ଅଘୋଷିତ ଆତ୍ମସମର୍ପଣ

ଭୁବନେଶ୍ୱର ୨୦-୧୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଛକାପଞ୍ଜା ଜାରି ରହିଛି। ବିଜେପୁର ଉପନିର୍ବାଚନ ହେଉ କିମ୍ବା ଚାଷୀ ଆତ୍ମହତ୍ୟା ହେଉ ପ୍ରତ୍ୟେକ ବିଷୟରେ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ଏଥିରେ ଦୁଇ ଦଳର ଦ୍ୱିତୀୟ ପର୍ଯ୍ୟାୟର ନେତାମାନେ ବୟାନବାଜି କରୁଥିବାର ନଜରକୁ ଆସୁଛି। ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ, ଏହି ଦୁଇ ଦଳର ପ୍ରମୁଖ ନେତାମାନେ ଆଉ ମିଡିଆ ସାମନାକୁ ଆସୁ ନାହାଁନ୍ତି। ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡିଛି ଯେ ବିଜେଡିର କିଛି ନେତାଙ୍କ ସହିତ ବିଜେପିର କେନ୍ଦ୍ରୀୟ ନେତାମାନଙ୍କର ଏକ ଅଘୋଷିତ ବୁଝାମଣା ହୋଇଛି। ଏପରିକି ଅନୁସନ୍ଧାନରୁ ଜଣା ପଡିଛି ଯେ, ବିଜେଡିର ଷ୍ଟ୍ରାଟେଜି ମାଷ୍ଟର କୁହାଯାଉଥିବା କିଛି ବ୍ୟୁରୋକ୍ରାଟ୍ ମଧ୍ୟ ବିଜେପି ସହିତ ଯୋଗସୁତ୍ରରେ ରହିଛନ୍ତି। ଏହାର ଉଦେ୍ଦ୍ୟଶ ହେଉଛି ନିଜେ ବଞ୍ଚିଲେ ବାପାର ନାଆ।

ବିଜେଡିର ଅନେକ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବେ ବିଭିନ୍ନ ସ୍କାମ୍ରେ ଛନ୍ଦି ହୋଇ ପଡିଛନ୍ତି। ସେ ଚିଟ୍ଫଣ୍ଡ ହେଉ ବା ଖଣି ଦୁର୍ନିତୀ ହେଉ ନେତାଙ୍କ ଛଡା ଅନେକ ବ୍ୟୁରୋକ୍ରାଟ ମଧ୍ୟ ଏଥିରେ ସାମିଲ। କୌଣସି ମତେ ବଂଚିବାର ଅଛି। ଦଳ ଓ ସରକାର ଯାଉ ଚୁଲିକୁ। ତେଣୁ କେନ୍ଦ୍ରୀୟ ବିଜେପି ପାଖରେ ଏକ ପ୍ରକାର ଆତ୍ମସମର୍ପଣ କରିଛନ୍ତି ଏହି ବ୍ୟକ୍ତିବିଶେଷମାନେ। ଏମାନେ ଭଲ ଭାବରେ ଜାଣି ସାରିଲେଣି ଆସନ୍ତା ନିର୍ବାଚନରେ ବିଜେଡି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ପାଇବା ସମ୍ବବ ନୁହେଁ। ଝୁଲା ସରକାର ହୋଇପାରେ ବା ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇପାରେ। ତେଣୁ ଏବେ ଠାରୁ ବାଟ ପ୍ରସ୍ତୁତ କରି ସାରିଲେଣି ଅନେକ ନେତା। ଖାଲି ସମୟକୁ ଅପେକ୍ଷା। ଗୁଜୁରାଟ ନିର୍ବାଚନ ପରେ ସବୁ ରାସ୍ତା ଫିଟିଯିବ। ବିଜେଡିର ୨୦ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୫ ଜଣ ସାଂସଦ ଏବେ ବିଜେପି ଲିଙ୍କରେ ଅଛନ୍ତି। କିଛିଦିନ ତଳେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓଡିଶା ଗସ୍ତରେ ଆସିଥିଲେ। ବିଜେଡିର ଜଣେ ସାଂସଦ ଯାହାଙ୍କ ହାତରେ ଗୋଟିଏ ମିଡିଆ ହାଉସ୍ ପରିଚାଳିତ ସିଏ ଯାଇ ରାଜଭବନରେ ଉପରାଷ୍ଟପତିଙ୍କୁ ଭେଟିଥିଲେ। ବାକି ରହିଲେ ବିଧାୟକ ଓ ମନ୍ତ୍ରୀ। ଯେଉଁମାନଙ୍କ ନାଆଁ ସିବିଆଇ ଖାତାରେ ଅଛି ସେମାନେ କେବେ ଠାରୁ ବିଜେପି ଶରଣରେ ପଶି ସାରିଛନ୍ତି। ଖାଲି ଉପର ଦେଖାଣିଆ ବିଜେଡି ପାଇଁ ରଡି ଛାଡୁଛନ୍ତି। ବିଜେଡି ସରକାରରେ ଅନେକ ବ୍ୟୁରୋକ୍ରାଟ ମଧ୍ୟ ସିବିଆଇ ପଞ୍ଜାରେ ପଡିଛନ୍ତି। ସୁତ୍ରରୁ ଜଣା ପଡିଛି ଯେ, ଏମାନେ ଏବେ ପୁରା ବିଜେପି ସପକ୍ଷରେ। ଭିତିରିଆ କିପରି ବିଜେପି ସରକାର ଗଢିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ସବୁ ରଣନିତୀ ପ୍ରସ୍ତୁତ ହେଉଛି ଦିଲ୍ଲୀରେ। ଆହୁରି ମଧ୍ୟ ଖବର ମିଳିଛି ଯେ, କିଛିଦିନ ତଳେ ଓଡିଶାର ଜଣେ ପାୱାରଫୁଲ ବ୍ୟୁରୋକ୍ରାଟ୍ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅଫିସରଙ୍କୁ ଭେଟିଥିଲେ। ସାକ୍ଷାତ ଆଲୋଚନା ହୋଇଥିଲା ଆସାମ୍ ଭବନରେ। ବିଜେଡି ସୁପ୍ରିମୋ ଏ ବାବଦରେ ଅବଗତ ଅଛନ୍ତି କି ନାହିଁ ତାହା କହି ହେବ ନାହିଁ। ମାତ୍ର ଦଳ ଭିତରେ ବିଭୀଷଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *