“ପୃଥିବୀ”

– ବିନୟ ମହାପାତ୍ର

ହେ ପୃଥିବୀ,
ତୁମେ କୁଆଡେ ସର୍ବଂସହା ଧରିତ୍ରୀ,
ତୃମେ ସୃଷ୍ଟି, ତୁମେ ଜନନୀ
ତୁମରି କାରଣ ଏଇ ସମଗ୍ର ସୃଜନୀ।
ନାରୀ ବି ତ ସବୁକିଛି ସହିଯାଏ,
ତୁମଠାରୁ ଶିଖିଛି ପରା
ଏଇ ସହିବାର ଗୁଣ।
ହେ ମାତା,
ତୁମର ଏ କନ୍ୟା ମାନଙ୍କୁ
ବତେଇ ଦିଅନ୍ତନି ଥରେ,
ତୁମ ପରି ନାରୀରେ ବି ଲୁଚିଛି,
ଅଜସ୍ର ଗରମ ଲାଭାର ସ୍ରୋତ,
ଖାଲି ଏକ ବିଷ୍ଫୋଟର ଆବଶ୍ୟକ !
ତୁମେବି ତ ଉଦ୍ଗାରୀ ଯାଅ,
ଆଗ୍ନେୟ ଗୀରିର ସେହି
ଉତପ୍ତ ଲାଭାର ସ୍ରୋତ,
ତୁମେବି ତ କମ୍ପିଉଠ କ୍ରୋଦ୍ଧର ଭୂକମ୍ପ।

ଅନ୍ୟାୟକୁ ନୀରବରେ ସହିଯିବା,
ଲୁହପୋଛି ଚୁପ୍ ରହିଯିବା,
ନୁହେଁ କିଛି ମହାନତା ବିଧି।
କେବେ ବି ନୁହଁଇ ସେ
ସର୍ବସଂହା ନାରୀର ଉପାଧୀ।
ଧୀକ ସେ ଜୀବନ ମାତା,
ଯିଏ ନିଜକୁ ଅସହାୟ ମଣେ
ଅବଳା ଦୁର୍ବଳା ବୋଲି ଗଣେ,
ଅନ୍ୟର ଦୟାକୁ ନିଜ ଢାଲ ମାନିନିଏ।
ବିଧାତା ନାରୀକୁ ଦେଇଛି
କୋମଳ ହୃଦୟ ଆଉ ମମତାର ମଧୁରତା
ପ୍ରେମସୁଧା ବାଣ୍ଟିବାକୁ ଶତ କୋମଳତା।
କେବେ ବି ଦେଇନି ଏହି ସରସତା
ଖାଲି ଅତ୍ୟାଚାର ସହିବାକୁ ସହନଶିଳତା।
ବିଧାତା ଦେଇଛି ନାରୀକୁ ତ ସବୁ,
ପୁରୁଷ ସମାନ ନୁହେଁ,
ପୁରୁଷଠୁ ଅଧିକ ଦେଇଛି।
ତଥାପି କାହିଁକି,
ନାରୀ ଅବଳାର ପଣତରେ
ନିଜକୁ ସଦା ଢାଙ୍କିନିଏ,
ପୁରୁଷ ପ୍ରସ୍ତୁତ ପରମ୍ପରା
ଆଖିବୁଜି ମାନି ନିଏ ?
ଭୁଲିଯାଏ ଦୂର୍ଗା କାତ୍ୟାୟନୀ ଅବା
ଯେତେ ବିଦୂଷୀ ଆଉ ବୀରାଙ୍ଗନା !

ପଟିଆ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *