ ଜଣ ଏସ୍ପି ଓ କମାଣ୍ଡାଣ୍ଟ, ୧୫ଜଣ ଅତିରିକ୍ତ ଏସପି, ୮୫ ଜଣ ଡ଼ିଏସ୍ ପି ଓ ଡ଼େପୁଟି କମାଣ୍ଡାଣ୍ଟ,୮୫ ଜଣ ଇନିସ୍ପେକ୍ଟର, ୫୫୦ ଜଣ ଏସ୍ଆଇ ଓ ଏଏସ୍ଆଇ, ୨ ପ୍ଲାଟୁନ ଏସ୍ଓଜି, ୨ ପ୍ଲାଟୁନ ର୍ୟାପିଡ଼ ଆକ୍ସନ ଫୋର୍ସ ମୃତୟନ ହେବେ।

ଉପକୂଳ ସୁରକ୍ଷାର ସୁରକ୍ଷା ପାଇଁ ତଟରକ୍ଷୀର ବାହିନୀ ଓ ଏନ୍ଡ଼ିଆରଏଫ୍ ଫୋର୍ସଙ୍କୁ ମୃତୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଅଗ୍ନିଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ସମେତ ମେଳା ସ୍ଥାନରେ ଦମକଳ ଗାଡ଼ି ମୃତନୟ କରାଯିବ। ମାଳତୀପାଟପୁର ଓ ତାଳବଣିଆରେ ସ୍ୱତନ୍ତ୍ର ଭାବେ ଦମକଳ ଗାଡ଼ିରହିବ।

ତୀର୍ଥ ପୁଷ୍କରିଣୀ ଓ ବେଳାଭୂମିରେ ଆବଶ୍ୟକୀୟ ସୁରକ୍ଷା ସରଂଜାମ ସହ ଆଗ୍ନିକ ମାନଙ୍କୁ ମୃତୟନ କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ୪ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ସ୍ପେଶାଲ ସ୍କ୍ୱାର୍ଡ଼ ଆପାଦକାଳୀନ ସ୍ଥିତିରେ କାର୍ଯ୍ୟ କରିବେ। ରେଳବାଇ ପକ୍ଷରୁ ୧୮୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାସହ ପୁରୀରେ ୩୬ଟି ଅଧିକ ବୁକିଂ କାଉଣ୍ଟର ଖୋଲାଯିବ।

ମେଳା ସେଟ୍ ସହ ଯାତ୍ରୀଙ୍କ ଖାଇବା ଓ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ବ୍ୟବସ୍ଥାର କରାଯାଇଥିବା ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୧୧ଟି ସୂଚନା କେନ୍ଦ୍ର ଖୋଲାଯିବ। ଡ଼ିଜିଟାଲ ଡ଼ିସ୍ପ୍ଲେ ବୋର୍ଡ ମାଧ୍ୟମରେ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯିବ। ପଲିଶ୍ରୀ ମେଳାରେ ପ୍ରଦର୍ଶନୀ ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କଳାବଜାରୀ ରୋକିବା ପାଇଁ ୭ଟି ସ୍କ୍ୱାର୍ଡ ଯାତ୍ରା ସମୟରେ କାର୍ଯ୍ୟ କରିବେ ବୋଲି ଅଧିକାରୀ ବୈଠକରେ ସୂଚନା ଦେଇଥିଲେ ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ସେବାୟକ ଓ ଗଣ ମାଧ୍ୟ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଆଜିର ଏହି ବୈଠକ ପାଇଁ ବୈଠକ ସ୍ଥଳ ଓ ସହରର ପ୍ରମୁଖ ଅଞ୍ଚଳରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜ୍ୟୋୟଲ ଓରାମଙ୍କ ଉପରେ ଅଣ୍ଡା ମାଡ଼ର ପ୍ରତିବାଦ କରି ବିଜେପି କର୍ମୀ ମାନେ ବିକ୍ଷୋବ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସ୍ଥଳରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା।

Leave a Reply

Your email address will not be published. Required fields are marked *