ଆୟକର ବିଭାଗ ପାଖରେ ବିଜେଡି ପାଣ୍ଠିର ପଙ୍ଖାନୁପୁଙ୍ଖ ତଦନ୍ତ ଦାବି କଲା ବିଜେପି

– ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ଇନକମ୍ ଟ୍ୟାକ୍ସ କମିଶନରଙ୍କ ଜରିଆରେ ଦାବି ପତ୍ର
– ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ବେନାମୀ ଓ ସନ୍ଦିଗ୍ଧ ଆକାଉଂଟରୁ ବିଜେଡି ଆକାଉଂଟକୁ କୋଟି କୋଟି ଟଙ୍କା ଆସିଥିବା ଅଭିଯୋଗ
– ଜମା ହୋଇଥିବା କୋଟି କୋଟି ନଗଦ ଜମାର ଦାନଦାତାଙ୍କ ବିବରଣୀ ରିଟର୍ଣ୍ଣରେ ନଦର୍ଶାଇ ବିଜେଡି ଅର୍ଥର ଉତ୍ସକୁ ଲୁଚାଉଛି
– ଚିଠ୍ ଫଣ୍ଡର କୋଟି କୋଟି ଟଙ୍କା ବିଜେଡିର ନିର୍ବାଚନ ପାଣ୍ଠିକୁ ଆସିଥିବା ସନେ୍ଦହ ପ୍ରକାଶ କଲା ବିଜେପି
– ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନୀଳବର୍ଣ୍ଣ ଶୃଗାଳ କହି ସଠିକ୍ ତଦନ୍ତ ହେଲେ ନବୀନଙ୍କ ପ୍ରକୃତ ଚେହେରା ପଦାରେ ପଡିବ ବୋଲି କହିଲା ବିଜେପି
ଭୁବନେଶ୍ୱର, ୨୪/୭ (ଓଡ଼ିଆ ପୁଅ) ନବୀନ-ହାୱାଲା-ଘୋଟାଲା ମାମଲାରେ ଆୟକର ବିଭାଗର ହସ୍ତକ୍ଷେପ ଲୋଡ଼ିଛି ଭାରତୀୟ ଜନତା ପାର୍ଟି। ଦଳ ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଅଧ୍ୟକ୍ଷଙ୍କୁ ରାଜ୍ୟ ମୁଖ୍ୟ ଇନକମ୍ ଟ୍ୟାକ୍ସ କମିଶନଙ୍କ ଜରିଆରେ ଦାବି ପତ୍ର ଦେଇ ମାମଲାର ତଦନ୍ତ କରିବାକୁ  ଦୃଢ ଦାବି କରିଛି। ତଦନ୍ତ କରି ବିଜୁ ଜନତା ଦଳ ବିରୋଧରେ ଆଇନ ଅନୁଯାୟୀ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଏହି ଦାବି ପତ୍ର ପ୍ରଦାନ କରିଛି।

ଗଣମାଧ୍ୟମରେ ଅନୁସନ୍ଧାନମୂଳକ ରିପୋର୍ଟ ଓ ସୂଚନାଅଧିକାର ଆଇନ ଦ୍ୱାରା ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ହାୱାଲା ମାଧ୍ୟମରେ କୋଟି କୋଟି ଟଙ୍କା ପାଣ୍ଠି ଏକାଠି କରିଥିବା ଏହି ଦାବି ପତ୍ରରେ ବିଜେପି ତରଫରୁ ଅଭିଯୋଗ କରାଯାଇଛି।

ଦାବି ପତ୍ର ଦେବା ପରେ ଶ୍ରୀ ମହାନ୍ତି  ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଦଳର ସନେ୍ଦହ ରହିଛି ଯେଉଁ ବେନାମୀ ବ୍ୟାଙ୍କ ଖାତାରୁ ବିଜେଡି ଖାତାକୁ କୋଟି କୋଟି ଟଙ୍କା ଆସିଛି ଏହି ସନ୍ଦିଗ୍ଧ ବ୍ୟାଙ୍କ ଆକାଉଂଟରେ ଅର୍ଥର ଉତ୍ସ ରାଜ୍ୟର ଲକ୍ଷ ଲକ୍ଷ ଚିଟ୍ ଫଣ୍ଡ ଜମାକାରୀଙ୍କ ହଜାର ହଜାର କୋଟି ଟଙ୍କାର ଅଂଶ ଚଂଚକତା କରି ଜମା କରାଯାଇଛି। ପରେ ଏହି ଅର୍ଥକୁ ବିଜେଡି ତାର ଦଳୀୟ ପାଣ୍ଠିକୁ ନେଇଛି। ଏହି ଚିଟ୍ଫଣ୍ଡ ଅର୍ଥକୁ ମଧ୍ୟ  ନଗଦ ଆକାରରେ ଦଳ ବହୁଳ ମାତ୍ରାରେ ନିର୍ବାଚନରେ ବ୍ୟବହାର କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁର୍ନୀତି ମାମଲାରେ ପୁଣି ନୀଳବର୍ଣ୍ଣ ଶୃଗାଳ କହିବା ସହ ଉପଯୁକ୍ତ ତଦନ୍ତ ହୋଇ ସତ୍ୟ ବାହାରିଲେ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ଦେଶବାସୀଙ୍କ ସାମ୍ନାରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦଳ ଦାବି ପତ୍ରରେ କହିଛି ଯେ, ଗଣମାଧ୍ୟମର ତଥ୍ୟ ଅନୁସାରେ ଆକାଉଂଟ ନମ୍ବର ୧୦୦୯୧୮୦୫୫୭୩ରୁ ବିଜୁ ଜନତା ଦଳ ଆକାଉଂଟ ନମ୍ବର ୧୦୦୯୧୭୫୫୨୪୬କୁ କୋଟି କୋଟି ଟଙ୍କା ଟାନ୍ସଫର ହୋଇଛି। ମାତ୍ର ଯେଉଁ ଆକାଉଂଟରୁ ଅର୍ଥ ଟାନଫର ହୋଇଛି ଏହି ଆକାଉଂଟଧାରୀଙ୍କ ନାମ ଏସ୍ବିଆଇ ଭୁବନେଶ୍ୱର ମେନ୍ ବାଂଚ୍ର ନାମରେ ପଞ୍ଜିକୃତ ହୋଇଛି।  ଏହା ଏକ ବେନାମୀ ଆକାଉଂଟ ବୋଲି ଗଣମାଧ୍ୟମ ଦର୍ଶାଇଛି ବୋଲି ଦଳ ଦାବି ପତ୍ରରେ କହିଛି।

ଏହାଛଡ଼ା ଅନ୍ୟ ରାଜ୍ୟର କିଛି ସଦ୍ଦିଗ୍ଧ ଆକାଉଂଟରୁ କୋଟି କୋଟି ଟଙ୍କା ବିଜେଡି ଆକାଉଂଟକୁ ଆସିଥିବା ଗଣମାଧ୍ୟମ ଅନୁସନ୍ଧାନମୂଳକ ରିପୋର୍ଟରେ ପ୍ରକାଶିତ ହୋଇଛି।

ପୂର୍ଣ୍ଣଚନ୍ଦ୍ର ପାଢୀ ନାମକ ବ୍ୟକ୍ତି ନଗଦ ଆକାରରେ ବିଜେଡି ଆକାଉଂଟରେ କୋଟି କୋଟି ଟଙ୍କା ଜମା କରିଥିବା ଅର୍ଥର ବିବରଣୀ ବିଜେଡି ନିର୍ବାଚନ କମିଶନକୁ ଦେଇଥିବା ରିଟର୍ଣ୍ଣରେ ନଦର୍ଶାଇବା ଜାଣିଶୁଣି ଦଳ ପାଣ୍ଠିକୁ ଆସିଥିବା ଅର୍ଥକୁ ଲୁଚାଇବା ପାଇଁ ବିଜେଡି ଚଂଚକତା କରିଥିବା ଏହି ଦାବି ପତ୍ରରେ କୁହାଯାଇଛି।

ବିଜେଡିକୁ ଆସିଥିବା ବିଭିନ୍ନ ଆକାଉଂଟରୁ ଅର୍ଥ ଏହି ଆକାଉଂଟକୁ କେଉଁ ଉତ୍ସରୁ  ଆସିଛି ଏହା ସ୍ପଷ୍ଟ ହେଲେ ବିଜେଡିର ଆର୍ଥିକ ନେଣଦେଣ ଉପରୁ ପର୍ଦା ହଟିବ ବୋଲି କୁହାଯିବା ସହ ଆୟକର ବିଭାଗ ଏହା ଉପରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ତରଫରୁ ଦାବି କରାଯାଇଛି।

ମାନ୍ୟବର ନ୍ୟାୟଳୟ ଏହି ମାମଲାରେ ଜଣେ ସୁଚନାଅଧିକାର କର୍ମୀଙ୍କ ମାମଲା ଆଧାରରେ ମାସେ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କୁ ନିଦେ୍ର୍ଦଶ ପରିପ୍ରେକ୍ଷୀରେ ଆୟକର ବିଭାଗର ଉପଯୁକ୍ତ ତଦନ୍ତ ସତ୍ୟକୁ ଲୋକଲୋକଚନକୁ ଆଣିବ ବୋଲି ଦାବି ପତ୍ର ଦେବା ପରେ ଶ୍ରୀ ମହାନ୍ତି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି।

ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *