Home ଓଡ଼ିଶା ନିରାଶ କରୁଛି ତାଳଚେର-ଗୋପାଳପୁର ନୂତନ ବ୍ରଡ଼ଗେଜ୍ ରେଳପଥ

ନିରାଶ କରୁଛି ତାଳଚେର-ଗୋପାଳପୁର ନୂତନ ବ୍ରଡ଼ଗେଜ୍ ରେଳପଥ

121

ନୟାଗଡ଼, ୧୯ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ତାଳଚେର-ଗୋପାଳପୁର ନୂତନ ବ୍ରଡ଼ଗେଜ୍ ରେଳପଥ ସର୍ଭେର ୨୮ବର୍ଷ ପରେ କାର୍ଯ୍ୟ ଆରମ୍ଭ ନହେବା ନେଇ ଜନସାଧାରଣଙ୍କୁ ନିରାଶ କରିଛି। ଓଡ଼ିଶାର ଏହି ନୂତନ ବ୍ରଡଗେଜ୍ କାର୍ଯ୍ୟକାରୀ ହେଲେ ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁରକୁ ଲୋକମାନେ ସୁବିଧାରେ ଯାତାୟତ ସହ ସବୁ ପ୍ରକାର ସୁବିଧା ପାଇପାରିବେ। ଏପରିକି ଦକ୍ଷିଣପୂର୍ବ ରେଳପଥ ଅଧୀନରେ ଥିବା ଏହି ତାଳଚେର-ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣହେଲେ ତାଳଚେର କୋଇଲା ଖଣିରୁ ବନ୍ଦର ସହର ଗୋପାଳପୁରକୁ କୋଇଲା ପରିହବନ ସୁଗମ ହେବା ସହ ଦୂରତ୍ୱ ମଧ୍ୟ ହ୍ରାସ ପାଇବ। ଏବଂ ଏଡି ରେଳପଥଟି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନୟାଗଡ଼ରେ ସଂଯୋଗ କରିବ। ଏହି ସବୁ ସୁବିଧାକୁ ଲକ୍ଷ୍ୟରେ ରଖି ୧୯୯୦ ମସିହାରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ କରାଯାଇଥିଲାବେଳେ ପୁନର୍ବାର ୧୯୯୭ ମସିହାରେ ଦ୍ୱିତୀୟ ଥର ପାଇଁ ଓ ୨୦୦୩ରେ ତୃତୀୟ ଥର ପାଇଁ ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ ତାଳଚେର-ଗୋପାଳପୁର ମଧ୍ୟରେ ୨୯୩ କିଲୋମିଟର ନୂତନ ରେଳପଥ ନିର୍ମାଣ କରାଯିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଓଡ଼ିଶାର ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ ଆଦି ୫ଟି ଜିଲ୍ଲା ଦେଇ ଏହି ନୂତନ ରେଳପଥ ଅତିକ୍ରମ କରୁଥିବାବେଳେ ପରିବହନ ଓ ଗମନାଗମନରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନୂତନ ରେଳପଥ ହେଲେ ୨୨ଟି ସ୍ଥାନରେ ରେଳଷ୍ଟେସନ ହେବା ସହ ଅନୁଗୋଳ, ଢେଙ୍କାନାଳ, ବଡ଼ମ୍ବା, କଂଟିଲୋ, ଖଣ୍ଡପଡ଼ା, ନୟାଗଡ଼, ଶରଣକୁଳ, ବାଣ୍ଠପୁର, କରଚୁଲି, ବୁଗୁଡ଼ା, ବାଲିପଦର, ସୁବଳୟା, ଆସ୍କା, ଧବଳପୁର, ହିଞ୍ଜିଳିକାଟୁ, କୁକୁଡ଼ାହାଣ୍ଡି ଓ ବ୍ରହ୍ମପୁର ଷ୍ଟେସନ ଦେଇ ଗଞ୍ଜାମ ଜିଲ୍ଳାର ବନ୍ଦର ନଗରୀ ଗୋପାଳପୁରକୁ ଏଡି ରେଳ ସଂଯୋଗ କରିବ। ଏହି ୨୨ଟି େଷ୍ଟସନ ମଧ୍ୟରୁ ବ୍ରହ୍ମପୁର ଷ୍ଟେସନକୁ ବାଦ୍ଦେଇ ୧୬ଟି ୩ ଲାଇନ୍ ବିଶିଷ୍ଟ ଷ୍ଟେସନ, ୫ଟି ୨ଲାଇନ ବିଶିଷ୍ଟ ଷ୍ଟେସନ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଷ୍ଟେସନରେ କର୍ମଚାରୀଙ୍କ ବାସଗୃହ ନିର୍ମାଣ ହେବ ବୋଲି ସର୍ଭେରେ ସ୍ଥାନ ପାଇଛି। ଏହି ନୂତନ ରେଳପଥ ନିର୍ମାଣ ହେଲେ ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କଂଟିଲୋର ନୀଳମାଧବ, ଶରଣକୁଳସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଲଡ଼ୁବାବା, ଓଡ଼ଗାଁର ରଘୁନାଥ, ନୟାଗଡ଼ର ମା’ଦକ୍ଷିଣକାଳୀ, କଟକ ଜିଲ୍ଳା ବଡ଼ମ୍ବାସ୍ଥିତ ମା’ଭଟ୍ଟାରିକା ପୀଠକୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଆଗମନ ନିମନ୍ତେ ସୁଯୋଗ ସୃଷ୍ଟି କରିପାରିବ। ତେବେ ଏହି ରେଳପଥ ନିର୍ମାଣ କରାଯିବାପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅହେତୁକ ବିଳମ୍ବ ଏବଂ ଜନସାଧାରଣଙ୍କୁ ନିରାଶ କରାଯାଉଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.