ରାଜା ଝିଅ ସାଥେ ରଜ

ଶୈବାଳିନୀ ସାହୁ

ରାଜା ଝିଅ ତମେ ରାଜି ହେବ ଯଦି
ରଜ ଦିନ ଚାଲ ବସିବା ମିତ
ତୁମ ପାଇଁ ଦୋଳି ବାନ୍ଧୁଥିବି ମୁହିଁ
ତୁମେ ମୋତେ ନେଇ ବାନ୍ଧିବ ଗୀତ ।

ବଢ଼ିଲା ନଈର ସୁଅ ପରି ଥରେ
ଏସନ ରଜରେ ଆସିବ ଧାଇଁ
ମୋ ଛୋଟ ପଲ୍ଲୀର ପାଣି ଓ ପବନ
ତୁମ ଆସିବାକୁ ଅଛି ଅନେଇ ।

ପାଣିକାଚ ଚୁଡ଼ି ରୂପାର ପାଉଁଜି
ନାଲି ବିନ୍ଦି ରଖିଥିବି ସାଇତି
ସାତ ସପନ ମୋ ଏ ଛୋଟ ପଲ୍ଲୀରେ
ହୀରା ନୀଳା ଅବା ମାଣିକ ମୋତି ।

ଆଦ୍ୟ ଆଷାଢର ଟୋପି ଟୋପି ବର୍ଷା
ମିତ ବସିବାରେ ଦେବ କି ବାଧା
ରାଜା ଝିଅ ତମେ ବର୍ଷାରେ ଭିଜିବ
ମୋତେ ବି ଭିଜାଇ କରିବ ଓଦା ।

ବନସ୍ତୁଁ ଶୁଭିବ ଗଜରାଜ ଡ଼ାକ
“ଦେଖରେ ଦେଖରେ ଦେଖିବ ଆସ
ପଲ୍ଲୀ ପିଲାଟିର ପ୍ରୀତିରେ ଗୀତିରେ
ରାଜା ଝିଅ ଆଜି ହୋଇଛି ବଶ ।”

ରକ୍ଷୀ ନଥିବେ କି ସଖୀ ବି ନଥିବେ
ରାଜା ଝିଅ ତମେ ମୋ ସାଥେ ମିଶି
ମିଠା ପାନଟିଏ ଖାଉଥିବ ବସି
କୁଆଡ଼ୁ ଯେ ନିଶା ଘାରିବ ବେଶି ।

ମିଛ କ୍ଷୀର ସର ଦାସୀ ଓ ପୋଇଲି
ଗଜଦନ୍ତ ଶେଯ କେତେ ଯେ ସତ
ସୁବର୍ଣ୍ଣପୁରୀର ସୁବର୍ଣ୍ଣ ଦୋଳିରେ
ରାଜା ଝିଅ ସାଥେ ଅଛି କି ମିତ ।

ଉପସଭାପତି -ପୁଣ୍ଯତୋୟା ଜାହ୍ନବୀ ସାହିତ୍ଯ ସଂସଦ

ସେ-ଏ , ପ୍ଲଟ୍‌ ନଂ -୯୪
ମେଟ୍ରୋ ପଲିଟିୟାନ କୋପାରେଟିଭ୍‌ ହାଉସିଂ ସୋସାଇଟି
କଲିକତା -୭୦୦୧୦୫

(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *