ଆଜି ୮୨ତମ ଉତ୍କଳ ଦିବସ – ସଜେଇ ହେଇଛି ଓଡ଼ିଶା

ଆଜି ଏପ୍ରିଲ ୧। ଉତ୍କଳ ଦିବସ। ୧୯୩୬ ମସିହାରେ ଆଜିର ଦିନରେ ତତ୍କାଳୀନ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଓଡ଼ିଶାକୁ ଏବେ ୮୧ ବର୍ଷ ପୂରି ଯାଇଛି। ଆଜିଠୁ ଚାଲିଲା ୮୨ ବର୍ଷ।

ଉତ୍କଳ ଦିବସର ବିଶେଷତ୍ୱ:

– ପ୍ରାଚୀନ ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ ପରିଣତ ହୋଇସାରିଥିଲା। ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି ଘଟିବାକୁ ଆରମ୍ଭ କରିଥିଲା। ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ। ସେତେବେଳେ ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା। ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଜନ‌ଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା।

ସେହିସମୟରେ ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିଲା, ଯାହାର ପ୍ରମୁଖ କର୍ତ୍ତା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଅନେକ ଆଶା ଆକାଂକ୍ଷାକୁ ନେଇ ଶେଷରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା। ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଓଡ଼ିଶା ଶେଷରେ ଭାଷା ଭିତ୍ତିରେ ରାଜ୍ୟର ମାନ୍ୟତା ପାଇଥିଲା। ଯାହାକି ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା, ଯାହାକୁ ଭାଷା ଭିତ୍ତିରେ ରାଜ୍ୟ ଗଠନର ମାନ୍ୟତା ମିଳିଥିଲା। ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ମାତ୍ର ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମଧୁବାବୁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ତାଙ୍କର ସେ ଆପ୍ରାଣ ଉଦ୍ୟମ ଏବଂ ଓଡ଼ିଶା ଜାତିକୁ ସର୍ବାଗ୍ରେ ଦେଖିବାର ସ୍ୱପ୍ନ ଓଡ଼ିଶା ଇତିହାସରେ ତାଙ୍କର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଇଥିଲା।

ସମୟ ଚକ୍ର:
– ୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗର ତତକାଳୀନ ଲେଫଟନାଂଟ ଗଭର୍ନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିଦିନଠାରୁ ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ମୂଳଦୁଆ ପଡ଼ିଥିଲା।

– ୧୮୮୨ରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ଉତ୍କଳ ସଭା ବା ଓଡ଼ିଶା ଆସୋସିଏସନ ଗଠନ କରାଗଲା।

– ୧୮୯୫ରେ ସେଂଟ୍ରାଲ୍ ପ୍ରୋଭିନ୍ସ ଚିଫ କମିଶନରଙ୍କ ପକ୍ଷରୁ ସମ୍ବଲପୁରର କୋର୍ଟ କଚେରିମାନଙ୍କରୁ ଓଡ଼ିଆ ଭାଷା ସଂପୂର୍ଣ୍ଣ ଉଚ୍ଛେଦ ଏବଂ ହିନ୍ଦୀ ଭାଷାର ପ୍ରଚଳନ ଆରମ୍ଭ କରାଯାଇଥିଲା। ସମ୍ବଲପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଜନ-ଆନ୍ଦୋଳନ ଦେଖାଦେଇଥିଲା।

– ୧୯୦୧ରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ୱରେ ରମ୍ଭା ପ୍ରାସାଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିଚାର ଆଲୋଚନା ହୋଇଥିଲା। ପଶ୍ଚିମ ଓଡ଼ିଶା ପରେ ଦକ୍ଷିଣ ଓଡ଼ିଶାରେ ଉତ୍କଳ ପ୍ରଦେଶ ଗଠନ ପାଇଁ ଏହା ଥିଲା ପ୍ରଥମ ଉଦ୍ୟମ। ଜାତିର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉତ୍କଳ ହିତୈଷିନୀ ଗଠନ କରାଗଲା।

– ୧୯୦୨ରେ ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସମ୍ମିଳନୀରେ ମଧୁସୂଦନ ଓ ଗୌରୀଶଙ୍କର ରାୟଙ୍କ ଯୋଗଦାନ ଦେଇଥିଲେ ଏବଂ ଓଡ଼ିଶା ଡିଭିଜନରେ ଗଞ୍ଜାମ ଜିଲ୍ଲାର ମିଶ୍ରଣ ପାଇଁ ଦାବି ଉପସ୍ଥାପନ କରିଥିଲେ।

– ୧୯୦୩ରେ ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଜନ୍ମଲାଭ କରିଥିଲା।

– ୧୯୦୫ରେ ସମ୍ବଲପୁର ଜିଲ୍ଲାକୁ ମଧ୍ୟ ପ୍ରଦେଶରୁ କାଢ଼ି ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶା ଡିଭିଜନ୍ ରେ ମିଶ୍ରଣ କରାଗଲା।

– ୧୯୧୭ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଗୋଟିଏ ପ୍ରଦେଶ ଅନ୍ତର୍ଗତ କରିବାକୁ ମଟେଂଗୁ-ଚେମସଫୋର୍ଡ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା।

– ୧୯୨୭ରେ ସାଇମନ୍ କମିସନ୍ ଙ୍କ ନିକଟରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉପସ୍ଥାପନ କରାଗଲା।

– ୧୯୩୧ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗ ଦେଇଥିଲେ ଓ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି କରିଥିଲେ।

– ୧୯୩୩ରେ ପାରଳାଖେମୁଣ୍ଡି, ଜୟପୁର ଜମିଦାରିକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପରିକଳ୍ପନାରୁ ବାଦ ଦେଇ ଶ୍ୱେତପତ୍ର ପ୍ରକାଶ କରାଯାଇଥିଲା। ଏହା ବିରୋଧରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି ହେଲା।

– ୧୯୩୫ରେ ଭାରତ ଶାସନ ଆଇନ ମାଧ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଚାରାଧୀନ ରହିଲା।

– ଉତ୍କଳ ସମ୍ମିଳନୀର ତିନି ଦଶନ୍ଧିର ଆନ୍ଦୋଳନ ପରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକିରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାୟ ଏହି ଆନ୍ଦୋଳନର ପୁରୋଧା ଥିଲେ।

– ୧୯୩୬, ଏପ୍ରିଲ ୧- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛଅଟି ଜିଲ୍ଲାକୁ ନେଇ ଭାଷା ଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ହୋଇଥିଲା।

– ୧୮୭୫ରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟମ ୧୯୩୬ରେ ଅର୍ଥାତ ୬୧ ବର୍ଷରେ ପୂରଣ ହୋଇଥିଲା।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ:

– ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତିପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ। ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସେ ସୃଷ୍ଟି କରିଥିଲେ।

– ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁସୂଦନ ଓଡ଼ିଶାରେ ଏହା ଆରମ୍ଭ କରିଥିଲେ।

– ଓଡ଼ିଆ ଜାତୀୟ ଆନ୍ଦୋଳନର ମଧୁବାବୁ ଥିଲେ ପ୍ରାଣ ପ୍ରତିଷ୍ଠାତା। ବିଚ୍ଛିନ୍ନାଚଂଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା। ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ।

ଉତ୍କଳ ସମ୍ମିଳନୀ ଇତିହାସ:

ଉତ୍କଳ ସମ୍ମିଳନୀ ମଧୁସୂଦନ ଦାସଙ୍କଦ୍ୱାରା ସ୍ଥାପିତ ହୋଇଥିଲା। ୧୯୦୩ ମସିହାରେ ଏହାର ପ୍ରଥମ ସଭା ହୋଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ଥିଲେ। ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବା ନିମନ୍ତେ ଅଭିଯାନ କରିବା ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ ଥିଲା।

କଟକର ଇଦଗା ପଡିଆରେ ଏହି ସଂସ୍ଥାର ପ୍ରଥମ ସମ୍ମିଳନୀ ହୋଇଥିଲା ଯେଉଁଥିରେ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ସଦ୍ୟ ଆହୁତ ଅସ‌ହ‌ଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କରାଗଲା।

ମନେପଡ଼େ ଜାତି ଉଦ୍ଦେଶ୍ୟରେ ଲେଖିଥିବା ତଳ ପଦଟି …

ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥୀ କଲେ;
ଚଳାଏ କି ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ।

୧୮୪୮ ମସିହା ଅପ୍ରେଲ ୨୮ରେ ଜନ୍ମଗ୍ରହଣ କରିଥିବା ମଧୁବାବୁ ଆଜି ବି ସାରା ଓଡ଼ିଶାରେ ଚିରକାଳ ପାଇଁ ଅମର ହୋଇ ରହିଛନ୍ତି।

ଏହି ମହାପୁରୁଷ ମାନଙ୍କର ଅବଦାନ ଭୁଲି ହେବନି:

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରଥ, କର୍ମବୀର ଗୌରୀଶଙ୍କର, ପଣ୍ଡିତ ନୀଳକଣ୍ଠ, ହରିହର ମର୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢ଼ଳ।

(ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କଳା )

Leave a Reply

Your email address will not be published. Required fields are marked *