ପୁଣି ମହାନଦୀ ଜଳ ବିବାଦ! ରମଣଙ୍କୁ ନବୀନ ଚିଠି! ଛତିଶ ଗଡ଼ର ଦାଦାଗିରି – କଲମା ବ୍ୟାରେଜ ଗେଟ ବନ୍ଦ କଲେ

ଭୁବନେଶ୍ୱର ୩/୬ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତିଯେ, ମହାନଦୀ ଉପରେ ଥିବା କଲମା ବ୍ୟାରେଜର ଗେଟ ଛତିଶଗଡ଼ ଦ୍ୱାରା ବନ୍ଦ କରିଦିଆଯାଇଛି। ଏକତରଫା ନିର୍ଣ୍ଣୟ କରାଯାଇ ମହାନଦୀର ଜଳ ପ୍ରବାହ ବନ୍ଦ କରିବା ଦ୍ୱାରା ଓଡ଼ିଶାରେ ଗମ୍ଭିର ସଂକଟ ଦେଖାଯାଇଛି। ଓଡ଼ିଶାର ସମ୍ୱଲପୁର, ଝାରସୁଗୁଡ଼ା, ବରଗଡ଼ ଏତଦ୍ ବ୍ୟତୀତ ଅନେକ ଜିଲ୍ଲାରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ମହାନଦୀ ଜଳର ମୁକ୍ତ ପ୍ରବାହ ରୋକିବା ଏବଂ ଛତିଶ ଗଡ଼ର ଏକତରଫା ନିର୍ଣ୍ଣୟ ଯୋଗୁଁ ଓଡ଼ିଶାରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅଶାନ୍ତିର ବାତାବରଣ ଦେଖାଯାଇଛି ଯଦି ମହାନଦୀ ଉପରେ ଥିବା କଲମା ବ୍ୟାରେଜର ଗେଟ ଖୋଲା ନଯାଏ ଏବଂ ମହାନଦୀଜଳର ମୁକ୍ତ ପ୍ରବାହରେ ବାଧା ଉତ୍ପନ୍ନ ହୁଏ ତେବେ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଥିବା ଅଶାନ୍ତ ବାତାବରଣକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ।

ଛତିଶଗଡ଼ ସରକାରଙ୍କର ଏକତରଫା ନିର୍ଣ୍ଣୟ, 1945 ମସିହାରେ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ଆନ୍ତରାଜ୍ୟ ନଦୀଜଳ ଅଧିକାର ବୁଝାମଣାର ବିରୁଦ୍ଧ ଅଟେ।

ଓଡ଼ିଶା ସରକାରଙ୍କ ଦ୍ୱାରା ଆନ୍ତରାଜ୍ୟ ନଦୀଜଳ ବିବାଦ ଅଧିନିୟମ 1956 ଧାରା – ୩ ଅନୁଯାୟୀ ଏକ ଅଭିଯୋଗ ପୂର୍ବରୁ କରାଯାଇଛି ଯେଉଁଥିରେ କି ଛତିଶଗଡ଼ରେ ମହାନଦୀ ଉପରେ ୬ଟି ବ୍ୟାରେଜ ଅନ୍ତର୍ଭୁକ୍ତ ଏବଂ କଲମା ବ୍ୟାରେଜ ମଧ୍ୟ ଅନ୍ତର୍ଭୁକ୍ତ। ସୁପ୍ରିମ କୋର୍ଟରେ ମଧ୍ୟ ଏହି ବିବାଦ ସମ୍ୱନ୍ଧରେ ଛତିଶ ଗଡ଼ରେ ନିର୍ମାଣାଧିନ ମହାନଦୀ ଉପରେ ୬ଟି ବ୍ୟାରେଜର ନିର୍ମାଣକାର୍ଯ୍ୟକୁ ବନ୍ଦ କରବାପାଇଁ ଆବେଦନ କରାଯାଇଛି। ଏଥିରେ କଲମା ବ୍ୟାରେଜ ମଧ୍ୟ ଅନ୍ତର୍ଭୁକ୍ତ। ଏହି ମାମଲା ବର୍ତ୍ତମାନ ସୁପ୍ରିମ କୋର୍ଟରେ ବିଚାରାଧିନ ଅଛି। ତେଣୁ କଲମା ବ୍ୟାରେଜ ଗେଟକୁ ତୁରନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ କହିଛନ୍ତି।

Leave a Reply

Your email address will not be published. Required fields are marked *