ଆମ ପର୍ବ ପର୍ବାଣୀ

ଆସୁଛି ରଜ

– ଦେବବ୍ରତ ଦେବତା

ରଜ ଆସିଛି। ବର୍ଷକର ପ୍ରତିକ୍ଷାର ଅନ୍ତ ଘଟାଇ ରଜ ଆସିଛି ପୁରପଲ୍ଳୀ ନଗର ଲୋକମାନଙ୍କ ମନରେ ଅଫୁରନ୍ତି ଆନନ୍ଦ। ବାରମାସରେ ତେରପର୍ବ ମଧ୍ୟରେ ରଜ ହେଉଛି କୃଷିଭିତ୍ତିକ ଗଣପର୍ବ। ଆନନ୍ଦ ଉତ୍ସାହ ସ୍ନେହ ପ୍ରିତି ଭାଇଚାରାର ପ୍ରତିକ ରଜପର୍ବ। ଏହା କୃଷି ଭିତ୍ତିକ ପର୍ବ ହେଲେ ମଧ୍ୟ ସମସ୍ତେ ଏ ପର୍ବକୁ ଉପଭୋଗ କରିଥାନ୍ତି। ଝିଅ, ବୋହୁ, ପିଲା, ବୃଦ୍ଧ, ଯୁବକ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ।

କୃଷକ ବର୍ଷ ତମାମ ବିଲକାମ କରିକରି ଏହି ରଜ ତିନିଦିନ ବିଶ୍ରାମ ନେବା ପାଇଁ ରଜକୁ ଅପେକ୍ଷା କରିଥାଏ। ନୂଆଲୁଗା ପିନ୍ଧିବା, ନାନା ପ୍ରକାର ପିଠା ଖାଇବା, କବାଡି, ତାସ, ପଶା ଇତ୍ୟାଦି ଖେଳରେ ସମୟ କଟାଇଦବ। ଏହି ରଜ ତିନିଦିନ ଗାଁ ମାନଙ୍କରେ ନାଟକ, ପାଲା, ଦାସକାଠିଆ, ସାଂସ୍କୃତିକ କାର୍ଯ୍ୟ ଦେଖି ରାତି କଟାଇଦେବ। ଏହି ତିନିଦିନ କେମିତି କଟିଯିବ ଯାହା ଆଗାମୀ ରଜ ପାଇଁ ସ୍ମୃତି ଅନୁଭୂତି ଛାଡିଯିବ।

ବୈଦିକ ମତ୍ତରେ ମାଟି ମାଆ ରଜସ୍ୱଳା ହୋଇଥାଏ। ତେଣୁ ମା’କୁ ସମ୍ମାନ ଭକ୍ତି ନିବେଦନ କରାଯାଇଥାଏ। ଏବଂ କେତେ ଗୁଡିଏ ନିୟମକୁ ମାନିବାକୁ ପଡିଥାଏ। ତିନିଦିନ ଚୁଲି ଜଳା ହୁଏ ନାହିଁ। କଦଳୀ ପଟୁଆକୁ ପାଦରେ ଯୋତା କରି ବ୍ୟବହାର କରାଯାଏ। ସମ୍ପୂର୍ଣ୍ଣ ଭାବରେ କାମ ବନ୍ଦ କରାଯାଏ। ତିନିଦିନ ପରେ ବସୁମାତାର ଶୁଦ୍ଧସ୍ନାନ କରାଯାଇ କୃଷକ ତା ଚାଷ କାମରେ ଲାଗି ପଡେ।

ନୂଆ ବୋହୁଟିଏ ଅପେକ୍ଷା କରିଥାଏ ତା ବାପାଘରୁ ରଜଭାର ଆସିବ। ଅପେକ୍ଷା କରି ଥାଏ ବିଦେଶରେ ଥିବା ସ୍ୱାମୀ ଘରକୁ ରଜରେ ଫେରିବ। ଅସରନ୍ତି ମନତଳେ ଲୁଚି ରହିଥିବା ଗୋପନୀୟ ଅଭିପ୍ସା ରୂପାନ୍ତିରିତ କରିବ ଏହି ରଜପର୍ବ। ପିଲାମନେ ନୂଆ ଜାମା ପ୍ୟାଣ୍ଟ ପିନ୍ଧି ହସିଖେଳି ସାଙ୍ଗମାନେ ପରସ୍ପର ଘରୁ ପିଠା ଖାଇବା ଗୁଡି ଉଡେଇବା, ରଜଦୋଳି ଖେଳିବା, ନାଗରାବାଦ୍ୟ, କବାଡି ଖେଳରେ ଜିତିବା ଆନନ୍ଦର ଉତ୍ସାହିତ ଶବ୍ଦ ତରଙ୍ଗାୟିତ ହୁଏ। ଗାଁ ତୋଟାମାଳ ରେ ଲାଗିଥିବା ବିଭିନ୍ନ ପ୍ରକାର ଦୋଳି-ଯଥା ନାଗର ଦୋଳୀ, ପଟାଦୋଳି, ଚକ୍ରଦୋଳି, ଝିଅ ବୋହୁ ମାନଙ୍କର ଦୋଳିଖେଳର ଉପଭୋଗ ସହ ମନଫୁଲାଣିଆ ଲୋକଗୀତ ରଜଦୋଳି ମୁଖରିତ ହୁଏ।

ବନରୁ ଡାକିଲା ଗଜ
ବରଷକେ ଲୋକ ପରବ ରଜ
ପରବ ରଜ ଲୋ ରାଗରୁଷା ମନୁତେଜ।୧।

ଆସିଲା ହଜିଲା ରଜ
ଆକାଶେ ବଉଦ ହୋଇଲା ସଜ
ହୋଇଲା ସଜଲୋ ଥମିଲା ସୁରୁଜ ତେଜ।୨।

ଆସ ଗୋ ଭାଉଜ ରାଣୀ
ଟାଣି ଦେଇ ମୁଣ୍ଡେ ସରୁ ଓଢଣୀ
ସରୁ ଓଢଣୀଗୋ ବସ ଝୁଲାଇବି ଦୋଳି।୩।

ଫୁଟିଛି କେତକୀ କିଆ
ଆସିଲେଣି ତୁମ ଭାର କୁଣିଆଁ
ଭାଇ କୁଣିଆଁ ଗୋ, ମୋତେ ଲାଜ ଲାକେ କିଆଁ।୪।

ଗଛ ସରୁ ଡାଳେ ମହୁ
ଏସନ ରଜର ମଉଜ ନେଉ
ମଉଜ ନେଇ ଗୋ ଆରସନେ ହେବୁ ବୋହୁ ।୫।

ପାଚିଲା ଖଜୁରୀ କୋଳି
ଦେଖି ଦେଖି ଦାଣ୍ଡେ ଯିବୁ ଲୋ ଚାଲି
ଯିବୁ ଲୋ ଚାଲି ଲୋ ପଡିଛି ନୀଳା ଶିଉଳି।୬।

କଦମ୍ବ ଧରିଲା କଢି
ସମାଜର ନିତିନିୟମ ବାଡ
ନିୟମବାଡ ଲୋ ଭିତରେ ରଖିଥା ଗୋଡ।୭।

ଗୀତରସ୍ୱର ସମସ୍ତଙ୍କ ମନମୁଗ୍ଧ କରିଦିଏ। ରଜପାନ ନାଲିଆ ର ପିକ୍ ଗୋରା ଓଠକୁ ଖୁବକ ମାନୁଥାଏ। ଥଟ୍ଟା ପରିହାସ କଥାଛଳରେ ଅନେକ ଉଦାହରଣ ସୃଷ୍ଟି କରେ।ପ୍ରତିଘରେ ରଜ ପୋଡ ପିଠା, ଆରିଶା ପିଠା, କାକରା ପିଠା, ମୁଆଁ ପିଠା ସମେତ ଆହୁରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ରଜ ପୂର୍ବଦିନ ସଜବାଜରୁ ପ୍ରସ୍ତୁତି ହୋଇଥାଏ। ପାନ ଖିଆର ଆଦାନ ପ୍ରଦାନ ବନ୍ଧୁ ମିଳନ, ଆମ୍ବ ପଣସ ମିଠା ସ୍ୱାଦ ଆଣି ଦେଇଥାଏ ରଜପର୍ବ।

କିନ୍ତୁ ଆଜି ତାହାର ବହୁତ ପରିବର୍ତ୍ତନ ଘଟିଛି। ବଣରୁ ଗଜ ଡାକୁନି ଡାକୁଛି ଗାଁରୁ। ଗଛରେ ଦୋଳି ଲାଗୁନି ଲାଗୁଛି ଘର ଛାତର ହୁକରେ। ଚୁଳି ନ ଜଳା ଯିବା ପରିବର୍ତ୍ତେ ପ୍ରତ୍ୟେକ ରଜ ତିନିଦିନ ରୋଷେଇ ହେଉଛି। ତାସ ପଶା କବାଡି ଖେଳ ପ୍ରାୟ ବନ୍ଦ ହୋଇ ଆସିଲାଣି। ଟିଭି ପାଖରେ ରଜ କଟୁଛି। ଲୋକକଳା ସଂସ୍କୃତି ନାଟକ ପାଲା ଇତ୍ୟାଦି ଆଉ ହେଉନି। ଗଣପର୍ବ ରଜର ମହତ୍ତ୍ୱ କମି ଆସିଲାଣି।

ସମ୍ପାଦକ ସାଧନାର ସ୍ୱରୂପ
ଯାଜପୁର,
୯୪୩୭୩୧୦୧୯୯

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top