ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ମେଡିକାଲ କଲେଜ ପରିଦର୍ଶନ

ଭୁବନେଶ୍ୱର, ୧୮/୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାରିପଦା ଯାଇ ନବନିର୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କେଲେଜ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ଏହି ମେଡିକାଲ କଲେଜ ଭିତ୍ତିଭୂମିର କାମ ସନ୍ତୋଷଜନକ ହୋଇଛି ଏବଂ ପ୍ରଥମ ବର୍ଷ ମେଡିକାଲ ଶିକ୍ଷାଦାନ ପାଇଁ ଏହା ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ।

ବାରିପଦାରେ ମେଡିକାଲ କଲେଜ ମୟୁରଭଞ୍ଜବାସୀଙ୍କ ବହୁ ଦିନର ସ୍ଵପ୍ନ ଥଲା। ଆଜି ସେହି ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହା ମେଡିକାଲ କଲେଜକୁ ଏକ ଉନ୍ନତ ଶିକ୍ଷା ତଥା ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମୀକ୍ଷା ବୈଠକ ଅବସରରେ ଓଡ଼ିଶାର ପ୍ରଥମ ମେଡିକାଲ କଲେଜ ଏସ. ସି. ବି ମେଡିକାଲ କଲେଜ ପ୍ରତିଷ୍ଠାରେ ମୟୁରଭଞ୍ଜ ମହାରାଜଙ୍କ ବିଶେଷ ଅବଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ। ପ୍ରତି ମାସରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଆଗାମୀ ୧୫ ଦିନରେ ରାଜ୍ୟର ଅନ୍ୟ ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟ ସଚିବ ଡ. ମେହେର୍ଦା, ପ୍ରମୁଖ ସଚିବ ଶ୍ରୀ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ପଣ୍ଡିତ ରଘୁନାଥ ମୁର୍ମୁ କଲେଜରେ ଚଳିତ ବର୍ଷ ପାଠପଢା ଆରମ୍ଭ କରିବା ପାଇଁ ସୁପ୍ରିମ କୋର୍ଟର Mandatted Oversight Committee ରାଜ୍ୟ ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।
Photo credit – Mukhtar Ahmed

Leave a Reply

Your email address will not be published. Required fields are marked *