ମିଶନ୍ ସିବିଆଇ: ପ୍ରଭାତଙ୍କୁ ମାରାଥନ୍ ଜେରା – ମିଳୁଛି ଅନେକ ରୋଚକ ତଥ୍ୟ

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ- ପ୍ରିୟରଂଜନ ସାହୁ) ମେଗା ଚିଟ୍ଫଣ୍ଡ ସ୍କାମ୍ ରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାରାଥନ୍ ଜେରା କରୁଛି ସିବିଆଇ। ଆଜି ତୃତୀୟ ଦିନରେ ଅନେକ ରୋଚକ ତଥ୍ୟ ସାମନାକୁ ଆସିଛି। ବିଶେଷ କରି ସିବିଆଇ ଅଧିକାରୀମାନେ ସିସୋର ଓ ବିଜେଡି ନେତାଙ୍କ ସଂପର୍କକୁ ନେଇ ପ୍ରଭାତଙ୍କୁ  ଜେରା କରୁଛି। ପୂର୍ବରୁ ତଦନ୍ତ ସମୟରେ ସିବିଆଇ ସିସୋର କଂପାନୀର ପଲିଟିକାଲ୍ ଲିଙ୍କ୍ କୁ ନେଇ ବହୁ ତଥ୍ୟ ହାସଲ କରି ସାରିଛି। ଏବେ ସେ ସବୁର ଚୁଡାନ୍ତ ରୂପରେଖ ଦେବା ପାଇଁ ସିବିଆଇ ପ୍ରସ୍ତୁତ। ପ୍ରଭାତ ବିଶ୍ୱାଳଙ୍କୁ ଜେରା ସମୟରେ ଏହି ସିସୋର କଂପାନୀକୁ କେଉଁ ମନ୍ତ୍ରୀ, ବିଧାୟକମାନେ ସାହାଯ୍ୟ କରିଥିଲେ ଏବଂ ପ୍ରତିବଦଳରେ କେଉଁ ଉପାୟରେ ଲାଭବାନ୍ ହୋଇଥିଲେ ସେ ସବୁ ପୁନର୍ବାର ଯାଞ୍ଚ କରୁଛି। ପୂର୍ବରୁ ଦିବଂଗତ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଜେରା ସମୟରେ ସିବିଆଇକୁ ସିସୋର ବାବଦରେ ଅନେକ ତଥ୍ୟ ମିଳିଥିଲା। ତଦନ୍ତ ସମୟରେ ଜଣା ପଡିଥିଲା ଯେ, ସିସୋର କଂପାନୀର ମୁଖ୍ୟ ପ୍ରଭାତ ଦାଶ ଓ ବଜେଡି ସଂପର୍କ ସାଂସଦ ପ୍ୟାରୀମୋହନଙ୍କ ବାସଗୃହରୁ ହିଁ ଆରମ୍ଭ ହୋଇଥିଲା। ପ୍ୟାରୀମୋହନଙ୍କ ମାଧ୍ୟମରେ ହିଁ ପ୍ରଭାତ ଦାଶଙ୍କର ଅନେକ ବିଜେଡି ମନ୍ତ୍ରୀ, ବିଧାୟକଙ୍କ ସହିତ ସୁସଂପର୍କ ସ୍ଥାପିତ ହୋଇଥିଲା। ତେଣୁ ସମୟ ଥିଲା ପ୍ୟାରୀମୋହନ ବିଜେଡି ତଥା ରାଜ୍ୟ ସରକାରର ସର୍ବେସର୍ବା ଥିଲେ।  ବିଧାୟକ ପ୍ରଭାତ ବିଶ୍ୱାଳ ବି ସେ ସମୟରେ ପ୍ୟାରୀଙ୍କ ଅତି ନିକଟତର ଥିଲେ। ଏହାର ସେ ଭରପୁର ଫାଇଦା ଉଠାଇ ଥିଲେ ଓ ସିସୋର ସହିତ ସଂପର୍କ ଯୋଡିଥିଲେ। ସେ ସମୟରେ ପ୍ୟାରୀଙ୍କ ଘନିଷ୍ଠ ଥିବା ଅନେକ ମନ୍ତ୍ରୀ, ବିଧାୟକ ସିସୋର ମୁଖ୍ୟ ପ୍ରଭାତ ଦାଶଙ୍କ ସଂପର୍କରେ ଆସି ତାଙ୍କ ଠାରୁ ଅହେତୁକ ଫାଇଦା ହାସଲ କରିଥିଲେ। ସିସୋରର ପଲିଟିକାଲ୍ ଲିଙ୍କ ଦେଖି ସିବିଆଇ ତଟସ୍ତ। ପ୍ରଭାତଙ୍କୁ ଜେରା ସମୟରେ ଏ ସବୁ ଜାଣି ପାରିଛନ୍ତି ସିବିଆଇ ଅଧିକାରୀମାନେ। ଏ ସବୁ ସଂପର୍କର ୭୦ ପ୍ରତିଶତ ପ୍ରମାଣର ସତ୍ୟସତ୍ୟକୁ ଯାଞ୍ଚ କରିସାରିଲାଣି ସିବିଆଇ।  ପ୍ରଭାତଙ୍କୁ ଜେରା ସମୟରେ ଯାହା ତଥ୍ୟ ହାସଲ କରୁଛି ତାର ସତ୍ୟାସତ୍ୟକୁ ଯାଞ୍ଚ କରୁଛି। ପୂର୍ବରୁ ସିସୋରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ତଦନ୍ତ କରିବ ସିବିଆଇ। ସିସୋରର ବିଭିନ୍ନ ପ୍ରକଳ୍ପ ଯାହା ରାଜ୍ୟ ସରକାରଙ୍କ ମିଳିତ ଭାଗିଦାରୀରେ ଚାଲୁଥିଲା ସେ ସବୁର ଚିଠା ପ୍ରସ୍ତୁତ ସରିଛି। ଯେଉଁ ମନ୍ତ୍ରୀ ଓ ସରକାରୀ ବାବୁ ସେଥିରେ ସଂପୃକ୍ତ ସେ ତାଲିକା ସରିଛି। ଏବେ ପୂର୍ଣ୍ଣାଙ୍ଗ ରୂପରେଖକୁ ଅପେକ୍ଷା। ପ୍ରଭାତ ବିଶ୍ୱାଳଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ। ଆଉ ଦୁଇ ଦିନ ବାକି ଅଛି। ପୁଣି ଥରେ ତାଙ୍କୁ ରିମାଣ୍ଡରେ ଆଣିବାର କୌଣସି ଯୋଜନା ନାହିଁ ବୋଲି ସୂତ୍ରରୁ ଜଣା ପଡିଛି। ତେଣୁ ପ୍ରଭାତଙ୍କ ଜେରା ପରେ ସିବିଆଇର ପରବର୍ତ୍ତୀ ପଦକ୍ଷେପ ଯେ ଅତି କଠୋର ହେବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *