Home ଓଡ଼ିଶା ଶେଷ ହେଲା ଶ୍ରୀକାନ୍ତଙ୍କ ଚକ୍ରାନ୍ତ

ଶେଷ ହେଲା ଶ୍ରୀକାନ୍ତଙ୍କ ଚକ୍ରାନ୍ତ

1122

ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଓଡ଼ିଶା ଗଣ ମାଧ୍ୟମରେ ଚକ୍ରାନ୍ତ ଜେନା ନାମରେ ପରିଚିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତଙ୍କ ଜେନାଙ୍କର ରାଜନୈତିକ କ୍ୟାରିୟର ଏବେ ଶେଷ। କଂଗ୍ରେସରୁ ବହିଷୃତ ହେବା ପରେ ଶ୍ରୀକାନ୍ତ ଏବେ ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଦେଇଛନ୍ତି। ରାଜନୈତିକ ଭବିଷ୍ୟତ ଅସୁରକ୍ଷିତ ହୋଇଯାଇଛି ବୋଲି ଉପଲବ୍ଧି କରିବାପରେ ସେ ବର୍ତ୍ତମାନ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ପରି ଏକ ଶାନ୍ତ ସରଳ ରାଜ୍ୟରେ ଜାତିଆଣା ରାଜନୀତିକୁ ଆଧାର କରି ରାଜନୀତି ଆରମ୍ଭ କରିବାକୁ ଯାଉଥିବା ଶ୍ରୀକାନ୍ତ ଏବେ ନିଜ ଜାଲରେ ନିଜେ ଫଶିଯାଇଛନ୍ତି। କଂଗ୍ରେସ ରାଜନୀତିର ମଙ୍ଗ ଧରିଥିବା ପଟ୍ଟନାୟକ ପରିବାରକୁ ଟାରଗେଟ୍ କରିବା ତାଙ୍କ ପାଇଁ ବହୁମୂଲ୍ୟ ସାବ୍ୟସ୍ତ ହୋଇଛି।

ଜନତା ଦଳର ଜଣେ ଆଗ ଧାଡ଼ିର ନେତା ଥିବା ଶ୍ରୀକାନ୍ତଙ୍କ ଜେନା ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଦିଲ୍ଲୀ ରାଜନୈତିକ ଦରବାରରେ କିପରି ହୀନସ୍ଥା କରି ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିଥିଲେ ତାହା ଓଡ଼ିଶାବାସୀଙ୍କୁ ଜଣା। ମାତ୍ର ସମୟ ଚକ୍ରରେ ଶ୍ରୀକାନ୍ତଙ୍କର ରାଜନୈତିକ ଭାଗ୍ୟଚକ୍ର ତାଙ୍କୁ ସହାୟତା କରିଆସୁଥିଲା। ବିଜୁ ଜନତା ଦଳ ଗଠନ ହେବା ପରେ ସେ ଏହି ଦଳକୁ ଆସି ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଜୁ ବାବୁଙ୍କ ପ୍ରତି କରିଥିବା ବିଶ୍ୱାସଘାତ ପାଇଁ ତାଙ୍କୁ ବିଜୁ ପରିବାର ବିଜେଡ଼ିରେ ପ୍ରବେଶ କରିବାକୁ ସୁଯୋଗ ଦେଇନଥିଲା। କଂଗ୍ରେସରେ ଯୋଗ ଦେବାପରେ ନିଜର ଚକ୍ରାନ୍ତ ବଳରେ ସେ କଂଗ୍ରେସର କେନ୍ଦ୍ର ସ୍ତରୀୟ ନେତା ହେବାରେ ସକ୍ଷମ ହୋଇପାରିଥିଲେ। ଓଡ଼ିଶା କଂଗ୍ରେସରେ ନିଜର ଦବଦବା ଜାହୀର କରିବା ପାଇଁ ସେ ପ୍ରଥମରୁ ହିଁ ଚକ୍ରାନ୍ତ ଆରମ୍ଭ କରିଦେଇଥିଲେ। ମାତ୍ର ଭଲ ହେଉ କିମ୍ବା ଖରାପ ହେଉ ଓଡ଼ିଶା କଂଗ୍ରେସରେ ପଟ୍ଟନାୟକ ପରିବାରର କର୍ତ୍ତୃତ୍ୱ ରହିଆସିଛି। ପ୍ରଥମ ପର୍ଯ୍ୟାୟରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଅଳଙ୍କୃତ କରିବାପରେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଦେଇଥିଲେ ଶ୍ରୀକାନ୍ତ। ନିରଞ୍ଜନଙ୍କର କାର୍ଯ୍ୟକାଳର ତିନିବର୍ଷ ପରେ ଏବଂ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଥିରେ ସଫଳ ହୋଇପାରିଥିଲେ ଶ୍ରୀକାନ୍ତ। ୨୦୧୪ ନିର୍ବାଚନ ପୂର୍ବରୁ ନିରଞ୍ଜନକୁ ହଟାଇ ଜୟଦେବ ଜେନାଙ୍କୁ ପିସିସି ସଭାପତି କରାଇବାରେ ସକ୍ଷମ ହୋଇପାରିଥିଲେ ଶ୍ରୀକାନ୍ତ। ଜୟଦେବ ଜେନା ପିସିସି ସଭାପତି ହେବା ପରେ ରାଜ୍ୟ କଂଗ୍ରେସ ଉପରକୁ ଉଠିବା ପରିବର୍ତ୍ତେ ନିମ୍ନଗାମୀ ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଏହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇଥିଲା। ଜୟଦେବ ଜେନାଙ୍କ କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ରାଜ୍ୟରେ ଦଳ ବାରମ୍ବାର ନିମ୍ନଗାମୀ ହେବା ପରେ ଶ୍ରୀକାନ୍ତ ଖେଳିଥିଲେ ଆଉ ଏକ ଚକ୍ରାନ୍ତ। ଏଆଇସିସିରେ ଲବି କରି ପ୍ରସାଦ ହରିଚନ୍ଦନଙ୍କୁ ଜୟଦେବଙ୍କ ଜାଗାରେ ପିସିସି ସଭାପତି କରାଇଥିଲେ ଏବଂ ରାଜ୍ୟ କଂଗ୍ରେସକୁ ନିଜ ନିୟନ୍ତ୍ରଣରେ ରଖିବାର ପ୍ରୟାସରେ ସଫଳ ହୋଇପାରିଥିଲେ। ମାତ୍ର ତାଙ୍କର ଏହି ଚକ୍ରାନ୍ତ ମଧ୍ୟ ସଫଳ ହୋଇପାରିନଥିଲା। ପ୍ରସାଦଙ୍କ ନେତୃତ୍ତ୍ୱକୁ ରାଜ୍ୟବାସୀ ଗ୍ରହଣ କରିପାରିଲେ ନାହିଁ। ଦଳ ଆହୁରି ନିମ୍ନଗାମୀ ହେଲା। ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ଏବଂ ରାଜ୍ୟ ବିଜେପିର ଅକସ୍ମାତ୍ ଉତ୍ଥାନ ପରେ ଏଆଇସିସିର ଚେତାପଶିଲା। କଂଗ୍ରେସ ନେତ୍ତୃତ୍ୱ ପରିବର୍ତ୍ତନର ନାରା ଜୋର ଧରିଲା। ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ କଂଗ୍ରସ ଦାୟିତ୍ୱ ଅର୍ପଣ କରାଗଲା।

ନିରଞ୍ଜନ ସଭାପତି ହେବା ପରେ ଶ୍ରୀକାନ୍ତ ପୁଣି ତାଙ୍କ ଚକ୍ରାନ୍ତ ଆରମ୍ଭ କରିଦେଇଥିଲେ। ବାରମ୍ବାର ଜାତିଆଣା ରାଜନୀତି ଏବଂ ପଟ୍ଟନାୟକ ବିରୋଧି ମନ୍ତବ୍ୟ ଦେଇ କଂଗ୍ରେସ ରାଜନୀତିକୁ ଗୋଳମାଳିଆ କରୁଥିଲେ। ଭାରତବର୍ଷରେ ରାଜନୈତିକ ପରିବର୍ତ୍ତନର ଆଭାସ ମିଳିଥିଲା ନିକଟରେ ହୋଇଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ। ଏହା ପରେ ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆରମ୍ଭ ହୋଇଥିଲା ଯୋଜନା। ଗତକାଲି ଏହି ଯୋଜନାର ପରିସମାପ୍ତି ଘଟିଥିଲା। ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷୃତ ହୋଇଥିଲେ। ଦଳରୁ ବହିଷୃତ ହେବାପରେ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି। ସାଧାରଣ ନିର୍ବାଚନ ଆଉ ଅଳ୍ପ କିଛି ମାସ ବାକି ଅଛି। ଶ୍ରୀକାନ୍ତଙ୍କୁ ବିଜେଡ଼ି ଆପଣାଇବାର ପ୍ରଶ୍ନହିଁ ଉଠୁନାହିଁ। ରାଜ୍ୟ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସୁସମ୍ପର୍କ ଥିବା ଶ୍ରୀକାନ୍ତଙ୍କୁ ନିଜ ଦଳରେ ସାମିଲ କରାଇ ନିଜର ରାଜନୈତିକ ଭବିଷ୍ୟତକୁ ଜଳାଞ୍ଜଳି ଦେବେନାହିଁ। ଏକ ନୂତନ ରାଜନୈତିକ ବିକଳ୍ପ ସୃଷ୍ଟି କରିବା ପାଇଁ ଶ୍ରୀକାନ୍ତଙ୍କ ପାଖରେ ସମୟ ନାହିଁ। ତେଣୁ ଆସନ୍ତା ନିର୍ବାଚନରେ ଶ୍ରୀକାନ୍ତଙ୍କ ଭୂମିକା ଅତି ଗୌଣ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଶ୍ରୀକାନ୍ତ ଜେନା ଓଡ଼ିଶାର ସେଭଳି ରାଜ୍ୟସ୍ତରୀୟ ନେତା ଭାବରେ ପରିଗଣିତ ହୁଅନ୍ତି ନାହିଁ। ତେଣୁ ୨୦୧୯ ନିର୍ବାଚନ ପରେ ଆସନ୍ତା ୫ ବର୍ଷ ମଧ୍ୟରେ ଶ୍ରୀକାନ୍ତଙ୍କର ରାଜନୈତିକ କ୍ୟାରିୟର ଏକ ପ୍ରକାର ସଫା ହୋଇଯିବ ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.