ନୟାଗଡ଼ ଏନଏସିର ପରିମଳ ବ୍ୟବସ୍ଥା ଏମିତି; ପାଣି ନଥାଇ ସର୍ବସାଧାରଣ ପରିସ୍ରାଗାର

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଗାଁ ପରିମଳ ଧୋବାତୁଠରୁ ଜଣାପଡ଼ିବା ପରି ନୟାଗଡ଼ ସହରର ପରିମଳ ବ୍ୟବସ୍ଥା କେମିତି ତାହା ଭାତହାଣ୍ଡିରୁ ଗୋଟିଏ ପରି ଜଣାପଡ଼େ। ରାଜା ରାଜୁଡ଼ା ସମୟରେ ନୟାଗଡ଼ରେ ଅନ୍ଧାରି ଶାସନ ଚାଲିବା ନେଇ ବ୍ରିଟିସ ମାନଙ୍କ ବିରୋଧରେ ହୀରାଦେଇପୁର ଗ୍ରାମର ଗତି ମଙ୍ଗରାଜ ନୟାଗଡ଼ ସହରରେ ଦିନବେଳେ ଲଣ୍ଠନ ଜାଳି ଅରାଜକତାକୁ ନେଇ ସ୍ୱର ଉତ୍ତୋଳନ କରିଥିଲ ସିନା। ହେଲେ ଏବେ ନୟାଗଡ଼ ଏନଏନସି ସହରରେ ସର୍ବସାଧାରଣ ପରିସ୍ରାଗାର ତିଆରି କରି ଦିନବେଳେ ଲଣ୍ଠନ ଜାଳି ସମସ୍ତଙ୍କୁ ଚକ୍ମା ଦେଖାଇ ବେଶ୍ ଚର୍ଚ୍ଚାରେ ଥିବା ଆଲୋଚନାର ବିଷୟ ହୋଇଛି। ନୟାଗଡ଼ ସହର ଏମିତି ଏକ ସହର ଯେଉଁଠି ପରିସ୍ରା କରିବାକୁ ବସଷ୍ଟାଣ୍ଡରେ ପରିସ୍ରାଗାର ଟିଏ ନାହିଁ। ଖୋର୍ଦ୍ଧା-ବଲାଙ୍ଗୀର, ଏପରିକି ଭୁବେନେଶ୍ୱରରୁ କୋରାପୁଟ, ଜୟପୁର, ମାଲକାନା ଜିଲ୍ଲା ଆଦି ଯାତ୍ରୀମାନେ ନୟାଗଡ଼ ଦେଇ ବସରେ ଯାତ୍ରା କରିଥାନ୍ତି। ହେଲେ ନୟାଗଡ଼ ବସଷ୍ଟାଣ୍ଡରେ ତରତର ହୋଇ ଓହ୍ଲାଇ ପରିସ୍ରା କରିବାକୁ ଯିବାକୁ ଚାହିଁଲେ ପରିସ୍ରା କରିବାକୁ ବାଟ ପାଇନଥାନ୍ତି। ଦୂରଦୁରାନ୍ତ ଯାତ୍ରୀମାନଙ୍କ ଅସୁବିଧା କଥାତ ଦୂରର କଥା,  ନୟାଗଡ଼ ସହରରକୁ ଭଲ ଭାବରେ ଜାଣିଥିିବା ନିଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଜନସାଧାରଣ ମଧ୍ୟ ପରିସ୍ରା କରିବା ଲାଗିଲେ ବସଷ୍ଟାଣ୍ଡର କେଉଁଠି ପରିସ୍ରା କରିବେ ହଡ଼ବଡ଼େଇ ଯାଇଥିବା ବହୁ ସମୟରେ ଆଲୋଚନାର ବିଷୟ ହୋଇଥାଏ। ତେବେ ଜନସାଧାରଣଙ୍କର ଏହି ସମସ୍ୟାକୁ ନେଇ ବାରମ୍ବାର ଦା୍ବି କରିବା ପରେ ନୟାଗଡ଼ ଏନଏସି କର୍ତ୍ତୃପକ୍ଷ ନୟାଗଡ଼ କେସି କ୍ଲବ ଓ ନାରାୟଣୀ ପାର୍କ ପାଖ ପାଚେରୀ କାନ୍ଥଠାରେ ଏକ କାମଚଳା ପରିସ୍ରାଗାର ତିଆରି କରିଥିଲେ। ହେଲେ ଏନଏସି କର୍ତ୍ତୃପକ୍ଷ କାହା ଉଦ୍ଦେଶ୍ୟରେ କରିଥିଲେ କେବଳ ସେହିମାନଙ୍କୁ ଜଣା। ସେଥିରେ ବୋଧହୁଏ କେହି ଦିନଟିଏ ମଧ୍ୟ ପରିସ୍ରା କରିବା ଯାଇନଥିବେ। ଏମିତି ପରିସ୍ରାଗାର ତିଆରି ଥିଲାଯେ ତାହା ଚାଲୁ ଚାଲୁ ମଧ୍ୟ ଅଚଳ ହୋଇଗଲା। ଶୁଣାଯାଏ ସେଠାରେ କୁଆଡ଼େ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ନୟାଗଡ ସହରରେ ପରିସ୍ରା କରିବାକୁ ଜାଗା ନଥିବା ନେଇ ଯାତ୍ରୀ ତଥା ସର୍ବସାଧାରଣଙ୍କ ଦାବିକୁ ନେଇ ଏଇ କିଛିଦିନ ହେଲା ନୟାଗଡ଼ ଏନଏସି କର୍ତ୍ତୃପକ୍ଷ ପୁଣି ପୁରୁଣା ବସଷ୍ଟାଣ୍ଡ ନିକଟ ଡିଏଫଓଙ୍କ କାର୍ଯ୍ୟାଳୟ ପାଚେରୀକୁ ଲଗାଇ ଓ ବ୍ରଜେନ୍ଦ୍ର ହାଇସ୍କୁଲ ପାଚେରୀକୁ ଲାଗି ଦୁଇଟି ପରିସ୍ରାଗାର ଲକ୍ଷ ଲକ୍ଷ ଟଙ୍କା ଲଗାଇ ଖର୍ଚ୍ଚ କରିଛନ୍ତି। ହେଲେ ଯାହିତାହିରେ ନିର୍ମାଣ କାର୍ଯ୍ୟ ଶେଷ କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଛାଡ଼ି ଦେଇଛନ୍ତି। ନା ଅଛି ପାଣି ସୁବିଧା ନା ଆଉକିଛି। ଯାତ୍ରୀମାନେ ସେଠାକୁ ଯାଇ ଏବେ ପରିସ୍ରା କେରିବେ କ’ଣ କେବଳ ନାକ ଟେକି ଯାହା ଫେରୁଛନ୍ତି। ପରିସ୍ରାଗାର ଭିତରେ ଝାଡ଼ା, ପରିସ୍ରା ଜମାଟ ବାନ୍ଧି ରହିଥିବା ଯୋଗୁଁ ଆଉ ସେଠାକୁ କେହି ଯିବାକୁ ଅମଙ୍ଗ ହେଉଛନ୍ତି। ଜିଲ୍ଳା ଓ ଜିଲ୍ଳା ବାହାରର ଯାତ୍ରୀମାନେ ଏନଏସିର ଏପରି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କାମଚଳା ପରିସ୍ରାଗାର ନିର୍ମାଣକୁ ନେଇ ନୟାଗଡ଼ ଏନଏସିର ମୁଖିଆମାନଙ୍କ କାର୍ଯ୍ୟଶୈଳିକୁ ନେଇ ଯାହା ତାରିଫ ତ କରୁଛନ୍ତି, ଖୋଦ୍ ସଦରରେ ଯଦି ପାଇଖାନା ନିର୍ମାଣରେ ଏତେ ଅନିମିତତା ବାହାରରେ ଆଉ କେତେ ସ୍ୱଚ୍ଛତା ବୋଲି ପ୍ରଶ୍ନ ବି କରୁଛନ୍ତି। ଏଥିପ୍ରତି ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେଇ ସହରର ଗୌରବ ଗାରିମା ରକ୍ଷା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *