ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ

– ୨୦୧୭-୧୮ ମସିହାରେ ୭୦୦୦ କି.ମି ରାସ୍ତା ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ
– ରାସ୍ତା ଅବସ୍ଥା ଅନୁଧ୍ୟାନ କରି ରକ୍ଷଣା ବେକ୍ଷଣ କାର୍ଯ୍ୟ ସଠିକ୍ ଭାବରେ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
– ରାସ୍ତା ନିର୍ମାଣରେ ସୂତନ ସବୁଜ ଜ୍ଞାନ କୌଶଳ ଗ୍ରୀନ୍ ଟେକ୍ନୋଲୋଜି ପ୍ରୟୋଗ ହେବ
ଭୁବନେଶ୍ୱର, ୯-୬-୧୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ୨୦୧୬-୧୭ ଆଥିର୍କ ବର୍ଷ ନିମନ୍ତେ ହୋଇଥିବା ସମୀକ୍ଷାରେ ଓଡ଼ିଶା ସମଗ୍ର ଦେଶରେ ୨ୟ ସ୍ଥାନ ଅଧିକାର କରିଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟି ବୈଠକର ଆଲୋଚନାରୁ ଏହା ଜଣାପଡିଛି।

ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ସଡ଼କ ନିର୍ମାଣର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ସଡ଼କ ଗୁଡିକର ଅବସ୍ଥା ଅନୁଧ୍ୟାନ ପୂର୍ବକ ରକ୍ଷଣାବେକ୍ଷଣ କାର୍ଯ୍ୟ ସଠିକ୍ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରକ୍ଷଣାବେକ୍ଷଣ ନିମନ୍ତେ ଉଦ୍ଧିଷ୍ଟ ପାଣ୍ଠିର ସର୍ବୋତ୍ତମ ଫଳପ୍ରସୁ ବିନିଯୋଗ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ରାସ୍ତାର ବାସ୍ତବ ସ୍ଥିତି ଅନୁଯାୟୀ ରକ୍ଷଣାବେକ୍ଷଣ ନିମନ୍ତେ ରାସ୍ତାଗୁଡିକର ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ଉପସ୍ଥିତ ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ।

ଇଞ୍ଜିନିୟର ଇନ୍ ଚିଫ୍ ଶ୍ରୀ ପ୍ରବୀର ପ୍ରଧାନ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧୬୫୫୫ ଗ୍ରାମକୁ ରାସ୍ତା ସଂଯୋଗ ନିମନ୍ତେ ପ୍ରକଳ୍ପ ମଞ୍ଜୁର ହୋଇଛି। ତନ୍ମଧ୍ୟରୁ ୨୦୧୭ ମେ ମାସ ସୁଦ୍ଧା ୧୩,୯୭୬ ଟି ଗ୍ରାମକୁ ସଡ଼କ ସଂଯୋଗ କରାଯାଇଛି।

୨୦୧୬-୧୭ ମସିହାରେ ନୂତନ ୫୭୯୭ କି.ମି. ରାସ୍ତା ନିର୍ମାଣ କରାଯାଇଛି। ୨୦୧୯ ମସିହା ମଧ୍ୟରେ ଅବଶିଷ୍ଟ ଗ୍ରାମ ଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ସଂଯୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବିଭାଗୀୟ ସଚିବ ଶ୍ରୀ ସେଠୀ କହିଥିଲେ। ୨୦୧୭-୧୮ ଆଥିର୍କ ବର୍ଷରେ ୭୦୦୦ କି.ମି ନୂତନ ରାସ୍ତା ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଯୋଜନାରେ ଉତ୍ତମ ପ୍ରଦର୍ଶନ ଯୋଗୁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବାହାରେ ତିଆରି ହୋଇଥିବା ରାସ୍ତାର ଉନ୍ନତିକରଣ (ଅପ୍ ଗ୍ରେଡେସନ୍) ଯୋଜନାରେ ସାମିଲ କରାଯାଇଛି ବୋଲି ଚିଫ୍ ଇଞ୍ଜିନିୟର ଶ୍ରୀ ଭରତ ଚନ୍ଦ୍ର ପ୍ରଧାନ ଜଣାଇଥିଲେ। ଏଥି ନିମନ୍ତେ ୧୬୧୯ କି.ମି ରାସ୍ତାର ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ (ଡି.ପି.ଆର୍ ) ଭାରତ ସରକାରଙ୍କୁ ପଠାଯାଇଛି। ଅଧିକ ୪୨୬୩ କି.ମି. ରାସ୍ତାର ଉନ୍ନତ୍ତିକରଣ ନିମନ୍ତେ ପ୍ରକଳ୍ପ ପ୍ରସ୍ତାବ ପୂର୍ଣ୍ଣାଙ୍ଗ କରି ଜୁଲାଇ ମାସ ୧୫ ତାରିଖ ମଧ୍ୟରେ ଭାରତ ସରକାରଙ୍କୁ ପଠାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୭ ମସିହା ମେ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ ୧୭୦୯୨ କୋଟି ଟଙ୍କା ବିନିଯୋଗ କରାଯାଇ ପ୍ରାୟ ୪୧୦୧୦ କି.ମି. ରାସ୍ତା ସହ ୪୪୫ ଟି ପୋଲ ନିର୍ମାଣ କରାଯାଇଛି। ୨୦୧୭-୧୮ ଆଥିର୍କ ବର୍ଷରେ ୭୦୦୦ କି.ମି. ରାସ୍ତା ନିର୍ମାଣ ନିମନ୍ତେ ୧୦୯୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାଦ୍ୱାରା ଅଧିକ ୨୧୪ ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଂଯୋଜିତ କରାଯାଇପାରିବ। ସୂଚନା ଯୋଗ୍ୟ,ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାଆନ୍ତି।

ରାସ୍ତା ନିର୍ମାଣରେ ନୂତନ ସବୁଜ ଜ୍ଞାନ କୌଶଳ ପ୍ରୟୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭରତ ଚନ୍ଦ୍ର ପ୍ରଧାନ ଏହି ଜ୍ଞାନ କୌଶଳର ପ୍ରୟୋଗର ବିଭିନ୍ନ ଦିଗ ବିଷୟ ଉପସ୍ଥାପନ କରିଥିଲେ। ପୁର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ ଏହି ନୂତନ କୌଶଳ ପରିବେଶ ଅନୁକୂଳ ଏବଂ ତ୍ୱରିତ୍ୱ କାର୍ଯ୍ୟାନ୍ୱୟନରେ ସହାୟକ ବୋଲି ମତ ଦେଇଥିଲେ। ଏଥିରେ ଶୀତଳ ପିଜୁ ସହ ମାଟି ଓ ମୋରମରେ କେତେକ ନୂଆ କେମିକାଲର ମିଶ୍ରଣ, ବର୍ଜ୍ୟ ପ୍ଲାଷ୍ଟିକ୍ ଏବଂ ଷ୍ଟିଲ୍ ପ୍ଲାଣ୍ଟ୍ରୁ ବାହାରୁଥିବା ବର୍ଜ୍ୟବସ୍ତୁ ଆଦିର ବ୍ୟବହାର କରାଯାଉଛି।

ଉନ୍ନୟନ କମିଶନର ଶ୍ରୀ ଆର୍ ବାଲାକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ପୁର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ, ଗ୍ରାମ ଉନ୍ନୟନ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ଶ୍ରୀ ପ୍ରବୀର ପ୍ରଧାନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭରତ ଚନ୍ଦ୍ର ପ୍ରଧାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *