ନୟାଗଡ଼ ଏନଏସିରେ ଯୁଦ୍ଧଂ ଦେହି ଡାକରା, ଅଧ୍ୟକ୍ଷଙ୍କୁ ଗାଦିଚ୍ୟୁତ ଥୟ

ନୟାଗଡ଼,୧୮/୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଏନଏସିର କାଉନସିଲମାନେ ଏକତ୍ରିତ ହୋଇ ଯୁଦ୍ଧଂ ଦେହି ଡାକରା ଦେବା ସହିତ ଅଧ୍ୟକ୍ଷଙ୍କ ମନମାନି ନେଇ ତାଙ୍କୁ ଗାଦିଚ୍ୟୁତ କରିବାପାଇଁ ଏକରକମ ଲାଗି ପଡ଼ିଥିବା ସହରରେ ଆଲୋଚନା ଜୋର ଧରିଛି। ଏନଏସିର ସମୁଦୟା ୧୩ ଜଣ କାଉନସିଲମାନଙ୍କ ମଧ୍ୟରୁ ୧୦ଜଣ କାଉନସିଲର ଅଧ୍ୟକ୍ଷଙ୍କୁ ବାହାର କରିବେ ନଚେତ୍ ନିଜେ ଇସ୍ତଫା ଦେବେ ବୋଲି ଏକ ମନ୍ଦିରରେ ପାଦୁକା ଛୁଇଁ ଶପଥ କରିଛନ୍ତି। ଏପରିକି ବାରମ୍ବାର ଗୁପ୍ତ ବୈଠକ କରିବା ସହିତ ୧୩ ନଂ ୱାର୍ଡ଼ର ଏକ କ୍ଳବ ଘରେ ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ କାଉନସିଲ ଜାନକୀ ବଲ୍ଳଭ ଜେନାଙ୍କୁ ଛାଡ଼ି ରଜଭୋଜି ପାଳନ କରିବା ଅବସରରେ ବିଭିନ୍ନ ପ୍ରକାର ଗୁପ୍ତ ମନ୍ତ୍ରଣା କରିଥିବା ତଥ୍ୟ ବାହାରକୁ ଆସିଛି। ଏପରିକି ଅଧ୍ୟକ୍ଷ ଶ୍ରୀ ଜେନାଙ୍କୁ ଗାଦିଚ୍ୟୁତ କରିବାପାଇଁ ପଣ ନେଇଥିବା ନୟାଗଡ଼ର ବିଜେଡି ମୁଖିଆ ଅରୁଣ ସାହୁଙ୍କୁ ଅବଗତ କରାଇଛନ୍ତି। ତାଙ୍କୁ ବାହାର କରନ୍ତୁ ନଚେତ ଆମେ ବାହାରିପଡ଼ିବୁ ବୋଲି ବିଧାୟକ ଶ୍ରୀ ସାହୁଙ୍କୁ ରୋକଠୋକଭାବେ ଚରମ ବାଣୀ ଶୁଣାଇଛନ୍ତି।

ବିଧାୟକ ଶ୍ରୀ ସାହୁ ଏବେ ରାଜ୍ୟ ବାହାରେ ଥାଇ ଏବେ ୨ଦିନ ହେଲା ନୟାଗଡ଼କୁ ଫେରିଛନ୍ତି। ସେ ଆସିଲେ ଯାହା ଘଟିବ ବୋଲି ଆଶା କରାଯାଉଥିବାବେଳେ ସେ ଏଥିରେ କୁଆଡ଼େ ମୁଣ୍ଡ ପୁରାଇବେ ନାହିଁ ବୋଲି ଶୁଣିବାକୁ ମିଳୁଛି। ଏନଏସିର ୧୦ଜଣ ଯାକ କାଉନସିଲର ବିଧାୟକ ଶ୍ରୀ ସାହୁଙ୍କ ସରକାରୀ ବାସଭବନକୁ ଯାଇ ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ପଦଚ୍ୟୁତ ନେଇ ଭେଟିଥିବାବେଳେ ଜଣ ଜଣ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ୨୦୧୩ ମସିହାରେ ସମୁଦାୟ ୧୩ଟି ୱାର୍ଡ଼କୁ ନେଇ ଗଠିତ ନୟାଗଡ଼ ଏନଏସିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ୬ଟି ଓ କଂଗ୍ରେସକୁ ୭ଟି ଆସନ ମିଳିଥିଲା। ଯାହାକି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସାହୁଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ତେବେ ଅରୁଣଙ୍କ ସୂକ୍ଷ୍ମ ରାଜନୀତି ବୁଦ୍ଧି ଯୋଗୁଁ ୭ଜଣ ଯାକ କଂଗ୍ରେସ କାଉନସିଲର ବିଜେଡିରେ ମିଶିବା ସହିତ କଂଗ୍ରେସର ଗୁରୁପ୍ରସାଦ ଜେନା ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲେ। ଏହାକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ନିର୍ବାଚନ ହଟଚମଟ ସୃଷ୍ଟି କରିଥିଲା। ତେବେ ନିର୍ବାଚନ ପୂରିବାର ୩ବର୍ଷ ବିତି ଯାଇଥିଲାବେଳେ ଓ ନିର୍ବାଚନ ହେବାକୁ ଆଉ ୧ବର୍ଷ ବାକି ରହିଛି। ଏଭଳି ସମୟରେ ଏନଏସିରେ ଜଣେ ଦିଜଣଙ୍କୁ ଛାଡ଼ି ଆଉ ସବୁ କାଉନସିଲର ଅଧ୍ୟକ୍ଷଙ୍କୁ ବାହାର କରିବାନେଇ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। କାଉନସିଲମାନେ ଏସମ୍ପର୍କରେ ମଧ୍ୟ ଜିଲ୍ଳାପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ତେବେ ନୟାଗଡ଼ ଏନଏସିରେ ଯେଉଁ ରାଜନୈତିକ ଝଡ଼ ଦେଖାଦେଇଛି ତାହା ଯଦି ଗୁରୁ (ବିଧାୟକ ଶ୍ରୀସାହୁ)ଙ୍କ ଦ୍ୱାରା ପ୍ରଶମିତ ହୁଏ ତା’ହେଲେତ ଅଲଗା କଥା ,ନଚେତ ଗୁରୁ (ଗୁରୁପ୍ରସାଦ ଜେନା)ଙ୍କ ଅଧ୍ୟକ୍ଷ ପଦ ଯିବାଟା ଥୟ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *