ଆମ ପର୍ବ ପର୍ବାଣୀ

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

– ସଂଗ୍ରାମ କେଶରୀ ସେନାପତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି। ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ।

ଚାନ୍ଦ୍ରମାନ ପଦ୍ଧତିରେ ପୂର୍ଣ୍ଣିମାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ଗଣନା ହୁଏ। କିନ୍ତୁ ସୌରମାନ ପଦ୍ଧତି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ। ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ | ଜ୍ୟୋତିଷ ଶାସ୍ତ୍ରର ପଦ୍ଧତି ଅନୁସାରେ କ୍ରାନ୍ତି ବୃତ୍ତର ପ୍ରତ୍ୟେକ ଭାଗକୁ ଗୋଟିଏ ଗୋଟିଏ ରାଶିବୋଲି ଗଣନା କରାଯାଇଥାଏ। ନିୟମାନୁସାରେ ଆମର ବୈଶାଖ, ଜ୍ୟେଷ୍ଠ, ଆଷାଢ ଶ୍ରାବଣ, ଭାଦ୍ରବ, ଆଶ୍ୱିନ୍ନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର ଏମିତି ବାରଟି ମାସକୁ ଜ୍ୟୋତିଷ ଶାସ୍ତ୍ରରେ କ୍ରମାନ୍ୱୟରେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପ୍ରଭୃତି ବାରଟି ରାଶିରେ ସୂଚିତ କରାଯାଇଥାଏ। ସୌରମାନ ଗଣନାନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏମାସ ଅବସ୍ଥାନ କରି ଅନ୍ୟରାଶିକୁ ଗମନ କରଥାନ୍ତି। ଅନ୍ୟ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନର ପ୍ରଥମ ଦିନକୁ ସେହି ମାସର ପ୍ରଥମ ଦିନ ବା ସଂକ୍ରାନ୍ତି ବୋଲି ଧରାଯାଇଥାଏ।

ଭାରତବର୍ଷରେ ପ୍ରୟତଃ ବିଭିନ୍ନ ରାଜ୍ୟର ପଞ୍ଜିକା ଗଣନା ଅନୁସାରେ ଭିନ୍ନ ଭିନ୍ନ ଦିନରେ ନବବର୍ଷ ପାଳନ ପ୍ରଥା ରହିଆସିଛି। ସେହିପରି ଓଡ଼ିଆ ଗଣନା ଅନୁସାରେ ଏହିଦିନରୁ ଓଡ଼ିଆ ନବବର୍ଷର ପ୍ରାରମ୍ଭ ଭାବରେ ପାଳନ ହୋଇଥାଏ। ବୈଜ୍ଞାନିକ ମତାନୁସାରେ ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଭାବରେ ବିଷୁବ ରେଖା ପୃଥିବୀକୁ ଦୁଇଭାଗରେ ବିଭକ୍ତ କରିଛି। ଏହିଦିନ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତରକୁ ଗତିକରି ବିଶୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ଏବଂ ଧିରେ ଧିରେ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ଆଗମନ ବଢ଼ିଚାଲିଥାଏ। ଆମର ଭାରତ ବର୍ଷ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ହୋଇଥିବାରୁ ଏହଠାରେ ସୂର୍ଯ୍ୟଙ୍କର କିରଣ ଧିରେ ଧିରେ ପ୍ରଖର ହେବାକୁ ଲାଗିଥାଏ। ବିଶୁବରେଖା ଉପରେ ସୂର୍ଯ୍ୟଙ୍କର ଅବସ୍ଥାନ ପାଇଁ ଏହିଦିନ‌ଟିକୁ ବିଶୁବ ସଂକ୍ରାନ୍ତି ଭାବରେ ମଧ୍ୟ ଧରାଯାଏ। ଏହିଦିନ‌କୁ ଓଡ଼ିଶାରେ ବର୍ଷର ପ୍ରଥମ ଦିନ ଭାବରେ ଗଣନା କରାଯାଏ। ଏହି ଦିନ‌କୁ ମଧ୍ୟ ସୂର୍ଯ୍ୟଙ୍କର ଉତ୍ତରାୟନ ଭାବରେ କେତେକ ସ୍ଥାନରେ ପାଳନ କରାଯାଇଥାଏ।

ସୂର୍ଯ୍ୟଙ୍କର ଉତ୍ତରାୟନ ଗତିପରେ ସୂର୍ଯ୍ୟକିରଣ ଧିରେ ଧିରେ ପ୍ରଖର ହେବାକୁ ଲାଗିଥାଏ, ତେଣୁ ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଖର ତାପ ଯୋଗୁ ନଦୀ, ନାଳ, ପୁଷ୍କରିଣୀ ଓ କୂପ ଆଦି ଶୁଖିଯାଉଥିବାରୁ ଜୀବ ଜଗତ ସହିତ ବୃକ୍ଷ ଜଗତ ମଧ୍ୟ ଜଳାଭାବର ବିଶେଷ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣୁ ପ୍ରାୟତଃ ଏହିଦିନଠାରୁ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇ ମୁକ୍ତରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇଦିଆଯାଇଥାଏ। ଆମର ସନାତନ ଧର୍ମାନୁସାରେ ଜଳଦାନଠାରୁ ବଳି ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ। ତେଣୁ ଏହିଦିନମାନଙ୍କରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁସ୍ଥାନଙ୍କ ତରଫରୁ ଜଳଦାନ କାର୍ଯ୍ୟ କରାଯାଇଥାଏ। ଏହା ସ‌ହ ବୃକ୍ଷମୂଳରେ ଜଳଦାନ କରିବାର ପ୍ରଥା ବୋଧହୁଏ ଆମ ସଂସ୍କୃତିରେ କାହିଁ କେଉଁ ଆବାହ‌ମାନ‌କାଳରୁ ରହିଆସିଛି। ପ୍ରାୟତଃ ପ୍ରତ୍ୟେକ ଘର ଆଗରେ ତୁଳସୀ ଚଉରାରେ ନିତିଦିନ ସକାଳେ ଲୋକେ ଜଳ ଢାଳିଥାନ୍ତି। ମାତ୍ର ଏହିଦିନ ତୁଳସୀଗଛ ସମେତ କିଛି ମାନସିକ ବୃକ୍ଷ ଯେପରିକି ବର-ଅଶ୍ୱତ‌ଥ୍ ଆଦି ଗଛମାନଙ୍କରେ ଜଳ ଅର୍ପଣ କରାଯାଇଥାଏ। ବୋଧ‌ହୁଏ ସୂର୍ଯ୍ୟଙ୍କର ପ୍ରଖର କିରଣ ଦାଉରୁ ଏହି ବୃକ୍ଷସବୁକୁ ରକ୍ଷା କରିବା ପାଇଁ ଏପରି କରାଯାଉଥାଇପାରେ। ମୁଖ୍ୟତଃ ବୈଶାଖ ପାଖ ସଂକ୍ରାନ୍ତିଠାରୁ ତୁଳସୀ ଗଛ ଉପରେ ଏବଂ ଅନ୍ୟାନ୍ୟ ଗଛ ଦେହରେ ଏକ ମାଟି ନିର୍ମିତ ଛୋଟ କଳସୀରେ ଛିଦ୍ର କରାଯାଇ ବିଭିନ୍ନ ଉପାୟରେ ସଂଯୋଗ କରାଯାଇଥାଏ। ଏହି କଳସୀରେ ଜଳଢାଳିବା ପରେ ସେହି ଛିଦ୍ର ଦେଇ ଧିରେ ଧିରେ ଜଳ ଗଛ ଉପରେ ପଡ଼ିଥାଏ, ଫଳରେ ଗଛଟି ଟାଣ ଖରାରେ ମଧ୍ୟ ସତେଜ ରହିଥାଏ। ଟାଣ ଖରାରେ ଗଛଟିକି କିଛି ଜଳ ଦେଇ ଆଶ୍ୱସ୍ତ ଅନୁଭବ କରାଉଥିବାରୁ ଅନେକ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏହିଦିନଠାରୁ ଗଛ ଉପରେ ଜଳଦାନ କରିବା ସ‌ହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଏହିଭଳି ଭାବରେ ଜଳଦାନ କରାଯାଇଥାଏ। ଆଉ କେତେକ ଘର ସାମ୍ନାରେ ମଧ୍ୟ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରାଯାଇଥାଏ।


– ଭଦ୍ରକ –

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top