ପାନୀୟ ଜଳ ଦାବିରେ ଜନସ୍ୱାସ୍ଥ୍ୟ ବିଭାଗ ସମ୍ମୁଖରେ ବିକ୍ଷୋଭ, ବିଧାୟକଙ୍କ ନିଷ୍କ୍ରିୟତାକୁ ଦାୟୀକଲେ ଅଞ୍ଚଳବାସୀ

କଟକ,୨୩/୫ (ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ମହାନଗର ନିଗମ ଅଞ୍ଚଳରେ ଜଳ ଯୋଗାଣ କ୍ଷେତ୍ରରେ ଜନସ୍ୱାସ୍ଥ୍ୟବିଭାଗର ପାତର ଅନ୍ତର ନୀତିର ପ୍ରତିବାଦରେ ୪୮ ନମ୍ବର ୱାର୍ଡ଼ବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ଦିନ ଧରି ଏହି ୱାର୍ଡ଼ରେ ପାନୀୟ ଜଳ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଉକ୍ତ ଅଞ୍ଚଳରେ ଜନସାଧାରଣ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଥିବାବେଳେ ଉକ୍ତ ୱାର୍ଡ଼ର ଲକ୍ଷ୍ମଣପୁର, ନିମପୁର, ବୈକୁଣ୍ଠ ବିହାର ଆଦି ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଦୀର୍ଘ ୬ବର୍ଷ ଧରି ଉକ୍ତ ଅଞ୍ଚଳରେ ପାଇପ ବିଛା, ଗଭୀର ନଳକୂପ ଖନନ ଆଦି ସରିଥିଲେ ମଧ୍ୟ ପାଇପରେ ପାଣି ଛଡ଼ାଯାଉନାହିଁ। ଉକ୍ତ ୱାର୍ଡ଼ର ଯେଉଁ କେତୋଟି ଅଞ୍ଚଳକୁ ପାଇପ ଜଳ ଯୋଗାଣ ହେଉଛି ସେଥିରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। କଟକ ମହାନଗର ଅନ୍ତର୍ଗତ ଅନ୍ୟାନ୍ୟ ୱାର୍ଡ଼ରେ ଦିନକୁ ୨ ଓଳା ପାଇପ ପାଣି ଦିଆଯାଉଥିବାବେଳେ ଜଗତପୁର ଅଞ୍ଚଳରେ ସେଭଳି କିଛି ନୀତି ନିୟମ ନଥିବା ଦୁର୍ଭାଗ୍ୟ ଜନକ ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳକୁ ଲାଗିରହିଥିବା କେନ୍ଦ୍ରାପଡ଼ା କେନାଲର ମରାମତି କାର୍ଯ୍ୟ ଚାଲୁଥିବା ଯୋଗୁଁ ଏହି କେନାଲ ଶୁଖିଲା ପଡ଼ିଛି। ଫଳରେ ଏହାର ପ୍ରଭାବରେ କୂଅ, ଗଡ଼ିଆ, ନଳକୂଅ ଆଦିର ଜଳସ୍ତର ତଳକୁ ଖସିଯିବା ହେତୁ ସେସବୁ ଜଳଉତ୍ସ ଶୁଖିଲା ପଡ଼ିଛି। ଫଳରେ ଜନସାଧାରଣ ପିଇବା ପାଇଁ ପାଣିଟୋପେ ପାଇବାକୁ ଦୟନୀୟ ଅବସ୍ଥା ଭୋଗକରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ବାଧ୍ୟହୋଇ ଅଞ୍ଚଳର ଶତାଧିକ ଆବାଳବୃଦ୍ଧବନିତା ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ପାଇପ ପାଣି ଦିଆଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଉକ୍ତ ଅଞ୍ଚଳରେ ଦୀର୍ଘ ୬ବର୍ଷ ଧରି ପାଇପ ପାଣି ଯୋଗାଣ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ହୋଇଛି। ଏଥି ସହିତ ଲକ୍ଷ୍ମଣପୁର ଗ୍ରାମରେ ଥିବା ପମ୍ପ ହାଉସ ତୁରନ୍ତ କାର୍ଯ୍ୟକ୍ଷମ କରିବା, ହରିଜନ ସାହିରେ ଆଜିପର୍ଯ୍ୟନ୍ତ ପାଇପ ବିଛା ଯାଇନଥିବାରୁ ତୁରନ୍ତ ପାଇପ ବିଛାଇବା, ଲକ୍ଷ୍ମଣପୁର ଗ୍ରାମରେ ୨ଟି ନୂତନ ନଳକୂଅ ବସାଇବା, ଶବର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ପାଇପ ବିଛାଇବା ସହ ଅଧିକ ୨ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିବା, ଭୁବନପୁର ପମ୍ପହାଉସରୁ ଗୋଳିଆ ପାଣି ଆସୁଥିବାରୁ ନୂତନ ବୋରିଂ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା, ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଅଧିକ ସଂଖ୍ୟକ ଅସ୍ଥାୟୀ ପାଣି ଟାଙ୍କୀ ବସାଇ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବା, ଜଗତପୁର ଓ ଶିକାରୀପୁର ଗ୍ରାମରେ ନୂତନ ବୋରିଂ କରାଯାଇଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନିଆଯିବାକୁ ଦାବି କରାଯାଇଥିଲା। ସ୍ଥାନୀୟ କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଞ୍ଚଳର ବରିଷ୍ଠ ମୁରବୀ ତ୍ରୈଲୋକ୍ୟ ନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରମିଳ ପଣ୍ଡା, ବାବାଜୀ ରଥ, ବାବାଜୀ ପଣ୍ଡା, ମନୋରଞ୍ଜନ ପଣ୍ଡା, ମହେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ଶୁକ୍ଳ, ମୁରଲୀଧର ମଲ୍ଲିକ, ତିର୍ଥାନନ୍ଦ ପଣ୍ଡା, ମାନସ ପରିଡ଼ା, ରାଜକିଶୋର ଗିରି, ମନୋରଞ୍ଜନ ସାହୁ, ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ ପଲେଇ, ସସ୍ମିତା ଖୁଣ୍ଟିଆ, ବିଚିତ୍ରାନନ୍ଦ ବିଶ୍ୱାଳ, ରମେଶ ଶରଣ, ବିରଞ୍ଚି ସାମଲ, ଚନ୍ଦ୍ରମଣୀ ପଣ୍ଡା, ମାତା ସାମଲ, ବାନ୍ଧ ଦେହୁରୀ, ସୁନୀଲ ଶଙ୍କର ସାହୁ, ବଟକୃଷ୍ଣ ବେହେରା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *